ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଡାକ ନାଁ ହେଲା ଟିଟ। ତାଙ୍କ ଅଧୀନରେ ରହିଛି ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ। ଶ୍ରୀମନ୍ଦିର ବ୍ୟାପାର ଆଇନ ବିଭାଗ ଅଧୀନରେ ଥିବାରୁ ତାଙ୍କ ବିଭାଗ ଦାୟିତ୍ୱରେ ରହିଛି ରଥଯାତ୍ରା, ଶ୍ରୀମନ୍ଦିର ପରିଚାଳନା, ଶୃଙ୍ଖଳିତ ଦର୍ଶନ, ରତ୍ନଭଣ୍ଡାର ପ୍ରସଙ୍ଗର ମୁଖ୍ୟ ନୀତି ନିର୍ଦ୍ଧାରକ, ଅନୁମୋଦନକାରୀ ଓ ସମୀକ୍ଷକ। ହେଲେ ଏସବୁ ବିଭାଗରେ ଗତ ଏକବର୍ଷ ହେଲା ଅନେକ ବିଭ୍ରାଟ ଦେଖିଛନ୍ତି ରାଜ୍ୟବାସୀ। ବିଭ୍ରାଟର ସବୁ ସୀମା ପାର ହୋଇଯାଇଥିଲା ରଥଯାତ୍ରା ସମୟରେ ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନେକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ଲାଗି ରାଜ୍ୟବାସୀଙ୍କ ସମ୍ମୁଖରେ ନିଃସର୍ତ୍ତ କ୍ଷମା ମାଗିଲେ। କିନ୍ତୁ ଆଇନ ମନ୍ତ୍ରୀଙ୍କ ମୁହଁରୁ ଆହାଃ ପଦଟିଏ ଶୁଣାଗଲା ନାହିଁ? କାହିଁକି ନିଜ ବିଭାଗର ବିଫଳତାକୁ ନେଇ ନିଜେ ଦାୟୀ ହେଲେ ନାହିଁ ପୃଥ୍ୱୀରାଜ ହରିଚନ୍ଦନ ଓରଫ ଟିଟ? ସେ କ’ଣ ମୁଖ୍ୟମନ୍ତ୍ରୀ ମୋହନମାଝିଙ୍କ ଠାରୁ ଉର୍ଦ୍ଧ୍ୱରେ?
ଟିଟଙ୍କର ଆଉ ଏକ ପରିଚୟ ହେଉଛି ସେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ। ଏବେ ୯୦ ବର୍ଷ ବୟସରେ ଉପନୀତ ହୋଇଥିବା ବିଶ୍ୱଭୂଷଣ ବିଜେପି ପାଇଁ ଅନେକ କିଛି ସ୍ୱୀକାର କରିଛନ୍ତି। ବିଜେପିର ପ୍ରଥମ ରାଜ୍ୟ ସଭାପତି ଭାବେ ସେ ସଂଗଠନକୁ ମଜଭୁତ କରିବା ଦାୟିତ୍ୱ ନେଇଥିଲେ। ଯେତେବେଳେ ବିଜେପି ନ ଥିଲା ସେତେବେଳେ ରାଷ୍ଟ୍ର ପ୍ରଥମ ଚିନ୍ତାଧାରାରେ ବିଶ୍ୱଭୂଷଣ ଜନସଂଘ ସହ ଯୋଗ ଦେଇଥିଲେ। ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି ଆଉ ବିଜେପି ମଧ୍ୟ ତାଙ୍କ ତ୍ୟାଗକୁ ସ୍ୱୀକାର କରି ତାହାକୁ ପରିପୂରଣ କରିଛି। ଯେମିତି ରାଜ୍ୟର ମନ୍ତ୍ରିମଣ୍ଡଳରେ ପ୍ରମୁଖ ଦାୟିତ୍ୱ ଦେବା ହେଉ ଅଥବା ବାର୍ଦ୍ଧକ୍ୟରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳ ଦାୟିତ୍ୱ ଦେଇ ତାଙ୍କୁ ସମ୍ମାନୀତ କରିବାକୁ ପଛାଇ ନାହିଁ। ଏବେ କୁହାଯାଏ ତାଙ୍କରି ପ୍ରତିଚ୍ଛବିକୁ ଦେଖି, ତାଙ୍କୁ ସମ୍ମାନ ଦେଇ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଥମଥର ବିଧାୟକ ହୋଇଥିଲେ ମଧ୍ୟ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି। ଏହା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ମିଳେ ଆଉ ସେଥିଲାଗି ଟିଟ ଭାଗ୍ୟବାନ ବୋଲି କୁହାଯାଇପାରେ।
ହେଲେ ଆଜି ସେ ଭାଗ୍ୟବାନ ମଣିଷଟି ପାଇଁ ଓଡ଼ିଶା ନିନ୍ଦିତ ହେଉଛି, ମୁଖ୍ୟମନ୍ତ୍ରୀ କ୍ଷମା ମାଗୁଛନ୍ତି ହେଲେ ଗଣତନ୍ତ୍ରରେ ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବାର ସତ୍ସାହସ ଟିଟଙ୍କ ପାଖରେ ନାହିଁ। ରଥଯାତ୍ରା ବିଶୃଙ୍ଖଳା, ଦଳାଚକଟା କଥା ତ ଆପଣ ଜାଣିଛନ୍ତି। ଯାତ୍ରା ପୂର୍ବରୁ ଅନେକ ସମୀକ୍ଷା, ବୈଠକ ପରେ ମଧ୍ୟ ଠିକ୍ ରଥ ଦିନଠୁ ହିଁ ବିଶୃଙ୍ଖଳା ଆରମ୍ଭ ହୋଇଯାଇଥିଲା। ନୀତିରେ ବିଳମ୍ବ, ରଥଟଣାରେ ବିଳମ୍ବ, ରଥ ଦାଣ୍ଡରେ ଥିବାବେଳେ ଭକ୍ତଙ୍କୁ ନିୟନ୍ତ୍ରଣ କରିବାରେ ବିଫଳତା ହେତୁ ଅନେକ ଆହତ ହେଲେ, ୩ ଜଣଙ୍କ ମୃତ୍ୟୁ ହେଲା।
ଏ ଘଟଣାକୁ ନେଇ ଜିଲ୍ଲାପାଳ ବଦଳିଲେ, ଏସ୍ପି ବଦଳିଲେ, ଅନେକ ପୁଲିସ ଅଧିକାରୀଙ୍କୁ କ୍ଷମତାଚ୍ୟୁତ କରାଗଲା। ପୁରୁଣା ଅଧିକାରୀଙ୍କୁ ଫେରାଇ ସରକାର ସମାଲୋଚିତ ହେଲେ। କିନ୍ତୁ ସମସ୍ତ ଦାୟିତ୍ୱର ମୁଖ୍ୟ ଆଇନ ମନ୍ତ୍ରୀ ନିଜ ମୁଣ୍ଡକୁ ଦୋଷ ନେବାକୁ ସାହସ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସିଲେ କ୍ଷମା ମାଗିଲେ। ସବୁକିଛି ଶାନ୍ତ ପଡ଼ିଲା। ରଥଯାତ୍ରାର ଅବଶିଷ୍ଟ ଦିନଗୁଡ଼ିକ ଶୃଙ୍ଖଳିତ ହେଲା।
ଖାଲି ସେତିକି ନୁହେଁ, ବିଜେପି ଯଦି ଆଜି କ୍ଷମତାରେ ବସିଛି ତେବେ ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ ପାଇଁ ବସିଛି। ଓଡ଼ିଆ ଜାତିର ମୁରବୀ ଶ୍ରୀ ଜଗନ୍ନାଥଙ୍କ ପାଇଁ କ୍ଷମତା ପାଇଛି। ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀ ଜଗନ୍ନାଥଙ୍କ ଲାଗି ନିର୍ବାଚନରେ ବିଜୟୀ ହୋଇଛି। ତେବେ ଏହି ମନ୍ଦିରରେ ସଂସ୍କାର ପାଇଁ ଯେଉଁସବୁ ପଦକ୍ଷେପ ନେବା କଥା ତାହାକୁ କାର୍ଯ୍ୟକାରୀ କରିବାରେ ଅସମର୍ଥ ହୋଇଛନ୍ତି ବିଭାଗ।
