ଚଳିତ ବର୍ଷ ଶେଷଆଡ଼କୁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରହିବେ ନା ନାହିଁ? ବୟସର ଇଙ୍ଗିତକୁ ମୋଦୀ ଗ୍ରହଣ କରିବେ ନା ନାହିଁ? ବାରମ୍ବାର ବୟସ କଥା ମନେପକାଇ ମାହନ ଭାଗବତ ମୋଦୀଙ୍କ ରାସ୍ତାରେ କଣ୍ଟା ସାଜିବେ କି? ନା ମୋଦୀ ହେବେ ସବୁଠାରୁ ଭିନ୍ନ, ଅନନ୍ୟ? ଏମିତି ଅନେକ ପ୍ରଶ୍ନ ଏବେ ଭାରତୀୟ ରାଜନୀତିରେ ଚର୍ଚ୍ଚା ହେଉଛି। ଆଉ ଏ ଚର୍ଚ୍ଚାକୁ ଖୋରାକି ଦେଉଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖିଆ ମୋହନ ଭାଗବତ।
ବିଜେପିର ଅଭିଭାବକ କହିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ବୁଝାଏ। ଦେଶରେ ନୈତିକତା, ସଂଗଠନ ଏବଂ ରାଷ୍ଟ୍ରବାଦକୁ ପ୍ରଚାର ପ୍ରସାର କରୁଥିବା ଏହି ସଂଘ ବିଜେପିର ମାର୍ଗଦର୍ଶକ। ଅପରପକ୍ଷେ ଏକଦା ସଂଘର ସକ୍ରିୟ ପ୍ରଚାରକ ଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀ ହେଉଛନ୍ତି ଏବେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ।
ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ଓ ଶୀର୍ଷତ୍ୱ ହାସଲ କରିଥିବାବେଳେ ଲୋକଙ୍କ ଲଗାତାର ଆସ୍ଥା ଜିତି ଚାଲିଛନ୍ତି। ଲଗାତାର ୩ଥର ପ୍ରଧାନମନ୍ତ୍ରୀ ହୋଇ ସେ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ହେଲେ ଏବେ ତାଙ୍କ ରାସ୍ତାରେ ଆସିଛି ବୟସ କଣ୍ଟା। ଆଉ କିଛିମାସ ପରେ ତାଙ୍କୁ ୭୫ ହେବାକୁ ଯାଉଛି।
୩୦ ସେପ୍ଟେମ୍ବର, ୧୯୫୦ ମସିହାରେ ଜନ୍ମିତ ନରେନ୍ଦ୍ର ମୋଦୀଙ୍କୁ ଏହି ବୟସ ଛୁଇଁବ। ଆଉ ପ୍ରଥା ଓ ପରମ୍ପରାକୁ ଆଧାର କରି ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ କି? ଏ ନେଇ ଚାଲିଥିବା ଆଲୋଚନାରେ ନିଆଁ ଚେଙ୍ଗିଛନ୍ତି ସ୍ୱୟଂ ସଂଘର ମୁଖ୍ୟ ମୋହନ ଭାଗବତ।
ନାଗପୁରଠାରେ ପୂର୍ବତନ ସଂଘ ଆଦର୍ଶବାଦୀ ମୋରପନ୍ତ ପିଙ୍ଗଳେଙ୍କ ଜୀବନୀ ଆଧାରିତ ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୋହନ ଭାଗବତ ଯେଉଁ ବୟାନ ରଖିଛନ୍ତି ତାହା ଏ ଚର୍ଚ୍ଚାକୁ ଖୋରାକି ଯୋଗାଇଛି। ମୋହନ କହିଛନ୍ତି, ଯେତେବଳେ ଆପଣ ୭୫ ବର୍ଷରେ ପହଞ୍ଚୁଛନ୍ତି, ଜାଣନ୍ତୁ ଆପଣଙ୍କୁ ଅଟକିବାକୁ ହେବ। ଅନ୍ୟମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ।
