ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ପୁଲିସ ତଥାକଥିତ ମୁଖ୍ୟ ଅଭିଯୁକ୍ତ, କିଙ୍ଗପିନ୍ ଆଖ୍ୟା ଅର୍ଜନ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଏହାପରେ ଦ୍ୱିତୀୟ ଓ ତୃତୀୟ ଦାବିକୁ ପଛରେ ପକାଇ ଓଏଏସ୍ ସଂଘ ଗଡ଼ ଜିତିବାର ଆତ୍ମତୃପ୍ତି ଅର୍ଜନ କରି କାର୍ଯ୍ୟରେ ଯୋଗ ଦେବାକୁ ଘୋଷଣା କରିଛନ୍ତି। ଜଣେ ଅଣ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଶିକ୍ଷା ଦେବା ଅର୍ଥରେ ଏହା ତାଙ୍କର ବିଜୟ ବୋଲି ଗ୍ରହଣ କରିଛନ୍ତି ସଂଘର କର୍ମକର୍ତ୍ତା।
ଅନ୍ୟ ପକ୍ଷରେ ଓଏଏସ୍ ସଂଘର ଦାବିକୁ ସ୍ୱୀକାର କରି ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସରକାର ମଧ୍ୟ ଆଇନର ଶାସନକୁ ଗୁରୁତ୍ୱ ଦେଉଥିବା ନେଇ ବାହାବା ଅର୍ଜନ କରିଛନ୍ତି। ଏହା ବି ସରକାରଙ୍କ ବିଜୟ।
ସେହିପରି ସରକାର ଓ ଅଫିସରଙ୍କ ଭିତରେ ଚାଲିଥିବା ଲଢ଼େଇରୁ ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଲାଗି ଆତ୍ମସମର୍ପଣ କରି ମହାନତା ଗ୍ରହଣ କରିଥିବା ନେଇ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି। ଅର୍ଥାତ୍ ଏ ତିନି ପକ୍ଷର ବିଜୟ ହୋଇଛି। ତେବେ ପରାଜୟ କାହାର ହେଲା? ହାରିଲା କିଏ?
ଗଲା ତିନିଦିନ ଓଡ଼ିଶା ପ୍ରଶାସନ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟିର ଅତିରିକ୍ତ କମିଶନର ଯେ ଏପରି ପରିସ୍ଥିତି ସୃଷ୍ଟି କରିବା ଲାଗି କ୍ଷମତାର ଅଧିକାରୀ ତାହା ସ୍ପଷ୍ଟ ହୋଇଛି। ତାଙ୍କ ପୂର୍ବରୁ ଯେ ରାଜ୍ୟର ପୁଲିସ, ଅଧିକାରୀ, ନେତା, ସାଧାରଣ ଜନତା ମାଡ଼ ଖାଇନଥିଲେ, ବିରୋଧର ସମ୍ମୁଖୀନ ହୋଇନଥିଲେ ବା ସରକାରୀ ଅତ୍ୟାଚାର ଭୋଗି ନ ଥିଲେ ତା’ ନୁହେଁ କିନ୍ତୁ ଏବେ ପରିସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟରେ ସରକାରୀ ସେବା ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ। ଲୋକମାନେ ଅଫିସ ଗଲେ ସରକାର ନାହାନ୍ତି ବୋଲି ବାର୍ତ୍ତା ପାଇ ଫେରିଲେ। ସମୁଦାୟ ବିଜେପି ହୁଲ୍ସ୍ଥୁଲ ହୋଇଗଲା। ଓଏଏସ୍ ସଂଘ କ୍ଷମତାଶାଳୀ ବୋଲି ପ୍ରମାଣିତ ହେଲା ଆଉ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ସରକାର।
ଆଜି ସବୁକିଛି ଠିକ୍ ହେବ ବୋଲି କୁହାଯାଉଛି। ଜନ ସାଧାରଣ ଆବଶ୍ୟକ ସେବା ପାଇବେ ବୋଲି ଆଶା କରାଯାଉଛି। ଏ ସମୁଦାୟ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ ଗଣତନ୍ତ୍ର ହେଉ ବା ରାଜତନ୍ତ୍ର, ଅନ୍ୟ ଦେଶର ସେନା ସହ ଲଢ଼େଇ ହେଉ ବା ନିଜେ ବାଛିଥିବା ସରକାରରେ ଅନ୍ତର୍ଦ୍ୱନ୍ଦ୍ୱରେ ଯଦି କିଏ ପ୍ରଭାବିତ ହୁଏ, ସେ ହେଉଛି ସାଧାରଣ ଲୋକ। କିଛି ଭୁଲ ନ କରି ବି ତାକୁ ତା’ର ହକ୍ ମିଳେ ନାହିଁ। ସେ ହାରେ। ହେଲେ ଏଠି ଜିତିଲା କିଏ? ଜତ ତିନିଦିନ ଧରି କାମ ନ କରି ଧର୍ମଘଟ କରିଥିବା ଅଧିକାରୀମାନଙ୍କ ଦରମା ସରକାର କାଟି ପାରିବେ କି?
