ଜୁଙ୍ଗା ଗ୍ରାମପଞ୍ଚାୟତ ଓ ବକ୍ସି ବାରିଗାଁ ଗ୍ରାମପଞ୍ଚାୟତର ସୀମାନ୍ତରେ ବକ୍ସି ବାରିଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ନାଏକଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ସମ୍ଭାବ୍ୟ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ଉପରେ ଆଲୋଚନା କରି, ବର୍ତ୍ତମାନର ପଞ୍ଚାୟତ ଦପ୍ତର ଓ ବ୍ଲକ କାର୍ଯ୍ୟଳୟ ଠାରୁ ବିଭିନ୍ନ ଗ୍ରାମ ଓ ପଞ୍ଚାୟତର ଦୂରତା ଏବଂ ଆଞ୍ଚଳିକ ଜନସଂଖ୍ୟାକୁ ବିଚାରକୁ ନେଇ, ନୂଆ ଗ୍ରାମ ପଞ୍ଚାୟତ ଓ ନୂଆ ବ୍ଲକ୍ ଗଠନ ସକାଶେ ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ହସ୍ତଗତ ଖବର ଅନୁଯାୟୀ, ଏ ବିଷୟ ଉପରେ ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକେ ତିନି ଚାରି ଥର ବିଭିନ୍ନ ସଭାରେ ବହୁ ସଂଖ୍ୟାରେ ଯୋଗଦେଇ ଆଲୋଚନା କରିଛନ୍ତି। ପୂର୍ବରୁ ଯେତେସବୁ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ହୋଇଛି, ସେ ସମୟରେ ଏ ଅଞ୍ଚଳର ଲୋକଙ୍କ ସଂଖ୍ୟା ଓ ଦୂରତାକୁ ବିଚାରକୁ ନନେଇ ଏବଂ ଲୋକଙ୍କ ଭାବାବେଗକୁ ଉଚିତ୍ ସମ୍ମାନ ନଦେଇ, ସରକାର ତାଙ୍କ ଉପରେ ପଞ୍ଚାୟତ ଓ ବ୍ଲକ୍ ଲଦି ଦେଇଥିବାର ଅଭିଯୋଗ ଆଣିଛନ୍ତି। ଏହା ସହିତ ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ଯିବା ଆସିବାରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସବୁ କାରଣ ଆଧାରରେ, ଜୁଙ୍ଗା ଓ ବକ୍ସି ବାରିଗାଁ ଗ୍ରାମ ପଞ୍ଚାୟତ ଏବଂ ନିକଟରେ ଥିବା ଅନ୍ୟ ପଞ୍ଚାୟତ ଓ ଗାଁକୁ ନେଇ ଏକ ନୂତନ ବ୍ଲକ ସ୍ଥାପନା ପାଇଁ ଦାବି ରଖିବାକୁ ମତ ପ୍ରକାଶ ପାଇଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ବାଂଶପାଳ ବ୍ଲକର ଗୋନାସିକା ପଞ୍ଚାୟତ ଓ ବରହାଗଡ ପଞ୍ଚାୟତ ହରିଚନ୍ଦନ ପୁର ବ୍ଲକର ଯଥେଷ୍ଟ ନିକଟବର୍ତ୍ତୀ ହୋଇଥିଲେ ହେଁ, ସେ ଅଞ୍ଚଳକୁ ବାଂଶପାଳ ବ୍ଳକର ଅଧିନରେ ରଖାଯାଇଛି। ଫଳରେ ତାଙ୍କୁ ବ୍ଲକ୍ କାର୍ଯ୍ୟ ପାଇଁ ଅନେକ ଦୂରକୁ ଯିବାକୁ ପଡୁଛି। କେବଳ ସେତିକି ନୁହେଁ, ସେଥିପାଇଁ ମୂଲ୍ୟବାନ ସମୟ ମଧ୍ୟ ଅପଚୟ ହେଉଛି। ସେହିପରି, କୋଡିପସା ପଞ୍ଚାୟତ ଯାହାକି ବାଂଶପାଳ ବ୍ଳକ୍ ଅଧିନରେ ଅଛି, ତା’ର କୁଣ୍ଢେଇ, ଘୁଙ୍ଗି, ଦୁଆରଶୁଣୀ, କଅଂସ, ତୋରାଣି ପାଣି ପ୍ରଭୃତି ଗାଁ ଯଥାକ୍ରମେ ଜୁଙ୍ଗା ପଞ୍ଚାୟତ ଓ ହରିଚନ୍ଦନ ପୁର ବ୍ଲକ୍ ର ନିକଟବର୍ତ୍ତୀ ହୋଇଥିଲେ ହେଁ, ପୁନର୍ଗଠନ ସମୟରେ ସେମାନଙ୍କ ଦୂରତା ଓ ଗମନାଗମନ ଜନୀତ ଅସୁବିଧାକୁ ବିଚାରକୁ ନିଆ ଯାଇନଥିବାର ଅଭିଯୋଗ ଆସିଛି।
ଏସବୁ କାରଣ ଓ ପରିସ୍ଥିତି ଏବଂ ଲୋକ ସମ୍ମୁଖିନ ହେଉଥିବା ସମସ୍ୟାକୁ ବିଚାରକୁ ନେଇ, ପ୍ରସ୍ତାବିତ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ କାଳରେ, ହରିଚନ୍ଦନ ପୁର ବ୍ଲକ୍ ର ଜୁଙ୍ଗା ପଞ୍ଚାୟତ, ବକ୍ସି ବାରିଗାଁ ପଞ୍ଚାୟତ, ତେନ୍ତୁଳା ପଶି ପଞ୍ଚାୟତ, ଜଙ୍ଘିରା ପଞ୍ଚାୟତ, ହୁଣ୍ଡା ପଞ୍ଚାୟତ ଓ ବୁଢାଖମଣ ପଞ୍ଚାୟତ ଏବଂ ଘଟଗାଁ ବ୍ଲକ୍ ର ବସନ୍ତ ପୁର ପଞ୍ଚାୟତ, ବଡ ପିଛୁଳା ପଞ୍ଚାୟତ, ସୁନା ଟାଙ୍ଗିରି ପଞ୍ଚାୟତ, ରୁଟିଶିଳା ପଞ୍ଚାୟତ, ପଣ୍ଡାପଡା ପଞ୍ଚାୟତ, ପୁରୁମୁଣ୍ଡା ପଞ୍ଚାୟତ, ପଟିଲୋ ପଞ୍ଚାୟତ ଓ ବିନିନ୍ଦା ପଞ୍ଚାୟତ ସହିତ ବାଂଶପାଳ ବ୍ଳକର ଗୋନାସିକା ପଞ୍ଚାୟତ, ବରହା ଗଡ ପଞ୍ଚାୟତ ଓ କୋଡିପଶା ପଞ୍ଚାୟତ ର ଉପର ବର୍ଣ୍ଣିତ ପାଞ୍ଚଟି ଗାଁ କୁ ମିଶାଇ ଏକ ନୂତନ ବ୍ଲକ ଅଞ୍ଚଳର ମଧ୍ୟ ସ୍ଥଳରେ ପ୍ରତିଷ୍ଠା କରିବାକୁ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ର ନେତା, ବୁଦ୍ଧିଜୀବି, ସମାଜ ସେବୀ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସରକାରଙ୍କୁ ନିବେଦନ କରିଛନ୍ତି।
ସଭାରେ ଅନ୍ୟମାନଙ୍କ ମଧ୍ୟରେ କୁମର ନାଏକ, ରାଜ କିଶୋର ବାରିକ, ଆର୍ତ୍ତତ୍ରାଣ ବେହେରା, ବିରଞ୍ଚି ନାରାୟଣ ଭୂଳଗାଁୟା, ଇଂ. ରମେଶ ଚନ୍ଦ୍ର ନାଏକ, ଲକ୍ଷ୍ମଣ କୁମାର ମହାନ୍ତ, ଉତ୍ତମ କୁମାର ନାଏକ, ପ୍ରଦୀପ କୁମାର ଭଞ, କୃଷ୍ଣଚନ୍ଦ୍ର ମହାନ୍ତ, ଡମ୍ବରୁଧର ଘଣାଙ୍କ ସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନେକ ସଚେତନ ନାଗରିକ ଉପସ୍ଥିତ ଥିଲେ।
Also Read https://purvapaksa.com/six-big-resignations-in-modis-tenure-before-jagdeep-dhankhar/


