ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲିଟିରେ ନିଜ ଦଳୀୟ କର୍ମୀଙ୍କ ବିଶୃଙ୍ଖଳା ପ୍ରତି କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି। ଏପରିକି ଦୁଇଦିନର ସୋସିଆଲ୍ ମିଡିଆ ପୋଷ୍ଟ ଓ ଜାତୀୟ ଗଣମାଧ୍ୟମରେ ନିଜର ସରକାର ବିରୋଧୀ ମନ୍ତବ୍ୟ ପରେ ଏବେ ରାଷ୍ଟ୍ରୀୟ ସଭାପତିଙ୍କ ସହ ଏକ ଫଟୋ ଉତ୍ତୋଳନ କରି ସାମାଜିକ ମିଡିଆରେ ପୋଷ୍ଟ କରିଛନ୍ତି ଅପରାଜିତା। ପ୍ରଶ୍ନ ଉଠୁଛି ଏହାକୁ ନେଇ କି ଇଙ୍ଗିତ ଦେବାକୁ ଚାହୁଁଛନ୍ତି ଅପରାଜିତା।
Met Respected Sri @JPNadda President, @BJP4India ,at his residence yesterday.
I did tell him that I have learnt a lot from him -His Grace, his Humility, his Knowledge, his Trust, his Articulation, his Kindness & his Patience .
Very silently,he has guided me beyond measure. pic.twitter.com/JTNYvd76yU
— Aparajita Sarangi, 2nd time MP- LS,Bhubaneswar (@AprajitaSarangi) July 2, 2025
ଆଇଏଏସରୁ ରାଜନେତା ହୋଇଛନ୍ତି ବିହାର ଝିଅ ତଥା ଓଡ଼ିଆ ବୋହୂ ଅପରାଜିତା ଷଡ଼ଙ୍ଗୀ। ଏବେ ଭୁବନେଶ୍ୱରର ସାଂସଦ। ମାତ୍ର ୬ ବର୍ଷର ରାଜନୀତିକ ଅଭିଜ୍ଞତା। ହେଲେ ଏ ଭିତରେ ରାଜ୍ୟର ବଡ଼ ବଡ଼ ବିଜେପି ନେତାଙ୍କୁ ପାଣି ପିଆଇ ସାରିଲେଣି। ଏପରିକି ଏଥିରେ ଦିଲ୍ଲୀରୁ ରାଜ୍ୟ ରାଜନୀତିକୁ ଆସିବାକୁ ଡହଳ ବିକଳ ହେଉଥିବା ପାରିଲା ନେତାଙ୍କୁ ବି ଅପରାଜିତା ବ୍ଲକ୍ କରିଦେଇଥିବା ଚର୍ଚ୍ଚା ହେଉଛି। ହେଲେ ନିକଟରେ ଜାତୀୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବିଜେଡି ଦ୍ୱାରା ପ୍ରସାରିତ ଏକ ଭିଡିଓକୁ ନେଇ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କୁ ନେଇ ଦଳରେ ଏକ ନୂଆ ମୋଡ଼ ସୃଷ୍ଟି କରିଛି।
VIDEO | On the assault of BMC officials in Odisha, Bhubaneswar MP Aparajita Sarangi (@AprajitaSarangi) says, “I strongly condemn the incident that took place on the premises of the Bhubaneswar Municipal Corporation (BMC). Ratnakar Sahoo, the Additional Commissioner of BMC, was… pic.twitter.com/Pa59svVmkg
— Press Trust of India (@PTI_News) July 1, 2025
ଘଟଣା ଏହିପରି। ୩୦ ତାରିଖ ଦିନ ବିଏମସିରେ ଜନ ଶୁଣାଣି ଚାଲୁଥିଲା। ଏହି ସମୟରେ କିଛି ଯୁବକ ଯେଉଁମାନେ ବିଜେପିର କର୍ମୀ ବୋଲି ନିରୂପିତ ହୋଇଛନ୍ତି ସେମାନେ ଅତିରିକ୍ତ କମିଶନରଙ୍କୁ ମାଡ଼, ଗୋଇଠା, ଶଙ୍ଖିଆ ମାରିଲେ। ଅଫିସ ବାହାରକୁ ଘୋଷାରି ନେଲେ। ଏହା ଏକ ଭୟଙ୍କର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ଆଜିଯାଏ ପୁଲିସ ପକ୍ଷରୁ ବା ବିଏମସିର ସିସିଟିଭି ବିଭାଗ ପକ୍ଷରୁ କୌଣସି ଭିଡିଓ ଚିତ୍ର ପ୍ରସାରଣ କରାଯାଇ ନାହିଁ। ହେଲେ ବିଜେଡି ପକ୍ଷରୁ ପ୍ରସାରିତ ଭିଡିଓ ଚାରିଆଡ଼େ ବ୍ୟାପୁଛି। ଏ ଭିଡିଓରେ ଯାହା ଦର୍ଶାଯାଇଛି, ତାହା ସ୍ପଷ୍ଟ କରୁଛି ଯେ ଯେଉଁ ଘଟଣା ଘଟିଛି ତାହା ଓଡ଼ିଶା ଇତିହାସରେ ବିରଳ। ଏହା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ଆଉ ଏକ ଉଦାହରଣ। କିନ୍ତୁ ସମାନ ସମୟରେ ପ୍ରଶ୍ନ ଉଠୁଛି ସେ ସମୟରେ ବିଏମସିର ସୁରକ୍ଷାକର୍ମୀମାନେ ସେତେବେଳ କୁଆଡ଼େ ଯାଇଥିଲେ?
I feel ashamed.
Stringent action should be taken against the culprits.
Without Decency & Discipline, there cannot be any Development .
Hope Law will take its course.@CMO_Odisha @DGPOdisha pic.twitter.com/g9sUtrhTau— Aparajita Sarangi, 2nd time MP- LS,Bhubaneswar (@AprajitaSarangi) June 30, 2025
ଏ ପ୍ରଶ୍ନର ଉତ୍ତର ତ ପୁଲିସ ଖୋଜିବ ନିଶ୍ଚୟ, ଆଉ ତଦନ୍ତ କରି ଅଭିଯୋଗ ଫର୍ଦ୍ଦରେ ଏ ବିଷୟ ଉଲ୍ଲେଖ କରିପାରେ। କିନ୍ତୁ ଏ ଘଟଣାର ମୂଳ କେଉଁଠି ତାହା ଆପଣମାନେ ଜାଣିବା ଜରୁରୀ। ଏହାର ଆରମ୍ଭ ହେଉଛି ପ୍ରଧାନମନ୍ତ୍ରୀଙ୍କ ସମାବେଶକୁ ବା କୌଣସି ବିଜେପି ସମାବେଶକୁ ବିଏମସିର ସ୍ୱଚ୍ଛ ସାଥୀଙ୍କ ଉପସ୍ଥିତି ବାରଣ କରାଯିବା। ଅର୍ଥାତ୍ ପରମ୍ପରା ଓ ପ୍ରଥା ଯାହାକୁ ବିଜେଡି ସରକାର ପ୍ରଶ୍ରୟ ଦେଇ ଆସୁଥିଲା ଏବେ ତାହା ଉପରେ ରୋକ୍ ଲଗାଇବାକୁ ବିଏମସି ଉଦ୍ୟମ କରିଛି। ପୁଣି ଏହି ନିର୍ଦ୍ଦେଶ ଦେଇଛନ୍ତି ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁ। କାହିଁକି, ତାଙ୍କୁ କିଏ କହିଛି ବା ସେ ଆଇନକୁ ପାଳନ କରୁଛନ୍ତି ତାହା ଏକ ଦ୍ୱନ୍ଦ୍ୱ ବିଷୟ। କିନ୍ତୁ ଏହି ଆଦେଶକୁ କେନ୍ଦ୍ରକରି ସବୁ ବିବାଦ ସୃଷ୍ଟି ହୋଇଛି। ସକାଳେ ପୂର୍ବତନ କର୍ପୋରେଟର ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଫୋନ ଏବଂ ପରେ ତାଙ୍କ କର୍ମୀ ରତ୍ନାକରଙ୍କୁ ଆକ୍ରମଣ କରିଛନ୍ତି। ଆମେ କୌଣସି ପ୍ରକାରେ ଏପରି ଆକ୍ରମଣକୁ ସମର୍ଥନ କରୁନାହୁଁ। କିନ୍ତୁ ଆକ୍ରମଣ ପଛରେ ଥିବା କାରଣକୁ ଏଠାରେ ଖୋଜି ବାହାର କରିବାକୁ ଚେଷ୍ଟା କରୁଛୁ।
ପ୍ରଥମତଃ ବିଏମସି ବିବାଦରେ ଜଗନ୍ନାଥଙ୍କ କର୍ମୀମାନେ ଦୋଷୀ ବୋଲି ଏକ ପ୍ରକାର ପ୍ରମାଣିତ। ଆଉ ଏଥିଯୋଗୁ ଅଭିଯୁକ୍ତ ଜଗନ୍ନାଥଙ୍କ ସମର୍ଥକମାନେ ଏବେ ନିଲମ୍ବିତ ବା ଆଇନର ଚକ୍ରବ୍ୟୁହରେ। ଏଥିଯୋଗୁ ବିଜେପି ବି ନିନ୍ଦିତ ଏବଂ ଏହାକୁ ପରିଚାଳନା କରିବାରେ ସାମନ୍ୟ ତ୍ରୁଟି ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ବି ଫଶିବା ଆଶଙ୍କା ରହିଛି। ହେଲେ ଏ ସମ୍ବେଦନଶୀଳ ବ୍ୟାପାରରେ ବିରୋଧୀଙ୍କ ସହ ସ୍ୱର ମିଳାଇଛନ୍ତି ଅପରାଜିତା। ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଯାହା କହୁଥିଲେ ଏବେ ସେଇ କଥାକୁ ଦୋହରାଇଛନ୍ତି ଅପରାଜିତା। ଆଇନ ତା’ ବାଟରେ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚାପ ପକାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ୱିଟ୍ କରି ଅପରାଜିତା ବିଜେଡି ଦ୍ୱାରା ଦିଆଯାଇଥିବା ଭିଡିଓକୁ ସେୟାର କରିଛନ୍ତି। ବିଜେପି କର୍ମୀ ବୋଲି ଜାଣି ମଧ୍ୟ ସାଂସଦ ଦଳ ବିପକ୍ଷରେ ଯାଇଛନ୍ତି। ବିକାଶ ଇଞ୍ଜିନ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଶୃଙ୍ଖଳା ଓ ଶାଳୀନତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓ ଡିଜି ପୁଲିସଙ୍କୁ କହିଛନ୍ତି।
#WATCH | Delhi | On the assault of Ratnakar Sahoo, Additional Commissioner of the Bhubaneswar Municipal Corporation (BMC), BJP MP from Bhubaneswar, Aparajita Sarangi says, “The incident that happened in the Bhubaneswar Municipal Corporation is condemnable… The police are taking… pic.twitter.com/Ul6sOZDTsE
