ପୂର୍ବତନ ଆଇଏଏସ୍ ଅଧିକାରୀ, ଏବେକାର ସାଂସଦ ତଥା ବିହାରୁ ଆସିଥିବା ଓଡ଼ିଆ ବୋହୂ ଅପରାଜିତା ଷଡ଼ଙ୍ଗୀଙ୍କର ମହତ୍ତ୍ୱାକାଂକ୍ଷାକୁ ନେଇ ବର୍ତ୍ତମାନ ରାଜ୍ୟ ବିଜେପି ରାଜନୀତି ସରଗରମ। କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ଶାସନ ଓ ଦଳ ଭିତରେ ସମନ୍ୱୟ ରକ୍ଷା ଲାଗି ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବାବେଳେ, ଏହି ନେତ୍ରୀଙ୍କର ମହତ୍ତ୍ୱାକାଂକ୍ଷା ଦଳରେ ନୂଆ ବିପର୍ଯ୍ୟୟ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏପରିକି ନିଜର ନିର୍ମଳ ଭାବମୂର୍ତ୍ତିକୁ ଦେଖାଇବାକୁ ଯାଇ ବିହାରୀ ବୋହୂ ଓଡ଼ିଶା ସଂଗଠନକୁ ବିଭ୍ରାନ୍ତ କରୁଛନ୍ତି ବୋଲି କୁହାଯାଉଛି। ଏପରିକି ଏବେ ଦଳ ଭିତରେ ତାଙ୍କ ଆଭିମୁଖ୍ୟ ବିରୋଧରେ ବରିଷ୍ଠ ନେତାମାନେ ଏକଜୁଟ୍ ହୋଇ ପରୋକ୍ଷରେ ଉଚ୍ଚ ନେତୃତ୍ୱଙ୍କ ଉପରେ ଚାପ ପକାଇବାକୁ ଚାହିଁଛନ୍ତି।
ବର୍ଷେ ହେଲା ରାଜ୍ୟରେ ବିଜେପି ସରକାର ଗଢ଼ିଛି। କେନ୍ଦ୍ରୀୟ ନେତୃତ୍ୱ ଏଠାରେ ଶାସନକୁ ଲୋକଙ୍କ ସରକାରରେ ପରିଣତ କରିବା ଲାଗି ନେଉଥିବା ପଦକ୍ଷେପଗୁଡ଼ିକ ଭିତରେ ସର୍ବାଗ୍ରେ ରହିଛି ପୂର୍ବତନ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା। ଏହାଦ୍ୱାରା ଶାସନ ଲୋକଙ୍କ ପାଖକୁ କେତେ ଆସିଛି ବା ନ ଆସିଛି ତାହା କହିବା ଲାଗି ଉଚିତ ସମୟ ଆସି ନାହିଁ। କିନ୍ତୁ ଦଳରେ ଯେ ଗୋଷ୍ଠୀବିବାଦ ଉତ୍କଟ ହୋଇଛି ତାହା ସ୍ପଷ୍ଟ ହେଉଛି।
ପୁଣି ଏ ସଙ୍କଟକୁ ଦୂର କରିବା ଲାଗି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ନେତୃତ୍ୱ ବା ଦଳର ନେତୃତ୍ୱରେ ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି ବରଂ ଦଳରେ ଭେଦଭାବ ଦୂର କରିବାକୁ ପ୍ରଚେଷ୍ଟା କରୁଛନ୍ତି। ହେଲେ କିଛି ନେତା ନେତା ଏ ସମୟକୁ ନିଜର ପତିଆରା ବିସ୍ତାର ସମୟଭାବେ ଗ୍ରହଣ କରିଛନ୍ତି। ଗୋଳିଆ ପରିସ୍ଥିତିରୁ ନିଜର ଫାଇଦା ପାଇଁ ବିଭିନ୍ନ ପଦକ୍ଷେପ ଆପଣାଇଛନ୍ତି। ଆଉ ଏହି ଭଳି ନେତାଙ୍କ ଭିତରେ ରହିଛନ୍ତି ବିହାରୀ ବୋହୂ।
