ସିଂହଦ୍ବାର ସମ୍ମୁଖରେ ରଥାରୁଢ ଶ୍ରୀଜିଉମାନଙ୍କଠାରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନଙ୍କ ମୁକ୍ତି ପାଇଁ ଏହି ପଣା ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇ ରଥ ଉପରେ ବିଶାଳକାୟ ଅଧରପଣା ହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଇଥାଏ । ସେହି ପଣାକୁ ମହିମଣ୍ଡଳରେ ଥିବା ସମସ୍ତ ଚଣ୍ଡିଚାମୁଣ୍ଡା ତଥା ଅଶରୀର ଗଣ ପାନ କରି ମୋକ୍ଷ ପ୍ରାପ୍ତ କରିଥା’ନ୍ତି ବୋଲି କୁହାଯାଏ । ଏଥି ପାଇଁ ରଥରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି।
ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା ବୋଲି କୁହାଯାଏ । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି। ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଗୋଲ ମରିଚ, କର୍ପୂର, ଜାଇଫଳ ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ ପ୍ରପାନକ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଛାଉଣୀ ମଠ କୂଅରୁ ପାଣି ଆଣି ମହାପ୍ରଭୁଙ୍କ ଶ୍ରୀମୁଖ ପାଖରେ ହିଁ ପଣା ପ୍ରସ୍ତୁତ ହୋଇ ଲାଗି ହୋଇଥାଏ। ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥା’ନ୍ତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କ ଶ୍ରୀଅଧର ଉଚ୍ଚଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ତି ରଖାଯାଏ। କିନ୍ତୁ ପ୍ରତ୍ୟେକ ହାଣ୍ତି ସମାନ ମାପର ହୋଇ ନ ଥାଏ।
ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଛ ଓ ସୁଭାଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ତେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ତି ଉପରେ ଖଣ୍ତେ ଲେଖାଏଁ ଧଳା କରିଆ (ଜାଲିକନା) ପକାଯାଏ। ମହାସୁଆରମାନେ ପ୍ରତିରଥରେ ଅଧର ହାଣ୍ତିରେ ପଣା ପ୍ରସ୍ତୁତ କରିଥା’ନ୍ତି। ଏହାପରେ ପତ୍ରିବଡ଼ୁ, ସୁଆର ବଡ଼ୁ ଓ ଗରବାଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ପାଠ କରନ୍ତି, ତତ୍ ପରେ ପାଳିଆ ପୂଜାପଣ୍ତା ପଞ୍ଚୋପଚାରେ ପୂଜା କରିଥା’ନ୍ତି।
