ବିଜୁ ଜନତା ଦଳରେ ଫାଟ କିଛି ନୂଆ କଥା ନୁହେଁ। ଏହା ସମସ୍ତେ ଜାଣନ୍ତି କିନ୍ତୁ ବାହାରକୁ ଆସେ ନାହିଁ। ହେଲେ ବିଧାନସଭାର ମୌସୁମୀ ଅଧିବେଶରେ ଯାହା ଘଟିଲା ତାହା ସ୍ପଷ୍ଟ ସୂଚାଇ ଦେଇଛି ଯେ ଏ ଫାଟ ଆଉ ଦଳ ଭିତରେ ନବୀନ ନିବାସରେ ବା ଶଙ୍ଖ ଭବନରେ ସୀମିତ ନାହିଁ ବରଂ ଅଫିସିଆଲ ହେବାକୁ ଯାଉଛି। ବିଧାନସଭାରେ ଏହି ଫାଟ ବିଭାଜନ ଆଡ଼କୁ ମୁହାଁଉଥିବାର ଆଭାସ ଦେଉଛି। ବିଧାନସଭାକୁ ଚଳାଇ ନ ଦେବା ଲାଗି ବିଜୁ ଜନତା ଦଳର କେହି ଜଣେ ମୁଖିଆ ଗୋପନ ଆଦେଶ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଏ ନେତା କିଏ ଯିଏ ଏପରି ଆଦେଶ ଦେଇପାରେ? କାହିଁକି ଏପରି ଆଦେଶ ଦିଆଯାଇପାରେ ଆଉ ଏହାର ପରିଣତି କ’ଣ ହେବ ସେ ବିଷୟରେ ଏକ ଗଭୀର ଅନୁଶୀଳନ।
ନବୀନ କାହିଁକି ବିଧାନସଭାକୁ ଆସୁନାହାନ୍ତି
ମୌସୁମୀ ଅଧିବେଶନ ସ୍ୱଳ୍ପ ସମୟ ପାଇଁ ଚାଲିଥିଲେ ମଧ୍ୟ କୌଣସି ଗୋଟିଏ ଦିନ ବି ଦଳର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ଶାରୀରିକ ଅସୁସ୍ଥତା ପାଇଁ ସେ ଗୃହକୁ ଆସୁ ନ ଥିଲେ ତାହା ନୁହେଁ। ସେ ରାଜ୍ୟରେ ନାହାନ୍ତି। ବିଧାନସଭା ଆରମ୍ଭ ହେଉଥିବା ଜାଣି ମଧ୍ୟ ଗୃହକୁ ଆସିବାକୁ ଉଚିତ ମଣି ନାହାନ୍ତି। ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ରାଜ୍ୟବାସୀ ଯେଉଁ ବିରୋଧୀ ଦଳକୁ ବିଧାନସଭାରେ ସରକାରଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିର୍ବାଚିତ କରିଛନ୍ତି ତାହାର ନେତା କ’ଣ ଏତେ ଅସ୍ୱାଭାବିକ ହେବା ଉଚିତ? ବିଧାନସଭାଠୁ ବଳିକରି ତାଙ୍କର ଏମିତି କ’ଣ କାର୍ଯ୍ୟ ଦିଲ୍ଲୀରେ ରହିଛି ଯେ ସେ ଆସିବାକୁ ଉଚିତ ମନେ କରୁନାହାନ୍ତି? ବିଧାନସଭାର ଅଧିବେଶନ କ’ଣ ଦିଲ୍ଲୀରେ ବନ୍ଧୁ-ବାନ୍ଧବଙ୍କୁ ଭେଟିବା, ବିଭିନ୍ନ କଳା ପ୍ରଦର୍ଶନୀରେ ବୁଲିବାଠୁ କମ୍ ଗୁରୁତ୍ୱପୂର୍ଣ୍ଣ?
