ମୁନିସିପାଲିଟି କମିଶନ ବା ବିଏମ୍ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାହିଁକି ମାଡ଼ ମାରିଲେ ବିଜେପି ସମର୍ଥକ? ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଏଥିରେ ଯୋଡ଼ାଯାଉଛି କାହିଁକି? କ’ଣ ପାଇଁ ଅପରାଜିତା କହିଲେ ଶିଷ୍ଟାଚାର ଓ ଶୃଙ୍ଖଳା ନ ଥିଲେ ବିକାଶ ହୋଇପାରିବ ନାହିଁ?
ଗଣମାଧ୍ୟମର ଖବର ଅନୁସାରେ ବିଏମ୍ସିର ଅତିରିକ୍ତ କମିଶନର ରତ୍ନାକର ସାହୁ ଅଭିଯୋଗ ଶୁଣାଣି କରୁଥିବା ସମୟରେ ୬-୭ ଜଣ ଅଜଣା ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ଏକ ଭିଡିଓ ରିଲିଜ୍ କରାଯାଇଥିଲା, ଯେଉଁଥିରେ ଏହି ଯୁବକମାନେ ସମ୍ପୃକ୍ତ ଅଧିକାରୀଙ୍କୁ ଗୋଇଠା, ଧକ୍କା ଶଙ୍ଖିଆ ମାରୁଛନ୍ତି। ଘୋଷାରି ନେଉଛନ୍ତି। ଏକ ଶାନ୍ତିପୂର୍ଣ୍ଣ ରାଜ୍ୟରେ ଏପରି ଆଇନକୁ ହାତକୁ ନେବା ନିଶ୍ଚିତଭାବେ ନିନ୍ଦନୀୟ। ସେଥିଲାଗି କାର୍ଯ୍ୟାନୁଷ୍ଠାନ ଆଦେଶ ଦିଆଯାଇଛି। ଏବେ ପ୍ରଶ୍ନ ଉଠୁଛି ରତ୍ନାକରଙ୍କ ଉପରେ କାହିଁକି ଆକ୍ରମଣ ହେଲା ଓ ଏ ଯୁବକମାନେ କିଏ?
ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ ଓ ସିଧା ସିଧା ରହିଛି। କାରଣ ପୂର୍ବତନ କର୍ପୋରେଟର ତଥା ଏହି ଘଟଣାର ପ୍ରଚ୍ଛଦ ପଟ୍ଟରେ ଥିବା ବିଜେପିର ବିଧାୟକ ପ୍ରାର୍ଥୀ ଏହାକୁ ସ୍ପଷ୍ଟଭାବେ ଗଣମାଧ୍ୟମରେ କହିଛନ୍ତି। ତାଙ୍କ ଅନୁସାରେ ବିଜେପିର କାର୍ଯ୍ୟକର୍ତ୍ତା ହିଁ ଏଥିରେ ସମ୍ପୃକ୍ତ ରହିଛନ୍ତି। ତେବେ କାହିଁକି ରତ୍ନାକରଙ୍କୁ ଟାର୍ଗେଟ କରାଗଲା? ପୁଣି ସେଦିନ କାହିଁକି ଘଟଣା ଘଟିଲା।
ରତ୍ନାକରଙ୍କ ବିରୋଧରେ ମାମଲା
