ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସାଂସ୍କୃତିକ ସ୍ୱାଧୀନତା ପ୍ରତି ପ୍ରତିବଦ୍ଧତା ନେଇ ୧୯୭୧ ମସିହାରେ ବାଂଲାଦେଶ ପ୍ରତିଷ୍ଠା ହୋଇଥିଲା। ଏହା ପାକିସ୍ତାନ ଶାସନରେ ଧାର୍ମିକ ଭେଦଭାବର ସ୍ୱତଃସ୍ପୃତ ପ୍ରତିକ୍ରିୟା ଥିଲା। ତେବେ ଏକ ସ୍ୱାଧୀନ ଦେଶ ଭାବରେ ପାଖାପାଖି ପାଞ୍ଚ ଦଶନ୍ଧି ମଧ୍ୟରେ ଘରୋଇ ରାଜନୀତିରେ ପରିବର୍ତ୍ତନ, ଧାର୍ମିକ ଭାବନା ଏବଂ ଭୂ-ରାଜନୈତିକ ପ୍ରଭାବରେ ବାଂଲାଦେଶର ରାଜନୈତିକ ଏବଂ ସାମାଜିକ ଢାଞ୍ଚାରେ ଇସଲାମର ପ୍ରାଧାନ୍ୟ ବୃଦ୍ଧି ପାଇଛି। ପାକିସ୍ତାନ ଭଳି ଏବେ ବାଂଲାଦେଶରେ ମୌଳବାଦୀମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ଫଳରେ ବାଂଲାଦେଶର ଜଣେ ଶୀର୍ଷ ଅଧିକାରୀ ଦେଶର ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦକୁ ହଟାଇବାକୁ ଦାବି କରିଛନ୍ତି।
ବାଂଲାଦେଶର ସର୍ବୋଚ୍ଚ ଆଇନ ଅଧିକାରୀ ଆଟର୍ଣ୍ଣି ଜେନେରାଲ ମହମ୍ମଦ ଅସଜମନ ଦେଶର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ସମୟରେ ସମ୍ବିଧାନରୁ ଧର୍ମନିରପେକ୍ଷତା ଶବ୍ଦକୁ ହଟାଇବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ବାଂଲାଦେଶର ସମ୍ବିଧାନର ୧୫ତମ ସଂଶୋଧନକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ଶୁଣାଣି ଚାଲିଛି। ତେବେ ପଞ୍ଚଦଶ ସଂଶୋଧନ କ’ଣ ଯାହା ସମ୍ବିଧାନକୁ ଧର୍ମନିରପେକ୍ଷ କରିଛି?
୧୯୭୫ମସିହାରେ ଧର୍ମନିରପେକ୍ଷତା ଶବ୍ଦକୁ କାଢ଼ି ଫୋପାଡ଼ି ଦିଆଯାଇଥିଲା
TandFonline.com ଅନୁଯାୟୀ, ବାଂଲାଦେଶର ମୂଳ (୧୯୭୨) ସମ୍ବିଧାନରେ ଧର୍ମନିରପେକ୍ଷତାକୁ ଏକ ମୌଳିକ ନୀତି ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଜାତୀୟତାବାଦ, ସମାଜବାଦ ଏବଂ ଗଣତନ୍ତ୍ର ସହିତ ରାଜ୍ୟର ଚାରିଟି ମୌଳିକ ନୀତି ମଧ୍ୟରୁ ଅନ୍ୟତମ। ତେବେ ବାଂଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବୁର ରେହମାନଙ୍କ ହତ୍ୟା ପରେ ୧୯୭୫ମସିହାରେ ଜେନେରାଲ ଜିଆଉର ରେହମାନଙ୍କ ସାମରିକ ବିଦ୍ରୋହ ପରେ ଧର୍ମନିରପେକ୍ଷତା ଶବ୍ଦକୁ ସମ୍ବିଧାନରୁ ହଟାଇ ଦିଆଯାଇଥିଲା।
୧୯୮୮ ମସିହାରେ ଇସଲାମ ସରକାରୀ ଧର୍ମରେ ପରିଣତ ହୋଇଥିଲା
୧୯୮୮ ମସିହାରେ ଅଷ୍ଟମ ସଂଶୋଧନ ମାଧ୍ୟମରେ ଇସଲାମକୁ ବାଂଲାଦେଶର ସରକାରୀ ଧର୍ମ ଘୋଷଣା କରାଗଲା। କିନ୍ତୁ ୨୦୦୫ ରେ ସୁପ୍ରିମକୋର୍ଟ ସମ୍ବିଧାନରୁ ଧର୍ମନିରପେକ୍ଷତା ହଟାଇବାକୁ ବେଆଇନ ବୋଲି ଘୋଷଣା କରିଥିଲେ। ସେହି ନିଷ୍ପତ୍ତିକୁ ଆପିଲେଟ୍ ଡିଭିଜନ ବଜାୟ ରଖିଥିଲା। ତା’ପରେ ୨୦୧୧ରେ ମୁଜିବୁର ରହମାନଙ୍କ ଝିଅ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାର ୧୫ତମ ସଂଶୋଧନ ପାରିତ କରିଥିଲେ। ଏହି ଉପାୟରେ ଆୱାମି ଲିଗ୍ ସରକାର ଚାରିଟି ମୌଳିକ ପ୍ରସଙ୍ଗକୁ ସମ୍ବିଧାନରେ ସାମିଲ କରିଥିଲେ। ଧର୍ମନିରପେକ୍ଷତା ଏକ ନୀତି ଭାବରେ ପୁଣି ସମ୍ବିଧାନରେ ସାମିଲ ହୋଇଥିଲା।
ଇସଲାମିକ ଦଳଙ୍କ ରାଜନୈତିକ ପ୍ରଭାବ
ଜମାତ-ଏ-ଇସଲାମି ଭଳି କେତେକ ଇସଲାମିକ ରାଜନୈତିକ ଦଳ ଏବଂ ଗୋଷ୍ଠୀ ବର୍ଷ ବର୍ଷ ଧରି ପ୍ରଭାବଶାଳୀ ହେବାରେ ଲାଗିଛନ୍ତି। ଯଦିଓ ଏହି ଗୋଷ୍ଠୀଗୁଡିକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି, ତଥାପି ସେମାନେ ଇସଲାମିକ ମୂଲ୍ୟବୋଧ ଏବଂ ଆଇନ ଅନୁଯାୟୀ ନୀତି ଲାଗୁ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ରାଜନୈତିକ ଦଳମାନେ ସମର୍ଥନ ହାସଲ କରିବା ପାଇଁ ପ୍ରାୟତଃ ଧାର୍ମିକ ଭାବନାକୁ ବ୍ୟବହାର କରନ୍ତି , ଇସଲାମ ହେଉଛି ବାଂଲାଦେଶର ସାଂସ୍କୃତିକ ଓ ସାମାଜିକ ଢାଞ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ।
୧୯୮୦ ଦଶକରେ, ସାମରିକ ନେତା ହୁସେନ୍ ମହମ୍ମଦ ଏରଶାଦ ସରକାରଙ୍କ ଅଧୀନରେ ବାଂଲାଦେଶ ଆନୁଷ୍ଠାନିକ ଭାବରେ ଇସଲାମକୁ ରାଷ୍ଟ୍ରଧର୍ମ ଭାବରେ ଘୋଷଣା କରିବା ପାଇଁ କାର୍ଯ୍ୟ କରିଥିଲା।ଏହି ପଦକ୍ଷେପର ଆଂଶିକ ଉଦ୍ଦେଶ୍ୟ ଥିଲା ଇସଲାମିକ ରାଜନୈତିକ ଗୋଷ୍ଠୀମାନଙ୍କର ସମର୍ଥନ ହାସଲ କରିବା ଏବଂ ରାଜନୈତିକ ସ୍ଥିରତାକୁ ସୁଦୃଢ଼ କରିବା। ଯଦିଓ ଧର୍ମନିରପେକ୍ଷତା ଏକ ନୀତି ହୋଇ ରହିଥିଲା। କିନ୍ତୁ ଇସଲାମର ଭୂମିକା ସାମ୍ବିଧାନିକ ଏବଂ ପ୍ରତୀକାତ୍ମକ ଭାବରେ ବୃଦ୍ଧି ପାଇଛି ।
ବାଂଲାଦେଶର ମୁସଲିମ ନାଗରିକ
