ଆଉ ଛଅମାସ ପରେ ରାଜ୍ୟସଭାରେ ଖାଲି ହେଉଥିବା ଓଡ଼ିଶାର ୪ ଆସନ ଲାଗି ରାଜ୍ୟରେ ନିର୍ବାଚନ ହେବ। ଏହା ପୂର୍ବରୁ ଓଡ଼ିଶାରେ ବି ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ହେଲେ ଏ ଭିତରେ ଆଉ ଏକ ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି ବିଜେଡି। ଏହା ପୁଣି ପାଣ୍ଡିଆନ୍ଙ୍କ ଧର୍ମପତ୍ନୀ ତଥା ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡି ଦଳ ସହିତ ରାଜନୀତିରେ ଏଣ୍ଟ୍ରି କରାଇବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ସରକାରୀ ଚାକିରିରୁ ଇସ୍ତଫା ଦେବା ପରେ ସୁଜାତା ରାଜନୀତିକୁ ଆସିବା ଲାଗି ଯେମିତି ଉଚ୍ଛନ୍ନ ହେଉଛନ୍ତି, ସେହି ଅନୁସାରେ ପରିସ୍ଥିତି ସୃଷ୍ଟି ପାଇଁ ହେଉଥିବା ଉଦ୍ୟମରେ ଏହି ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି। ସୁଜାତାଙ୍କୁ ରାଜ୍ୟ ରାଜନୀତିରେ ଥଇଥାନ କରିବା ପାଇଁ କେନ୍ଦ୍ରାପଡ଼ାର ଦୁଇଟି ଓ ଜଗତସିଂହପୁରର ଗୋଟିଏ ବିଧାନସଙା ଆସନକୁ ପ୍ରାଥମିକ ସ୍ତରରେ ଚିହ୍ନିତ କରାଯାଇଥିବା ନେଇ ଆଲୋଚନା ହେଉଛି। ଅର୍ଥାତ୍ କେହି ଜଣେ ବିଧାୟକଙ୍କୁ ଅକାଳରେ ବିଧାନସଭା ଛାଡ଼ିବାକୁ ହେବ।
ସୁଜାତାଙ୍କ ପାଇଁ ବଳି ପଡ଼ିବେ କୋଟେରୀ ବିଧାୟକ
ସୁଜାତା ରାଉତ କାର୍ତ୍ତିକେୟନ ଆଗକୁ ବିଜେଡି ବ୍ରିଗେଡ୍ର କମାଣ ସମ୍ଭାଳିବେ। ଯେମିତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ନବୀନଙ୍କ ଉତ୍ତରାଧିକାରୀ କରିବା ପାଇଁ ବିଗତ ଏକ ଦଶନ୍ଧି ହେଲା ଉଦ୍ୟମ ଚାଲିଥିଲା, ଠିକ୍ ସେମିତି ଏବେ ତାଙ୍କ ପତ୍ନୀ ସୁଜାତାଙ୍କ ଲାଗି ତାଙ୍କର ସମର୍ଥକମାନେ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଅଫିସରମାର୍କା ଦମ୍ପତ୍ତିଙ୍କ ପାଇଁ କାହିଁକି ନବୀନ ଏତେ ଢଳିଛନ୍ତି ତାହା ଆଲୋଚନାର ବିଷୟ ନୁହେଁ, କିନ୍ତୁ ସୁଜାତା ରାଜନୀତିକୁ ଆସିବା ଏବଂ ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତିରେ କୋଟେରୀ ବିଧାୟକଙ୍କ ବଳି ପଡ଼ିବାକୁ ନେଇ ଚର୍ଚ୍ଚା ଏବେ ଦାନା ବାନ୍ଧିଲାଣି। ଏପରିକି