ନେପାଳର ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ମସଜିଦ ଓ ମଦରସା ନିର୍ମାଣରେ ତୁର୍କୀ ସାହାଯ୍ୟ କରୁଛି। ଏହି କାର୍ଯ୍ୟରେ ତୁର୍କୀର ଏକ ବେସରକାରୀ ସଂଗଠନ ଫାଉଣ୍ଡେସନ ଫର ହ୍ୟୁମାନ ରାଇଟସ ଆଣ୍ଡ ଫ୍ରିଡମସ ଆଣ୍ଡ ହ୍ୟୁମାନିଟେରିଆନ ରିଲିଫ (ଆଇଏଚଏଚ) ଜଡ଼ିତ ଅଛି। ଏହି ସଂଗଠନର ଚରମପନ୍ଥୀ ଗୋଷ୍ଠୀମାନଙ୍କ ସହ ସମ୍ପର୍କ ଥିବା କୁହାଯାଉଛି। ଏହାକୁ ତୁର୍କୀ ସରକାର ଏବଂ ଗୁଇନ୍ଦା ସଂସ୍ଥାମାନଙ୍କଠାରୁ ସମର୍ଥନ ମିଳୁଥିବା ଅଭିଯୋଗ ରହିଛି। ଆଇଏଚଏଚ ଭଳି ସଂଗଠନମାନେ ନେପାଳର ସ୍ଥାନୀୟ ଇସଲାମିକ ଗୋଷ୍ଠୀ ଯେପରିକି ଇସଲାମି ସଂଘ ନେପାଳ (ଆଇଏସଏନ) ସହ ମିଳିତ ହୋଇ ଅଳ୍ପସଂଖ୍ୟକ ମୁସଲମାନ ଜନସଂଖ୍ୟା ପାଇଁ ମସଜିଦ, ମଦରସା, ଅନାଥାଶ୍ରମ ଏବଂ ଇସଲାମିକ କେନ୍ଦ୍ର ନିର୍ମାଣ କରୁଛନ୍ତି। ଏହାର ବ୍ୟବହାର ଧର୍ମାନ୍ତରଣ ପାଇଁ ମଧ୍ୟ କରାଯାଉଛି।
ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ, ତୁର୍କୀ ବା ତୁର୍କିୟେ ଏବେ ନେପାଳରେ ନିଜ ଆଡ଼୍ଡା ତିଆରି କରୁଛି । ପାକିସ୍ତାନ ସହ ମିଶି ଭାରତର ସ୍ୱାର୍ଥ ପାଇଁ ଏକ ଜଟିଳ ଚ୍ୟାଲେଞ୍ଜ ଉପସ୍ଥାପନ କରୁଛି। ରିପୋର୍ଟରେ କୁହାଯାଇଛି ଯେ ନେପାଳର ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ତୁର୍କୀ ଓ ପାକିସ୍ତାନ ସମର୍ଥିତ ଧାର୍ମିକ କେନ୍ଦ୍ର ଏବଂ ନେଟୱାର୍କର ବିକାଶ ଭାରତ ପାଇଁ ଗମ୍ଭୀର ଏବଂ ଜଟିଳ ଚ୍ୟାଲେଞ୍ଜ। ବିଶେଷକରି ଆଞ୍ଚଳିକ ସୁରକ୍ଷା, ଜନସାଂଖ୍ୟିକୀୟ ପରିବର୍ତ୍ତନ ଏବଂ ସୀମାପାର ଚରମପନ୍ଥ ସମ୍ଭାବନାର ପରିପ୍ରେକ୍ଷୀରେ। କୁହାଯାଉଛି ଯେ ଗତ ଦୁଇ ବର୍ଷରେ ଏହି ଅଞ୍ଚଳଗୁଡ଼ିକରେ ୫୦୦ କୋଟି ଟଙ୍କାରୁ ଅଧିକ ବୈଦେଶିକ ଅର୍ଥ ପ୍ରଦାନ କରାଯାଇଛି। ଭାରତ ଓ ନେପାଳ ୧,୭୫୧ କିଲୋମିଟର ଦୀର୍ଘ ଖୋଲା ସୀମା ଭାଗ କରନ୍ତି, ଯାହା ଉଭୟ ଦେଶର ଲୋକଙ୍କ ମଧ୍ୟରେ ଗଭୀର ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କର