ବାଂଲାଦେଶର ୯୦ ପ୍ରତିଶତ ନାଗରିକ ମୁସଲିମ ଅଟନ୍ତି। ଏହା ସେହି ଦେଶ ଯେଉଁଦେଶ ପାକିସ୍ତାନ ଗଠନରେ ବିଶେଷ ଭୂମିକା ଗ୍ରହମ କରିଥିଲା। ବାଂଲାଦେଶୀ ମୁସଲିମ ଲିଗ୍ ନେତାଙ୍କ ପ୍ରୟାସରେ ଦେଶ ସ୍ୱାଧିନ ହେବା ପୂର୍ବରୁ କୋଲକତାରେ ଡାଇରେକ୍ଟ ଆକ୍ସନ ଡେ ନାମରେ ହିନ୍ଦୁଙ୍କ ବିରୋଧରେ ହିଂସା ହୋଇଥିଲା। ନୁଆଖୋଲିରେ ହଜାର ହଜାର ହିନ୍ଦୁଙ୍କୁ ହତ୍ୟା କରାଯିବା ସହିତ ହିନ୍ଦୁ ମହିଳାଙ୍କ ସହିତ ବଳାତ୍କାର ହୋଇଥିଲା। ସେହି ଜନ୍ମଗତ ଦୋଶ ଏବେ ବାଂଲାଦେଶୀଙ୍କ ମଧ୍ୟରେ ପୁଣି ଜନ୍ମ ନେଇଛି। ୨୨ ପ୍ରତିଶତରୁ ୭ ପ୍ରତିଶତକୁ ଖସି ଆସିଥିବା ହିନ୍ଦୁଙ୍କୁ ଏବେ ବାଂଲାଦେଶୀ ମୁଲ୍ଲା ମୌଲବି ଟାର୍ଗେଟ୍ କରୁଛନ୍ତି। ଯେତେ ଯାହା କହିଲେ ମଧ୍ୟ ଏହା ସତ ଯେ, ସଂଖ୍ୟାଧିକ ବାଂଲାଦେଶୀ ମୁସଲିମ୍ ମୁଲ୍ଲାଙ୍କୁ ସମର୍ଥନ ଦେଉଛନ୍ତି।
ଆଞ୍ଚଳିକ ଜିଓ ପଲିଟିକ୍ସ
ଭାରତରୁ ଅଲଗା ହୋଇଥିବା ପାକିସ୍ତାନରୁ ଜନ୍ମ ହୋଇଥିବା ବାଂଲାଦେଶ ହିନ୍ଦୁ ବହୁଳ ଧର୍ମନିରପେକ୍ଷ ଭାରତକୁ ନିଜ ଆଦର୍ଶ ମାନେ ନାହିଁ। ଏହା ପାଇଁ ସେହି ପାକିସ୍ତାନ ହେଉଛି ଆଦର୍ଶ ଯାହା ଏକଦା ବାଂଲାଦେଶୀ ମୁସଲମାନଙ୍କୁ ହତ୍ୟା କରିଥିଲା। ବାଂଲାଦେଶୀ ମୁଲ୍ଲା ଭାବୁଛନ୍ତି ଯେ, ସେମାନେ ଇସଲାମିକ ରାଷ୍ଟ୍ର ହୋଇଗଲେ ଦୁନିଆର ବାକି ମୁସଲିମ୍ ରାଷ୍ଟ୍ରଙ୍କ ଆଡୁ ଗୁରୁତ୍ୱ ମିଳିବ। କିନ୍ତୁ ବାରମ୍ବାର ବାତ୍ୟା ଦ୍ୱାରା ବେହାଲ ହେଉଥିବା ଭୋକିଲା ବାଂଲାଦେଶ ଏହା ବୁଝି ପାରୁନାହିଁ ଯେ, ଅତିବାଦ ତାକୁ ଆଫଗାନିସ୍ତାନ,ସିରିଆ ରାସ୍ତାରେ ନେଉଛି।
ଧର୍ମନିରପେକ୍ଷତା ଏବଂ ଧାର୍ମିକ ରକ୍ଷଣଶୀଳତା
ଅବଶ୍ୟ ବାଂଲାଦେଶ ଧର୍ମନିରପେକ୍ଷ ନୀତି ବଜାୟ ରଖିଛି, କିନ୍ତୁ ଏହା ତଥାପି ଧାର୍ମିକ ରକ୍ଷଣଶୀଳତା ସହିତ ଏକ ସନ୍ତୁଳନ ରଖିଛି| ଧର୍ମନିରପେକ୍ଷତାକୁ ବଜାୟ ରଖିବା ର ପ୍ରୟାସ ବେଳେବେଳେ ରକ୍ଷଣଶୀଳ ଗୋଷ୍ଠୀମାନଙ୍କ ସହିତ ଉତ୍ତେଜନା ସୃଷ୍ଟି କରିଛି ଯେଉଁମାନେ ଶାସନ, ଶିକ୍ଷା ଏବଂ ଆଇନଗତ ମାମଲାରେ ଅଧିକ ଇସଲାମିକ ନୀତିକୁ ସମର୍ଥନ କରନ୍ତି । ଫଳସ୍ୱରୂପ, କିଛି ନେତା ଧାର୍ମିକ ଅସନ୍ତୋଷକୁ ରୋକିବା ପାଇଁ ଏକ ଅଧିକ ଇସଲାମିକ ପରିଚୟକୁ ସମର୍ଥନ କରିପାରନ୍ତି ।
Also read:https://purvapaksa.com/is-bjp-embracing-the-legacy-of-odishas-1st-congress-cm-harekrushna-mahtab/