ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଉପରେ ଉଚ୍ଚ ବର୍ଗର ଲୋକମାନଙ୍କର ଜାତି ଭିତିକ ଅତ୍ୟାଚାର ଓ ହିଂସା ବଢିଚାଲିଛି । ସେମାନେ ଅସୁରକ୍ଷିତ ତେଣୁ ସେମାନଙ୍କର ସୁରକ୍ଷା ପାଇଁ ମୋହନ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁବାର ଦିନ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଉଦବେଗ ପ୍ରକାଶ କରି ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରେ ମୋହନ ସରକାର ଅପେକ୍ଷା ନବୀନଙ୍କ ସରକାର ସମୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥିବା ସେ ଦର୍ଶାଇଦେଇଛନ୍ତି । ତାଙ୍କ ଚିଠିରେ ସେ ଦର୍ଶାଇଛନ୍ତି ଯେ ଗତ ପାଞ୍ଚ ବର୍ଷ ଭିତରେ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତିର ଲୋକମାନଙ୍କ ଉପରେ ଉଚ୍ଚ ବର୍ଗର ଲୋକଙ୍କ ଅତ୍ୟାଚାର ୫୮ ପ୍ରତିଶତ ବୃଦ୍ଧି ପାଇଛି ।
ରାଜା ସ୍ୱାଇଁ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ, ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶର ମହିଳା ପର୍ଯ୍ୟଟକମାନଙ୍କୁ, ଭାରତର ଅନ୍ୟ କିଛି ରାଜ୍ୟ ସହ ଓଡ଼ିଶା ଆସିଲେ ସତର୍କତା ନୀତି ଅବଲମ୍ବନ କରିବା ସହ ଏକୁଟିଆ ନଆସିବାକୁ ସତର୍କବାଣୀ ଦେଲେ କାରଣ ତାଙ୍କ ଭାଷାରେ ଓଡ଼ିଶାରେ ଦୁଷ୍କର୍ମ ବଢୁଥିବାରୁ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ । କେବଳ ମହିଳା ନୁହଁନ୍ତି, ଏ ରାଜ୍ୟର ୪୦% ଅନୁସୂଚିତ ଜାତି ଓ ଜନଜାତି ମଧ୍ୟ ଅସୁରକ୍ଷିତ। ଖବର ଅନୁଯାୟୀ, ସଂଖ୍ୟାଲଘୁମାନଙ୍କ ଉପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅତ୍ୟାଚାର ସୀମା ଟପିଗଲାଣି, ସେମାନେ ମଧ୍ୟ ଅସୁରକ୍ଷିତ ।
ଗୋ-ରକ୍ଷା ନାମରେ ଆମ ରାଜ୍ୟରେ ହିଂସା ବଢ଼ିଚାଲିଛି, ବିଶେଷ କରି ଆମ ସମାଜର ନିଷ୍ପେସିତ ଶୋଷିତ ବଞ୍ଚିତ ବର୍ଗ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଜାତିଭିଭିକ ଅତ୍ୟାଚାର ବଢ଼ିଚାଲିଛି। ଏନସିଆରବି ରିପୋର୍ଟ ଆଧାରରେ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଅନୁସୂଚିତ ବର୍ଗଙ୍କ ଉପରେ ୫୮% ଅତ୍ୟାଚାର ଜନିତ ମାମଲା ବୃଦ୍ଧି ହୋଇଛି। ଗତ ୨୨ ଜୁନ ୨୦୨୫ ରବିବାର ଦିନ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଖାରିଗୁମାରେ ଗାଙ୍ଗପୁର ଥାନା ସିଙ୍ଗିପୁର ଗ୍ରାମର ବାବୁଲି ନାୟକ(୫୯) ଏବଂ ବୁଲୁ ନାୟକ(୪୩) ଦୁଇଜଣ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କ ଉପରେ ଆତ୍ମଘୋଷିତ ଗୋ-ରକ୍ଷା ବାହିନୀ ଯେଉଁ ଭଳି ଭାବରେ ଅମାନୁଷିକ ପାଶବିକ ଅତ୍ୟାଚାର କରିଛନ୍ତି ତାହା ସମଗ୍ର ବିଶ୍ବର ମାନବ ସମାଜ, ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ।
ଏହି ଦୁଇ ପୀଡ଼ିତଙ୍କୁ ନାଳ ନର୍ଦ୍ଦମା ପାଣି ଜବରଦସ୍ତ ପିଆଇ, ପଶୁ ଭଳି ଆଣ୍ଠେଇ ଘାସ ଖୁଆଇ, ନିସ୍ତୁକ ନିର୍ମମ ଭାବରେ ମରଣାତ୍ମକ ଆକ୍ରମଣ କରି ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଦୁଇ କିଲୋମିଟର ବାଟ ଚଲେଇ ଚଲେଇ ନେଲେ । ଏଭଳି ପାଶବିକ ଅତ୍ୟାଚାରକୁ ଉପସ୍ଥିତ ଜନସାଧାରଣ ଉପଭୋଗ କରୁଥିଲେ, ମୋବାଇଲରେ ଭିଡ଼ିଓ ଆଉ ଫଟୋ ଉତ୍ତୋଳନ କରୁଥୁଲେ କିନ୍ତୁ କେହି ବି ପ୍ରତିବାଦ କରିନଥୁଲେ। ଏଠି ପ୍ରଶ୍ନ ଉଠୁଛି ମାନବବାଦ ଆମ ରାଜ୍ୟରେ ବଞ୍ଚିଛି ତ?