ଲଢ଼େଇ କାହିଁକି ହେଲା, କେଉଁଠୁ ସୂତ୍ରପାତ ହେଲା ସେ ବିଷୟରେ ଅଧିକ କହିବା ଅନାବଶ୍ୟକ। ଜୁନ୍ ୩୦ ତାରିଖରେ ଏ ଘଟଣା ଘଟିଥିଲା। ଅପରାହ୍ଣରେ ବିଜେଡି ହ୍ୱାଟ୍ସଆପ୍ ଚାନେଲ ଦ୍ୱାରା ଏହି ଘଟଣାକୁ ନେଇ ଏକ ଭିଡିଓକୁ ଗଣମାଧ୍ୟମ ହ୍ୟାଣ୍ଡଲରେ ସେୟାର କରାଗଲା। ଆଉ ତା’ ପରେ ନିଆଁ ହୋଇଗଲା ବିଏମସି ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ମରା ଘଟଣା। ସମ୍ପୃକ୍ତ ଅଧିକାରୀଙ୍କ ଦୋଷ କ’ଣ, କାହିଁକି କର୍ପୋରେଟର ଓ ତାଙ୍କ ସମର୍ଥକ ତାତିଲେ ତାହାର କୌଣସି ପୃଷ୍ଠଭୂମି ଦେଖିବାକୁ ମିଳିଲା ନାହିଁ କିନ୍ତୁ ଯାହା ଦେଖିବାକୁ ମିଳିଲା ତାହା ବର୍ବରତା ଥିଲା, ଅମାନବୀୟ ଥିଲା। ଏହାକୁ ଆମେ କେବେ ସମର୍ଥନ କରୁନାହୁଁ କି କରିବା ନାହିଁ।
ଏହାର ଜବାବରେ ମାଡ଼ ମାରିଥିବା ୫ ଜଣଙ୍କୁ ପୁଲିସ ଗିରଫ କଲା। ଭିଡିଓରେ ଦେଖାଯାଉଥିବା ଲୋକଙ୍କୁ ବିଜେପି ମଧ୍ୟ ଦଳରୁ ନିଲମ୍ବନ କଲା। କିନ୍ତୁ ରତ୍ନାକରଙ୍କ ଚାକିରିର ସହଯୋଗୀମାନେ ଏଥିରେ ‘କିଙ୍ଗପିନ୍’ ଖୋଜିଲେ। ଆଉ ସେ କିଙ୍ଗପିନ୍କୁ ଗିରଫ କରିବା ପାଇଁ ଦାବି କଲେ। ଖାଲି ଦାବି ନୁହେଁ, ସୁପ୍ରିମକୋର୍ଟଙ୍କ ଆଦେଶ, ରାଜ୍ୟ ସରକାରଙ୍କ ନିୟମାବଳୀ ଏବଂ ନିଜ ସେବାର ଆଚରଣ ବିଧିକୁ ବେଖାତିର କରି ଆନ୍ଦୋଳନ କଲେ। ଅଫିସରୁ ସମୂହ ଛୁଟିରେ ଗଲେ।
ତିନିଦିନ ରାଜ୍ୟ ପ୍ରଶାସନରେ କାର୍ଯ୍ୟ ଆଗକୁ ବଢ଼ିପାରିଲା ନାହିଁ। ବନ୍ୟା ଓ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରିସ୍ଥିତିକୁ ମଧ୍ୟ ଅଣଦେଖା କରିଲେ ଅଫିସର। ଏହା ସେ ଆକ୍ରମଣଠାରୁ କେତେ ଭୟଙ୍କର ଆପଣ ଚିନ୍ତା କରନ୍ତୁ। କିନ୍ତୁ ଏଥିରେ ପ୍ରଭାବିତ ହେଉଥିଲା ଲୋକଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା କି ନାହିଁ। କର୍ମ ଆଦରି ରହିଲା ଭଳି ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟରୁ ଫେରିଲେ। ଏହା ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଏଥିପ୍ରତି ସମ୍ବେଦନଶୀଳ ନ ହୋଇ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ‘ଜଗା ପ୍ରଧାନ’ଙ୍କ ଗିରଫ ପାଇଁ ଦାବି କରି ବସିଲେ।
