ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି। ରାଜ୍ୟରେ ପ୍ରତିଦିନ ୮୬ ଜଣ ଶିକାର ହୋଇଥିବା ଏନ୍ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ଏନ୍ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି। କେବଳ ଅସଦାଚରଣ ମାମଲାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା। ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ। ଅସଦାଚରଣରେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଗତବର୍ଷ ୧୦,୫୭୮ ଜଣ ଅସଦାଚରଣର ଶିକାର ହୋଇଥିଲେ। ତୃତୀୟ ସ୍ଥାନ ନେଇଛି ଉତ୍ତର ପ୍ରଦେଶ। ଏହି ରାଜ୍ୟରେ ୯,୭୦୩ ଜଣ ଶିକାର ହୋଇଛନ୍ତି। ପ୍ରତ୍ୟେକ ଦିନ ଦେଶରେ ୧୧୨୧ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି ।
ଗତ ରିପୋର୍ଟ କହୁଛି, ୩୫୬ ଦିନରେ ଆମ ରାଜ୍ୟରେ ୩୧,୩୫୨ ଜଣ ଅପରାଧର ଶିକାର ହୋଇଛନ୍ତି। ଯଦି ଆମ ପଡ଼ୋଶୀ ପଶ୍ଚିମବଙ୍ଗ କଥା ଦେଖିବା ତା’ ହେଲେ ୪୮୧.୨ ଲକ୍ଷ ମହିଳା ଅଛନ୍ତି। ପ୍ରତି ଏକ ଲକ୍ଷ ମହିଳାରେ ମାତ୍ର ୭୪ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି। ଆନ୍ଧ୍ରରେ ପ୍ରତି ଲକ୍ଷରେ ମାତ୍ର ୬୭ ଜଣ, ବିହାର ଏକ ଲକ୍ଷରେ ମାତ୍ର ୩୦ ଜଣ। ବିହାରରେ ୫୯୩ ଲକ୍ଷ ମହିଳା ବସବାସ କରୁଛନ୍ତି। ମଧ୍ୟପ୍ରଦେଶରେ ପ୍ରତି ୧ ଲକ୍ଷରେ ମାତ୍ର ୭୪ ଜଣ ଅପରାଧର ଶିକାର ହେଉଛନ୍ତି। ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ମାମଲାରେ ଚାର୍ଜସିଟ୍ ହାର ୮୦.୧% ରହିଥିଲା। ଆସାମରେ ଚାର୍ଜସିଟ୍ ହାର ୫୨.୯ % ଥିଲା। ଅପରପକ୍ଷେ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଛତିଶଗଡ ଭଳି ରାଜ୍ୟ ଯଥାକ୍ରମେ ୯୩.୭%, ୯୩.୫%, ୯୩.୫ % ଏବଂ ୮୮.୫ % ଚାର୍ଜସିଟ୍ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ବଳାତ୍କାର ଓ ଗଣବଳାତ୍କାର ପରେ ମହିଳାଙ୍କୁ ହତ୍ୟା କରିବାରେ ଓଡ଼ିଶା ୮ ନମ୍ବର।
ଓଡ଼ିଶାରେ ୧୨ଟି ଘଟଣାରେ ୧୨ ଜଣ ମହିଳାଙ୍କ ଜୀବନ ଯାଇଛି। ପ୍ରଥମ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ। ଏହି ରାଜ୍ୟରେ ୪୮ଟି ଘଟଣା ଘଟିଛି। ଦ୍ଵିତୀୟ ସ୍ଥାନରେ ଆସାମ ୪୬ ଟି, ତୃତୀୟରେ ରହିଛି ମଧ୍ୟପ୍ରଦେଶ ୩୫ ଟି, ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ୨୩। ଯୌତୁକ ନିର୍ଯାତନା ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୨୧ରେ ୫୪୮୮ ଜଣ ଯୌତୁକ ନିର୍ଯାତନାର ଶିକାର ହୋଇଥିଲା। ଏହି ଯୌତୁକ ନିର୍ଯାତନା ପାଇଁ ପ୍ରାୟ ୨୯୩ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ଯୌତୁକ ଜନିତ ହତ୍ୟାରେ ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ଏସିଡ୍ ଆକ୍ରମଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଗତ ରିପୋର୍ଟରେ ଉଲ୍ଲେଖ ଥିଲା ରାଜ୍ୟରେ ୩ ଜଣ ମହିଳା ଏସିଡ୍ ଆକ୍ରମଣରେ ଶିକାର ହୋଇଥିଲେ । ତେବେ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ରହିଛି। ସେଠାରେ ୩୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ବର୍ଷକରେ ୫୧୭୮ ମହିଳାଙ୍କୁ ଅପହରଣ କରାଯାଇଥିବା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା। ତା’ଛଡା ୨୧୫ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରିଥିବା ନେଇ ମାମଲା ରୁଜୁ ହୋଇଥିଲା। ୫୦ ଜଣ ନାବାଳିକା ମଧ୍ୟ ବଳପୂର୍ବକ ବିବାହର ଶିକାର ହୋଇଥିଲେ। ୯୬ ଜଣ ମହିଳାଙ୍କୁ ଚାଲାଣ କରାଯାଇଥିଲା।
Also Readhttps://purvapaksa.com/balasore-tragedy-many-more-will-come-under-investigation/
