ଝାଡ଼ଖଣ୍ଡରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୪୩ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ଭୋଟରମାନେ ୬୮୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଶ୍ୱାସ କରାଯାଉଛି ଯେ ପ୍ରଥମ ପର୍ଯ୍ୟାୟରେ ଯିଏ ଅଧିକ ଆସନ ଜିତିବାରେ ସକ୍ଷମ ହେବ ସେ କ୍ଷମତା ହାସଲ କରିପାରିବ।
ପ୍ରଥମ ପର୍ଯ୍ୟାୟରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ୨୮ଟି ଆସନରୁ ୨୦ଟିରେ ଭୋଟ୍ ଗ୍ରହଣ ହେବ। ବିଜେପି ଏବଂ ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ମଧ୍ୟରେ ଏହି ସବୁ ଆସନ ଗୁଡ଼ିକରେ ସିଧାସଳଖ ଲଢ଼େଇ ହେଉଛି। ଏହି ପର୍ଯ୍ୟାୟରେ ହେମନ୍ତ ସୋରେନ ସରକାରର ୬ ମନ୍ତ୍ରୀ ଏବଂ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୪ ସମ୍ପର୍କୀୟ ନିର୍ବାଚନ ଲଢ଼ୁଛନ୍ତି।
ଚମ୍ପାଇ ସୋରେନ୍ ନିଜେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ପୁଅ ବାବୁଲାଲ୍ ଘଟସିଲାରୁ ନିର୍ବାଚନ ଲଢ଼ୁଛନ୍ତି। ଏହାବାତ୍ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରାଦେବି, ମଧୁ କୋଡ଼ାଙ୍କ ପତ୍ନୀ ଗୀତା କୋଡ଼ା, ରଘୁବର ଦାସ୍ଙ୍କ ବୋହୂ ପୂର୍ଣ୍ଣିମା ଦାସ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପକ୍ଷରେ ୩୧ ବିଧାନସଭା ଆସନ ଏବଂ କେରଳର ୱାୟନାଡ଼ ଲୋକସଭା ଆସନରେ ମଧ୍ୟ ବୁଧବାର ଉପନିର୍ବାଚନ ହେବ। ୱାୟନାଡ଼ ଆସନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ୁଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଥର ଝାଡ଼ଖଣ୍ଡରେ ମୋଟ୍ ଭୋଟରଙ୍କ ସଂଖ୍ୟା ପ୍ରାୟ ୨.୬ କୋଟି ।
ଶାସକ ଜେଏମ୍ଏମ୍ ଇଣ୍ଡି ମେଣ୍ଟର ଏକ ଅଂଶବିଶେଷ ଭାବେ ଏନ୍ଡିଏ ମେଣ୍ଟ ବିରୋଧରେ ଲଢ଼ୁଛି। ଏଠାରେ ଜେଏମଏମ ୨୩, କଂଗ୍ରେସ ୧୭ ଓ ଆରଜେଡି ୫ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପକ୍ଷେ ଏନ୍ଡିଏରେ (ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିଅନ), ଜନତା ଦଳ (ୟୁନାଇଟେଡ୍) ଏବଂ ବିଜେପି ସାମିଲ ଅଛି। ଏଣେ କେରଳର ଓ୍ବାୟାନଡ୍ ଲୋକସଭା ଆସନ ସମେତ ଦେଶର ବିଭିନ୍ନ ରାଜ୍ୟର ୩୧ଟି ବିଧାନସଭା ଆସନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖେର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ୨୩ ତାରିଖରେ ଫଳାଫଳ ଜଣାପଡିବ। ଜେଏମଏମ କ୍ଷମତା ବଜାୟ ରଖିବା ହେମନ୍ତ ସୋରେନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।
story read:https://purvapaksa.com/odisha-government-seeks-time-to-offer-views-on-waqf-amendment-bill/