ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଉପରେ ବଢ଼ୁଥିବା ଜନସାଧାରଣଙ୍କ କ୍ରୋଧ ଏବଂ ରାଜନୈତିକ ପ୍ରତିକ୍ରିୟା ମଧ୍ୟରେ, ତାଙ୍କ ଶୋକସନ୍ତପ୍ତ ପିତା ବଳରାମ ବିଶି ଏକ ଭାବପ୍ରବଣ ନିବେଦନ କରିଛନ୍ତି, ତାଙ୍କ ଝିଅର ମୃତ୍ୟୁକୁ ରାଜନୀତିକରଣ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ହାତ ଯୋଡ଼ି କାନ୍ଦି କାନ୍ଦି ସେ କହିଥିଲେ, “ମୋ ଝିଅ ଚାଲିଗଲା। ଦୟାକରି ତା’ ନାମରେ ରାଜନୀତି କରନ୍ତୁ ନାହିଁ। ସରକାର ଏହି ଘଟଣା ପ୍ରତି ସମ୍ବେଦନଶୀଳ ହୋଇଛି ଏବଂ ପରିବାରର କିଛି ଦାବି ପୂରଣ କରି ପ୍ରତିକ୍ରିୟା ଦେଇଛି, ବାକି ଦାବିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛି।”
ଏହାପରେ ବି ରାଜନୈତିକ ଦଳଗୁଡ଼ିକ ନିଜର ପ୍ରଚାର ପ୍ରସାର ପାଇଁ ଏବେ ମୋହନ ସରକାର ଉପରେ ଦାଉ ସାଧିବା ପାଇଁ ଲାଗି ପଡ଼ିଛନ୍ତି। ସୌମ୍ୟଶ୍ରୀଙ୍କ ଦୁଃଖଦ ମୃତ୍ୟୁରେ ଯଦି କାହାର ସର୍ବାଧିକ କ୍ଷତି ହୋଇଛି ସେ ହେଲା ବିଜେପିର ମୋହନ ସରକାର। ଏଥିପାଇଁ ସରକାର ବହୁଳ ଭାବରେ ନିନ୍ଦିତ ହୋଇଛନ୍ତି।
ସବୁଠାରୁ ବିପଦଜନକ କଥା ହେଲା କଂଗ୍ରେସ ଦଳ ବିଜେପି ସରକାରକୁ ବଦନାମ କରିବାକୁ ରାଜ୍ୟ ବିରୋଧରେ ବିରାଟ ଷଡ଼ଯନ୍ତ୍ରରେ ସାମିଲ ହୋଇଯାଇଛି। କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ ଓ ଅନ୍ୟ ନେତାମାନେ ସବୁକଥାରେ ଦିଲ୍ଲୀ ଯାଇ ସେଠାରେ ସାମ୍ବାଦିକ ସମ୍ମିଳନୀ କରି କିପରି ଆଗାମୀ ଦିନରେ କ୍ଷମତାକୁ ଆସିବେ ସେଥିପାଇଁ ରାଜ୍ୟର କ୍ଷତି କରିବାରେ ଲାଗିଛନ୍ତି।
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଫକୀରମୋହନ କଲେଜ ଛାତ୍ରୀ, ଯିଏ ଜଣେ ଶିକ୍ଷକଙ୍କ ଦ୍ୱାରା ନିର୍ଯାତନା ହୋଇ ତାଙ୍କ ଅଭିଯୋଗକୁ ଅଣଦେଖା ହେବା ପରେ କଲେଜ କ୍ୟାମ୍ପସରେ ନିଜକୁ ନିଆଁ ଲଗାଇ ଦେଇଥିଲେ, ତାଙ୍କର ମୃତ୍ୟୁ “ସିଷ୍ଟମ ଦ୍ୱାରା ସଂଗଠିତ ହତ୍ୟା”ଠାରୁ କମ୍ ନୁହେଁ। କିନ୍ତୁ ସେ ଭୁଲି ଯାଉଛନ୍ତି ଯେ ନିର୍ଯାତନା ଦେଇଥିବା ଶିକ୍ଷକ ଜଣକ କଂଗ୍ରେସର ଦୃଢ଼ ସମର୍ଥକ।