ଗଲା ଏକ ୬ବର୍ଷ ହେଲା ବିହାରୀ ବୋହୂଙ୍କ ଓଡ଼ିଶା ରାଜନୀତିରେ ଆବିର୍ଭାବ ହୋଇଛି। ପ୍ରଥମ ଦିନରୁ ହିଁ ରାଜନୀତିରେ ତାଙ୍କ ସମୟ ଭଲ ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରାଜନୀତିରେ ପାଦ ଦେବାଠାରୁ ସେ ପାଇଛନ୍ତି ସାଂସଦ ଆସନ। କିନ୍ତୁ ତାଙ୍କର ଏହି ଆସନ ପାଇବା ଦ୍ୱାରା ଦଳର ଦୀର୍ଘଦିନ ଧରି ସେବା କରିଥିବା ନେତା ଆଘାତ ହୋଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ଯେଉଁ ନିର୍ବାଚନର ଦାୟିତ୍ୱ ଖୋଲା ହାତରେ ଛଡ଼ା ଯାଇଥିଲା ସେଥିରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତଥାପି ଦୋଷ ସ୍ୱୀକାର କରିବା ବଦଳରେ କିଛି କର୍ମୀଙ୍କୁ ଅସନ୍ତୁଷ୍ଟ କରିଥିବା ନେଇ ଚର୍ଚ୍ଚା ହେଉଛି।
ମୁଁ ଏଠି ଆପଣଙ୍କୁ ୨୦୨୨ ବିଏମ୍ସିର ମେୟର ନିର୍ବାଚନ କଥା ମନେପକାଇ ଦେବାକୁ ଚାହେଁ। ଏହି ନିର୍ବାଚନରେ ରଣନୀତି ପରିଚାଳନା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦେଇଥିଲେ। ନୂଆକରି ନେତା ତଥା ସାଂସଦ ହୋଇଥିବା ଅପରାଜିତା ବି ଏଥିରେ ଉତ୍ସାହିତ ହେଲେ। ଦଳର ପୁରୁଣା ନେତା ଓ କର୍ମୀଙ୍କୁ ଅଣଦେଖା କରି ବିଜେଡିର ଇମ୍ପୋର୍ଟେଡ୍ ନେତ୍ରୀ ସୁଲୋଚନା ଦାସଙ୍କୁ ଟକ୍କର ଦେବାକୁ ଜଣେ ସୋସାଲ୍ ମିଡିଆରେ ଚର୍ଚ୍ଚିତ ରହିଥିବା ମହିଳା ଲେଖକଙ୍କୁ ଟିକଟ ଦେବାକୁ ସୁପାରିସ କଲେ। ତାଙ୍କ ସୁପାରିସ ରହିଲା ଓ ସୁନୀତି ମୁଣ୍ଡ ହୋଇଥିଲେ ବିଜେପିର ମେୟର ପ୍ରାର୍ଥୀ।
ପରିସ୍ଥିତି ଏମିତି ହୋଇଥିଲା ଯେ ଯେଉଁ ଭୁବନେଶ୍ୱର ବିଜେଡିର ଗଡ଼ ଭାଙ୍ଗି ଅପରାଜିତାଙ୍କୁ ସାଂସଦ କରିଥିଲା ତାଙ୍କ ନୋମିନୀଙ୍କୁ ୬୭ ହଜାରରୁ ଅଧିକ ଭୋଟରେ ପ୍ରତ୍ୟାଖ୍ୟାନ କଲା। ଖାଲି ସେତିକି ନୁହେଁ, ଦଳୀୟ କାର୍ଯ୍ୟାଳୟରେ ଏହି ମେୟର ପ୍ରାର୍ଥୀଙ୍କୁ ଏମିତି ବେଇଜ୍ଜତ କରାଯାଇଥିଲା ଯେ ଏବେ ଯାଏ ସେ ପାର୍ଟିକୁ ଫେରିବା ତ ଦୂରର କଥା ପାଖ ଆଖରେ ବି ଦିଶୁ ନାହାନ୍ତି।