ସୁଜାତାଙ୍କ ପାଇଁ ନିଜର ବିଧାନସଭା ଆସନ ଛାଡ଼ିବା ଲାଗି ଦଳର ପାଣ୍ଡିଆନ ଅନୁଗତ କିଛି ବିଧାୟକଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଥିବା ବିଜେଡି ମହଲରେ ଆଲୋଚନା ହେଉଛି। କେବଳ ସେତିକି ନୁହେଁ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ଜଣେ ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀ ସୁଜାତାଙ୍କୁ ରାଜନୀତିରେ କିପରି ଭବ୍ୟ ଏଣ୍ଟ୍ରି କରାଯିବ ସେ ନେଇ ଦାୟିତ୍ୱ ମଧ୍ୟ ନେଇଥିବା ଚର୍ଚ୍ଚା ହେଉଛି।
ନବୀନଙ୍କ ଲୋକପ୍ରିୟତା ହ୍ରାସର କାରଣ କେବଳ ପାଣ୍ଡିଆନ୍
ଏହା ପୂର୍ବରୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଓଡ଼ିଶା ରାଜନୀତିରେ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ପାଣ୍ଡିଆନ୍ଙ୍କ ହାବଭାବ ମଧ୍ୟ ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଥିଲା। ଏ ପ୍ରଚାର ଏତେ ଉତ୍କଟ ହୋଇଥିଲା ଯେ ସାରା ଓଡ଼ିଶାରେ ମତଦାତାମାନେ ନବୀନଙ୍କୁ ଭଲ ପାଉଥିଲେ ହେଁ ପାଣ୍ଡିଆନ୍ଙ୍କୁ ତାମିଲ କହି ପ୍ରତ୍ୟାଖ୍ୟାନ କଲେ। ନିର୍ବାଚନ ପରାଜୟ ପରେ କେହି କିଛି ସିଧାସଳଖ ନ କହିଲେ ବି ବିଜେଡି ଓ ନବୀନଙ୍କ ଲୋକପ୍ରିୟତା ହ୍ରାସର କାରଣ କେବଳ ପାଣ୍ଡିଆନ୍ ବୋଲି ଚର୍ଚ୍ଚା ହୋଇଥିଲା।
ନବୀନ ବି ଏହି କଥାକୁ ନିର୍ବାଚନ ସମୟରେ ହୃଦୟଙ୍ଗମ କରିବା ପରେ ସେ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି ୨୦୨୪ ନିର୍ବାଚନ ବେଳେ ଦୁଇଟି ନ୍ୟୁଜ୍ ଏଜେନ୍ସୀକୁ କହିବାକୁ ବାଧ୍ୟ ହେଲେ। କିନ୍ତୁ ନବୀନଙ୍କର ଏହି ସଫେଇ ଆଉ କାମ ଦେଇନଥିଲା। ବିଜେଡି ୫୧ ଆସନରେ ସୀମିତ ରହିବା ସହିତ ନବୀନ ପଟ୍ଟନାୟକ କଣ୍ଟାବାଞ୍ଝି ଆସନରେ ପରାଜିତ ହେଲେ। ଏପରିକି ହିଞ୍ଜିଳି ଆସନରେ ମଧ୍ୟ ହାରୁ ହାରୁ ରକ୍ଷାପାଇଗଲେ।
ଏବେ ପଛ ଦୁଆର ଦେଇ ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ଉଦ୍ୟମ
ପାଣ୍ଡିଆନ୍ ଦଳର ନେତୃତ୍ୱ ନେବା ନେଇ ବହୁ ଚେଷ୍ଠା କରି ବିଫଳ ହେବା ପରେ ଏବେ ପଛ ଦୁଆର ଦେଇ ବିଜେଡିରେ ନେତୃତ୍ୱ ପରିବର୍ତ୍ତନର ଏକ ଉଦ୍ୟମ ଚାଲିଛି। ଗଲା କିଛିଦିନ ହେଲା ଅଣଓଡ଼ିଆ ପାଣ୍ଡିଆନ୍ ତାଙ୍କ ପତ୍ନୀ ସୁଜାତାଙ୍କ ମାଧ୍ୟମରେ ଏହି ପରିବର୍ତ୍ତନର ଭବିଷ୍ୟତ ଲେଖିବାକୁ ଯୋଜନା କରିଛନ୍ତି। ରାଜନୀତିକ ଚର୍ଚ୍ଚା ଅନୁସାରେ ସୁଜାତା ଏବେଠାରୁ ବିଜେଡି ନେତାଙ୍କ ସହ ବୈଠକ କରିବା, ସେମାନଙ୍କୁ ଆଦେଶ, ପ୍ରସ୍ତାବ ଦେବା ଆରମ୍ଭ କରିଲେଣି। ଯାହାକି ନବୀନ ପଟ୍ଟନାୟକ ଗତ କିଛିଦିନ ତଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ କିଛି ବରିଷ୍ଠ ନେତା ବଡ଼ ଖପ୍ପା ହେଉଥିଲେ ମଧ୍ୟ ଏଥିରେ ନବୀନଙ୍କ ପ୍ରଚ୍ଛଦ ସମର୍ଥନ ରହିଥିବାରୁ କାହାର ମୁହଁ ଖୋଲିବା ଲାଗି ସାହସ ହେଉ ନାହିଁ। ଆଉ ଯିଏ ଯେତେବେଳେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ମୁହଁ ଖୋଲୁଛନ୍ତି ତାଙ୍କୁ ଦଳରୁ ବାହାର କରିଦିଆଯାଉଥିବା ଦେଖିବାକୁ ମିଳୁଛି। ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ।
ଆସନ୍ତା ଏପ୍ରିଲରେ ୪ଟି ରାଜ୍ୟସଭା ଆସନ ଖାଲି ହେବ
ଏହି ମୁହୂର୍ତ୍ତରେ ସୁଜାତାଙ୍କୁ ଜଣେ ଜନପ୍ରତିନିଧି ଭାବେ ରାଜନୀତିରେ ଉନ୍ମୋଚନ କରିବାକୁ ଆଲୋଚନା ହେଉଛି। ନିର୍ବାଚନ ଋତୁ ନ ଥିବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ହେବା ଲାଗି ବିଜେଡି ପାଖରେ ଏଥିପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ରାଜ୍ୟସଭା ଓ ଅନ୍ୟଟି ବିଧାନସଭା। ରାଜ୍ୟସଭାରେ ଆସନ୍ତା ଏପ୍ରିଲରେ ୪ଟି ଆସନ ଖାଲି ହେବ। ଏଥିରେ ବିଜେପିର ଦୁଇଟି ଆସନ ଓ ବିଜେଡିର ଦୁଇଟି ଆସନ ରହିଛି। ସୁଜିତ କୁମାର, ମମତା ମହାନ୍ତ ବିଜେପି ଟିକଟରେ ରାଜ୍ୟସଭା ସଦସ୍ୟ ରହିଥିବାବେଳେ ମୁନା ଖାନ ଏବଂ ନିରଞ୍ଜନ ବିଶି ବିଜେଡିର ସଦସ୍ୟ ରହିଛନ୍ତି। ଏମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଜ୍ୟସଭାର ସଚିବାଳୟ ବିଧିବଦ୍ଧ ଭାବେ ନିର୍ବାଚନ କମିଶନଙ୍କୁ ଭୋଟ୍ ଲାଗି ପଦକ୍ଷେପ ନେବାକୁ କହିବେ। ଆଉ ଏ କାର୍ଯ୍ୟକ୍ରମ ଆସନ୍ତା କିଛି ମାସ ଭିତରେ ହିଁ ହେବାକୁ ଯାଉଛି।
ଉପକୂଳ ଓଡ଼ିଶାର ପାଣ୍ଡିଆନ୍ଙ୍କ ଅନୁଗତ ବିଧାୟକ ଆସନ ଛାଡ଼ିବେ!