ପ୍ରତୀକ। ଏହି ଖୋଲା ସୀମାର ଫାଇଦା ଉଠାଇ ବିଭିନ୍ନ ପ୍ରକାରର ଅବୈଧ କାର୍ଯ୍ୟକଳାପ ମଧ୍ୟ ହୋଇଆସୁଛି। ଏବେ ଏଥିରେ ବାହାରୁ ଆସୁଥିବା ତତ୍ତ୍ୱମାନଙ୍କ ଦ୍ୱାରା ପ୍ରଭାବ ବିସ୍ତାର କରିବାର ଉଦ୍ୟମ ମଧ୍ୟ ସାମିଲ ହୋଇଛି। ତୁର୍କୀ, ଯିଏ ପାରମ୍ପରିକ ଭାବେ ପଶ୍ଚିମ ଓ ମଧ୍ୟ ଏସିଆରେ ଅଧିକ ସକ୍ରିୟ ଥିଲା, ସାମ୍ପ୍ରତିକ ବର୍ଷମାନଙ୍କରେ ଦକ୍ଷିଣ ଏସିଆ ଏବଂ ଅନ୍ୟ ଅଞ୍ଚଳରେ ମଧ୍ୟ ନିଜର ପହଞ୍ଚ ବଢ଼ାଇବାକୁ ଚେଷ୍ଟା କରୁଛି।
ନେପାଳରେ ତୁର୍କୀର କାର୍ଯ୍ୟକଳାପ ଯଦିଓ ନୂଆ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ। ତୁର୍କୀର ବେସରକାରୀ ସଂଗଠନ ଆଇଏଚଏଚ ନେପାଳର ସୀମାବର୍ତୀ ଅଞ୍ଚଳମାନଙ୍କରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହା ଇସଲାମି ସଂଘ ନେପାଳ (ଆଇଏସଏନ) ଭଳି ସ୍ଥାନୀୟ ଗୋଷ୍ଠୀମାନଙ୍କ ସହ ମେଣ୍ଟ କରିଛି। ଆଇଏସଏନ ଉପରେ ମଧ୍ୟ ଚରମପନ୍ଥୀ ବିଚାରଧାରା ସହ ସମ୍ପର୍କ ରହିଥିବା ଅଭିଯୋଗ ରହିଛି। ଆଇଏଚଏଚ ମୁସଲମାନ ଜନସଂଖ୍ୟା ପାଇଁ ମସଜିଦ, ମଦରସା, ଅନାଥାଶ୍ରମ ଏବଂ ଇସଲାମିକ କେନ୍ଦ୍ରଗୁଡ଼ିକର ନିର୍ମାଣକୁ ପ୍ରାୟୋଜନା କରିଛି। ଆଇଏସଏନ ସହ ସମ୍ପର୍କିତ ତୁର୍କୀର ଅର୍ଧସାମରିକ ସଂଗଠନ ସାଦାତର ଉପସ୍ଥିତି ଏହି ଅଞ୍ଚଳରେ ମିଲିସିଆ ପ୍ରଶିକ୍ଷଣ ଏବଂ ଗୁପ୍ତ ଅଭିଯାନ ବିଷୟରେ ସନ୍ଦେହ ସୃଷ୍ଟି କରୁଛି। ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଏହି ଅଞ୍ଚଳରେ ତୁର୍କୀ ସମର୍ଥିତ ତତ୍ତ୍ୱମାନଙ୍କ କାର୍ଯ୍ୟକଳାପକୁ ଜାତୀୟ ସୁରକ୍ଷା ପାଇଁ ସମ୍ଭାବ୍ୟ ବିପଦ ଭାବେ ଦେଖୁଛନ୍ତି।