ଏବେ ପୁଣିଥରେ ନିର୍ବାଚନ ଆସିବାକୁ ଯାଉଛି। ଆଗାମୀ ୨୦୨୭ ମାର୍ଚ୍ଚ ତୃତୀୟ ସପ୍ତାହରେ ନିର୍ବାଚନ ହେବ। ବିଜେପି ସରକାରଙ୍କ ପାଇଁ ଏହା ହେବ ପ୍ରଥମ ଅଗ୍ନି ପରୀକ୍ଷା। ଏବେ ବିଜେଡି ଆଉ ଶାସନରେ ନାହିଁ। ପୁଣି ସରକାର ବିଜେପିର। ଏଣୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍କୁ ନିଜ ଦଖଲକୁ ନେବା ପାଇଁ ବିଜେପି ଉଦ୍ୟମ କରିବ। ବିଜେଡି ବି ନଛୋଡ଼ବନ୍ଧା। ଅର୍ଥାତ୍ ଟକ୍କର ପୂରା ଜୋରଦାର ହେବ। ହେଲେ ଅପରାଜିତା ଯେଉଁଭଳି ଭାବେ ଭୁବନେଶ୍ୱର ନେତାଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ତାହା ଦଳ ପାଇଁ ଓଲଟା ଫଳ ଦେବ ବୋଲି ଚର୍ଚ୍ଚା ହେଲାଣି। ଯଦି ଏ ଚର୍ଚ୍ଚାକୁ ଅଣ ଦେଖା କରି ଅପରାଜିତାଙ୍କୁ ପୁଣିଥରେ ଭୁନେଶ୍ୱର ମେୟର ନିର୍ବାଚନର ଦାୟିତ୍ୱ ଦିଆଯାଏ ତେବେ ବିପର୍ଯ୍ୟୟକୁ ଅଣଦେଖା କରାଯାଇନପାରେ। କିନ୍ତୁ ଅପରାଜିତା ନିଜ ଭୁଲ୍ ସ୍ୱୀକାର କରିବା ତ ଦୂରର କଥା ପୁଣିଥରେ ନିଜ ପ୍ରାର୍ଥୀ ଦେବା ଲାଗି ପ୍ରଭାବ ବିସ୍ତାର ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ନିକଟରେ ବିଏମ୍ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରା ପ୍ରସଙ୍ଗକୁ ତାଙ୍କ ଦଳର ଅନ୍ୟ ନେତାମାନେ ଯେଉଁ ଢଙ୍ଗରେ ଦେଖିଥିଲେ ସେ ତା’ର ବିରୋଧରେ ଯାଇଥିଲେ। ଦଳର ଜଣେ ପ୍ରମୁଖ ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ପାଇଁ ସେ ଚାପ ପକାଇଥିଲେ। ଖାଲି ସେତିକି ନୁହେଁ, ତାଙ୍କ ଗିରଫ ହେବା ପରେ ତାଙ୍କ ପ୍ରତିଚ୍ଛବିକୁ ଆହୁରି ଖରାପ କରିବା ପାଇଁ ବି ଗଣମାଧ୍ୟମରେ ବୟାନ ଦେଲେ। କିନ୍ତୁ ସେ ଭୁଲି ଗଲେ ଯେ, ବିଗତ ଦିନରେ ତାଙ୍କରି ସମର୍ଥକମାନେ ବି ବିଏମ୍ସି ଅଫିସରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ସାଂସଦଙ୍କୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ମଧ୍ୟ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗ ଗଣମାଧ୍ୟମରେ ବିଶେଷ ଆଲୋଚନାର ଖୋରାକି ଯୋଗାଇଛି।
