ଶ୍ରଦ୍ଧାଞ୍ଜଳି: ଶ୍ରୀକାନ୍ତ ଦାସ (୧୯୪୬-୨୦୨୫)
ବିଶିଷ୍ଟ ସଂଗୀତକାର ତଥା ଗୀତିକାର ଶ୍ରୀକାନ୍ତ ଦାସ ଆଉ ନାହାନ୍ତି। ଏଣିକି ତାଙ୍କ କଣ୍ଠରୁ ଆଉ ଶୁଭିବ ନାହିଁ ଆସୁଛି ‘ଆମ ସାହି ମେଢ଼ ଆସୁଛି’ କି ‘ଚାଲିଲା ଗାଡ଼ି ବାଦାମବାଡ଼ି”। ପ୍ରାୟ ଅଶୀ ବର୍ଷ ବୟସରେ ତାଙ୍କର ଶେଖ ବଜାର ସ୍ଥିତ ବାସଭବନରେ ପରଲୋକ ଘଟିଛି। କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ‘ମାଟିଆ ଗ୍ରାମରେ ଜନ୍ମିତ ଶ୍ରୀକାନ୍ତ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ରବିବାର ରାତିରେ ତାଙ୍କର ଦେହାନ୍ତ ଖବର ପାଇବା ପରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ସର୍ବୋପରି ତାଙ୍କୁ ଭଲ ପାଉଥିବା ସଂଗୀତପ୍ରେମୀ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଆକାଶର ବୁକୁ ଚିରି, ଜହ୍ନ ହସେ କିରିକିରି, ସକଳତୀର୍ଥ ତୋ ଚରଣେ, ଚାଲିଲା ଗାଡ଼ି ବାଦାମବାଡ଼ି, ଚାଲ୍ ପଳାଇଯିବା ଛାଡ଼ି ଆମେ ସହର, ଆସୁଛି ଆମ ସାହି ମେଢ଼ ଆସୁଛି- ଆଗରେ ପଛରେ ଟୋକା ନାଚୁଛନ୍ତି ନାଲିଆ ଗାମୁଛା ଉଡୁଛି ଏବଂ ହଜିଗଲା ମୋର ନେଉଳ ଛୁଆ ପରି ଅନେକ ଲୋକପ୍ରିୟ ଓଡ଼ିଆ ଗୀତ ଗାଇ ସେ ପ୍ରତ୍ୟେକଟି ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।
ସେ କେବଳ ଓଡ଼ିଆ ଆଲବମ୍ ଗୀତ ନୁହେଁ, ବରଂ ଓଡ଼ିଆ ସିନେମା ଜଗତରେ ନିଜ ଚମତ୍କାର କଣ୍ଠସ୍ଵର ପାଇଁ ଦୀର୍ଘ ଦଶନ୍ଧି ଧରି ଶ୍ରୋତାଙ୍କ ମନରେ ରାଜ କରି ଆସୁଥିଲେ। ତାଙ୍କର କିଛି ଲୋକପ୍ରିୟ ଗୀତ ମଧ୍ୟରେ ଲିଙ୍ଗରାଜ ବାବା ପାର୍ କରେଗା, ଅପବାଦ ଦିଅନାହିଁ, ଲାଲ୍ ଲାଲ୍ ଗୋଲାପ ଫୁଲ ଏବଂ ମନ ମୋହିନୀ ଅନ୍ତର୍ଭୁକ୍ତ।
ଏହାବ୍ୟତୀତ ବହୁ ଲୋକପ୍ରିୟ ଭଜନରେ ମଧ୍ୟ ତାଙ୍କ ଅବଦାନ ଯୋଗୁଁ ଶ୍ରୋତାଙ୍କ ମାନସପଟରେ ଏକ ଅଭୁଲା ସ୍ମୃତି ପାଲଟି ଯାଇଛନ୍ତି। ସେ ୧୯୮୫ ମସିହାରେ ଓଡ଼ିଆ ଆଧୁନିକ ଗୀତ ‘ଶ୍ରୀକାନ୍ତ ଦାସ’ ନାମରେ ରିଲିଜ୍ କରାଇଥିଲେ। ଅନ୍ୟାନ୍ୟ ଆଲବମ୍ ଓ ସଂଗୀତ ସଂକଳନ ମଧ୍ୟରେ ଶ୍ରୀକାନ୍ତ ଶେଖର, ଚିତ୍ତ-ପୁଷ୍ପା ଓ ହଜିଗଲା ମୋଟ ନେଉଳ ଛୁଆ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ଓଡ଼ିଆଙ୍କ ଜନମାନସରେ ଚିରସବୁଜ ସ୍ମୃତି ହୋଇ ରହିଛି।
୧୯୯୨ ମସିହାରେ ପଞ୍ଜୁରୀ ଭିତରେ ୱାରୀ, ୧୯୯୪ ମସିହାରେ ମହୁଆ ୧୯୯୭ ମସିହାରେ ସୁନା ସଂସାର, ୧୯୯୯ ମସିହାରେ ମା ଗୋଜବାୟାଣୀ, ୨୦୦୧ ମସିହାରେ କଳା ମାଣିକ ଭଳି ସିନେମାରେ ନିଜର କଣ୍ଠଦାନ କରି ଓଲିଉଡ୍ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ସେ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ। ନିଜର ପ୍ରଚଣ୍ଡ ପ୍ରତିଭା ନିମନ୍ତେ ସେ ବହୁପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ।
Also Readhttps://purvapaksa.com/china-tank-boats-power-how-it-works-dragon-flaunt-it-in-front-of-taiwan/
