ଫିଲ୍ମ ନାମର ସେହି ଗୀତ ଯାହାକୁ ପଙ୍କଜ ଉଧାସ ଗାଇଛନ୍ତି: ‘ଚିଠି ଆୟୀ ହୈ, ଚିଠି ଆୟି ହୈ!କାହା ହୃଦୟ ନ ତରଳିଚି ଏହି ଗୀତଟି ଶୁଣି ! ଚିଠି କେତେବେଳେ ଟିକି ଚଢ଼େଇ ସାଜି ଦୂର ଦେଶର ମଣିଷ ପାଖରେ ଡେଣା ଝାଡ଼ିଛି। ପୁଣି କେତେବେଳେ ଚିଠି ହର୍ଷ, ଉଲ୍ଲାସ, ବିଷାଦର ସୀମାରେଖା ଡେଇଁ ସମୟକୁ ସ୍ଥିର କରିପାରିଛି । ଚିଠି କେବଳ ନାଁ ଆଉ ଠିକଣାରେ ବାନ୍ଧିହୋଇ ରହିନି । କବିତା, ଗଜଲ, ଗପ ଗୀତର ତାଳେତାଳେ ଚିଠି ସଭିଙ୍କର ପସନ୍ଦର ମାଧ୍ୟମ ବି ସାଜିଛି ।
ଏଇ ଚିଠି, ଡାକବାଲାର ସାଇକେଲ ଘଣ୍ଟିର ପ୍ରତିଧ୍ବନି । ତା’ର କର୍ମମୟ ଜୀବନର ଅକ୍ଷତ ପୁଞ୍ଜି । ନାଲି ବାକ୍ସ ଭିତରେ ହଳଦିଆ କାଗଜର ସ୍ୟାହି ବୋଳା ଅକ୍ଷର ସବୁ ଚିଠିକୁ କରିଥାଏ ଜୀବନ୍ତ। ହେଲେ ସମୟକ୍ରମେ ହଜିଯିବାକୁ ବସିଲାଣି ଏଇ ଚିଠି ବାକ୍ସର କାୟାକଳ୍ପ। ଚିଠି ବାକ୍ସ କେଉଁଠି ଫାଙ୍କା ତ ଆଉ କେଉଁଠି ଲୋପ ପାଇଯିବାକୁ ବସିଲାଣି ଏହାର ଅସ୍ତିତ୍ଵ। ଡିଜିଟାଲ ଯୁଗରେ ରାହା ଖୋଜୁଛି ସେ କାଳର ଚିଠି ବାକ୍ସ। ଅନ୍ୟ ସହର ଭଳି ରାଜଧାନୀରେ ମଧ୍ୟ କେବଳ ସାହାରା ପାଲଟିଛି ବ୍ୟବସାୟିକ ଚିଠି ।
ଡାକବାଲା କଥା କହିଲେ ମନକୁ ଆସିଯାଏ ପୋଷ୍ଟମ୍ୟାନ ଓ ତାଙ୍କ ହାତରେ ଥିବା ଚିଠି କଥା। ଯିଏ ଘରକୁ ଘର ବୁଲି ଚିଠି ବାଣ୍ଟୁଥାନ୍ତି। ଚିଠି ସହ ମାଧମ ବଦଳିଥିଲେ ବି ଚିଠିର ସ୍ମୃତି ଲୋକଙ୍କ ମନରେ ଭିନ୍ନ ଏକ ଛାପ ଛାଡି ଯାଇଛି। ଦୁଇ ଦଶନ୍ଧି ତଳେ ଭାରତରେ ପ୍ରମୁଖ ଓ ଏକମାତ୍ର ଖବର ପଠାଇବାର ମାଧ୍ୟମ ପାଲଟିଥିଲା। ଚାକିରି ଆବେଦନଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ଆଦି ଚିଠି ମାଧ୍ୟମରେ ଅଧିକ ଛୁଟି ପାଇଁ ଆବେଦନ, ଏପରିକି ଦୂର ରାଇଜରୁ ପୁଅ କିମ୍ବା ଝିଅଟିଏ ତା ବାପା ମା’ ପାଖକୁ ଭଲମନ୍ଦ କଥା ଲେଖୁ ପୋଷ୍ଟକାର୍ଡ ବା ଅନ୍ତର୍ଦେଶୀୟ ପତ୍ର ମାଧ୍ୟମରେ ଜଣାଉଥିଲା ।
କିନ୍ତୁ ସମୟ ସହ ତାଳ ଦେଇ ସ୍ମାର୍ଟ ଫୋନ ଇଣ୍ଟରନେଟ୍ ଯୁଗରେ ଯୁବ ପିଢ଼ି ଡାକ ସେବାକୁ ଭୁଲି ଯାଇଛନ୍ତି। ପ୍ରତିଦିନ ଡାକ ବାକ୍ସ ଖୋଲିଲେ ଶହଶହ ଚିଠି ଡାକ କର୍ମଚାରୀଙ୍କ ହାତରେ ବାଜୁଥିଲା। ଚିଠିକୁ ସଜାଡିବା ପରେ ସାଇକେଲରେ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଘୁରି ବୁଲୁଥିଲା ଡାକବାଲା। ମାତ୍ର ଏବେ କାଁ ଭାଆଁ ଦେଖିବାକୁ ମିଳୁଛି ନାଲି ରଙ୍ଗର ଡାକ ବାକ୍ସର ଚେହେରା। ପୋଷ୍ଟ ଅଫିସଗୁଡିକୁ ଛାଡି ଦେଲେ ପ୍ରାୟ ରାଜଧାନୀର ଆଉ କେଉଁ ଛକରେ ଶୋଭା ପାଉନି ଡାକ ବାକ୍ସ । ଏପରି ସ୍ଥିତିରେ ଡାକବାଲା ଅଲୋଡା ହୋଇ ଯାଇଛି କହିଲେ ଭୁଲ ହେବନି। ଖବରଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ଆଦି ପାଇବା ପାଇଁ ଏହାରି ମାଧ୍ୟମରେ ଲୋକେ ସୂଚନା ପାଉଥିଲେ । ଧୀରେ ଧୀରେ ଚିଠିର ଚାହିଦା କମିବାରୁ ଡାକ ବାକ୍ସ ମଧ୍ୟ ରାଜଧାନୀରେ ଆଉ ଦେଖିବାକୁ ମିଳୁନି।
Also Readhttps://purvapaksa.com/trumps-lies-exposed-americans-reveal-the-inside-story/