ଖାଲି ସେତିକି ନୁହେଁ ଏହା ଶ୍ରୀ ପିଙ୍ଗଳେ ମଧ୍ୟ କହିଥିବା ସେ ମନେ ପକାଇଛନ୍ତି। ମୋରପନ୍ତଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଶ୍ରୀ ଭାଗବତ କହିଛନ୍ତି ‘ଯଦି ଆପଣଙ୍କୁ ୭୫ ପରେ ଉପଢୌକନ ମିଳୁଛି, ଆପଣ ଜାଣନ୍ତୁ ଆପଣଙ୍କୁ ଅଟକିବାକୁ ହେବ। ଆପଣ ବୃଦ୍ଧ ହେଲେଣି। ଅନ୍ୟମାନଙ୍କୁ ଆପଣ ବାଟ ଦେଖାଇବାକୁ ପଡ଼ିବ।
ବୟସର ଇଙ୍ଗିତରେ ଆପଣ ଏକ ଔଜଲ୍ୟମାନ ସମ୍ମାନସ୍ପଦ ବିଦାୟ ନେବାର ଆବଶ୍ୟକତା ଉପରେ ଶ୍ରୀଭାଗବତ ଗୁରୁତ୍ୱ ଦେଇଥିଲେ। ଭାଗବତଙ୍କ ଏହି ଇଙ୍ଗିତକୁ ଏବେ ରାଜନୀତିକ ସମୀକ୍ଷକମାନେ ମୋଦୀଙ୍କ ଆଡ଼କୁ ମୋଡ଼ୁଛନ୍ତି। ଶ୍ରୀ ମୋଦୀ ଆସନ୍ତା ସେପ୍ଟେମ୍ବର ୩୦ରେ ୭୫ରେ ପହଞ୍ଚିବେ। ସେ ଏହି ସମୟରେ କ’ଣ ପ୍ରଧାନମନ୍ତ୍ରୀ ପଦବୀରୁ ଓହରିବେ? ସେ କ’ଣ ରାଜନୀତିରୁ ସନ୍ନ୍ୟାସ ନେବେ?
ଏ ବିଷୟରେ ଆଗରୁ ବି ଚର୍ଚ୍ଚା ହୋଇଛି। ଏହା ଉପରେ ମତାମତ ରଖି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ବିଜେପି ସମ୍ବିଧାନରେ ଏପରି କିଛି ଉଲ୍ଲେଖ ନାହିଁ। କିନ୍ତୁ ପୂର୍ବ ଉଦାହରଣକୁ ଦେଖିଲେ ବରିଷ୍ଠ ନେତା ଲାଲକୃଷ୍ଠ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଯଶଓ୍ୱନ୍ତ ସିଂହ ପ୍ରମୁଖ ନେତାଙ୍କୁ ୭୫ ବର୍ଷରୁ ଅଧିକ କାରଣରୁ ମାର୍ଗଦର୍ଶକଭାବେ ବିଜେପି ନିଯୁକ୍ତ କରିଥିଲା।
ଏହା ସେତେବେଳେ ରାଜନୀତିକ ଆବଶ୍ୟକତା ହୋଇଥାଇପାରେ। କିନ୍ତୁ ଏବେ ମୋଦୀ ଏବେବି ଲୋକପ୍ରିୟ ରହିଛନ୍ତି। ୨୦୨୪ ନିର୍ବାଚନରେ ତାଙ୍କରି ନାମରେ ବିଜେପି କ୍ଷମତାକୁ ଆସିଛି। ବିଦେଶରେ ଭାରତର ଶକ୍ତି ବଢ଼ିଛି। ପୁଣି ଏବେ ବି ମୋଦୀ ଏକଦମ୍ ଫିଟ୍ ଆଣ୍ଡ ଫାଇନ ରହିଛନ୍ତି।
ଏଣୁ ଏପରି ମୁହୂର୍ତ୍ତରେ ସେ କ’ଣ ପ୍ରଧାନମନ୍ତ୍ରୀ ପଦବୀରୁ ଓହରିବାକୁ ପସନ୍ଦ କରିବେ? ଏହା ତ ସମୟ କହିବ କିନ୍ତୁ ଚର୍ଚ୍ଚା ସମୟକୁ ଅପେକ୍ଷା ନ କରିପାରେ। ଆଉ ଏ ଚର୍ଚ୍ଚା ମୋଦୀଙ୍କ ପ୍ରତିଚ୍ଛବି ସହ ବିଜେପିର ସାଂଗଠନିକ ମଜଭୁତିକୁ ମଧ୍ୟତ ପ୍ରଭାବିତ କରିପାରେ।