ପୁଣି ରାଜ୍ୟସଭା ଆସନରେ ନିଜ ସଦସ୍ୟଙ୍କୁ ପଠାଇବା ଲାଗି ବିଜେଡିର ଆବଶ୍ୟକ ସଂଖ୍ୟା ଥିବାରୁ ସୁଜାତାଙ୍କୁ ରାଜ୍ୟସଭାର ସାଂସଦ ହେବାରୁ କେହି ଅଟକାଇ ପାରିବେ ନାହିଁ। ହେଲେ ରାଜ୍ୟସଭାରୁ ରାଜ୍ୟରେ ଦଳକୁ ନିୟନ୍ତ୍ରଣ କରିବା ଏକ ସହଜ ବ୍ୟାପାର ନୁହେଁ। ସୁଜାତା ଓଡ଼ିଶାରେ ରହିଲେ ବିଜେଡିକୁ ସମ୍ଭାଳିବାରେ ଅଧିକ ସହାୟକ ହେବେ ବୋଲି ଆସିଥିବା ଥିଓରୀ ଉପରେ ଚର୍ଚ୍ଚା ଚାଲିଛି। ଏଥିଲାଗି ଉପକୂଳ ଓଡ଼ିଶାର କୌଣସି ଏକ ଆସନରେ ପାଣ୍ଡିଆନ୍ଙ୍କ ଆଶୀର୍ବାଦରେ ବିଧାୟକ ହୋଇଥିବା କେହି ଜଣେ ବିଧାୟକଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଆଉ ତାଙ୍କ ଆସନରେ ସୁଜାତା ନିର୍ବାଚିତ ହୋଇ ବିଧାନସଭାକୁ ଆସିବେ। ବିଧାନସଭା ଆସିଲେ ସେଠାରେ ଦଳୀୟ ପ୍ରସଙ୍ଗକୁ ଅଧିକ ତୀକ୍ଷ୍ଣ ଭାବେ ଉପସ୍ଥାପନ କରିପାରିବେ ବୋଲି କୁହାଯାଉଛି।
ଆଳି, ରାଜନଗର, ବାଲିକୁଦା-ଏରସମା ବିଧାନସଭା ଆସନ ଉପରେ ପାଣ୍ଡିଆନଙ୍କ ନଜର
ଯଦି ଏହି ଥିଓରୀ ପକ୍କା ହୁଏ ତେବେ ସୁଜାତାଙ୍କ ପୈତୃକ ଘର ରାଜନଗର ନିର୍ବାଚନମଣ୍ଡଳୀ ଅଧିକ ଚର୍ଚ୍ଚିତ ହେବ। ପୁଣି ଏହି ନିର୍ବାଚନମଣ୍ଡଳିରେ ପାଣ୍ଡିଆନ୍ଙ୍କ ଭକ୍ତ ଭାବେ ପରିଚିତ ଧ୍ରୁବଚରଣ ସାହୁ ବିଧାୟକ ରହିଛନ୍ତି। ପାଣ୍ଡିଆନ୍ଙ୍କ ଗୋଟିଏ ଆଦେଶରେ ସେ ମଧ୍ୟ ଆସନ ଛାଡ଼ି ଆସନକୁ ସୁଜାତାଙ୍କ ଲାଗି ଉପ ନିର୍ବାଚନରେ ଅତ୍ୟନ୍ତ ସହାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ତାଙ୍କ ସହ ଆଳି ଓ ଏରସମା ନିର୍ବାଚନ ମଣ୍ଡଳୀ ବି ଚର୍ଚ୍ଚା ହେଉଛି।
ବାଲିକୁଦା-ଏରସମା ବିଧାୟକ ବି ଧ୍ରୁବଙ୍କ ଭଳି ଜଣେ ପାଣ୍ଡିଆନ୍ଙ୍କ ଦ୍ୱାରା ସୃଷ୍ଟ ନେତା ଭାବେ ପରିଚିତ। ତାଙ୍କରି ଦୟାରୁ ଟିକଟ ପାଇଥିବାରୁ ସେ ତାଙ୍କର ଜଣେ ବଡ଼ ଅନୁଗତ। ଏଣୁ ଅଙ୍କ ଯେଉଁଠି ଛିଣ୍ଡିଲା ସେଇଠି ଆସନ ଖାଲି ହେବା ସ୍ୱାଭାବିକ।
ପ୍ରତାପ ଦେବଙ୍କୁ ରାଜ୍ୟସଭା ଲୋଭ ଦେଖାଉଛନ୍ତି ପାଣ୍ଡିଆନ!