ପ୍ରଥମେ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ନିର୍ମାଣ କରାଯାଇଥିବା ଏସି ଟନେଲକୁ ତ ଭଙ୍ଗାଯାଇ ୪ ଦ୍ୱାର ଖୋଲାଯାଇଥିବା କୁହାଯାଇଛି ହେଲେ ବାସ୍ତବରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ସରକାର ଲାଗୁ କରିପାରି ନାହାନ୍ତି। ପ୍ରତିଦିନ ନୂଆ ନୂଆ ଘୋଷଣା କରିଛନ୍ତି ତାହାକୁ କାର୍ଯ୍ୟକାରୀ କରାଯାଇପାରିହିଁ। କେବେ ଜଗମୋହନରେ ଧାଡ଼ି ଦର୍ଶନ ହେବ ତାହାର ଉତ୍ତର ଏବେ ବିଭାଗ ପାଖରେ ନାହିଁ। ଅର୍ଥାତ୍ ଯଥା ପୂର୍ବଂ ତଥାପରଂରେ ଚାଲିଛି ଶ୍ରୀମନ୍ଦିର।
ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏଯାଏ ଗଠନ କରାଯାଇପାରିନାହିଁ। ଯେଉଁ ଅଧିକାରୀଙ୍କ ଶାସନକୁ ସମାଲୋଚିତ କରି ବିଜେପି କ୍ଷମତାକୁ ଆସିଥିଲା ଆଜି ସେହି ଅଧିକାରୀଙ୍କୁ ଏ କ୍ଷେତ୍ରରେ ପ୍ରାଧାନ୍ୟ ଦେଇଛି। ପରିଚାଳନା କମିଟି ଗଠନ ହୋଇନଥିବାରୁ କୌଣସି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ। ଏହା ବିଫଳତା ନୁହେଁ ତ ଆଉ କ’ଣ? ପୁଣି ଏଥିରେ ଆଇନ ମନ୍ତ୍ରୀ ଦାୟୀ ନ ରହିବେ କାହିଁକି?
ତୃତୀୟ ବିନ୍ଦୁଟି ହେଉଛି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଅନେକ ବିବାଦ ହୋଇଛି। ବିଜେପି କ୍ଷମତା ଦିନ ଆସିବାଠାରୁ ଏଥିପାଇଁ ହାଇ ଡ୍ରାମା ହୋଇଛି। ୧୩ ମାସ ବିତିଗଲାଣି ରତ୍ନଭଣ୍ଡାରର ମରାମତି ସିନା ସରିଛି ହେଲେ କେବେ ଗଣତି ହେବ, କେବେ ସେ ପୁନୋରୁଦ୍ଧାର ହୋଇଥିବା ରତ୍ନ ଭଣ୍ଡାର ବ୍ୟବହାର ହେବ ତାହା କେହି କହିବା ବି ସମ୍ଭବ ହୋଇପାରୁନାହିଁ। ଏହା ମନ୍ତ୍ରୀଙ୍କ ବିଫଳତା ନୁହେଁ? ଏଥିଲାଗି ମୋହନ ସରକାର ଲଜ୍ଜିତ ହେବା କଥା ନୁହେଁ କି?
ଆଜି ଯାଏ ଶ୍ରୀମନ୍ଦିର ପରିକ୍ରମା କରିଡର କାର୍ଯ୍ୟରେ ଗୋଟିଏ ନୂଆ ପଥର ଯୋଡ଼ାଯାଇ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଥିବା ଏହି ପେଣ୍ଠସ୍ଥଳ ପାଇଁ ଏହା ଏକ ଅବହେଳା ନୁହେଁ କି? ଆଜି ଯିଏ ଏଠାକୁ ଆସୁଛି ସେ ପୂର୍ବ ସରକାରର କିର୍ତ୍ତିରାଜୀକୁ ମନେ ପକାଉଛି। ପାଣ୍ତିଆନ୍ଙ୍କ ସ୍ମୃତିଚାରଣ କରୁଛି, ତ ଏଠି ବିଜେପି ଛାପ ପକାଇବାରେ ବିଫଳ ହୋଇ ନାହାନ୍ତି କି ପୃଥ୍ୱିରାଜ?
