ରବିବାର ଆରମ୍ଭ ହେବ ମେଗା ନିଲାମ-୨୦୨୪/୨୫
ଆସନ୍ତା କାଲି ଆଇପିଏଲର ୧୮ତମ ସଂସ୍କରଣ ପାଇଁ ମେଗା ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହେବ। ୨ଦିନ ଧରି ସାଉଦି ଆରବର ଜେଧାହ ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ନିଲାମ କାର୍ଯ୍ୟକ୍ରମରେ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ଆାଗାମୀ ୩ ବର୍ଷ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରିବେ। ମୋଟ ୫୭୭ ଜଣ ତାଲିକାଭୁକ୍ତ ଖେଳାଳିଙ୍କ ମଧ୍ୟରୁ ୨୦୪ଜଣ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେବ।
ଭାରତୀୟ ସମୟରେ କେତେବେଳେ ଆରମ୍ଭ ହେବ ନିଲାମ ?
ଭାରତୀୟ ସମୟ ଅନୁଯାୟୀ ରବିବାର ଓ ସୋମବାର ଦିନ ଅପରାହ୍ଣ ୩.୩୦ ମିନିଟରେ ମେଗା ନିଲାମ କାର୍ଯ୍ୟ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। ପର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଓ ଚତୁର୍ଥ ଦିନର ଷ୍ଟମ୍ପ ଘୋଷଣା ହେବା ପରେ ପରେ ନିଲାମ କାର୍ଯ୍ୟ ଆରମ୍ଭ କରିବାକୁ ବିସିସଆଇ ନିଷ୍ପତ୍ତି ନେଇଛି। ମଝିରେ ୪୫ ମିନିଟର ବିରତି ରଖାଯାଇଛି।
ଏଥର କଣ ନୂଆ ?
ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହେବା ପରଠୁ ଏହା ପ୍ରଥମ ମେଗା ନିଲାମ। ତେଣୁ ଫ୍ରାଞ୍ଚାଇଜ୍ମାନେ ଖେଳାଳି କିଣିବା ସମୟରେ ଏସବୁ ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦେବେ। ୩ ଭାରତୀୟ ଷ୍ଟାର ଶ୍ରେୟସ ଆୟର, ଋଷଭ ପନ୍ତ ଓ କେଏଲ୍ ରାହୁଲ ମୁଖ୍ୟ ଆକର୍ଷଣ ସାଜିବେ। ୩ଜଣ ଯାକ ଭାରତୀୟ ଓ ପୂର୍ବରୁ ନିଜ ନିଜ ଦଳର ନେତୃତ୍ୱ ନେଇସାରିଛନ୍ତି। ଆୟରଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ଗତ ବର୍ଷ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା। ଏମାନେ ‘ମାର୍କି’ ଖେଳଳାଳି ତାଲିକାରେ ରହିଛନ୍ତି। ତେଣୁ ଚଢ଼ା ଦାମରେ ଏମାନଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନେ ପଛାଇବେ ନାହିଁ।
କେତେ ସେଟ୍ ‘ମାର୍କି ଖେଳାଳି’ ତାଲିକା ରହିଛି ଓ କେତେ ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି ?
ମୋଟ ୧୨ଜଣ ଖେଳାଳି ‘ମାର୍କି’ ତାଲିକାରେ ରହିଛନ୍ତି। ଏମାନଙ୍କୁ ୨ଟି ସେଟରେ ଭାଗ କରାଯାଇଛି। ପ୍ରତି ସେଟରେ ୬ ଜଣ ଲେଖାଏଁ ଖେଳାଳି ରହିଛନ୍ତି। ସେଟ-୧ରେ ପନ୍ତ, ଆୟର, ଜୋସ୍ ବଟଲର, ଅର୍ଶଦୀପ ସିଂହ, କାଗିସୋ ରାବାଡ଼ା ଓ ମିଚେଲ ଷ୍ଟାର୍କ ରହିଛନ୍ତି। ସେଟ-୨ରେ କେ ଏଲ୍ ରାହୁଲ, ୟୁଝବେନ୍ଦ୍ର ଚହଲ, ଲାଏମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ୍ ମିଲର୍, ମହମ୍ମଦ ସାମି ଓ ମହମ୍ମଦ ସିରାଜ ରହିଛନ୍ତି।
କେତେ ଖେଳାଳିଙ୍କୁ ନେଇ ହେବ ନିଲାମ ?
