ଏବେ ରାଜ୍ୟରେ ବିଶେଷକରି ସହରାଞ୍ଚଳରେ ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି। ସାଧାରଣତଃ ବର୍ଷାରେ ବାଡ଼ି ପନିପରିବା ସହିତ ଚାଷକ୍ଷେତରୁ ବିଭିନ୍ନ ପରିବା ଉତ୍ପାଦନ ଅଧିକ ହେଉଥବାରୁ ଖାଉଟି ଉଚିତ ମୂଲ୍ୟରେ ପରିବା ପାଇବା କଥା। କିନ୍ତୁ ଚଳିତବର୍ଷ ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷକରି ଗତ ଦୁଇସପ୍ତାହ ଧରି ପରିବା ଦର ଆକାଶ ଛୁଆଁ ହୋଇଛି।
ଏହାର ତତ୍କାଳ ପ୍ରଭାବ ଋତୁକାଳୀନ ଫଳ ଆମ୍ବ ଉପରେ ପଡ଼ିଛି। କିଲୋ ପିଛା ୨୦ରୁ ୩୦ ଟଙ୍କାରେ ମିଳୁଥିବା ବିଭିନ୍ନ କିସମର ଆମ୍ବର ଦର ଏବେ ପ୍ରାୟ ଚାରିଗୁଣ ବଢ଼ିଯାଇଛି। ବିକ୍ରେତାଙ୍କ କହିବା କଥା ଲଘୁଚାପ ବର୍ଷା ଯୋଗୁଁ ବାହାର ରାଜ୍ୟରୁ ପରିବା ଯୋଗାଣ ବ୍ୟାହତ ହୋଇଛି। ତେଣୁ ବଜାରରେ ଦାମ ମହାଙ୍ଗା ରହିଛି। କିନ୍ତୁ ବର୍ଷାଜନିତ ଗମନାଗମନ ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଏ ପର୍ଯ୍ୟନ୍ତ ଓଡ଼ିଶାରେ ସୃଷ୍ଟି ହୋଇନାହିଁ। ତଥାପି ପରିବା ଦର ବଢ଼ିବା ପଛରେ କିଛି କିନ୍ନ କାରଣ ରହିଛି।
କେତେକ ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପରିବା ଦର ବୃଦ୍ଧିରେ ଲଗାଣ ବର୍ଷାର ଭୂମିକା ଯେତିକି ନାହିଁ, ତା’ଠାରୁ ଅଧିକ ରହିଛି ରଥଯାତ୍ରାରେ ବିଭିନ୍ନ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଦାତବ୍ୟ ଭୋଜନ ଓ ଅନ୍ନଛତ୍ର ବ୍ୟବସ୍ଥା। ସମ୍ପ୍ରତି ଉତ୍ସବଗୁଡ଼ିକରେ ଦାତବ୍ୟ ଭୋଜନ ବା ମାଗଣା ଅନ୍ନଛତ୍ର ଏକ ଧାରା ପାଲଟି ଯାଇଛି। ଧନୀ ବ୍ୟକ୍ତିମାନେ ପୁଣ୍ୟ ଅର୍ଜନ ଲକ୍ଷ୍ୟରେ ଏଭଳି ପନ୍ଥା ଆପଣେଇଥିବାବେଳେ ଦେଖାଦେଖି ଏଭଳି ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସଂଖ୍ୟା ବଢ଼ିଚାଲିଛି।
ଚଳିତ ବର୍ଷ ରଥଯାତ୍ରାରେ ଦେଶର ବହୁ ବିଶିଷ୍ଟ ଶିଳ୍ପପତିଙ୍କ ଟ୍ରଷ୍ଟମାନେ ବିଗତ ପ୍ରାୟ ୧୦ ଦିନ ଧରି ପୁରୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କୁ ମାଗଣା ଭୋଜନ ଦେଇଆସୁଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ଦୈନିକ ପ୍ରାୟ ୧୦ ଲକ୍ଷ ଲୋକଙ୍କ ପାଇଁ ଏହି ଭୋଜନ ବ୍ୟବସ୍ଥା ହେଇଥିବାବେଳେ ଆଖପାଖ ଅଞ୍ଚଳ ଓ ଅନ୍ୟାନ୍ୟ ସହର ଅଞ୍ଚଳଗୁଡ଼ିକରେ ମଧ୍ୟ ଏଭଳି ଦାତବ୍ୟ ଅନ୍ନଛତ୍ର ଖୋଲିଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାମାନେ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ଅଧୀନରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଆଉ କେତେକ ନିଜର ଧାର୍ମିକ ପରିଚୟ ଦେବା ଆଳରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜ୍ଞାପିତ କରୁଥିବା ଦେଖାଯାଉଛି।
ଦୈନିକ ଏଭଳି ମାଗଣା ଭୋଜନ ଆୟୋଜନର ପ୍ରତ୍ୟକ୍ଷ ପ୍ରଭାବ ପରିବା ବଜାର ଉପରେ ପଡ଼ିଛି। ଅର୍ଥନୀତି ପାଠ ଅନୁଯାୟୀ ଯୋଗାଣ ସୀମିତ ରହି ଚାହିଦା ବଢ଼ିଲେ ସ୍ୱାଭାବିକଭାବେ ନିତିଦିନିଆ ପରିବା ଦାମ ବଢ଼େ। ଭିନ୍ନ ଏକ ଦୃଷ୍ଟିକୋଣରୁ ଆଲୋଚନା କଲେ ଏଭଳି ଋତୁକାଳୀନ ବା ଆକସ୍ମିକ ଅଭାବ ଭଳି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆମ ରାଜ୍ୟ ଏ ପର୍ଯ୍ୟନ୍ତ ସ୍ଵାବଲମ୍ବୀ ହୋଇପାରିନାହିଁ। ଏବେ ମଧ୍ୟ ଓଡ଼ିଶାବାସୀଙ୍କ ପନିପରିବା ଚାହିଦାର ୮୦ ଭାଗ ବାହାର ରାଜ୍ୟରୁ ଆମଦାନୀ ହେଉଛି।
ସେହିସବୁ ରାଜ୍ୟରେ ବର୍ଷା, ମରୁଡ଼ି ଆଦି ପ୍ରାକୃତିକ ଦୁର୍ବିପାକ କିମ୍ବା ଅନ୍ୟ କୌଣସି କାରଣରୁ ଉତ୍ପାଦନ ଓ ପରିବହନରେ ବାଧା ଉପୁଜିଲେ ତାହାର ତତ୍କାଳ ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ୁଛି। ଆଳୁ, ପିଆଜ, ଟମାଟୋ ଉପରେ ପୂର୍ବରୁ ଆମେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଥିବାବେଳେ ଏବେ ଲଙ୍କା, ଲେମ୍ବୁ, ପୋଟଳ, ବିନ୍, ଝୁଡ଼ଙ୍ଗ, ବାଇଗଣ, କୋବି ପାଇଁ ମଧ୍ୟ ବାହାର ରାଜ୍ୟର ହାତକୁ ଚାହିଁ ବସିବାକୁ ପଡ଼ୁଛି।
ଆମେ ଯେଉଁସବୁ ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରୁଥାଇଁ ସେହିସବୁ ରାଜ୍ୟ କେବଳ କୃଷିପ୍ରଧାନ ନୁହନ୍ତି। କିନ୍ତୁ ଶିକ୍ଷା ସହିତ କୃଷିକୁ ସମନ୍ୱିତ ଭାବେ ପରିଚାଳନା କରିପାରୁଥିବାରୁ ଏବଂ ଉତ୍ପାଦନ ଓ ବଜାର ଦର ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରିପାରୁଥିବାରୁ ସେହି ରାଜ୍ୟମାନେ କୃଷିଜାତ ଦ୍ରବ୍ୟରେ ବଳକା ରାଜ୍ୟଭାବେ ପରିଗଣିତ ହେଉଛନ୍ତି।
ଏକଦା ଆମ ରାଜ୍ୟ ମଧ୍ୟ ଦେଶରେ ଦ୍ୱିତୀୟ ବୃହତ୍ ପନିପରିବା ଉତ୍ପାଦନକାରୀ ରାଜ୍ୟ ଭାବେ ପରିଗଣିତ ହେଇଥିଲା। କିନ୍ତୁ କୃଷି ପ୍ରତି ନିରନ୍ତର ଅବହେଳା, ସରକାରୀ ପ୍ରୋତ୍ସାହନ ଓ କୃଷି ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜି ଆମେ ପର ହାତକୁ ଚାହିଁ ବସିବାକୁ ପଡ଼ୁଛି।
