ଓଡ଼ିଶାରେ ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଆଇନ, ୨୦୧୬ର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାର ସ୍ୱଚ୍ଛତା, ସମନ୍ୱୟ ଏବଂ ପ୍ରବର୍ତ୍ତନ ବୃଦ୍ଧି କରିବା ଲକ୍ଷ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୃହ ଏବଂ ନଗର ଉନ୍ନୟନ (ଏଚଆଣ୍ଡ ୟୁଡ଼ି) ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନା ଏବଂ ବିକାଶ କର୍ତ୍ତୃପକ୍ଷଙ୍କୁ ବର୍ତ୍ତମାନ ଯେକୌଣସି ପ୍ରକଳ୍ପ ଯୋଜନା ଅନୁମୋଦନ ବିଷୟରେ ORERAକୁ ରିଅଲ୍ ଟାଇମ୍ରେ ଜଣାଇବାକୁ ପଡ଼ିବ ବୋଲି ନିଷ୍ପତି ହୋଇଛି। ବିଭାଗଗୁଡ଼ିକ ମଧ୍ୟରେ ସୂଚନା ବ୍ୟବଧାନର ଦୀର୍ଘକାଳୀନ ଅଭ୍ୟାସକୁ ଦୂର କରି, ନିର୍ବିଘ୍ନ ତଥ୍ୟ ଅଂଶୀଦାର ପାଇଁ ଏକ ଡିଜିଟାଲ୍ ପ୍ରୋଟୋକଲ୍ ବିକଶିତ କରାଯିବ।
ଭୁଲେଖ ଏବଂ SUJOG ପୋର୍ଟାଲ୍ ସହିତ ORERA 2.0 ର ସମନ୍ୱୟ ତଥ୍ୟ ଡୁପ୍ଲିକେସନ୍ ଦୂର କରିବ ଏବଂ ଅନୁମୋଦିତ ପ୍ରକଳ୍ପଗୁଡ଼ିକର କ୍ରସ୍-ଭେରିଫିକେସନ୍ ପାଇଁ ଅନୁମତି ଦେବ ବୋଲି ଜଣାପଡ଼ିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସମନ୍ୱୟ ରଖି ଏଚଆଣ୍ଡ ୟୁଡ଼ି(H&UD) ବିଭାଗ ORERA ନିର୍ଦ୍ଦେଶଗୁଡ଼ିକୁ କାର୍ଯ୍ୟକାରୀ କରିବ ଏବଂ OPDR ଆଇନ ଅନୁଯାୟୀ ଜୋରିମାନା ଆଦାୟ କରିବ। ପ୍ରଥମ ଥର ପାଇଁ, ORERA କୁ BDA/BMC ରୁ ପ୍ରବର୍ତ୍ତନ ସହାୟତା ଯୋଗାଇ ଦିଆଯିବ ଏବଂ ଏକ ମାସିକ ପ୍ରବର୍ତ୍ତନ କ୍ୟାଲେଣ୍ଡର ପ୍ରକାଶିତ ହେବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ଓଆରଇଆରଏ, ଏଚଆଣ୍ଡ ୟୁଡ଼ି ଏବଂ ରାଜସ୍ୱ ବିଭାଗ ମଧ୍ୟରେ ମାସିକ ସମନ୍ୱୟ ବୈଠକକୁ ସଂସ୍ଥାଗତ କରାଯାଇଛି, ଏବଂ ଜିଲ୍ଲପାଳ ଏବଂ ତହସିଲଦାରମାନେ ଏବେ ନିୟମିତ ଭାବରେ ଓଆରଇଆରଏକୁ ଅବୈଧ ରିଅଲ୍ ଇଷ୍ଟେଟ୍ କାର୍ଯ୍ୟକଳାପ ରିପୋର୍ଟ କରିବେ। ଜିଲ୍ଲା ସ୍ତରରେ ନିରନ୍ତର ତଦାରଖ ସୁନିଶ୍ଚିତ କରି, ଆରଇଆରଏ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ମଧ୍ୟ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଏକ ସ୍ଥାୟୀ ଏଜେଣ୍ଡା ହେବ । ଏହା ସହିତ, ଓଆରଇଆରଏରେ ଯୁଗ୍ମ ସଚିବ (ପ୍ରଶାସନ) ଏବଂ ଉପସଚିବ (ପ୍ରବର୍ତ୍ତନ) ଭଳି ପ୍ରମୁଖ ମଞ୍ଜୁରୀପ୍ରାପ୍ତ ପଦବୀଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରାଯିବ।
ଓଆରଇଆରଏକୁ ଖୋଲା ବିଜ୍ଞାପନ ମାଧ୍ୟମରେ ମଞ୍ଜୁରୀପ୍ରାପ୍ତ ପଦବୀ ପାଇଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାର କ୍ଷମତା ମଧ୍ୟ ଦିଆଯାଇଛି। ସମୟାନୁସାରେ ଅଭିଯୋଗର ସମାଧାନ ପାଇଁ ଓଆରଇଆରଏ ଏବଂ ଏଚଆଣ୍ଡ ୟୁଡ଼ି ବିଭାଗ ମଧ୍ୟରେ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି। ଏହି ସଂଶୋଧନଗୁଡ଼ିକ ଓଡ଼ିଶାର ରିଅଲ୍ ଇଷ୍ଟେଟ୍ ନିୟାମକ ଢାଞ୍ଚାରେ ଏକ ପ୍ରମୁଖ ପରିବର୍ତ୍ତନ ଯାହା ଘର କ୍ରେତାଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ବିଲ୍ଡରଙ୍କ ଦାୟିତ୍ୱ ସୁନିଶ୍ଚିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।