ଏଥର ଚୂଡ଼ାନ୍ତ ତାଲିକାରେ ମୋଟ ୫୭୭ ଜଣ ଖେଳାଳି ରହିଥିବା ବେଳେ ୩୬୭ ଜଣ ଭାରତୀୟ ଓ ୨୧୦ ଜଣ ବିଦେଶୀ ଖେଳାଳି ରହିଛନ୍ତି। ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ମୋଟ ୨୦୪ଟି ସ୍ଥାନ ଖାଲି ରହିଛି। ସେଥିମଧ୍ୟରେ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି।
କେତେ ରହିଛି ଖେଳାଳିମାନଙ୍କ ମୂଳ ମୂଲ୍ୟ ?
ମୋଟ ୮ଟି ବର୍ଗରେ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ସବୁଠୁ ଦାମୀ ଖେଳାଳିଙ୍କ ମୂଲ୍ୟ ୨କୋଟି ଟଙ୍କା ରଖାଯାଇଛି। ସର୍ବନିମ୍ନ ମୂଲ୍ୟ ୨୦ ଲକ୍ଷରୁ ୩୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୨ କୋଟି ଟଙ୍କା ମୂଲ୍ୟରେ ମୋଟ ୮୨ ଜଣ ଖେଳାଳି ପଞ୍ଜୀକରଣ କରିଛନ୍ତି। ’ମାର୍କି’ ଖେଳାଳି ତାଲିକାରେ ରହିଥିବା ୧୨ଖେଳାଳିଙ୍କ ମଧ୍ୟରୁ ୧୧ଜଣ ଖେଳାଳିଙ୍କ ମୂଲ୍ୟ ୨କୋଟି ଟଙ୍କା ରହିଛି। ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ମୂଲ୍ୟ ୧.୫ କୋଟି ଧାର୍ଯ୍ୟ କରାଯାଇଛି।
ମୂଲ୍ୟ ଖେଳାଳି
୨କୋଟି ୮୨
୧.୫୦କୋଟି ୨୭
୧.୨୫କୋଟି ୧
୧କୋଟି ୨୩
୭୫ଲକ୍ଷ ୯୨
୫୦ଲକ୍ଷ ୦୮
୪୦ଲକ୍ଷ ୦୫
୩୦ଲକ୍ଷ ୩୨୦
କ‘ଣ ରହିବ ନିଲାମର ଫର୍ମାଟ୍ ?
ପ୍ରଥମେ ’ମାର୍କି’ ଖେଳାଳି ତାଲିକାରୁ ନିଲାମ ଆରମ୍ଭ ହେବ। ଏହାପରେ ବ୍ୟାଟ୍ସମ୍ୟାନ୍, ଦ୍ରୁତ ବୋଲର, ୱିକେଟ୍ ରକ୍ଷକ, ସ୍ପିନର ଓ ଅଲରାଉଣ୍ଡରମାନଙ୍କ ନାମ ପର୍ଯ୍ୟାୟ କ୍ରମେ ଡ଼ାକ ହେବ। ଏହା ପରେ ଘରୋଇ କ୍ରିକେଟ୍ ଖେଳିନଥିବା ଘରୋଇ ଖେଳାଳିମାନଙ୍କ ନିଲାମ ଆରମ୍ଭ ହେବ।
କିଏ ରହିବେ ମୁଖ୍ୟ ଆକର୍ଷଣ ?
ଭାରତୀୟ ତାରକା ଖେଳାଳିଙ୍କୁ କିଣିବା ପାଇଁ ମୁଖ୍ୟତଃ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ। ମାତ୍ର ୨ଜଣ ଖେଳାଳିଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ସେମାନେ ହେଲେ ଜାମ୍ସ ଆଣ୍ଡରସନ ଓ ବୈଭବ ସୂର୍ଯ୍ୟବଂଶୀ। ୪୩ବର୍ଷିୟ ଆଣ୍ଡରସନ ୨୦୧୪ରୁ ଟି-ଟ୍ୱେଣ୍ଟି କ୍ରେକଟ୍ ଖେଳିନାହାନ୍ତି। ସେହିପରି ବୈଭବଙ୍କ ବୟସ ମାତ୍ର ୧୩ ବର୍ଷ ଓ ସେ ଗତ ସିଜନରୁ ରଣଜୀ ଟ୍ରଫି ପଦାର୍ପଣ କରିସାରିଛନ୍ତି। ଗତ ଅଷ୍ଟ୍ରେଲିଆ ବିପକ୍ଷ ୧୯ ବର୍ଷରୁ କମ୍ ଅନଫିସିଆଲ ଟେଷ୍ଟ ମ୍ୟାଚରେ ସେ ଶତକ ଅର୍ଜନ କରିଥିଲେ।
କାହା ପାଖରେ କେତେ ଟଙ୍କା ?