ବିଧାୟକ ହତୋତ୍ସାଽହିତ
ଏଭଳି ପ୍ରଶ୍ନଗୁଡ଼ିକ ଯେ ଖାଲି ଗଣମାଧ୍ୟମ ବା ସାଧାରଣ ଲୋକଙ୍କ ପାଖରେ ଗୁଞ୍ଜରିତ ହେଉଛି ତାହା ନୁହେଁ। ୨୪ ବର୍ଷ ଧରି ଯେଉଁ ନେତାଙ୍କୁ ଭଗବାନ ସଦୃଶ ଗ୍ରହଣ କରିଥିଲେ ତାଙ୍କର ଏପରି ଏକ ରୂପକୁ ଦେଖି ଅନେକ ବିଧାୟକ ବି ହତୋତ୍ସାଽହିତ ହୋଇଛନ୍ତି। ଦଳୀୟ ନିଷ୍ପତ୍ତି ଦେବାକୁ ବିଧାନସଭାରେ ନେତା ଉପସ୍ଥିତ ରହୁ ନ ଥିବାରୁ ଆକାଶବାଣୀକୁ ଅପେକ୍ଷା କରୁଛନ୍ତି। ଆଉ ଏ ଆକାଶବାଣୀ ବି ଦିଲ୍ଲୀ ନୁହେଁ ଆମେରିକାରୁ ଆସୁଛି ବୋଲି କୁହାଯାଉଛି। ଅର୍ଥାତ୍ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର, ନବୀନଙ୍କ ସବୁଠାରୁ ଉତ୍କୃଷ୍ଟ ବ୍ୟକ୍ତିଗତ ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଏବେ ଆମେରିକାରେ ଥିବାରୁ ବିଧାନସଭାରେ କିପରି ବିଧାୟକମାନେ ଆଚରଣ କରିବେ ତାହା ସେ ସେଠାରୁ ଜଣାଉଛନ୍ତି।
ବିଧାୟକମାନେ ଦଳୀୟ ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନାହାନ୍ତି
ପାଣ୍ଡିଆନଙ୍କ ପ୍ରତି ଏହି ଅଭିଯୋଗ ପ୍ରମାଣଯୋଗ୍ୟ ନୁହେଁ, କିନ୍ତୁ ପାଣ୍ଡିଆନ୍ ବିଦେଶରେ ଅଛନ୍ତି ତାହା ସତ୍ୟ। ଏଣୁ ଥିବା ପୃଥିବୀର ଅଂଶରେ ଦିନ ଥିଲେ ଏଠାରେ ରାତି ହେଉଛି। ଆଉ ତାଙ୍କର ରାତି ପାହିବାବେଳକୁ ଏଠାରେ ଯେମିତି ବିଧାନସଭା ବସି ନ ଥିବ ସେହି ଆଦେଶ ଦିଆଯାଇଥିବା କୁହାଯାଉଛି। ତାହାକୁ ଆଖିରେ ରଖି ଡରି ମରି, ଆଦେଶକୁ ହ୍ୱିପ୍ ବୋଲି ଗ୍ରହଣ କରି ବିଧାୟକମାନେ ବିଧାନସଭା ଆରମ୍ଭ ହେବା କ୍ଷଣି ଗୃହ କିପରି ଅଚଳ ହେବ ସେଥିପାଇଁ ତତ୍ପର ହୋଇଛନ୍ତି। ପ୍ଲାକାର୍ଡ, ପୋଷ୍ଟର ଧରି ଗୃହ ଭିତରେ ମଧ୍ୟ ଭାଗରେ ଆସି ଠିଆ ହୋଇଛନ୍ତି। ନାରାବାଜୀ ଚାଳାଇଛନ୍ତି। ଫଳରେ ଗୃହରେ ସ୍ୱାଭାବିକ ପରିବେଶ ରକ୍ଷା କରାଯାଇପାରିନାହିଁ। ଆଉ ଗୃହ ବାରମ୍ବାର ମୁଲତବୀ ହୋଇଛି। ପ୍ରତିଦିନ ଲଗାତାର ଏମିତି ଅକାରଣ ବିରୋଧ ଚାଲିବାଦ୍ୱାରା ରାଜ୍ୟବାସୀ ମଧ୍ୟ ବିଭିନ୍ନ ଫୋରମରେ ସମାଲୋଚନା କରିଛନ୍ତି। ବିଜେଡି ଜାଣିଶୁଣି ଗୃହକୁ ଚାଲିବାକୁ ଦେଉ ନାହିଁ ବୋଲି ବିଧାୟକମାନେ ବି ଅନୁଭବ କରିଛନ୍ତି। ସେଥିଲାଗି ଗୃହ ଭିତରେ ଏକାଠି ବୋଲି ଦର୍ଶାଉଥିଲେ ବି ଗୃହ ବାହାରେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରମୁଖ ଭାବେ ଦେଖିଲେ ଅରୁଣ ସାହୁ, ଗୌତମବୁଦ୍ଧ ଦାସ, ଗଣେଶ୍ୱର ବେହେରାଙ୍କ ଭଳି ପରିପକ୍ୱ ବିଧାୟକମାନେ ମଧ୍ୟ ପରୋକ୍ଷରେ ଗୃହ ନ ଚାଲିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେମାନେ ଗୃହ ନ ଚାଲିବା ପାଇଁ ବିରୋଧୀ ଦଳକୁ ଦାୟୀ କରି ନାହାନ୍ତି କିନ୍ତୁ ଏହାକୁ ଶାସକ ଦଳର ଦୋଷ ବୋଲି ବି ବୟାନ କରିନାହାନ୍ତି।