ଓଡ଼ିଶାରେ ପନିପରିବା ଉତ୍ପାଦନ କମିବା ପଛର ଆଉ ଏକ କାରଣ ହେଲା ଚାଷ ପ୍ରତି ବଢ଼ିଚାଲିଥିବା ବୀତସ୍ପୃହ ମନୋଭାବ। ବିଲମୁଣ୍ଡର ଦର ଓ ବଜାର ଦର ମଧ୍ୟରେ ଆକାଶପାତାଳ ତାରତମ୍ୟ ଚାଷୀକୁ ପରିବା ଚାଷ ପ୍ରତି ବିମୁଖ କରୁଛି।
ଉଦାହରଣସ୍ଵରୂପ ଭେଣ୍ଡିଚାଷ କରୁଥିବା କୃଷକଟିଏ ଯେତେବେଳେ ପୋଟଳ କିମ୍ବା ଜହ୍ନି କିଣିବା ପାଇଁ ବଜାରକୁ ଯାଇଛି ସେତେବେଳେ ସେ ବିଲ ମୁଣ୍ଡରେ କେଜି ପିଛା ୫ଟଙ୍କାରେ ବିକ୍ରି କରିଥିବା ତା’ର ଉତ୍ପାଦକୁ ବଜାରରେ ୬୦ ଟଙ୍କାରେ ବିକ୍ରି ହେଇଥବା ଦେଖୁଛି।
ଖାଉଟି ବଜାର ଓ ବିଲ ହୁଡ଼ା ମଧ୍ୟରେ ରହିଥିବା ଦାମର ଏହି ତାରତମ୍ୟର ସର୍ବାଧିକ ହିତାଧିକାରୀ ହେଉଛନ୍ତି ଦଲାଲ୍। ଏ ବିଷୟରେ ସରକାର ଜାଣି ମଧ୍ୟ ଉଦାସୀନତା ରହିବାର ପ୍ରଭାବ ଚାଷୀକୁ ପରିବା ଚାଷ ପ୍ରତି ବିମୁଖ କରୁଛି ଏବଂ ବଜାରରେ ପନିପରିବା ଦରଦାମରେ ଏହା ପ୍ରତିଫଳିତ ହେଉଛି।
ଓଡ଼ିଶାରେ ପରିବା ଚାଷୀର ସବୁଠାରୁ ବଡ଼ ଆହ୍ୱାନ ହେଉଛି ଉପଯୁକ୍ତ ସଂରକ୍ଷଣ। ପ୍ରତିବର୍ଷ ବଜେଟରେ ବ୍ୟୟବରାଦ ହେଇଥିଲେ ମଧ ତୃଣମୂଳସ୍ତରରେ ଶୀତଳଭଣ୍ଡାର ନିର୍ମାଣ ଆବଶ୍ୟକ ମୁତାବକ ହୋଇପାରୁନାହିଁ। ତେଣୁ ବାଧ୍ୟ ହୋଇ ଚାଷୀ କମ୍ ମୂଲ୍ୟରେ ଉତ୍ପାଦ ବିକି ପ୍ରକୃତ କ୍ଷତି ସହୁଛି କିମ୍ବା ବିଲରେ ଗୋରୁଙ୍କ ପାଇଁ ଛାଡ଼ି ଦେଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ପନିପରିବା ଉତ୍ପାଦନରେ ସ୍ୱାବଲମ୍ବୀ ହେବ କେମିତି? ଆମ ରାଜ୍ୟର ବିଡ଼ମ୍ବନା ହେଲା ଶିଳ୍ପାୟନ ନାଁରେ ଯେଉଁ ସବୁ ଜମିର କିସମ ପରିବର୍ତ୍ତନ ହେଉଛି ସେଠାରେ ଶିଳ୍ପ ତ ଆଶାନୁରୂପ ପ୍ରତିଷ୍ଠା ହୋଇପାରୁନାହିଁ, ଅଧିକରୁ ଅଧିକ ଚାଷ ଜମି ସଂକୁଚିତ ହୋଇଚାଲିଛି।
ଏ ଦିଗରେ ନୀତି ନିର୍ଦ୍ଧାରକମାନେ ଯତ୍ନଶୀଳ ହେବା ଆବଶ୍ୟକ। ଏହାବାଦ୍ ବର୍ତ୍ତମାନର କୃଷି ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ବଦଳରେ ବାତାନୁକୂଳିତ କୋଠରୀରେ ବସି ନିଷ୍ପତ୍ତି ନେଇଥିବାରୁ ଚାଷ ଓ ଚାଷୀର ବାସ୍ତବ ସମସ୍ୟା ସମାଧାନ ହୋଇପାରୁନାହିଁ। ଏ ଦିଗରେ ମଧ୍ୟ ସରକାର ଦୃଷ୍ଟି ଦେବା ବିଧେୟ।
Also Readhttps://purvapaksa.com/rss-shares-visuals-of-mallikarjun-kharge-at-2002-sangh-event/