ତଥାପି ତାଙ୍କ ଉପରେ ଦଳର କିଛି କେନ୍ଦ୍ରୀୟ ନେତାଙ୍କ ଆଶୀର୍ବାଦ ରହିଛି ବୋଲି ଚର୍ଚ୍ଚା ହୁଏ। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱକୁ ହ୍ରାସ କରିବାରେ ତାଙ୍କର ସମୀକରଣ ସଫଳ ହୋଇଛି ବୋଲି ମଧ୍ୟ ଆଲୋଚନା ହେଉଛି।
ଏବେ କେନ୍ଦ୍ରମନ୍ତ୍ରୀ ଆଉ ଓଡ଼ିଶା ରାଜନୀତିରେ ସକ୍ରିୟ ନାହାନ୍ତି। ଯଦିଓ ସେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ନିଜର ପତିଆରା ବିକାଶ କରୁଛନ୍ତି କିନ୍ତୁ ରାଜ୍ୟ ସରକାର ଓ ରାଜ୍ୟ ରାଜନୀତିରେ ତାଙ୍କୁ ବାହାରେ ରଖାଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସହ ପ୍ରଭାରୀ ତାଙ୍କର ପ୍ରବେଶକୁ ରାଜ୍ୟରେ ବିଜେପି ରାଜନୀତି ପାଇଁ ନକରାତ୍ମକ ପ୍ରଭାବକୁ ବିସ୍ତାର କରୁଛି ବୋଲି କେନ୍ଦ୍ରୀୟ ନେତୃତ୍ୱକୁ ବୁଝାଇ ଦେଇଥିବା ବି ସୂଚନା ମିଳିଛି।
ଏବେ ରାଜ୍ୟରେ ଦଳୀୟ ସଭାପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଧର୍ମେନ୍ଦ୍ର ନିଜ ପାରିଷଦର ପ୍ରାର୍ଥୀ ବି ଦେବେ ନାହିଁ ବୋଲି ଚର୍ଚ୍ଚା ହେଉଛି।
ନିକଟରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ନେଇ ଧର୍ମେନ୍ଦ୍ର ଯେଉଁ ଆଭିମୁଖ୍ୟ ନେଇଥିଲେ ସେଥିରୁ ସ୍ପଷ୍ଟ ହେଉଥିଲା ଯେ ନା ସରକାରରେ ନା ସଂଗଠନରେ ତାଙ୍କର ଆଉ ପତିଆରା ଅଛି। ତଥାପି କେତେବେଳେ ଚକ୍ରବ୍ୟୁହ ବଦଳିଯିବ ତାହା କିଏ କହିବ?
ବର୍ତ୍ତମାନର ସମୀକରଣ ଓ ପରିସ୍ଥିତିକୁ ଦେଖିଲେ ଅପରାଜିତାଙ୍କ ପାଇଁ ଖୋଲା ମଇଦାନ ପଡ଼ିଛି କହିଲା ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ମୋହନଙ୍କ ସରକାରଙ୍କଠାରୁ କ’ଣ ଅପରାଜିତା କ୍ଷମତାଶାଳୀ ହେବେ? ଅପରାଜିତାଙ୍କ ଆଭିମୁଖ୍ୟ କ‘ଣ ଦଳର କର୍ମୀଙ୍କୁ ଭରସା ଦେଇପାରିବ? ଏମିତି ଅନେକ ପ୍ରଶ୍ନ। ଏ ପ୍ରଶ୍ନର ଉତ୍ତର ନୂଆ ସଂଗଠନ ନିର୍ବାଚନ ପରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। କାରଣ ଦଳର ରାଷ୍ଟ୍ରୀୟ ସଭାପତି ବି ନିକଟ ଭବିଷ୍ୟତରେ ବଦଳିବାକୁ ଯାଉଥିବା ଚର୍ଚ୍ଚା ହେଉଛି।
Also readhttps://purvapaksa.com/dharmendra-out-from-the-national-presidential-race/