ନେପାଳ ସୀମାରେ ତୁର୍କୀ ସମର୍ଥିତ ତତ୍ତ୍ୱମାନଙ୍କର ଉତ୍ଥାନ ଭାରତ ପାଇଁ ଏକ ଜଟିଳ ମାମଲା। ପାକିସ୍ତାନର ଖୋଲାଖୋଲି ବିରୋଧୀ ମନୋଭାବଠାରୁ ଭିନ୍ନ, ତୁର୍କୀର ମନୋଭାବ ଅଧିକ ସୂକ୍ଷ୍ମ, କାରଣ ଏହା ଇସଲାମିକ ନେଟୱାର୍କଗୁଡ଼ିକୁ ନୀରବ ସମର୍ଥନ ସହ ସଫ୍ଟ ପାୱାରକୁ ମଧ୍ୟ ଯୋଡ଼ୁଛି। ଭାରତକୁ ଚିନ୍ତା ରହିଛି ଯେ ଏହି କାର୍ଯ୍ୟକଳାପଗୁଡ଼ିକ ଧାର୍ମିକ ଚରମପନ୍ଥକୁ ପ୍ରୋତ୍ସାହନ ଦେଇପାରେ ଏବଂ ସୀମା ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ସେହିପରି ଭାରତ ବିରୋଧୀ ପ୍ରଚାରର ନୂଆ ପଥ ଖୋଲିପାରେ। ଅନେକ ବିଶ୍ଲେଷକ ଏହାକୁ ତୁର୍କୀର ରାଷ୍ଟ୍ରପତି ଏର୍ଦୋଗାନଙ୍କ ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବିସ୍ତାର କରିବାର ଉଦ୍ୟମ ଭାବେ ଦେଖୁଛନ୍ତି, ଯାହା ‘ଖିଲାଫତ’ ବିଚାରଧାରାକୁ ପ୍ରୋତ୍ସାହନ ଦେବା ସହ ଜଡ଼ିତ।
ପାକିସ୍ତାନ ମଧ୍ୟ ତା’ର ଗୁଇନ୍ଦା ସଂସ୍ଥା ଆଇଏସଆଇ ମାଧ୍ୟମରେ ଭାରତ-ନେପାଳ ସୀମାରେ ମସଜିଦ ଓ ମଦରସାଗୁଡ଼ିକର ଦ୍ରୁତ ବିସ୍ତାର ପାଇଁ ଅର୍ଥ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏହି କାର୍ଯ୍ୟ ବିଶେଷକରି ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସୀମାରେ ଥିବା ପ୍ରାନ୍ତଗୁଡ଼ିକରେ କରାଯାଉଛି। ଗୁଇନ୍ଦା ସୂତ୍ର ଅନୁସାରେ, ଭାରତର ସୀମା ନିକଟବର୍ତୀ ନେପାଳୀ ପ୍ରାନ୍ତଗୁଡ଼ିକରେ ମସଜିଦଗୁଡ଼ିକର ସଂଖ୍ୟା ୨୦୧୮ରେ ୭୬୦ରୁ ବଢ଼ି ୨୦୨୧ରେ ୧,୦୦୦ ହୋଇଛି। ଏହି ସମୟରେ ମଦରସାଗୁଡ଼ିକର ସଂଖ୍ୟା ୫୦୮ରୁ ବଢ଼ି ୬୪୫ ହୋଇଛି। ଏହି ସଂସ୍ଥାଗୁଡ଼ିକ କେବଳ ଧାର୍ମିକ ପ୍ରତିଷ୍ଠାନ ନୁହେଁ, ବରଂ ଏଗୁଡ଼ିକ ଉପରେ ଭାରତ ବିରୋଧୀ ଭାବନା ଭଡ଼କାଇବା ଏବଂ ସୀମାବର୍ତୀ ଅଞ୍ଚଳରେ ସକ୍ରିୟ ଅପରାଧୀ ଓ ଚରମପନ୍ଥୀ ଗୁର୍ଗମାନଙ୍କୁ ଆଶ୍ରୟ ଦେବାର ଅଭିଯୋଗ ମଧ୍ୟ ରହିଛି।
ଭାରତ-ନେପାଳ ସୀମାର ଅଧିକାଂଶ ଅଂଶରେ କୌଣସି ବାଡ଼ ନାହିଁ । ଏହି ପରିସ୍ଥିତି ଲୋକମାନଙ୍କର, ଧନର ଏବଂ ଏପରିକି ଅବୈଧ ସାମଗ୍ରୀର ଆଦାନପ୍ରଦାନକୁ ସହଜ କରିଥାଏ। ଏହି ଖୋଲାପଣ ପାକିସ୍ତାନ ପ୍ରାୟୋଜିତ ଗୋଷ୍ଠୀମାନଙ୍କୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଅଭିଯାନ ଚଳାଇବା ପାଇଁ ନେପାଳକୁ ନିଜର ଆଡ୍ଡା ଭାବେ ବ୍ୟବହାର କରିବାରେ ସକ୍ଷମ କରିଛି। ଇଣ୍ଡିଆନ ମୁଜାହିଦ୍ଦୀନ, ଲସ୍କର-ଏ-ତୈୟବା ଓ ଜୈଶ-ଏ-ମୋହମ୍ମଦ ଭଳି ଆତଙ୍କବାଦୀ ସଂଗଠନମାନଙ୍କୁ ନେପାଳୀ ମାଟି ମାଧ୍ୟମରେ ଆର୍ଥିକ ଓ ସାମରିକ ସହାୟତା ପହଞ୍ଚାଇବାର ପ୍ରମାଣ ମିଳିଛି। ପାକିସ୍ତାନ ଓ ବାଂଲାଦେଶର ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ଗେଷ୍ଟହାଉସ ଓ ମଦରସାଗୁଡ଼ିକର ନେଟୱାର୍କ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଜଟିଳ କରିଦେଉଛି। କାରଣ ଏହି କେନ୍ଦ୍ରଗୁଡ଼ିକ ସୀମାପାର ଘୁଷପୈଠ ଓ ଷଡ଼ଯନ୍ତ୍ର ରଚନା ପାଇଁ ଅପରେସନାଲ ହବ ବା ଟ୍ରାନଜିଟ ପଏଣ୍ଟ ଭାବେ ବ୍ୟବହୃତ ହୋଇପାରେ।
ଏହା ବ୍ୟତୀତ, ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଦ୍ରୁତ ଜନସାଂଖ୍ୟିକୀୟ ପରିବର୍ତ୍ତନ ଘଟୁଛି। ଏଠାରେ ମୁସଲମାନମାନଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି, ଏବଂ କେତେକ ଗାଁରେ ଇସଲାମିକ ଚିହ୍ନଗୁଡ଼ିକ ଏବେ ହିନ୍ଦୁ ଚିହ୍ନଗୁଡ଼ିକୁ ପ୍ରାଧାନ୍ୟ ଦେଉଛି। ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଏହାକୁ ସାମାଜିକ ପରିଦୃଶ୍ୟକୁ ନୂଆ ରୂପ ଦେବା ଏବଂ ବିଧ୍ୱଂସକାରୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇପାରୁଥିବା ମୈତ୍ରୀପୂର୍ଣ୍ଣ ସ୍ଥାନୀୟ ନେଟୱାର୍କ ସ୍ଥାପନ କରିବାର ଏକ ଯୋଜନାବଦ୍ଧ ଉଦ୍ୟମ ବୋଲି ବିବେଚନା କରୁଛନ୍ତି। ଜନସାଂଖ୍ୟିକୀୟ ପରିବର୍ତ୍ତନ, ଅନିୟନ୍ତ୍ରିତ ଧାର୍ମିକ ସଂସ୍ଥାଗୁଡ଼ିକର ବିକାଶ ସହ, ନିଯୁକ୍ତି ଓ ଚରମପନ୍ଥ ପାଇଁ ଉର୍ବର ଭୂମି ସୃଷ୍ଟି କରୁଛି।
