ଆସନ୍ତା ୨୩ରେ ଖୋଲିବ ମହାବାହୁଙ୍କ ରତ୍ନ ବାକ୍ସ, ଗଣତି ମଣତି ସହ ହେବ ରତ୍ନ ସୁରକ୍ଷିତ । ବର୍ଷେ ହେଲା ଅସ୍ଥାୟୀ ଭଣ୍ଡାରରେ ରହିଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ। ରତ୍ନଭଣ୍ଡାର ସବ୍କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଯଦି ସ୍ଥାନାନ୍ତର ୨୩ରେ ନସରିବ ତେବେ ୨୪ରେ ହେବ ପୁର୍ନବାର ସ୍ଥାନାନ୍ତର । ୨୩ ତାରିଖ ଭୋର୍ ୪ଟାରେ ଦ୍ବାରଫିଟା ହେବ। ଦୁର୍ଗାମାଧବ ବିଜେ ପରେ ବା ସକାଳ ୭ଟା ୧୭ରୁ ଆରମ୍ଭ ହେଉଥିବା ମାହେନ୍ଦ୍ର ବେଳାରେ ଏହି ରତ୍ନସବୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଆଧାରରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ତେବେ ଏହା ପୂର୍ବରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ। ଏବେ ଅସ୍ଥାୟୀ ଭାବରେ ଲାଇଟ୍ ଲାଗିବ। ଗଣତି ମଣତି ସମୟରେ ସ୍ଥାୟୀ ଆଲୋକ ବ୍ୟବସ୍ଥା ସହ ଭଣ୍ଡାର ଶୀତତାପ ନିୟନ୍ତ୍ରିତ ହେବ।
ପ୍ରଥମେ ଖଟଶେଯ ଘରୁ ୬ଟି ଆଲମାରିରେ ଥିବା ରତ୍ନକୁ ଭିତର ରତ୍ନଭଣ୍ଡାରକୁ ନିଆଯିବ। ପରେ ଚାଙ୍ଗଡ଼ା ଘରୁ ବାହାର ରତ୍ନଭଣ୍ଡାରର ରତ୍ନ ଅଣାଯାଇ ଜଉମୁଦ କରାଯିବ। ଉଭୟ କବାଟକୁ ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଜଉମୁଦ କରାଯିବା ପରେ ଚାବିକୁ ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ଟ୍ରେଜେରିରେ ରଖାଯିବ। ଏହି ସମଗ୍ର ପ୍ରକ୍ରିୟାକୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯିବ। ଫଳରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିବ ନାହିଁ।
ରତ୍ନ ସ୍ଥାନାନ୍ତର ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପାଳିଆ ସେବାୟତମାନେ ହିଁ ପ୍ରବେଶ ପାଇଁ ଅନୁମତି ପାଇବେ। ସେମାନଙ୍କୁ ଏସ୍ପି ସେଦିନ ପାଇଁ ପାସ୍ ପ୍ରଦାନ କରିବେ। ଏଣୁ ପାଳି ନଥିବା ସେବାୟତମାନେ ନ ଆସିବାକୁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ଏହି ପାଳି ନଥିବା ସେବାୟତ ଓ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଉପରେ ନାଟମଣ୍ଡପ ପ୍ରବେଶ କଟକଣା ରହିବ। ସ୍ଥାନାନ୍ତର ସମୟରେ ରତ୍ନଭଣ୍ଡାର ସବ୍କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଗଠନ କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥାନାନ୍ତରଣ ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ କରାଯିବ। ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ିବ, ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଦାଖଲ କରାଯିବ। ତେବେ ରତ୍ନ ଗଣତି ମଣତି ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ, ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ ବୋଲି ଜଣା ପଡ଼ିଛି।
Also Read https://purvapaksa.com/india-pakistan-clash-again/