ଏମିତି ପରିସ୍ଥିତି ଯେ ଆମେ ଆଲୋଚନା କରୁଛୁ ତାହା ନୁହେଁ ଏହାର ପ୍ରଭାବ ସରକାର ମଧ୍ୟ ସମୀକ୍ଷା କରିଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ପ୍ରଭାରୀ ଆଲୋଚନା କରିଛନ୍ତି। କିନ୍ତୁ ତାଙ୍କ ଉପରେ ଥିବା ଏକ ଅଦେଖା ଆଶୀର୍ବାଦ ହାତକୁ ନେଇ ୧୩ ମାସ ହେଲା ନୀରବ ରହିଛନ୍ତି ମୋହନ ସରକାର। ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ହେବାକୁ ଅଛି। ପୁଣି ଏ ଭିତରେ ସେହି ଅଦେଖା ଆଶୀର୍ବାଦ ହାତକୁ କେନ୍ଦ୍ରୀୟ ନେତୃତ୍ୱ ନୀରବ କରି ଦେଇଥିବା ଚର୍ଚ୍ଚା ହେଉଛି। ଏଣୁ ପୃଥ୍ୱୀରାଜଙ୍କ ହାତରୁ ଆଇନ, ପୂର୍ତ୍ତ ବିଭାଗ କାଢ଼ି ନିଆଯିବାର ଆଶଙ୍କା ଯଥେଷ୍ଟ ଦିଶୁଛି। ଏପରିକି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ପାଇଁ ମଧ୍ୟ ଚର୍ଚ୍ଚା ଦଳୀୟ ମହଲରେ ଜୋର୍ ଧରିଛି।
ଏଥିଲାଗି ରାଜ୍ୟପାଳଙ୍କ ସକ୍ରିୟତା ବଢ଼ିଛି ବୋଲି କୁହାଯାଏ। ଟିଟଙ୍କ ଘରକୁ ଆସି ତାଙ୍କ ବିଭାଗ ବାବଦରେ ପଚାରିବା, ତା’ ପରଦିନ ସୁରେଶ ପୂଜାରୀଙ୍କୁ ଡାକି ଆଲୋଚନା କରିବା ଏହି ସମୀକରଣ ତିଆରି କରୁଛି ଯେ, ନିଜ ବିଭାଗର ଦାୟିତ୍ୱକୁ ବୁଝି ନ ଥିବା ଜଣେ ମନ୍ତ୍ରୀଙ୍କର ସେହି ବିଭାଗରେ ରହିବାର କିଛି ଆବଶ୍ୟକତା ନାହିଁ। ଆଉ ସେ ତୁରନ୍ତ ଦାୟିତ୍ୱମୁକ୍ତ ହେବା ଆବଶ୍ୟକ। ବାପା ଜଣେ ଆଇନଜୀବୀ ଥିଲେ, ହେଲେ ପୁଅ ନୁହେଁ। ଏଣୁ ସେ ଯେଉଁ ବିଭାଗ ସମ୍ଭାଳୁଥିଲେ, ତାଙ୍କ ପୁଅକୁ ସେହି ବିଭାଗ ଦେବାର ଆବଶ୍ୟକତା ନାହିଁ। ଏହା ଉତ୍ତରୀାଧିକାରସୂତ୍ର ନୁହେଁ, ବରଂ ଗଣତନ୍ତ୍ର। ଏଣୁ ଜଣେ ଆଇନଜୀବୀ ଭାବେ ସୁରେଶ ପୂଜାରୀଙ୍କୁ ଆଇନ ବିଭାଗ ମିଳିବା ପ୍ରାୟତଃ ସ୍ପଷ୍ଟ ହୋଇଛି।
Also readhttps://purvapaksa.com/whose-chief-secretary-bjp-government-or-pandians/
