- ମାର୍କେଟରେ ରାଜୁତି କରିବ
- ଏୟାରଟ୍ୟାଗ୍, ସ୍ମାର୍ଟ ହୋମ୍ ପ୍ରଡକ୍ଟ, ମ୍ୟାକ୍ ବୁକ୍ ସିରିଜ
ଡିଜିଟାଲ ଦୁନିଆର ରାଜା ‘ଆପଲ‘ ଆସନ୍ତା ବର୍ଷ ଅନେକ ନୂଆ ପ୍ରଡକ୍ଟ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି । ଏହି ଆମେରିକୀୟ ଟେକ୍ କମ୍ପାନୀ ଆସନ୍ତା ବର୍ଷ ସ୍ମାର୍ଟ ଡିସପ୍ଲେ ଏବଂ ଅନ୍ୟାନ୍ୟ ସ୍ମାର୍ଟ ହୋମ୍ ଡିଭାଇସ୍ ମାଧ୍ୟମରେ ସ୍ମାର୍ଟ ହୋମ୍ ବଜାରରେ ଚାଞ୍ଚଲ୍ୟ ଖେଳାଇବ। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆପଲ ଏହାର ଏୟାରଟ୍ୟାଗ୍ ଟ୍ରାକରକୁ ଅପଡେଟ୍ କରିଛି ଏବଂ ପରବର୍ତ୍ତୀ ପିଢ଼ିର ମଡେଲ୍ ଆସନ୍ତା ୨୦୨୫ ମଧ୍ୟଭାଗରେ ଲଞ୍ଚ ହେବାର ସମ୍ଭାବନା ରହିଛି।
ଆପଲ୍ ଏୟାରଟ୍ୟାଗ୍ (ଦ୍ୱିତୀୟ ପିଢ଼ି):
ଆପଲ୍ ତା’ର ପୁରୁଣା ଏୟାରଟ୍ୟାଗ୍କୁ ନୂଆ ଫଇଚର ସହ ଲଞ୍ଚ କରିବାକୁ ଯାଉଛି। ଏହାର ନାମ ରଖାଯାଇଛି ବି୫୮୯। ବର୍ତ୍ତମାନ ଏହାର ଉତ୍ପାଦନ ପରୀକ୍ଷଣ ଚାଲିଛି। ୨୦୨୫ ମଧ୍ୟଭାଗରେ ଏହାକୁ ଲଞ୍ଚ କରାଯିବ। ବ୍ଲୁମବର୍ଗର ମାର୍କ ଗୁରମନଙ୍କ କହିବା ଅନୁସାରେ, ଡିଜାଇନ୍ରେ ସେଭଳି ପରିବର୍ତ୍ତନ ହେବନାହିଁ। ମାତ୍ର ଅତ୍ୟାଧୁନିକ ଫିଚର୍ସ, ଉନ୍ନତ ରେଞ୍ଜ ଏବଂ ନୂଆ ଓୟାରଲେସ୍ ଚିପ୍ ରହିବ।

ଓୟାରଲେସ୍ ଟ୍ରାକରର ଗୋପନୀୟତା ବୃଦ୍ଧି ଉପରେ ମଧ୍ୟ ଆପଲ୍ ଗୁରୁତ୍ୱ ଦେଉଥିବା କୁହାଯାଉଛି। ଟ୍ରାକରର ସୁରକ୍ଷା ଫିଚର ବୃଦ୍ଧି କରାଯାଇଛି। କେହି ଚାହିଁଲେ ମଧ୍ୟ ନୂଆ ମଡ଼େଲ ଡିଭାଇସରୁ ସ୍ପିକର୍କୁ ହଟାଇପାରିବେ ନାହିଁ।
ଆପଲ୍ ସ୍ମାର୍ଟ ହୋମ୍ ଡିଭାଇସ୍:
ଆପଲ୍ ଏକ କାନ୍ଥରେ ଲାଗିବା ଭଳି ସ୍ମାର୍ଟ ହୋମ୍ ଡିସପ୍ଲେ ଏବଂ ଏକ ରୋବୋଟିକ୍ ଟେବୁଲଟପ୍ ଡିଭାଇସ୍ ସମେତ ନୂତନ ଏଆଇ-ଚାଳିତ ଡିଭାଇସ୍ ଲଞ୍ଚ କରିବାକୁ ଯାଉଛି। ଜେ୪୯୦ ନାମକ ଏହି ସ୍ମାର୍ଟ ହୋମ୍ ଡିସପ୍ଲେରେ ଭିଡିଓ କନଫରେନ୍ସିଂ ପାଇଁ କ୍ୟାମେରା ସହ ୬ ଇଞ୍ଚର ଚାରି କୋଣ ବିଶିଷ୍ଟ ସ୍କ୍ରିନ୍, ରିଚାର୍ଜେବଲ୍ ବ୍ୟାଟେରୀ, ବିଲ୍ଟ-ଇନ୍ ସ୍ପିକର ରହିବ। ୨ଟି ରଙ୍ଗ ଯଥା, କଳା ଓ ସିଲଭର ରଙ୍ଗେର ଡିଭାଇସ ଉପଲବ୍ଧ ହେବ। ଏହି ଡିଭାଇସ ଆପଲର ୱାଚ୍-ଓଏସ୍ ଏବଂ ଷ୍ଟାଣ୍ଡବାଇ ମୋଡ୍ ଭାବେ ଆଇଓଏସ୍ ଇଣ୍ଟରଫେସକୁ ମିଶାଇ ଏକ ହାଇବ୍ରିଡ୍ ଅପରେଟିଂ ସିଷ୍ଟମ୍ ଚଳାଇବ ବୋଲି କୁହାଯାଉଛି, ଯେଉଁଥିରେ ୱେବ୍ ବ୍ରାଉଜିଂ, ନ୍ୟୁଜ୍, ମିଡିଆ ପ୍ଲେବ୍ୟାକ୍ ଏବଂ ଅନ୍ୟାନ୍ୟ ପାଇଁ ଉତ୍ସର୍ଗୀକୃତ ଆପ୍ ରହିଛି।