ମିଳିଥିବା ସୂଚନା ଅନୁସାରେ ବିଧାନସଭା ପରିସର ଭିତରେ ବିରୋଧୀ ଦଳର ଏକ ବୈଠକରେ ଏଭଳି କିଛି ନେତା ଦଳର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ସେମାନେ ଗୃହକୁ ଚଳାଇବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି। ଗୃହ ଚାଲିଲେ ବିଧାୟକମାନେ ଅଧିକ ସଂଖ୍ୟାରେ ନିଜ ଅଞ୍ଚଳର ପ୍ରସଙ୍ଗ ବାବଦରେ ଆଲୋଚନା କରିପାରିବେ। ସ୍ୱଳ୍ପ ସମୟ ହେଲେ ବି ତାହା ତାଙ୍କ ପାଇଁ ଓ ସାର ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଗୃହରେ ହେଉଥିବା ଆଲୋଚନା ରେକର୍ଡରେ ରହେ ଏବଂ ଏହାର ପ୍ରଭାବ ସୁଦୂରବ୍ୟାପୀ ହୋଇଥାଏ।
ଅରୁଣ ସାହୁଙ୍କ କଟାକ୍ଷ
ହେଲେ ଆଲୋଚନାକୁ ସୁଯୋଗ ଦେବା ବଦଳରେ ବିରୋଧୀ ଦଳ ବିକ୍ଷୋଭ, ଧାରଣା ଓ ପ୍ରତିବାଦକୁ ଗ୍ରହଣ କରିଥିଲା। ଗୃହ ମଧ୍ୟଭାଗରେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜୀ ଦେବାକୁ ପସନ୍ଦ କରିଥିଲା। ଏହାଦ୍ୱାରା ସ୍ୱଳ୍ପକାଳୀନ ଅଧିବେଶନ ବି ଧୋଇ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଧାୟକ ଅରୁଣ ସାହୁ କହିଛନ୍ତି ‘ଜଣେ ବିଧାୟକ ଭାବେ ଦଳ ଯାହା କହିବ ସେ ତାକୁ ମାନିବେ। କିନ୍ତୁ ଜଣେ ରାଜନୀତି ବିଜ୍ଞାନ ଛାତ୍ର ଭାବେ ଗୃହ ଯେତେ ଚାଲିବ, ସରକାରୀ ଦଳର ମୁଖା ଖୋଲିବ। ଅନ୍ୟ ବିଧାୟକମାନେ ମଧ୍ୟ ପ୍ରକାରାନ୍ତେ ଏହାକୁ ସମର୍ଥନ କରିଛନ୍ତି।
ଯଦି ଗୃହ ଚାଲିଲେ ଫାଇଦା, ତେବେ ଏହାକୁ ଅସ୍ୱାଭାବିକ କରିବାକୁ କିଏ ଚାହୁଁଛି? କାହିଁକି ଚାହୁଁଛି?
ବିଜେଡିର ଯୁବ ବିଧାୟକ ଅସନ୍ତୁଷ୍ଟ
ବିଧାନସଭା ଚାଲୁଥିବାବେଳେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଦଳର ନୀତି ନେଇ ଅସନ୍ତୋଷ ପ୍ରକାଶ କରିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ତାଙ୍କ କହିବା ଅନୁସାରେ ବିଧାନସଭା ଚାଲିଥିଲେ ମୁଁ ମୋର ନିର୍ବାଚନମଣ୍ଡଳିର ଛାତ୍ରୀ ସୌମ୍ୟାଶ୍ରୀଙ୍କ କଥା ଉଠାଇପାରିଥାନ୍ତି। କିନ୍ତୁ ଏବେ କିପରି ମୁଁ ମତଦାତାମାନଙ୍କୁ ମୁହଁ ଦେଖାଇବି ବୋଲି ସେ ପ୍ରଶ୍ନ କରିଥିବା କୁହାଯାଉଛି। କେବଳ ଗୌତମବୁଦ୍ଧ ଦାସ ନୁହଁନ୍ତି ଅନେକ ଯୁବ ବିଧାୟକ ମଧ୍ୟ ଏଥିରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷୀ ସାର ଅଭାବ ପ୍ରସଙ୍ଗ ଆମ ନେତା ଉଠାଉଥିବାବେଳେ ଆମେ ବିଧାନସଭାରେ ତାହାକୁ ଆଲୋଚନା କରିପାରିଲୁ ନାହିଁ। ଏପରି କ୍ଷେତ୍ରରେ ରାଜ୍ୟର ଚାଷୀମାନେ ଆମକୁ ଆଉ ବିଶ୍ୱାସ କରିବେ ବୋଲି ବିଧାୟକମାନେ ପାଣ୍ଡିଆନଙ୍କ ଦୂତ ସାଜିଥିବା ଦୁଇ ତିନି ଜଣ ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡ଼ିଥିବା ଆଲୋଚନା ହେଉଛି।
କେହି କେହି କହୁଛନ୍ତି, ବିଜେଡିର ନେତା ଓ ରଣନୀତିକାର ରାଜ୍ୟ ବାହାରେ ଥିବାରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ଏ ଅଧିବେଶନରେ ଏପରି ଆଚରଣ ପ୍ରକାଶ କରିଥିଲା। ଯଦି ଦୂରରେ ଆଦେଶ ଦେଇ ଗୃହକୁ ଅଚଳ କରାଯାଇ ପାରିଲା ତେବେ ସେହି ମାଧ୍ୟମରେ ଗୃହକୁ ସୁଚାରୁରୂପେ ପରିଚାଳନା ପାଇଁ ଦଳ ବ୍ୟବସ୍ଥା କରିପାରି ନ ଥାଆନ୍ତା କି? ସଭାପତି ଏବଂ ବିରୋଧୀ ଦଳ ନେତା ଏଥିପ୍ରତି ସଜାଗ ହେବା ଉଚିତ ନ ଥିଲା କି?
ବିଜେଡି ବିଧାନସଭାକୁ ଗୁରୁତ୍ୱ ଦିଏ ନାହିଁ
ଅନ୍ୟ ଏକ ଗୋଷ୍ଠୀ ପୂର୍ବ ଉଦାହରଣକୁ ଦେଖାଇ ବିଜେଡି ଶାସନରେ ଥିବାବେଳେ ବି ବିଧାନସଭାକୁ ଗୁରୁତ୍ୱ ଦେଇନଥିବା କହିଛନ୍ତି। ୨୦୦୦ ମସିହାରୁ ୨୦୨୪ ଯାଏ ଶାସନରେ ଥିବା ଏହି ଦଳ ମାତ୍ର ତିନିଟି ବର୍ଷ ୨୦୦୬, ୨୦୧୦ ଏବଂ ୨୦୧୨ରେ ବିଧାନସଭାର କାର୍ଯ୍ୟ ବିଧି ଅନୁସାରେ ବାର୍ଷିକ ୬୦ ଦିନ ବୈଠକ ଡାକିବାରେ ସମର୍ଥ ହୋଇଥିଲେ। ଅନ୍ୟ ୨୧ ବର୍ଷରେ ଶାସକ ଦଳ କେତେବେଳେ ୧୭ ଦିନ ତ କେଉଁ ବର୍ଷ ୪୦ ଦିନ, ୫୨ ଦିନ ବୈଠକ ଡାକିଛନ୍ତି କିନ୍ତୁ କେବେ ବାର୍ଷିକ ୬୦ ଦିନ ଅଧିବେଶନ ବୈଠକ ଡାକିବାର ସଂକଳ୍ପକୁ ପାଳନ କରିପାରି ନାହାନ୍ତି। ଅର୍ଥାତ୍ ବିଧାନସଭାକୁ କେବେ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଦଳ ଗ୍ରହଣ କରିନଥିବାରୁ ଏଥର ମଧ୍ୟ ସମାନ ଢାଞ୍ଚାକୁ ଆପଣାଇଛି ବୋଲି ଅଭିଯୋଗ ହୋଇଛି।
