କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ୩ ଦିନ ଧରି ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୨ ଜିଲ୍ଲା କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଉଇଁ ୬ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବ। ବର୍ଷା ସମୟରେ ଘଣ୍ଟା ପିଛା ପବନର ବେଗ ୩୦ରୁ ୪୦ କିମି ରହିବ ବୋଲି ପାଣିପାଗ ବିଭାଗ କହିଛି। ୧୫ ତାରିଖ ଯାଏ ଅତି ପ୍ରବଳ ଓ ୧୬ ଯାଏ ପ୍ରବଳ ବର୍ଷା ରହିଛି। ଏହା ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି। ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୩ରୁ ୧୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ଗତ ଜୁନ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୫୫.୯ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଏବେବି ୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟରେ ମଧ୍ୟ ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ପୂର୍ବାନୁମାନ କରଯାଇଛି। ଏଥର ରାଜ୍ୟରେ ବର୍ଷା କେଉଁ ଅଂଚଳ ଭସେଇଛି ତ ଆଉ କୋଉ ଅଞ୍ଚଳ ଶୁଖିଲା ପଡ଼ିଛି। ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ଗଜପତି ଏବଂ ଅନ୍ୟ କେତକ ଜିଲ୍ଲାରେ ମରୁଡ଼ିସ୍ଥିତି ସୃଷ୍ଟି ହୋଇଛି।
Also Readhttps://purvapaksa.com/ai-cameras-in-all-district-level-govt-offices-in-odisha-soon/
