ମରିଗଲା ମାନବିକତା ହଜିଗଲା ବିବେକ, ପୁଣି ଓଡ଼ିଶାରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ। ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଞ୍ଜମଯୋଡ଼ା ଗାଁରେ ଘଟିଥିବା କିଛି ଏଭଳି ଘଟଣା ମଣିଷ ସମାଜର ମୁଣ୍ଡ ତ ନୁଆଁଇଛି ତାସହ ଓଡ଼ିଶାରେ ଆଇନ ଶୃଙ୍ଖଳାକୁ କାଠଗଡ଼ାକୁ ଟାଣି ଆଣିଛି। ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ଓଡ଼ିଶା। ପ୍ରେମ କରି ବିବାହ କରିବାରୁ ଦମ୍ପନ୍ତିଙ୍କୁ ଯେଉଁ ଦଣ୍ଡ ମିଳିଛି ତାକୁ ଜାଣିଲେ ଆପଣଙ୍କ ହୃଦୟ ବି କମ୍ପି ଉଠିବ। ସ୍ଥାନୀୟ ସାମାଜିକ ପରମ୍ପରା ବିରୁଦ୍ଧରେ ବିବାହ କରିବାରୁ ଏହି ଯୁବ ଦମ୍ପତିଙ୍କୁ ନିର୍ମମ ଏବଂ ଅପମାନଜନକ ଦଣ୍ଡ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରେମ କଲେ ବୋଲି ଗାଁ ଦାଣ୍ଡରେ ବଳଦ ଭଳି ହଳ କଲେ ଉଭୟ । କାନ୍ଧରେ ଲଙ୍ଗଳ ପକାଇ ଦୁଇ ପଟେ ପ୍ରେମୀ ଯୁଗଳଙ୍କୁ ବାନ୍ଧି ହଳ କରାଇଲେ ଗାଁ ଲୋକେ। ବଳଦକୁ ଯେମିତି ଜୁଆଳିରେ ଯୋଚା ଯାଏ ସେମିତି ଯୋଚିଥିଲେ ଯୁବକ ଓ ଯୁବତୀଙ୍କୁ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସବୁଠି ହେଉଛି ନିନ୍ଦା, ରାଜ୍ୟ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ଉଠିଛି ଆଙ୍ଗୁଳି।
ସୂଚନା ଅନୁଯାୟୀ, ଯୁବକ ଏବଂ ମହିଳା ପରସ୍ପରକୁ ଭଲ ପାଉଥିଲେ ଏବଂ ନିକଟରେ ବିବାହ କରିଥିଲେ। ଯୁବକ ଜଣକ ମହିଳାଙ୍କ ସମ୍ପର୍କୀୟ ବୋଲି କୁହାଯାଉଥିବାରୁ ଗାଁ ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିନଥିଲେ। ସ୍ଥାନୀୟ ପ୍ରଥା ଅନୁଯାୟୀ ସେମାନଙ୍କ ମିଳନକୁ ନିଷିଦ୍ଧ ବୋଲି ବିବେଚନା କରାଯାଉଥିଲା। ତେବେ ଦୁହେଁ ଗୋଟିଏ ପରିବାରର ହୋଇଥିବାରୁ ପୂର୍ବରୁ ମଧ୍ୟ ଦଣ୍ଡିତ ହୋଇଥିଲେ ଏବଂ ଗାଁ ଛାଡିବାକୁ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇ ଥିଲା। କିନ୍ତୁ, ସେହି ଅଞ୍ଚଳରେ ଉଭୟଙ୍କୁ ଏକାଠି ଦେଖାଯିବା ପରେ ଗାଁ ଲୋକମାନେ ଦମ୍ପତିଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ, ଗାଁ ଲୋକମାନେ ଏକ ସମ୍ପ୍ରଦାୟ ବୈଠକ ଡାକି ଉଭୟଙ୍କୁ ସେମାନଙ୍କ ଆଦିବାସୀ ପ୍ରଥା ଅନୁଯାୟୀ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ।
ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଘଟଣାର ଏକ ଭିଡିଓରେ ଦେଖାଯାଉଛି ଯେ, ଏମାନଙ୍କୁ ଏମିତି ‘ବଳଦ’ ଦଣ୍ଡ ଦେବା ପରେ ଗ୍ରାମ ଦେବତୀଙ୍କ ଆଗରେ ପୂଜା କରାଇ ଶୁଦ୍ଧି କରାଯାଇଛି। ରିପୋର୍ଟ ଅନୁଯାୟୀ, ଗାଁ ଲୋକେ ଏହିଭଳି ବଳଦ ଭଳି ହଳ କରିବାକୁ ଉଭୟଙ୍କୁ ବାଧ୍ୟ କରିଥିଲେ, ଏହା ଏକ ପାରମ୍ପରିକ ଦଣ୍ଡର ଅଂଶ ବୋଲି ଦାବି କରିଥିଲେ । ଅଞ୍ଚଳରେ ପ୍ରଚଳିତ ଆଦିବାସୀ ପରମ୍ପରା ଅନୁଯାୟୀ, ସମାନ ଗୋତ୍ରର ବ୍ୟକ୍ତିମାନଙ୍କୁ ରକ୍ତ ସମ୍ପର୍କୀୟ ଭାବରେ ବିବେଚନା କରାଯାଏ, ତେଣୁ ସେମାନଙ୍କ ମଧ୍ୟରେ ବିବାହ କିମ୍ବା ପ୍ରେମ ସମ୍ପର୍କ କଡ଼ାକଡ଼ି ନିଷେଧ। ସୂତ୍ର ଅନୁସାରେ ଏହି ରୀତିଗତ ଦଣ୍ଡ ପରେ, ଦମ୍ପତିଙ୍କୁ ଗାଁରୁ ବାହାର କରିଦିଆଯାଇଥିଲା। ସେବେଠାରୁ, ସେମାନେ କେଉଁଠାରେ ଅଛନ୍ତି ଜଣା ନାହିଁ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳି ନଥିବା ବେଳେ ଭିଡିଓ ଦେଖି ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇଛନ୍ତି ଲୋକେ।