ପୁଣି ପାଣ୍ଡିଆନ୍ଙ୍କ ଅନୁଗତ ଭାବେ କାହାର ଆସନ ଛଡ଼ାଇବା ପରେ ତାଙ୍କୁ ଅନ୍ୟତ୍ର ଥଇଥାନ କରାଯିବ। ଏହି ଥଇଥାନ ପଛରେ ରହିଛି ରାଜ୍ୟସଭାର ଦିଲ୍ଲୀ ଭୋଗ। ଆଉ ଏହି ଦିଲ୍ଲୀ ଯାତ୍ରା ପାଇଁ ଆଳି ବିଧାୟକ ପ୍ରତାପ ଦେବଙ୍କ ସହମତି ଅନେକ ବୋଲି କୁହାଯାଉଛି। କାରଣ ଏହି ୬ ବର୍ଷିଆ ରାଜଭୋଗ ନିଜ ପାଇଁ ଏକ ସୁଯୋଗ ବୋଲି ଗ୍ରହଣ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ରାଜନୀତିକ ସ୍ଥିତି ଯେମିତି ରାଜ୍ୟସଭାକୁ ଏକ ନିରାପଦ ସ୍ଥାନ ଭାବେ ଗ୍ରହଣ କରୁଛନ୍ତି କିଛି ନେତା।
ଏହି ତାଲିକାରେ ପ୍ରତାପ ଦେବ ଆଗ୍ରହ ଦେଖାଇବାର କାରଣ ପଛରେ ଆଉ ଏକ ବଳିଷ୍ଠ ଯୁକ୍ତି ରହିଛି। ତାହା ହେଲା- ଜନଗଣନା ପରେ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ। ଏହି ସମୟରେ ଆଳିର ସ୍ଥିତି ଓ ପରିସ୍ଥିତି ବଦଳିବାର ଆଶଙ୍କା ରହିଛି। ଏପରିକି ଏହା ଏକ ସଂରକ୍ଷିତ ଆସନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣୁ ରାଜା ଗଡ଼ ଛାଡ଼ି ଦିଲ୍ଲୀରେ ଛ’ ବର୍ଷ କାଟିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ମଧ୍ୟ କିଛିବର୍ଷ ସେ ଦିଲ୍ଲୀରେ ରାଜ୍ୟସଭାର ସଦସ୍ୟ ରହିଛନ୍ତି।
ଏଣୁ ତିନି ନୂଆ ନେତାଙ୍କୁ ଜନ୍ମ ଦେବା ପାଇଁ ବଳିର ପରିସ୍ଥିତିରେ କାହାକୁ ଛେଳି କରିବାକୁ ପ୍ରସ୍ତୁତ ହେଉଛି ତାହାକୁ ଅପେକ୍ଷା।
Also readhttps://purvapaksa.com/no-confidence-motion-rejected-congress-condemns-bjd/
No-confidence motion rejected, Congress condemns BJD ।। କଟିଲା ଅନାସ୍ଥା ପ୍ରସ୍ତାବ, ନିନ୍ଦିତ ହେଲା ବିଜେଡି