ବିଧାନସଭାର ଅଧିବେଶନ କେବଳ ରାଜ୍ୟପ୍ରସଙ୍ଗକୁ ଆଲୋଚନାର ସୁଯୋଗ ଦିଏ ତାହା ନୁହେଁ, ଦୂର ଦୂରାନ୍ତରୁ ଆସିଥିବା ବିଧାୟକଙ୍କ ପାଇଁ ନିଜ ଅଞ୍ଚଳର ପ୍ରସଙ୍ଗକୁ ସରକାରଙ୍କ ଆଗରେ ଉପସ୍ଥାପନ କରିବାକୁ ସୁଯୋଗ ଦେଇଥାଏ। ଅପରପକ୍ଷେ ବିଧାୟକ ଓ ଅନ୍ୟ କର୍ମଚାରୀଙ୍କୁ ମିଳୁଥିବା ଦୈନିକ ପ୍ରାପ୍ୟ, ପାରିଶ୍ରମିକ, ଭାତ୍ତା ଓ ଦରମାକୁ ମଧ୍ୟ ନିଣ୍ଚିତ କରାଇଥାଏ। ଯଦି ଅଧିବେଶନ ଅଧାରୁ ବନ୍ଦ ହୁଏ ତେବେ ଏହିଭଳି କର୍ମଚାରୀ ଅନେକ କ୍ଷତିଗ୍ରସ୍ତ ହୋଇଥା଼ନ୍ତି।
ବାଚସ୍ପତି ନିରାଶ
ପୁଣି କେବଳ ଆମ ରାଜ୍ୟର ବିଧାନସଭାରେ ଏପରି ଅଚଳାବସ୍ଥା ବିରୋଧୀଙ୍କ ଦ୍ୱାରା ସୃଷ୍ଟି ହେଉଛି ତାହା ନୁହେଁ। ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ସଂସ୍ଥା ସଂସଦରେ ମଧ୍ୟ ଅଚଳାବସ୍ଥା ଦିନ ଦିନ ଧରି ଜାରି ରହେ। ହେଲେ ବାଚସ୍ପତି ଯଥାସମ୍ଭବ ଲୋକସଭାର ଅଧିବେଶନକୁ ନିର୍ଦ୍ଧାରିତ ସମୟ ଶେଷ ଯାଏ ଚଳାଇବାକୁ ଚେଷ୍ଟା କରନ୍ତି। ନିକଟରେ ଶେଷ ହୋଇଥିବା ଲୋକସଭାର ଅଧିବେଶନ ଏଠାରେ ସୂଚନାଯୋଗ୍ୟ। କାରଣ ପ୍ରତିଦିନ ବିରୋଧ ସତ୍ତ୍ୱେ ବାଚସ୍ପତି ନିର୍ଦ୍ଧାରିତ ତାରିଖରେ ହିଁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ଏଠାରେ ମାତ୍ର ଗୋଟିଏ ଦିନ ବି ଅପେକ୍ଷା ନ କରିପାରିବା ସରକାରୀ କାର୍ଯ୍ୟର ଅଭାବ ତଥା ବାଚସ୍ପତିଙ୍କ ନିରାଶା ଭାବକୁ ବି ବଖାଣେ।
କଥାରେ ଅଛି ଡେରିରେ ହେଲେ ବି ତାହା ନ ହେବାଠୁ ଭଲ। ଏହିକ୍ରମରେ ଡେରିରେ ହେଲେ ବି ରାଜ୍ୟ ବିଧାନସଭାର ମୁଖ୍ୟ ବିରୋଧୀ ଦଳ ନେତାମାନେ ଏହାକୁ ବୁଝିଲେଣି। ଏଣୁ ଆଗକୁ ଶୀତକାଳୀନ ଅଧିବେଶନରେ ଏପରି ଅଚଳାବସ୍ଥା ପୁଣିଥରେ ଫେରିବା ଆଶା କରାଯାଇନପାରେ। କିନ୍ତୁ ଯଦି ତାହା ଫେରିଲା ତାହା ନିଶ୍ଚିତ କରିବ ଯେ ବିଜେଡି ଆଉ ଦଳ ହୋଇ ନାହିଁ। ବରଂ ସ୍ୱୟ ଏକ ମେଣ୍ଟ ପାଲଟିଛି। ଯେଉଁଦିନ ନିର୍ବାଚନ ଘୋଷଣା ହେବ ସେ ଦିନ ଏ ମେଣ୍ଟ ଫାଳଫାଳ ହୋଇଯାଇପାରେ। ସଂସଦୀୟ ଦଳରେ ଅତୀତରେ ଓ ଏବେ ସଦସ୍ୟମାନଙ୍କ ଭିତରେ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ଓ ବିଭାଜନ ହୋଇସାରିଛି। ଯଦି ବିଧାୟକ ଦଳରେ ଏଭଳି ଅସନ୍ତୋଷ ଜାରି ରୁହେ ତେବେ ଦଳ ତାସ୍ ଘର ପରି ଭୁଶୁଡ଼ି ଯିବା ପାଇଁ ବେଶି ବିଳମ୍ବ ହେବ ନାହିଁ।
Also readhttps://purvapaksa.com/internal-fighting-in-bjd-lost-the-scope-to-bring-peoples-issue-in-assembly/
Odisha Assembly Monsoon session II ଅପାରଗ ବିରୋଧୀ: ସ୍ୱର୍ଗ ସୁଖରେ ସରକାର