— ANI (@ANI) June 30, 2025
ଏହାସହ ଅପରାଜିତା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ଘଟଣାକୁ ନିନ୍ଦା କରିବା ସହ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଉପସ୍ଥାପନ କରିଛନ୍ତି। ବିଜେପିର ଅନ୍ୟ କୌଣସି ନେତା ଏହିପରି ସାହସ କରି ନାହାନ୍ତି ଯାହା ଅପରାଜିତା କରିଛନ୍ତି। ଏହା କେତେଦୂର ରତ୍ନାକରଙ୍କୁ ସହାୟ ହେବ ତାହା ଯେତିକି ଚର୍ଚ୍ଚାର ବିଷୟ ହୋଇନି ରାଜ୍ୟ ବିଜେପିରେ ଏହା ଏକ ନୂଆ ଗଣିତକୁ ଆଗକୁ ଆଣିଛି।
ଏ ଗଣିତକୁ ଧର୍ମେନ୍ଦ୍ର-ଅପରାଜିତାଙ୍କ ଭିତରେ ଥିବା ରାଜନୀତିକ ମତ ପାର୍ଥକ୍ୟ ଓ ବିବାଦ ସହ ଯୋଡ଼ାଯାଉଛି। ପୂର୍ବରୁ ଅନେକ କ୍ଷେତ୍ରରେ ଅପରାଜିତା ଓ ଧର୍ମେନ୍ଦ୍ରଙ୍କ ଭିତରେ ବିବାଦ ରହି ଆସିଛି। ମାତ୍ର ୬ ବର୍ଷ ହେଲା ରାଜନୀତିକୁ ଆସିଥିଲେ ମଧ୍ୟ ଅଭିଜ୍ଞ ଖେଳାଳୀଙ୍କ ନେତୃତ୍ୱକୁ ସେ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କର କେନ୍ଦ୍ରୀୟ ନେତାଙ୍କ ସହ ଭଲ ସମ୍ପର୍କକୁ ଦର୍ଶାଇ ନିଜପାଇଁ ସବୁବେଳେ ଅଧିକ ଉଚ୍ଚ ପଦବୀ ଚାହିଁଛନ୍ତି। ଯେତେବେଳେ ବିଜେପି ରାଜ୍ୟରେ ବିଜୟୀ ହୋଇଥିଲା, ସେତେବେଳେ ସରକାର ଗଠନ ପାଇଁ ସେ ଧର୍ମେନ୍ଦ୍ରଙ୍କ ଆଗରେ କଣ୍ଟା ହୋଇଥିଲେ। ଏପରିକି ଧର୍ମେନ୍ଦ୍ରଙ୍କୁ ପଛରେ ପକାଇ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ବି ଲବି କରିଥିବା ଅନେକ ଚର୍ଚ୍ଚା ହୋଇଛି। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବମୂର୍ତ୍ତିକୁ ଆଞ୍ଚ ଦେବାରେ ଯେଉଁ କେତେଜଣ ନେତାଙ୍କ ନାଁ ନିଆଯାଏ ସେଥିରେ ଅପରାଜିତାଙ୍କ ଉତ୍ଥାନକୁ ମଧ୍ୟ ଦାୟୀ କରାଯାଏ।
ପ୍ରଶ୍ନ ଉଠେ ଏ ଗଣିତରେ ଜଗନ୍ନାଥ ପ୍ରଧାନ ଆସିଲେ କେଉଁଠୁ? ଆପଣଙ୍କ ମନେଥାଇପାରେ ଭୁବନେଶ୍ୱରରେ ଜଣେ ଲୋକପ୍ରିୟ ନେତା ହେଉଛନ୍ତି ଜଗନ୍ନାଥ। ମାତ୍ର ୩୭ଟି ଭୋଟରେ ସେ ହାରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ଦେଖି ଅପରାଜିତା ଏକଦା ତାଙ୍କୁ ନିଜ ଗ୍ୟାଙ୍ଗରେ ରଖିବାକୁ ଚାହିଁଥିଲେ। ଭୁବନେଶ୍ୱର ସାଂସଦ କ୍ଷେତ୍ର ଭିତରେ ଆସୁଥିବାରୁ ସେ ଜଣେ ପ୍ରମୁଖ ଅସ୍ତ୍ର ହେବେ ବୋଲି ଅପରାଜିତା ଭାବିଥିଲେ। ହେଲେ ସେହି ଲେକପ୍ରିୟତାରେ ଧର୍ମେନ୍ଦ୍ର ନିଜ ଗୋଷ୍ଠୀକୁ ସୁଦୃଢ଼ କରିବାକୁ ଯାଇ ଜଗନ୍ନାଥଙ୍କୁ ସହାୟତା ଦେଇଥିଲେ। ଯେହେତୁ ଧର୍ମେନ୍ଦ୍ର ହେଉଛନ୍ତି ପୁରୁଣା ଖେଳାଳି, କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବାରା ସିଦ୍ଧହସ୍ତ ଥିବା ନେତା, ଏଣୁ ଜଗନ୍ନାଥ ନିଜ ଭବିଷ୍ୟତ ପାଇଁ ଧର୍ମେନ୍ଦ୍ରଙ୍କୁ ବାଛିବାରୁ ଅପରାଜିତା ଆଗରୁ ଖପ୍ପା ଥିଲେ। ଏବେ ମଉକାରେ ଚଉକା ମାରିବାକୁ ଯାଇ ଅପରାଜିତା ଆଗତୁରା ନିଜ ପକ୍ଷକୁ ମଜଭୁତ କରିବା ପାଇଁ ସିଧା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଭିଯୋଗ ହୁଏ। ଏହି ଅଭିଯୋଗ ଖୋଦ୍ ଜଗନ୍ନାଥ କରିଛନ୍ତି।
ହେଲେ ବିବାଦ ଉପୁଜିଛି ବିଏମସିର ସ୍ୱଚ୍ଛ ସାଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ। ଯେହେତୁ ରତ୍ନାକର ଏହି ସ୍ୱଚ୍ଛସାଥୀଙ୍କୁ ମନା କରି ତାଙ୍କ ଚାକିରି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ, ତାହାକୁ କେନ୍ଦ୍ର କରି ଜଗନ୍ନାଥ-ରତ୍ନାକର ବିବାଦ ଆରମ୍ଭ ହୋଇଥିଲା। ଏହା ଆଇନ ଅନୁସାରେ ବେଆଇନ। କିନ୍ତୁ ପ୍ରଚଳିତ ପ୍ରଥା ଓ ପରମ୍ପରାରେ ରହି ଆସିଛି। ଏଣୁ ଅପରାଜିତା ଚାହିଁଲେ ବି ଜଗନ୍ନାଥଙ୍କ ବିରୋଧରେ ମିଡିଆ ସିନା ଆକର୍ଷିତ କରିବେ କିନ୍ତୁ ନେତାଙ୍କ ଦୃଷ୍ଟି ନୁହେଁ।
ହେଲେ ଅପରାଜିତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନି କେନ୍ଦ୍ରୀୟ ନେତୃତ୍ୱ। କାରଣ ଦୁଇଥର ଲଗାତାର ସେ ଭୁବନେଶ୍ୱରକୁ ପ୍ରତିନିଧିତ୍ୱ କରିବାରେ ସମର୍ଥ ହୋଇଛନ୍ତି। ବିଜେପି ଅନ୍ୟ ମହିଳା ସାଂସଦଙ୍କୁ ଯେମିତି ପଦପଦବୀ ଦେଇଛି ଅପରାଜିତାଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଧରଣ ଲୋକଙ୍କ ନଜରରେ ବିଜେପିକୁ ତଳେ ପକାଇବ। ଏଣୁ ଏହି ବିବାଦରେ କିଏ କେତେ ଗଭୀର ପାଣିରେ ଚାଷ କରିବେ ତାହାକୁ ନେଇ ଦିନକୁ ଦିନ ଗଣିତ ବଦଳିବାରେ ଲାଗିଛି। ଏ ଗଣିତର ସମୀକରଣରେ ଧର୍ମେନ୍ଦ୍ରଙ୍କ ନାଁ ଆସି ନ ଥିଲେ ବି ତାହା କିଛିଦିନ ପରେ ଧର୍ମେନ୍ଦ୍ର ବନାମ ଅପରାଜିତା ବିବାଦକୁ ଆହୁରି ଶାଣିତ କରିପାରେ!
