ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୂର୍ବରୁ ଲାଗିଥିବା ଦଫା ବଦଳିବା ସହ ତଦନ୍ତ ପରିସର ଆହୁରି ବଢ଼ିବ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଘଟଣାରେ ସାମଗ୍ରିକ ବିଷୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛୁ। ଗୁଡ଼ିଏ ତଥ୍ୟ ହାସଲ ହୋଇଥିବା ବେଳେ କିଛି ତଥ୍ୟ ହସ୍ତଗତ ହେବା ବାକି ରହିଛି। ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ କିଛି ସମୟ ଲାଗିବ। ଆମେ ଏପରି ଏକ ବ୍ୟବସ୍ଥା ତିଆରି କରିବା, ଯେପରି ଆଉ କେହି ଏପରି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଟିକେ ସମୟ ଆବଶ୍ୟକ ହେବ ବୋଲିମନ୍ତ୍ରୀ କହିଛନ୍ତି।
ପୂଜାରୀ କହିଛନ୍ତି ଯେ, ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ଯେଉଁଥି ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଲା, ସେମାନଙ୍କୁ ମଧ୍ୟ ଠାବ କରାଯିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ ୧୫ଦିନ ମଧ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟିଛି। ପ୍ରତ୍ୟେକ ଦିନ ଛାତ୍ରୀଜଣକ ମାନସିକ ଯନ୍ତ୍ରଣାର ଶିକାର ହୋଇଛି। ୧୫ଦିନ କଷ୍ଟର ସମାହାର ଶେଷରେ ଆତ୍ମାହୁତିରେ ରୂପାନ୍ତରିତ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁ ପରେ ଦଫାରେ ପରିବର୍ତ୍ତନ ହେଲାଣି। ଆତ୍ମହତ୍ୟା ପାଇଁ ପ୍ରୟାସ କରିବାର ଦଫା ପୂର୍ବରୁ ଲାଗିଥିବା ବେଳେ ବର୍ତ୍ତମାନ ଆତ୍ମହତ୍ୟା ପାଇଁ ଯେଉଁମାନେ ପ୍ରେରିତ କରିଥିଲେ, ସେମାନଙ୍କ ବିରୋଧରେ ମଧ୍ୟ ଦଫା ଲାଗିଛି। ଯେଉଁମାନେ ମାନସିକ ଯନ୍ତ୍ରଣା ଦେଇଛନ୍ତି, ସେମାନଙ୍କ ବିରୋଧରେ ଦଫା ଲାଗିଛି। କେଉଁମାନେ ଘଟଣାରେ ସଂପୃକ୍ତ, ସେନେଇ ତର୍ଜମା କରାଯାଉଛି। ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ଆଉ କିଛି ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତକଙ୍କ ମା’ ମଧ୍ୟ ତଦନ୍ତର ପରିସର ବୃଦ୍ଧି ପାଇଁ ଚାହୁଛନ୍ତି। ଫଳରେ କେବଳ ପ୍ରଫେସର୍ ଓ ପ୍ରିନ୍ସିପାଲ ନୁହନ୍ତି, ଅନ୍ୟ ଯେଉଁମାନେ ଛାତ୍ରୀଙ୍କୁ ଅପମାନିତ କରିଛନ୍ତି ଓ ମାନସିକ ନିର୍ଯାତନା ଦେଇଥିଲେ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମା’ଙ୍କ ଦାବି ରହିଛି। ଆଇନଗତ ଦୃଷ୍ଟିରୁ କ’ଣ ଭଲ ହୋଇପାରିବ, ସେନେଇ ବିଚାର ବିମର୍ଶ ଜାରି କରି ରହିଛି। ବିଭିନ୍ନ ମହଲରୁ ସରକାର ତଥ୍ୟ ଏକତ୍ର କରୁଛନ୍ତି। ଶିକ୍ଷା ବିଭାଗ ତଦନ୍ତର ରିପୋର୍ଟର ତର୍ଜମା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Also Readhttps://purvapaksa.com/pil-cannot-be-filed-in-personal-cases/
PIL cannot be filed in Personal cases ।। ବ୍ୟକ୍ତିଗତ ମାମଲା ପିଆଇଏଲରେ ଯିବ ନାହିଁ