ଏବେଠାରୁ ଏହି ସୁଯୋଗକୁ ଅପେକ୍ଷା କରିଲେଣି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ। କାରଣ ବିଗତ ୧୧ ବର୍ଷ ଭିତରେ ନରେନ୍ଦ୍ର ମୋଦୀ ଯେ କେବଳ ଦେଶକୁ ସମ୍ମାନ ବା ଦେଶରେ ବିଜେପିକୁ କ୍ଷମତାରେ ରଖିବାରେ ସଫଳ ହୋଇଛନ୍ତି ତା’ ନୁହେଁ, ବରଂ ଅନେକ ଶତ୍ରୁ ବି ନିଜ ଦଳ ଓ ଦଳ ବାହାରେ ସେ ଅର୍ଜନ କରିଛନ୍ତି। ଏହିକ୍ରମରେ ସେମାନେ ଏହି ବୟସ ଜାଲକୁ ନିଜ ଦ୍ୱାରା ବିଛାଯାଇଥିବା ବୟାନ କରୁଛନ୍ତି। ଏବେ ସେ ଜାଲରେ ସେ କେମିତି ଧରାପଡ଼ିବେ ସେଥିଲାଗି କିଛି ରାଜନୀତିକ ଦଳ ଲାଗିପଡ଼ିଲେଣି।
ଶିବସେନା, କଂଗ୍ରେସ ପ୍ରଭୃତି ଏଥିରେ ଧୂରନ୍ଧର ରହିଛନ୍ତି। ଶିବସେନା ନେତା ସଞ୍ଜୟ ରାଓ୍ୱତ ଏ ବିଷୟରେ ଇଙ୍ଗିତ କରି କହିଛନ୍ତି ନିୟମକୁ ସେ ନିଜେ ତିଆରି କରିଛନ୍ତି। ଯେଉଁ ନିୟମରେ ଆଡଭାନୀ, ଯୋଶୀ ଏବଂ ଯଶଓ୍ୱନ୍ତଙ୍କ ପରି ନେତା ଅବସର ନେଇଥିଲେ। ଏବେ ଦେଖିବାର କଥା ମୋଦୀ ଏହାକୁ ଗ୍ରହଣ କରୁଛନ୍ତି ନା ନାହିଁ। ଏପରିକି ଚଳିତ ବର୍ଷ ଆରମ୍ଭରୁ ନାଗପୁରରେ ସଂଘ ମୁଖ୍ୟାଳୟକୁ ମୋଦୀ ଯିବା ଏବଂ ଏ ବିଷୟରେ ଆଲୋଚନା କରିଥିବା ବି ରାଓ୍ୱତ ଗଣମାଧ୍ୟମରେ କହିଛନ୍ତି।
ନିଜେ ନିୟମ କରି ତାହାକୁ ଗ୍ରହଣ ନ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଶେକ ମନୁ ସିଙ୍ଗଭୀ। ଏଣୁ ଏ ବିଷୟ ଏବେ ଚର୍ଚ୍ଚାରେ ରହିବ ତାହା ସ୍ୱାଭାବିକ। ପୁଣି କିଛିଦିନ ତଳେ ଗୃହମନ୍ତ୍ରୀ ନିଜ ଅବସର କାଳରେ ଉପନିଷଦ ଚର୍ଚ୍ଚା ଓ ଜୈବିକ କୃଷିରେ ଧ୍ୟାନ ନିବେଶ କରିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଯଦିଓ ଶାହଙ୍କୁ ମାତ୍ର ୬୦ ବର୍ଷ କିନ୍ତୁ ତାଙ୍କର ଏପରି ବୟାନ ଆଗକୁ କିଛି ବଡ଼ ପରିବର୍ତ୍ତନକୁ ବି ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି।
ଏବେ ଅପେକ୍ଷା ଆଗକୁ ବିଜେପି ଓ ଦେଶର ରାଜନୀତି କି ମୋଡ଼ ନେଉଛି। ବିନା ମୋଦୀରେ ଦେଶର ନେତୃତ୍ୱ ନେବାକୁ କିପରି ପ୍ରସ୍ତୁତ ହେଉଛି।
Also readhttps://purvapaksa.com/tension-for-the-cabinet-expansion/
