ବିଜେଡି ବିପର୍ଯ୍ୟୟ ପାଇଁ ନବୀନ ଦାୟୀ। ନିଜେ ସଭା ସମିତିକୁ ନ ଯିବାର ଫଳ ଦଳ ଭୋଗିଲା ବୋଲି ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା। ଖାଲି ସେତିକି ନୁହେଁ, ଦଳ ନିର୍ବାଚନ ପୂର୍ବରୁ ଭୁଲ୍ ବାଟରେ ପରିଚାଳିତ ହେଉଥିଲା ବୋଲି କହି ବିଜେଡି ନେତୃତ୍ୱକୁ ଅଡ଼ୁଆରେ ପକାଇଛନ୍ତି।
ଭି.କେ ପାଣ୍ଡିଆନଙ୍କ ଯୋଗୁ ଗତ ନିର୍ବାଚନରେ ବିଜେଡି ହାରିଲା। ପୂର୍ବରୁ ବିଜେଡିର କେତେକ ନେତା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇ ଏହି କଥା କହିଥିଲେ।
ସୁଶାନ୍ତ ବେହେରା କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି। ଦଳକୁ ସାଧାରଣତଃ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେ ବୋଧେ ଅଣଦେଖା କଲେ। ଯାହା ଫଳରେ ଦଳ ପରାଜିତ ହେଲା। ଦଳର ସଭାପତି ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁ ଦଳର କିଛି କର୍ମୀ ଓ ବ୍ୟକ୍ତିତ୍ୱ ଅସନ୍ତୁଷ୍ଟ ହୋଇଥିଲେ। ତେଣୁ ଏହା ମଧ୍ୟ ଦଳର ପରାଜୟର ଆଉ ଏକ କାରଣ। ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି।
ସେ କହିଛନ୍ତି, ବରିଷ୍ଠ ନେତାମାନଙ୍କୁ ଟିକେ ଉପେକ୍ଷା କରାଯାଇଥିଲା ବୋଲି ଆମେ ବିଶ୍ୱାସ କରୁଥିଲୁ। କିନ୍ତୁ ବାସ୍ତବରେ ସେମିତି କିଛି ହୋଇନାହିଁ। ଦଳ ଯେହେତୁ ଲଗାତାର ୨୫ ବର୍ଷ ଶାସନରେ ରହିସାରିଥିଲା, ତେଣୁ ଲୋକେ ମନ ପରିବର୍ତ୍ତନ କରିଥିଲେ। ସେମାନେ ନୂତନତ୍ୱ ଚାହୁଁଥିଲେ। ତେଣୁ ସେଥିପାଇଁ ମଧ୍ୟ ବିଜେଡିର କିଛି କ୍ଷତି ହୋଇଛି। ବରିଷ୍ଠ ନେତା ଦଳରେ ଅଛନ୍ତି। ଦଳର ପରାଜୟ ପରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। କିନ୍ତୁ ସେକଥା ବେଶୀ ଦିନ ରହିବ ନାହିଁ। ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ଭାବେ ଗୋଟିଏ କମିଟିରେ ରଖାଯାଇଛି ଓ ସେମାନେ ଦଳ କେମିତି ଆଗକୁ ଯିବ, ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।
ବିଜେଡିରେ ଅନ୍ତଃକନ୍ଦଳ ନାହିଁ। ବିଜେଡି ସଂଗଠିତ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ। ଦଳ ଆଗାମୀ ନିର୍ବାଚନରେ ୧୨୦ରୁ ଅଧିକ ସିଟ୍ ଜିତି ପୁଣି ସରକାର କରିବ। ଦଳ ସକ୍ରିୟ ଅଛି। ଜନସାଧାରଣ ମଧ୍ୟ ଜାଣି ସାରିଲେଣି ଯେ ବିଜେପି ସରକାର ମିଥ୍ୟାବାଦୀ ସରକାର। ବିଜେପି ସରକାର ଆଦୌ ସତ୍ୟ କଥା କୁହନ୍ତି ନାହିଁ। ବିଜେପି ଯାହା କହେ, ତାକୁ କାର୍ଯ୍ୟରେ ପରିଣତ କରେ ନାହିଁ ବୋଲି କହିଛନ୍ତି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା।
Previous articlehttp://HZEjeHmj3WjmQKefFKpgLThgUXQcf2vrMbgrbwG9iCn1


1 Comment
Pingback: Page not found – purvapaksa.com