ଏହି ସ୍ମାର୍ଟ ଡିସପ୍ଲେ ପରେ ଆପଲ ମଧ୍ୟ ଏକ ଟେବୁଲଟପ୍ ରୋବୋଟିକ୍ ଡିଭାଇସ୍ ଆଣିପାରେ, ଯେଉଁଥିରେ ରୋବୋଟ୍ର ବାହୁରେ ଆଇପ୍ୟାଡ୍ ଭଳି ସ୍କ୍ରିନ୍ ରହିଛି। ଏହି ଡିଭାଇସ୍ ପାଇଁ ଆପଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ସ୍ଥାନୀୟ ପରିସ୍ଥିତି, ପରିବେଶ ବୁଝିବା ସହ ଉପଭୋକ୍ତାଙ୍କୁ ଚିହ୍ନଟ କରି ସେହି ଅନୁଯାୟୀ ଏହାର ପ୍ରତିକ୍ରିୟାକୁ ଅନୁକୂଳ କରିବ ବୋଲି ଆଶା କରାଯାଉଛି।
ଆପଲ୍ ଅନ୍ୟ ସ୍ମାର୍ଟ ହୋମ୍ ଡିଭାଇସ୍ ଯଥା ନୂଆ ଟିଭି ସେଟ୍ ଏବଂ ସ୍ମାର୍ଟ ହୋମ୍ କ୍ୟାମେରା ମଧ୍ୟ ପ୍ରସ୍ତୁତ କରୁଛି ବୋଲି ଜଣାପଡ଼ିଛି। ୨୦୨୫ ମାର୍ଚ୍ଚରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟ ଡିସପ୍ଲେର ସଫଳତା ଉପରେ ଏହି ପ୍ରଡକ୍ଟଗୁଡ଼ିକର ବିକାଶ ନିର୍ଭର କରିବ।
୨୦୨୫ରେ ଆପଲଠାରୁ ଆଉ କ‘ଣ ଆଶା କରିବେ
ଏହାର ସ୍ମାର୍ଟ ହୋମ୍ ଲାଇନ୍ ଅପ୍ ବ୍ୟତୀତ ଆପଲ୍ ଏମ୍-୪ ଚିପ୍ ଦ୍ୱାରା ପରିଚାଳିତ ମ୍ୟାକ୍ ବୁକ୍ ଏୟାର, ମ୍ୟାକ୍ ପ୍ରୋ ଏବଂ ମ୍ୟାକ୍ ଷ୍ଟୁଡିଓ ସମେତ ନୂଆ ମ୍ୟାକ୍ ମଡେଲ୍ ଲଞ୍ଚ କରିବାର ସମ୍ଭାବନା ରହିଛି। ଆଇପ୍ୟାଡ୍ ଏୟାର ଏବଂ ଏଣ୍ଟ୍ରି ଲେଭଲ୍ ଆଇପ୍ୟାଡର ଅପଡେଟ୍ ମଧ୍ୟ ଆଶା କରାଯାଉଛି।

ସବୁଠୁ ପ୍ରତୀକ୍ଷିତ ରିଲିଜ୍ ଗୁଡ଼ିକ ମଧ୍ୟରେ ଚତୁର୍ଥ ପିଢ଼ିର ଆଇଫୋନ୍ ଏସ୍ଇ ରହିଛି, ଯାହା ଆସନ୍ତା ମାର୍ଚ୍ଚରେ ଲଞ୍ଚ ହେବ। ଆଇଫୋନ୍ ଏସ୍ଇ-୪ ରେ ବକ୍ସି ଫ୍ରେମ୍ ଏବଂ ଫେସ୍ ଆଇଡି ସେନ୍ସର୍ ସହ ଆଇଫୋନ୍-୧୪ ପ୍ରେରିତ ଡିଜାଇନ୍ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଏହା ଆଇଫୋନ୍-୧୬ ଏବଂ ୧୬ ପ୍ଲସ୍ ଭଳି ଏ୧୮ ଚିପ୍ ଦ୍ୱାରା ପରିଚାଳିତ ହୋଇପାରେ, ଯାହା ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ସକୁ ଆକସେସ୍ ପ୍ରଦାନ କରିଥାଏ।
previous article: https://purvapaksa.com/acer-india-launches-two-new-tablets-in-india/


