ଓଡ଼ିଶା ରାଜନୀତିର ଦୀର୍ଘକାଳୀନ ଶାସକ ବିଜୁ ଜନତା ଦଳ (ବିଜେଡି) ଏବେ ଇତିହାସର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଯେଉଁ ଆତ୍ମସମୀକ୍ଷା ଓ ସଂସ୍କାରର ଆଶା କରାଯାଉଥିଲା, ତାହା ଏବେ ଏକ ଦଳୀୟ ଶକ୍ତି ସଂଘର୍ଷରେ ପରିଣତ ହୋଇଛି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାର ସୁଯୋଗ ନେଇ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଦଳକୁ ନିଜ ମୁଠାରେ ରଖିବାକୁ ଚେଷ୍ଟା କରୁଥିବା ନେଇ ଯେଉଁ ଅଭିଯୋଗ ଉଠୁଛି, ତାହା ଏବେ ଶଙ୍ଖ ଭବନର ଚାରିକାନ୍ଥ ଡେଇଁ ରାଜରାସ୍ତାରେ ଚର୍ଚ୍ଚାର ବିଷୟ ପାଲଟିଛି।
କମିଟିର ଜାଲ ଓ ପଙ୍ଗୁ ନେତୃତ୍ୱ
ନିର୍ବାଚନ ପରାଜୟ ପରେ ଦଳକୁ ସଂଗଠିତ କରିବା ପାଇଁ ନବୀନ ପଟ୍ଟନାୟକ ଏକାଧିକ କମିଟି ଗଠନ କରିଛନ୍ତି। ଦେବୀ ମିଶ୍ରଙ୍କ ନେତୃତ୍ୱରେ ସମନ୍ୱୟ କମିଟି, ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ୧୭ ଜଣିଆ ଉପଦେଷ୍ଟା କମିଟି, ଏବଂ ପରେ ରାଜନୈତିକ ବ୍ୟାପାର କମିଟି (ପିଏସି) ଓ ଶୃଙ୍ଖଳା କମିଟି। କିନ୍ତୁ ଏସବୁ କମିଟି କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି।

ଦଳୀୟ ସୂତ୍ର ଅନୁସାରେ, ଏହି କମିଟିଗୁଡ଼ିକର କୌଣସି ନିଷ୍ପତ୍ତି ନେବାର କ୍ଷମତା ନାହିଁ। ନିକଟରେ ଅନୁଷ୍ଠିତ ନୂଆପଡ଼ା ଉପନିର୍ବାଚନ ଏହାର ସବୁଠାରୁ ବଡ଼ ପ୍ରମାଣ। ଦଳୀୟ ନେତାମାନଙ୍କ ମତାମତ ନିଆଯିବା ପୂର୍ବରୁ ପାଣ୍ଡିଆନଙ୍କ ପରାମର୍ଶରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଥିଲା। ଫଳସ୍ୱରୂପ, ଦଳ ସେଠାରେ ତୃତୀୟ ସ୍ଥାନକୁ ଖସିଗଲା। ଏହା ସ୍ପଷ୍ଟ କରୁଛି ଯେ, ନେତାମାନଙ୍କୁ କେବଳ ଦେଖେଇବା ପାଇଁ ପଦପଦବୀ ଦିଆଯାଇଛି, କିନ୍ତୁ ଅସଲ ‘ରିମୋଟ କଣ୍ଟ୍ରୋଲ’ ଏବେ ବି ସେହି ଅଣ-ଓଡ଼ିଆ କର୍ତ୍ତୃତ୍ୱ ପାଖରେ ରହିଛି।
‘ସୁଜାତା ବନ୍ଦନା’ ଓ ସାଂଗଠନିକ ଦାସତ୍ୱ
ବର୍ତ୍ତମାନ ଦଳ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ରାଜନୈତିକ ପ୍ରବେଶ। ଅଭିଯୋଗ ହେଉଛି ଯେ, ପାଣ୍ଡିଆନ ନିଜ ପତ୍ନୀଙ୍କୁ ଦଳର ପରବର୍ତ୍ତୀ ମଙ୍ଗୁଆଳ ଭାବେ ଉପସ୍ଥାପିତ କରିବା ପାଇଁ ଯୁବ, ଛାତ୍ର ଓ ମହିଳା ସାମ୍ମୁଖ୍ୟର ସଭାପତିମାନଙ୍କୁ ନିୟୋଜିତ କରିଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ ଦଳର ଛାମୁଆ ସଂଗଠନର କିଛି ନେତାଙ୍କ ମୁହଁରେ ‘ସୁଜାତା ବନ୍ଦନା’ ଶୁଣିବାକୁ ମିଳିଥିଲା, ଯାହା ବରିଷ୍ଠ ନେତାମାନଙ୍କୁ ମର୍ମାହତ କରିଛି।
ସବୁଠାରୁ ସାଂଘାତିକ କଥା ହେଉଛି ‘ଦଳୀୟ ପାଣ୍ଠି’ ଉପରେ ନିୟନ୍ତ୍ରଣ। ଦଳର ଆର୍ଥିକ ଶକ୍ତିକୁ ମୁଠେଇ ଧରି ପାଣ୍ଡିଆନ ଦମ୍ପତି ନେତାମାନଙ୍କୁ ନିଜ ବଶତା ସ୍ୱୀକାର କରିବାକୁ ବାଧ୍ୟ କରୁଥିବା ସୂଚନା ମିଳୁଛି। ଯେଉଁମାନେ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି, ସେମାନଙ୍କୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରଖାଯାଉଛି।
ମୁନ୍ନା ଖାଁଙ୍କ ଗର୍ଜନ ଓ ବିଦ୍ରୋହର ସ୍ୱର
ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା, ତାହା ଦଳ ଭିତରେ ଥିବା ତୀବ୍ର ଅସନ୍ତୋଷର ପରିପ୍ରକାଶ। ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସିଧାସଳଖ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯେଉଁ ବୟାନ ଦେଲେ, ତାହା ପାଣ୍ଡିଆନଙ୍କ ସାମ୍ରାଜ୍ୟ ଉପରେ ଏକ ବଡ଼ ଶକ୍ତ ପ୍ରହାର। “ଆମେ କାହାରି ଅଣ୍ଡରରେ ରହିବୁ ନାହିଁ କି ଚାପଲୁସି କରିବୁ ନାହିଁ; ଦୁଇମୁଣ୍ଡିଆଙ୍କ ଚାଲାକି ଆଉ ଚଳିବ ନାହିଁ” — ମୁନ୍ନା ଖାଁଙ୍କ ଏହି ବୟାନ କେବଳ ତାଙ୍କର ନୁହେଁ, ବରଂ ଦଳର ଶହ ଶହ ଅଣଦେଖା ନେତାଙ୍କ ମନର କଥା। ଭୁବନେଶ୍ୱରରୁ ଘସିପୁରା ପର୍ଯ୍ୟନ୍ତ ନେତାମାନେ ଏବେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଜାହିର କରୁଛନ୍ତି।

ପ୍ରଫୁଲ୍ଲ ଘଡ଼େଇଙ୍କ ପରାମର୍ଶ: ନବୀନଙ୍କ ପାଇଁ ଶେଷ ସତର୍କବାଣୀ?
ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଏହି ସଙ୍କଟ ସମୟରେ ନବୀନ ପଟ୍ଟନାୟକଙ୍କୁ ଆଇନା ଦେଖାଇବାକୁ ଚେଷ୍ଟା କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନବୀନ ବାବୁଙ୍କୁ ନିଜର ପୁରୁଣା କାର୍ଯ୍ୟଶୈଳୀ ବଦଳାଇବାକୁ ପଡ଼ିବ। ଏକତା ବିନା ଦଳ ତିଷ୍ଠି ପାରିବ ନାହିଁ। “ଯେଉଁମାନେ ନେତୃତ୍ୱ ନେଉଛନ୍ତି, ସେମାନେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଦରକାର”— ଏହି ମନ୍ତବ୍ୟ ସିଧାସଳଖ ସେହି ଗୋଷ୍ଠୀକୁ ଇଙ୍ଗିତ କରୁଛି ଯେଉଁମାନେ ଦଳକୁ ଏକ ଘରୋଇ ଲିମିଟେଡ କମ୍ପାନୀ ଭାବେ ଚଳାଇବାକୁ ଚାହୁଁଛନ୍ତି। ରାଜ୍ୟରେ ଏକ ଦୃଢ଼ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି ସତ, କିନ୍ତୁ ସେହି ଦଳ ଯଦି ବ୍ୟକ୍ତିବିଶେଷଙ୍କ ଅହଂକାର ଓ ସ୍ୱାର୍ଥରେ ବଳି ପଡ଼େ, ତେବେ ତାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ।
୨୦୨୬— ବିଜେଡିର ପୁନରୁଦ୍ଧାର ନା ପତନ?
୨୦୨୫ର ଶେଷ ସୁଦ୍ଧା ବିଜେଡି ଯେଉଁ ମୋଡ଼ରେ ଠିଆ ହୋଇଛି, ସେଠାରୁ ଦୁଇଟି ରାସ୍ତା ଯାଇଛି। ପ୍ରଥମଟି ହେଉଛି, ପାଣ୍ଡିଆନଙ୍କ ପ୍ରଭାବରୁ ମୁକୁଳି ଦଳର ପୁରୁଣା ଓ ନିଷ୍ଠାପର ନେତାଙ୍କୁ ସମ୍ମାନ ଦେଇ ପୁନର୍ଗଠନ କରିବା। ଦ୍ୱିତୀୟଟି ହେଉଛି, ପାଣ୍ଡିଆନ ଦମ୍ପତିଙ୍କ ବଶତା ସ୍ୱୀକାର କରି ଦଳକୁ ବିଭାଜନ ମୁହଁକୁ ଠେଲିଦେବା।
ନବୀନ ପଟ୍ଟନାୟକଙ୍କ ଚୁପ ରହିବା ଏବେ ବିରୋଧୀଙ୍କ ପାଇଁ ଅସ୍ତ୍ର ସାଜିଛି। ଯଦି ସେ ନିଜେ ସାଂଗଠନିକ ବ୍ୟାପାରରେ ହସ୍ତକ୍ଷେପ ନକରନ୍ତି ଏବଂ ‘ଦୁଇମୁଣ୍ଡିଆ’ଙ୍କ ପ୍ରଭାବରୁ ନେତାମାନଙ୍କୁ ମୁକ୍ତ ନକରନ୍ତି, ତେବେ ୨୦୨୬ ମସିହା ବିଜୁ ଜନତା ଦଳ ପାଇଁ ଶେଷ ବର୍ଷର ଆରମ୍ଭ ହୋଇପାରେ। ଓଡ଼ିଶାର ଜନସାଧାରଣ ବିଜୁ ବାବୁଙ୍କ ନାଁକୁ ଭଲ ପାଆନ୍ତି, କିନ୍ତୁ ‘ଅଦୃଶ୍ୟ ଶାସନ’କୁ ସେମାନେ ୨୦୨୪ରେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।
Alsoread; https://purvapaksa.com/samakoi-river-irrigation-project-cancelled-after-public-outcry/
https://purvapaksa.com/samakoi-river-irrigation-project-cancelled-after-public-outcry/