ଏହି ଘଟଣାରେ ସଂଘ ଯେ କେବଳ ଏକୁଟିଆ ଥିଲା ତା ନୁହେଁ। ପୂର୍ବ ସରକାରର ବିଶ୍ୱସ୍ତ ଅଧିକାରୀ ହୋଇଥିବାରୁ ବିରୋଧୀ ଦଳ ମଧ୍ୟ ଅଧିକାରୀଙ୍କୁ ଉସ୍କାଉଥିବା ଅଭିଯୋଗହୁଏ। କିଛି ଖବରକାଗଜ ଓ ସୋସାଲ୍ ମିଡିଆରେ ଏ ଖବର ପ୍ରକାଶ ପାଇଛି। ହେଲେ ବିରୋଧୀ ଦଳର ଷଡ଼ଯନ୍ତ୍ର ଏବଂ ସରକାରୀ କଳର ଅସହଯୋଗ ଭିତରେ ପେଶି ହେଉଥିବା ସରକାରରେ ଆଉ ଏକ ଚାପ ସୃଷ୍ଟି ହୋଇଥିଲା ତାହା ଥିଲା ନିଜ ଜଳରେ ଗୋଷ୍ଠୀ ବିବାଦ।
ଏହାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କରିଥିବା ଅଭିଯୋଗ ହୁଏ କିନ୍ତୁ ତାଙ୍କର ସମୀକରଣ ଏତେ ଶକ୍ତ ଥିଲା ଯେ ସେଥିରେ ଜଗାଙ୍କ ପୃଷ୍ଠଭୂମିକୁ ଶକ୍ତ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ବି ନଇଁବାକୁ ବାଧ୍ୟ ହେଲେ। ଯିଏ ଦୋଷ କରିବ ସେ ଦଣ୍ଡ ପାଇବ ବୋଲି କହିଲେ। ତାହା ହିଁ ହେଲା। ଆଉ ମାତ୍ର ୩୭ ଭୋଟରେ ବିଧାୟକ ହେବାରୁ ବଞ୍ଚିତ ହୋଇଥିବା ବିଜେପିର ଯୁବ ନେତା ଆତ୍ମ ସମର୍ପଣ କରି ଗିରଫ ହେଲେ। ଏହା ଓଏଏସ୍ ସଂଘ ଓ ଅଧିକାରୀଙ୍କୁ ସମର୍ଥନ କରି ନିଜର ରାଜନୀତିକ ଗୋଟି ଚାଳନା କରିଥିବା ନେତାଙ୍କର ଏହା ଏକ ବିଜୟ ବୋଲି କୁହାଯାଇପାରେ। କାରଣ ଏହି ବିଜୟ ପରେ ସେମାନେ ସରକାରଙ୍କଠାରୁ ଆଶା କରୁଥିବା ଫଳ ପାଇଛନ୍ତି। ଦୋଷୀ ଧରା ହୋଇଛି ବୋଲି ତାଙ୍କ ମତ।
ଅପରପକ୍ଷେ ପୁଲିସ ତାଙ୍କ ବିରୋଧରେ ୧୨ଟି ଦଫା ଲଗାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୧ (୧) ଏବଂ (୨)କୁ ତାଙ୍କ ବିରୋଧରେ ଲଗାଯାଇଛି। ଏହା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ବାଧା ଦେବା, ତାଙ୍କୁ ଆଘାତ ପହଞ୍ଚାଇବା ଅପରାଧରେ ଲଗାଯାଇଥାଏ। ସେହିପରି ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗଭୀର ଆଘାତ ପହଞ୍ଚାଇବା ଅଭିଯୋଗରେ ତାଙ୍କ ବିରୋଧରେ ଧାରା ୧୩୨ ଲାଗିଛି। ବେଆଇନ ସମାବେଶ, ବେଆଇନ ଭାବେ ସମାବେଶ କରି ଅପରାଧ ଘଟାଇବା ଅଭିଯୋଗରେ ୧୮୯(୨) ଏବଂ ୧୯୦ ଲାଗୁ ହୋଇଛି। ଧାରା ୩ ଉପଧାରା ୫ ବି ଲାଗିଛି। ଏହା ଅପରାଧରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ଦର୍ଶାଉଛି। ଧାରା ୩୦୪ ଲାଗିଛି ଯାହା କହୁଛି ଯେ ଜଗନ୍ନାଥ ପ୍ରଧାନ ଛିନ୍ତା କରିଛନ୍ତି। କାହାର ଘରକୁ ଅନଧିକାର ପ୍ରବେଶ ଅଭିଯୋଗରେ ଧାରା ୩୩୩ ଲାଗିଥାଏ। ଏହି ଦଫାକୁ ମଧ୍ୟ ପୁଲିସ ଜଗାଙ୍କ ବିରୋଧରେ ଲକାଇଛି। ଅପରାଧିକ ଭୟ ପ୍ରଦର୍ଶନ ସହ ଅପରାଧ କରିବା ଅଭିଯୋଗରେ ଧାରା ୩୫୧ (୨) ଲାଗିଛି। ଅପରାଧରେ ସହାୟତା କରିବା ଅଭିଯୋଗରେ ଧାରା ୫୪, ଅପରାଧମୂଳକ ଷଡ଼ଯନ୍ତ୍ର ପାଇଁ ଧାରା ୬୧(୨) ଏବଂ ଅପରାଧ ପାଇଁ ଉସ୍କାଇବା ଅଭିଯୋଗରେ ଧାରା ୬୨ ଲାଗିଛି। ଏସବୁ ଦଫା ଲଗାଇ ଏତଲା ଅନୁସାରେ ମାମଲା ରୁଜୁ କରି ସରକାର ଲୋକଙ୍କ ସାମ୍ନାରେ ଲୋକଙ୍କ ସରକାରର ଟ୍ୟାଗ୍କୁ ଆହୁରି ମଜଭୁତ କରିଛନ୍ତି।
ଏବେ ଏ ମାମଲାଗୁଡ଼ିକ କେତେ ସତ ଆଉ କେତେ ମିଛ ତାହାକୁ କୋର୍ଟ ବିଚାର କରିବେ। ଓକିଲ ତର୍ଜମା କରିବେ। କିନ୍ତୁ ଯଦି କୋର୍ଟ ତାଙ୍କୁ ଖଲାସ କରନ୍ତି ତେବେ ସେ ଲୋକଙ୍କ ପାଖରେ ନିର୍ଦ୍ଦୋଷ ହୋଇଯିବେ। କାରଣ ନିଜକୁ ଆତ୍ମ ସମର୍ପଣ କରି ଜଗନ୍ନାଥ ପ୍ରଧାନ ଦୀର୍ଘ ଦିନ ହେଲା ଠପ୍ ହୋଇଯାଇଥିବା ପ୍ରଶାସନକୁ ସଚଳ କରିଛନ୍ତି। ଲୋକଙ୍କ ପ୍ରକୃତ ନେତା ହେବାର ଉଦାହରଣ ଦେଇଛନ୍ତି।
ଅର୍ଥାତ୍ ସରକାରଙ୍କ ବିଜୟ ହୋଇଛି। ଓଏଏସ୍ ସଂଘର ବିଜୟ ହୋଇଛି। ଜଗନ୍ନାଥଙ୍କର ବି ବିଜୟ ହୋଇଛି। ତେବେ ହାରିଲା କିଏ? ସାଧାରଣ ଜନତା, ଆପଣ ମୋ ଭଳି ବ୍ୟକ୍ତି। ଯିଏ ସାଧାରଣ କାମଟିଏ ପାଇଁ ସରକାରୀ ଅଫିସ ଦୌଡ଼େ, ନିଜ ପିଲାର ଆଡମିଶନ ପାଇଁ ସରକାରୀ ଅଫିସକୁ ମାଇଲମାଇଲ ବାଟ ଚାଲି ଚାଲି ଯାଏ, ଯିଏ ନିଜ ଗାଁକୁ ପାଣି ପାଇପଟେ ପାଇଁ ଅଧିକାରୀଙ୍କ ଦସ୍ତଖତକୁ ଅପେକ୍ଷା କରେ ସେ ଆହୁରି ବିଳମ୍ବିତ ହେଲା, ନୁହେଁକି?
Also readhttps://purvapaksa.com/six-suspected-bangladeshis-detained-in-kendrapara/