ପାକିସ୍ତାନ ଓ ତୁର୍କୀର ହସ୍ତକ୍ଷେପ ମୋଟାମୋଟି ଭାବେ ଭାରତ-ନେପାଳ ସୀମାରେ ଏକ ଜ୍ୱଳନଶୀଳ ପରିବେଶ ସୃଷ୍ଟି କରୁଛି। ବୈଦେଶିକ ଅର୍ଥଦ୍ୱାରା ପରିଚାଳିତ ମସଜିଦ ଓ ମଦରସାଗୁଡ଼ିକର ବିସ୍ତାର ମୌଳିକ ସୁବିଧା ଯୋଗାଇଦେଉଛି, ଯାହାର ବ୍ୟବହାର ଆତଙ୍କବାଦୀ ସଂଗଠନମାନେ ନିଯୁକ୍ତି, ବିଚାରଧାରାକୁ ପ୍ରଭାବିତ କରିବା ଏବଂ ଯୋଜନା ପ୍ରସ୍ତୁତି ପାଇଁ କରିପାରନ୍ତି। ସୀମାବର୍ତୀ ସମୁଦାୟମାନଙ୍କର ପରିଚୟ ଓ ନିଷ୍ଠା ଉପରେ ବାହାରୁ ଆସୁଥିବା ଏଜେଣ୍ଟମାନଙ୍କର ବଢୁଥିବା ନିୟନ୍ତ୍ରଣ ସମ୍ବେଦନଶୀଳ ଅଞ୍ଚଳରେ ସାମାଜିକ ସଦ୍ଭାବ ଓ ଜାତୀୟ ଏକୀକରଣ ନିଶ୍ଚିତ କରିବାରେ ଭାରତର ଉଦ୍ୟମକୁ ବିଫଳ କରିପାରେ। ଅନିୟନ୍ତ୍ରିତ ଧାର୍ମିକ ସଂସ୍ଥାଗୁଡ଼ିକର ବିପୁଳ ସଂଖ୍ୟା ହେତୁ ନିରୀକ୍ଷଣ ଓ ପ୍ରୟୋଗ କଠିନ ହୋଇପଡ଼ୁଛି। କାରଣ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ବିଧ୍ୱଂସକାରୀ କାର୍ଯ୍ୟକଳାପ ପାଇଁ ମୋର୍ଚାରୁ ପ୍ରକୃତ ଧାର୍ମିକ କାର୍ଯ୍ୟକଳାପକୁ ପୃଥକ କରିବାକୁ ପଡ଼ିବ।
ଭାରତକୁ ଏବେ କେବଳ ପାକିସ୍ତାନର ଛଦ୍ମ ନେଟୱାର୍କ ସହ ମୁକାବିଲା କରିବାକୁ ନାହିଁ, ବରଂ ତୁର୍କୀର ବୈଚାରିକ ବିସ୍ତାର ସହ ମଧ୍ୟ ମୁକାବିଲା କରିବାକୁ ହେବ। ଏହା ପାଇଁ ଗୁଇନ୍ଦା ସହଯୋଗ ବୃଦ୍ଧି, କଡ଼ା ନିୟାମକ ନିୟନ୍ତ୍ରଣ ଏବଂ ନେପାଳ କର୍ତ୍ତୃପକ୍ଷମାନଙ୍କ ସହ ମଜବୁତ ଜଡ଼ିତତାର ଆବଶ୍ୟକତା ରହିଛି। ପ୍ରତିକାର କାର୍ଯ୍ୟ ଭାବେ ଭାରତୀୟ କର୍ତ୍ତୃପକ୍ଷ ସୀମାରୁ ୧୦-୧୫ କିଲୋମିଟର ପରିସର ମଧ୍ୟରେ ଅବୈଧ ମଦରସା ଓ ମସଜିଦଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅନଧିକୃତ ଇମାରତଗୁଡ଼ିକୁ ଭାଙ୍ଗି ଦିଆଯାଇଛି ଏବଂ ଅଣ-ମାନ୍ୟତାପ୍ରାପ୍ତ ସଂସ୍ଥାଗୁଡ଼ିକୁ ବନ୍ଦ କରାଯାଇଛି। ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ଜମିକୁ ପୁନଃ ପ୍ରାପ୍ତ କରିବା, ଆଇନଗତ ମାନଦଣ୍ଡ ଲାଗୁ କରିବା ଏବଂ ଚରମପନ୍ଥର ସମ୍ଭାବ୍ୟ ଆଡ୍ଡାଗୁଡ଼ିକ ଉପରେ ରୋକ ଲଗାଇବା।
Also Readhttps://purvapaksa.com/ex-cjis-flag-major-gaps-in-one-nation-one-election-bill/
