ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏବେ ଭାରତ, ଚୀନ ଓ ପାକିସ୍ତାନରେ ଦେଖିବାକୁ ମିଳିଛି । ମାତ୍ରାଧିକ ବର୍ଷା ଓ ଏହାର ତୀବ୍ରତା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି। ସହରୀକରଣ, ଶିଳ୍ପାୟନ ଓ ଜଙ୍ଗଲ କ୍ଷୟ ଏହି ବିପର୍ଯ୍ୟୟକୁ ପ୍ରଳୟଙ୍କରୀ କରୁଛି । ଏହି ଦେଶଗୁଡ଼ିକରେ ବର୍ଷା ଋତୁରେ ବନ୍ୟା ସାଧାରଣ ହେଲେ ମଧ୍ୟ, ଚଳିତ ବର୍ଷ ବର୍ଷାର ତୀବ୍ରତା ଚିନ୍ତାଜନକ ଓ ଏହାର କାରଣ ଅନୁସନ୍ଧାନ ସାପେକ୍ଷ ବୋଲି ପରିବେଶ ବିଜ୍ଞାନୀମାନେ ମତ ଦେଉଛନ୍ତି ।
ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ମଧ୍ୟରେ ଭୁସ୍ଖଳନରେ ଅତି କମ୍ରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଶତାଧିକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ମାର୍ଗ ବନ୍ଦ ରହିଛି। ଚଳିତ ମୌସୁମୀ ଋତୁରେ ହିମାଚଳ ପ୍ରଦେଶରେ ମୃତ୍ୟୁସଂଖ୍ୟା ୩ ଶହ ଅତିକ୍ରମ କଲାଣି। ଏବେ ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଚେନାବ ଓ ଝେଲମ ନଦୀ ବିପଦ ସଙ୍କେତ ସ୍ତର ଅତିକ୍ରମ କରି ଜମ୍ମୁର ନିମ୍ନାଞ୍ଚଳରେ ବନ୍ୟା ସୃଷ୍ଟି କରିଛି। ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ଘଟାଇଛି, ଯାହାଫଳରେ ଲୋକମାନେ ଅସହାୟ ଅବସ୍ଥାରେ ବଞ୍ଚିଛନ୍ତି ଏବଂ ପରିବହନ ବ୍ୟବସ୍ଥା ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରମାନଙ୍କରେ ଅପର୍ଯ୍ୟାପ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁଁ ଜଳବନ୍ଦି ସ୍ଥିତି ଦେଖାଦେଇଛି। ପଞ୍ଜାବରେ ଆଜି ବିଭିନ୍ନ ଅଂଚଳରେ ବନ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ପାକିସ୍ତାନରେ ବିପର୍ଯ୍ୟୟ ପାକିସ୍ଥାନର ଖଇବର ପକ୍ତୁନ, ଗିଲଗିଟ-ବଲଚିସ୍ଥାନ ଓ ପଞ୍ଜାବ ପ୍ରବଳ ବର୍ଷାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।ପୁଣେରେ ଏକ ଘଣ୍ଟାରେ ୧୫୦ ମିମି ବର୍ଷା ଯୋଗୁଁ ୨୪୦ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୫ ଜୁନ୍ ଶେଷରୁ ଏଯାଏ ୨୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨,୪୦୦ରୁ ଅଧିକ ଘର ନଷ୍ଟ ହୋଇଛି।
ଭାରତ-ଚୀନ-ପାକିସ୍ତାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଛି। ସିନ୍ଧୁ ଓ ଚେନାବ ନଦୀର ବନ୍ୟା, ଫସଲ ଓ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଇଛି। ଚୀନରେ ଦୁଇ ମାସର ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧.୮୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ବିଭିନ୍ନ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ଗ୍ରାମ ସପ୍ତାହେ ହେଲା ପାଣି ଘେରରେ ଥିବା ବେଳେ ୨୦ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
କାହିଁକି ଏତେ ବର୍ଷା ?
ଜଳବାୟୁ ପରିବର୍ତ୍ତନ ଏହି ଅସ୍ବାଭାବିକ ବର୍ଷାର ମୁଖ୍ୟ କାରଣ। ବୃଦ୍ଧି ପାଉଥିବା ତାପମାତ୍ରା, ମୌସୁମୀ ବାୟୁପ୍ରବାହକୁ ଦକ୍ଷିଣ ଦିଗରେ ସ୍ଥାନାନ୍ତର କରିଛି, ଯାହାଫଳରେ ରାଜସ୍ଥାନ ଓ ଗୁଜରାଟ ଭଳି ଅଞ୍ଚଳରେ ଅଧିକ ବର୍ଷା ହେଉଛି। ଉଚ୍ଚ ତାପମାତ୍ରା ପାହାଡ଼ ଓ ନଦୀରୁ ବାଷ୍ପକରଣ ବଢ଼ାଇଛି, ଯାହା ମେଘରେ ଜଳ ଜମା ହେବା ପରେ ବିସ୍ଫୋରକ ବର୍ଷା ଘଟାଉଛି। ଏହା ଫ୍ଲାସ୍ ଫ୍ଲଡ୍( ଅଚାନକ ବନ୍ୟା) ଓ ଭୂସ୍ଖଳନର କାରଣ ହୋଇଛି।
ସହରୀକରଣ ଓ ଜଙ୍ଗଲ ନିଷ୍କାସନ ମୌସୁମୀ ବାୟୁପ୍ରବାହକୁ ଅତି ଅନିଶ୍ଚିତ ରୂପ ଦେଉଛି । ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭାରତରେ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବା ଫଳରେ ଅଭୂତପୂର୍ବ ବର୍ଷା ହେଉଛି । ଅପର୍ଯ୍ୟାପ୍ତ ଜଳ ପରିଚାଳନା ଓ ଅପରିବର୍ତ୍ତିତ ସହରକରଣ ଏହି ବିପର୍ଯ୍ୟୟକୁ ଆହୁରି ବଢ଼ାଇଛି। ଜଳବାୟୁ ପରିବର୍ନଜନିତ ଏଭଳି ସଙ୍କଟ ଭିତରେ ପାଣିପାଗ ପୂର୍ବାନୁମାନକୁ ଉନ୍ନତ କରି ଫୁସ୍ ଫ୍ଲଡ଼ ଓ ଭୂସ୍ଖଳନର ଆଗୁଆ ସୂଚନା ଦେବା ଉପରେ ସରକାର ଏବେ ଗୁରୁତ୍ୱାରୋପ କରୁଛନ୍ତି। ସଂପ୍ରତି ଭାରତରେ ଲାଗି ରହିଥିବା ମୌସୁମୀ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନ ସହିତ ଯୋଜନାବିହୀନ ସହରୀକରଣ ଓ ଅପର୍ଯ୍ୟାପ୍ତ ଶାସନ ବ୍ୟବସ୍ଥାର ମିଳିତ ପ୍ରଭାବ ବୋଲି ଅନେକ ପରିବେଶବିତ୍ ମତ ଦେଇଛନ୍ତି।
Also Read https://purvapaksa.com/first-city-of-india-where-tap-water-reached-homes-140-years-ago/