ଏଥର ପଞ୍ଜାବ କିଙ୍ଗସ ସର୍ବାଧିକ ଅର୍ଥ ସହ ନିଲାମକୁ ଓହ୍ଲାଇବ। କିଙ୍ଗସ ପର୍ସରେ ୧୧୦.୫କୋଟି ଟଙ୍କା ରହିଛି। ସେହିପରି ରାଜସ୍ଥାନ ରୟାଲ୍ସ ପର୍ସରେ ସବୁଠୁ କମ୍ ୪୧କୋଟି ଟଙ୍କା ରହିଛି। ଚେନ୍ନାଇ ସୁପରକିଙ୍ଗସ ନିକଟରେ ୫୫କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୭୩କୋଟି, କୋଲକାତା ନାଇଟ ରାଇଡର୍ସ ନିକଟରେ ୫୧କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରେ ୮୩କୋଟି, ଲକ୍ଷ୍ନୌ ସୁପରଜାଏଣ୍ଟସ ନିକଟରେ ୬୯କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୪୫କୋଟି, ସନରାଇଜର୍ସ ହାଇଦ୍ରାବାଦ ନିକଟରେ ୪୫କୋଟି, ଗୁଜରାଟ ଟାଇଟନ୍ସ ନିକଟରେ ୬୯କୋଟି ଟଙ୍କା ରହିଛି।
ରାଇଟ୍ ଟୁ ମ୍ୟାଚ୍(ଆରଟିଏମ୍) କାର୍ଡ ଟ୍ୱିଷ୍ଟ
୨୦୧୪ ଓ ୨୦୧୮ ମେଗା ନିଲାମରେ ଆରଟିଏମ୍ କାର୍ଡ ସାମିଲ ହୋଇଥିଲେ ହେଁ ୨୦୨୨ରେ ସଂସ୍କରଣରେ ଏହାକୁ ବାଦ ଦିଆଯାଇଥିଲା। ଏଥର ନୂଆ ଟ୍ୱିଷ୍ଟ ସହ ଆରଟିଏମ୍ କାର୍ଡ ଫେରିଛି। ଏହି କାର୍ଡ ଜରିଆରେ ଦଳମାନେ ସେମାନଙ୍କ ପୂର୍ବ ସିଜନ ଦଳରୁ ଜଣେ ଖେଳାଳିଙ୍କୁ ପୁନର୍ବାର ଫେରାଇ ଆଣିପାରିବେ। ଏଥର ଏକ ଆରଟିଏମ୍ କାର୍ଡ ବ୍ୟବହାର ନେଇ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ। ପୂର୍ବରୁ ଦଳ କେବଳ ଜଣେ ଖେଳାଳିଙ୍କୁ ଫେରାଇ ଆଣିପାରୁଥିଲା।
ଏଥର ଯେଉଁ ଦଳ ଏହି ନିଲାମରେ ବିଜୟୀ ହେବ ସେହି ଦଳ ବିନା କୌଣସି ସୀମାରେ ବିଡ୍ ବଢ଼ାଇ ଖେଳାଳିଙ୍କୁ ରଖିବାକୁ ଆଉ ଏକ ସୁଯୋଗ ପାଇବ। ଉଦାହରଣ ସ୍ୱରୂପ, ଯଦି ’କ’ ନାମକ ଖେଳାଳିଙ୍କୁ ଏକ ଦଳ ୫ କୋଟି ଟଙ୍କାରେ କିଣିଥାଏ, ଉକ୍ତ ଖେଳାଳିଙ୍କ ପୂର୍ବ ଦଳ(୨୦୨୪ସିଜନର) ତାଙ୍କୁ ଚାହିଁଲେ ଆରଟିଏମ କାର୍ଡ ଜରିଆରେ ଫେରାଇ ଆାଣିବେ। ମାତ୍ର ଏଥର ନିଲାମରେ ତାଙ୍କୁ କିଣିଥିବା ଦଳ ଚାହିଁଲେ ଥରେ ଦାମ ବଢାଇ ପାରିବେ। ମନେକର ଉକ୍ତ ଫ୍ରାଞ୍ଚାଇଜ ଚାହିଁଲେ କିଣିଥିବା ଖେଳାଳିଙ୍କ ଦାମ ବଢାଇ ପାରିବେ। ଏହା ସତ୍ତ୍ୱେ ପୂର୍ବତନ ଫ୍ରାଞ୍ଚାଇଜ ଚାହିଁଲେ ଆରଟିଏମ୍ କାର୍ଡ ବଦଳରେ ଉକ୍ତ ଖେଳାଳିଙ୍କୁ ବର୍ଦ୍ଧିତ ଦାମରେ ନେଇପାରିବେ କିମ୍ବା ଛାଡ଼ିଦେଇପାରିବେ। ଅର୍ଥାତ୍ ଉକ୍ତ ଖେଳାଳିଙ୍କ ପୂର୍ବ ଦଳ ସେମାନଙ୍କର ଆରଟିଏମ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥାଏ, ତେବେ ପ୍ରଥମ ଦଳକୁ ବିନା କୌଣସି ପ୍ରତିବନ୍ଧକରେ ଥରେ ବିଡ୍ ବଢ଼ାଇବାର ସୁଯୋଗ ଦିଆଯିବ।
କାହା ପାଖରେ କେତେ ଆରଟିଏମ୍ କାର୍ଡ ?
ଚଳିତ ବର୍ଷ ଲାଗୁ ହୋଇଥିବା ଖେଳାଳି ପ୍ରତିଧାରଣ ନିୟମ ଅନୁଯାୟୀ ଦଳଗୁଡ଼ିକ ସିଧାସଳଖ ରିଟେନସନ ଏବଂ ଆରଟିଏମ୍ କାର୍ଡ ମାଧ୍ୟମରେ ସର୍ବାଧିକ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ। ଏଥିରେ ସର୍ବାଧିକ ୫ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ଓ ସର୍ବାଧିକ ୨ଜଣ ଘରୋଇ ଖେଳାଳି ରହିବେ। ସମସ୍ତ ୬ ଜଣ ଖେଳାଳି (କେକେଆର୍ ଏବଂ ଆର ଆର)ଙ୍କୁ ରିଟେନ୍ କରୁଥିବା ଦଳଗୁଡ଼ିକ ନିଲାମରେ ଆରଟିଏମ୍ ବିକଳ୍ପ ପାଇବେ ନାହିଁ।
ସିଏସ୍ କେ ନିକକଟରେ ଗୋଟିଏ ଆରଟିଏମ ବିକଳ୍ପ ରହିଛି। ଚାହିଁଲେ ଉଭୟ ଘରୋଇ କିମ୍ବା ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ପଛରେ ଆରଟିଏମ ବ୍ୟବହାର କରିପାରିବ। ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୨ଟି ଆରଟିଏମ୍ କାର୍ଡ ରହିଛି। ଡିସି ଚାହିଁଲେ ଜଣେ କ୍ୟାପଡ, ଜଣେ ଅନ୍କ୍ୟାପଡ କିମ୍ବା ଉଭୟଙ୍କ ପଛରେ ବ୍ୟବହାର କରିପାରିବ। ରୟାଲ୍ ଚ୍ୟାଲେଞ୍ଜର୍ସ ନିକଟରେ ୩ଟି ଆରଟିଏମ୍ (୧ ଅନ୍କ୍ୟାପ୍ଡ ଓ ୨ ଜଣ କ୍ୟାପ୍ଡ ଖେଳାଳି, କିମ୍ବା ୩ କ୍ୟାପ୍ଡ), ସୁପରଜାଏଣ୍ଟସ ନିକଟରେ ଗୋଟିଏ(କ୍ୟାପ୍ଡ), ପଞ୍ଜାବ କିଙ୍ଗସ ନିକଟରେ ୪(ଅନ୍କ୍ୟାପ୍ଡ). ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଗୋଟିଏ(ଅନ୍କ୍ୟାପ୍ଡ), ସନରାଇଜର୍ସ ନିକଟରେ ଗୋଟିଏ (କ୍ୟାପ୍ଡ) ଓ ଗୁଜରାଟ ଟାଇଟନ୍ସ ନିକଟରେ ଗୋଟିଏ(କ୍ୟାପ୍ଡ) ଆରଟିଏମ୍ କାର୍ଡ ରହିଛି।
related article: https://purvapaksa.com/ipl-mega-auction/