ବିଜେଡିର ୨୪ ବର୍ଷର ଶାସନ କାଳରେ ଅନେକ ମହିଳା ନିର୍ଯାତନା ଓ ହତ୍ୟାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମମିତା, ଇତିଶ୍ରୀ, ବେବିନା, ସସ୍ମିତା, ମାଧବୀଲତା, ସ୍ମିତାରାଣୀ, ପରି ଓ ପିହୁ ମାମଲା ଜଣାଶୁଣା। ଏପରିକି ବିଜେଡିର ଜଣେ ତତ୍କାଳୀନ ମନ୍ତ୍ରୀଙ୍କ ନାମରେ ତିନି ତିନିଟି ହତ୍ୟାମାଲା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଛି। ବିଜେଡି ସରକାରରେ ମନ୍ତ୍ରୀ ଥିବା ନବ ଦାସଙ୍କୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଛି। ଏପରିକି ମମିତା ମେହେର ହତ୍ୟାକାରୀ ଜେଲରେ ମଧ୍ୟ ମ୍ୟତ୍ୟୁବରଣ କରିଛନ୍ତି।
ଏସବୁ ଘଟଣାରେ କଂଗ୍ରେସ କିନ୍ତୁ ଦିଲ୍ଲୀ ଯାଇ ସାମ୍ବାଦିକ ସମ୍ମିନଳୀ କରି ନ୍ୟାୟ ଦାବି କରିନଥିଲା। କିନ୍ତୁ ବିଜେପି ସରକାରକୁ ବଦନାମ କରିବା ପାଇଁ ରାଜ୍ୟକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସୌମ୍ୟାଶ୍ରୀ ପ୍ରତି ଯଦି କଂଗ୍ରେସ ଏତେ ଚିନ୍ତିତ ତେବେ ସେ ଯେତେବେଳ ତା’ର ସମସ୍ୟା ନେଇ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରୁଥିଲା ସେତେବେଳେ କଂଗ୍ରେସ କେଉଁଠି ଥିଲା। ସେତେବେଳେ କଂଗ୍ରେସ ନେତାମାନେ ଚାହିଁଥିଲେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରି ତା’ର ଜୀବନ ବଞ୍ଚାଇ ପାରିଥାନ୍ତେ। କିନ୍ତୁ କଂଗ୍ରେସ ନେତାମାନେ ସେପରି ନ କରି ଏବେ ତା’ର ଶବ ଉପରେ ରାଜନୀତି କରିବା ସହିତ ଓଡ଼ିଶାକୁ ବଦନାମ କରିବା ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି।
ଅତୀତକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ କଂଗ୍ରେସ କେବେ ବି ଓଡ଼ିଶାକୁ ଗୁରୁତ୍ୱ ଦେଇନାହିଁ। ଯେତେବେଳ ବି କ୍ଷମତାକୁ ଆସିଛି ରାଜ୍ୟର ସାଂସଦମାନଙ୍କୁ କ୍ୟାବିନେଟରେ ସାମିଲ କରିନାହିଁ। ଏଥିରୁ ରାଜ୍ୟ କଂଗ୍ରେସ ନେତାମାନେ କିଛି ଶିକ୍ଷା ଲାଭ ନ କରି ରାଜ୍ୟକୁ ବଦନାମ ଷଡ଼ଯନ୍ତ୍ରରେ ସାମିଲ ହେବା ଦୁର୍ଭାଗ୍ୟଜନକ।
Also Readhttps://purvapaksa.com/can-blood-money-save-kerala-nurse-nimisha-priya/