ଏହା ପଛରେ ଥିବା କାରଣକୁ ଦୁଇଟି ପ୍ରମାଣରେ ଅନୁଶୀଳନ କରାଯାଇପାରେ। ଗୋଟିଏ ହେଉଛି ଶ୍ରୀ ପ୍ରଧାନଙ୍କ ମିଡିଆ ବୟାନ ଏବଂ ଦ୍ୱିତୀୟଟି ହେଉଛି ଖାରବେଳ ନଗରରେ ଦାୟର ହୋଇଥିବା ଏକ ଏତଲା। ଏହି ଏତଲା ଅନୁସାରେ ରତ୍ନାକର ନିଜ ଅଫିସର କ୍ଷମତାର ଦୂରୁପୋଯୋଗ କରି ଜଣେ ସ୍ୱଚ୍ଛ ସାଥୀ ଯିଏକି ଜଣେ ଦଳିତ ଶ୍ରେଣୀର ମହିଳା ତାଙ୍କୁ ଚାକିରିରୁ ବାହାର କରିବା ପାଇଁ ଧମକ ଦେଇଛନ୍ତି। ଏଥିରେ ଭୟଭୀତ ହୋଇ ସମ୍ପୃକ୍ତ ମହିଳା ଜଗାଙ୍କ ନିକଟକୁ ଆସିଥିଲେ। ଜଗା ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଫୋନ୍ ଯୋଗେ ତାଙ୍କ ବ୍ୟବହାର ଠିକ୍ ନୁହେଁ ଏବଂ ଏପରି କାର୍ଯ୍ୟ ନ କରିବା ଆବଶ୍ୟକ ବୋଲି କହିଥିଲେ। ହେଲେ ସେହି ସମୟରେ ଶ୍ରୀ ସାହୁ ଦେଇଥିବା ବୟାନ ପୂର୍ବତନ କର୍ପୋରେଟରଙ୍କୁ ବାଧିଥିଲା। ଏହାର କିଛି ସମୟ ପରେ ହିଁ ଘଟଣା ଘଟିଛି। ଏଣୁ ଏ ଦୁଇ ଘଟଣା ଯେ ପରସ୍ପର ସମ୍ପୃକ୍ତ ତାହା କହିବା ଅନାବଶ୍ୟକ।
ସ୍ୱଚ୍ଛ ସାଥୀଙ୍କ ଉପରେ କଟକଣା
ତେବେ ସ୍ୱଚ୍ଛ ସାଥୀ ମାମଲାର କେନ୍ଦ୍ରକୁ ଆସିବା ପଛରେ କାରଣ ହେଉଛି ବିଜେପିର ବିଭିନ୍ନ ସମାବେଶରେ ଆବଶ୍ୟକ ଲୋକଙ୍କ ଅଭାବ। ବାସ୍ତବରେ ଏହି ସ୍ୱଚ୍ଛ ସାଥୀମାନେ ହିଁ କୌଣସି ସଭାସମିତିରେ ବଡ଼ ସ୍ଥାନ ଗ୍ରହଣ କରନ୍ତି। ବିଏମ୍ସି ପକ୍ଷରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ ଯୋଗ ଦେବାକୁ ବୁହାଯାଇଥାଏ। ଯଦି ସେମାନେ ନ ରହିବେ ତେବେ ଅଧାରୁ ଅଧିକ ଆସନ ଖାଲି ପଡ଼ିବା ଥୟ। ନିକଟରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ସ୍ୱଚ୍ଛ ସାଥି ଓ ମିଶନ ଶକ୍ତି ମହିଳାମାନଙ୍କୁ ସଭା ସ୍ଥଳରେ ପହଞ୍ଚିବାରେ ବାରଣ କରିଥିଲେ ବିଏମ୍ସି ଅଧିକାରୀ ଶ୍ରୀ ସାହୁ। ଏହା ଶ୍ରୀ ପ୍ରଧାନ ଓ ବିଜେପି କର୍ମୀଙ୍କୁ ବଡ଼ ଧକ୍କା ଦେଇଥିଲା।
ଏଣୁ ସେମାନେ ଏହି କାର୍ଯ୍ୟରେ ରାଜନୀତି ନ କରି ତୁରନ୍ତ ସହାୟତା କରିବାକୁ ରତ୍ନାକରଙ୍କୁ କହିବା ଲାଗି ଜଗାଙ୍କୁ ପ୍ରବର୍ତ୍ତାଇଥିଲେ। ହେଲେ ଜଗା ଯେତେବେଳେ ଫୋନରେ ଏ ବିଷୟ ଠାଇଥିଲେ ସେତେବେଳେ ତାଙ୍କୁ ଏହାର ଠିକ୍ ଜବାବ ନ ଦେଇ ବିଜେଡିର କର୍ମୀ ଭଳି ଉତ୍ତର ଦେଇଥିବା ଅଭିଯୋଗ କରିଛନ୍ତି ଜଗା। ଯଦି ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ କୌଣସି ଅଧିକାରୀ ତାଙ୍କ ପାଖକୁ ଆସୁଥିବା ବ୍ୟକ୍ତି ବା ତଳିଆ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଅନୁଚିତ ତେବେ ଏ ମହାଶୟ ବିଜେଡିର ଏଜେଣ୍ଟ ଭଳି କାହିଁକି କାର୍ଯ୍ୟ କରୁଛନ୍ତି ବୋଲି ଜଗା ପ୍ରଶ୍ନ କରିଛନ୍ତି।
ଉତ୍ସାହିତ ବିଜେଡି
ଏ ଘଟଣାକୁ ନେଇ ବିଜେଡି ଉତ୍ସାହିତ ହୋଇଛି। ଗତକାଲି ସନ୍ଧ୍ୟାରେ ଜନପଥରେ ଧାରଣା ସହ ଆଜି ବି ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ଖାଲି ସେତିକି ନୁହେଁ ଆଜି ଟିଭି, ସୋଶାଲ୍ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ତାହାକୁ ବି ବିଜେଡି ମିଡିଆ ସେଲ ତାଙ୍କ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଯୋଗେ ସମସ୍ତ ଗଣମାଧ୍ୟମକୁ ପଠାଇଛନ୍ତି। ଯେ ପର୍ଯ୍ୟନ୍ତ ଏ ଭିଡିଓ ଆସି ନ ଥିଲା ସେ ଯାଏ ଘଟଣାର ରୂପ ଅନ୍ୟପରି ଥିଲା। ସେତେବେଳେ ସମ୍ପୃକ୍ତ ଅଧିକାରୀ ଶ୍ରୀ ସାହୁ ମଧ୍ୟ ଗଣମାଧ୍ୟମରେ ଏ ବିଷୟକୁ କହିବା ଲାଗି କୁଣ୍ଠିତ ହେଉଥିଲେ। ହେଲେ ସନ୍ଧ୍ୟାବେଳକୁ ତାଙ୍କ ମନରେ ଅନେକ ସାହସ ଏକାଠି ହୋଇଥିଲା। ଅଫିସର ସଂଘ ତାଙ୍କୁ ସହାୟତା ଦେଇଥିଲେ। ଏହି ହେତୁ ଆଜି ଅଧିକାରୀମାନେ କାମ ବନ୍ଦ ଆନ୍ଦୋଳନ କରିଛନ୍ତି। ଅଫିସରଙ୍କ ଏକତାକୁ ଏହା ପ୍ରମାଣିତ କରୁଛି। କୌଣସି ଗୁଣ୍ଡାରାଜ ବିରୁଦ୍ଧରେ ସରକାରୀ କଳ ଯେ ବିଫଳ ତାହାକୁ ପ୍ରମାଣିତ କରୁଛି।
କିନ୍ତୁ ବିଏମ୍ସି ଏକ ସ୍ୱାୟତ୍ତ ସଂସ୍ଥା। ଏଠାରେ ସୁରକ୍ଷା କାର୍ଯ୍ୟ ନିର୍ବାହ କରିବା ପାଇଁ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି। କିନ୍ତୁ ସେମାନେ କୁଆଡ଼େ ଗଲେ? ତାଙ୍କୁ ଏ ଘଟଣାରେ ହସ୍ତକ୍ଷେପ ନ କରିବାକୁ କୁହାଯାଇଥିଲା କି?
ଦ୍ୱିତୀୟରେ ଏ ଯେଉଁ ଭିଡିଓ ଉତ୍ତୋଳନ କରାଯାଉଥିଲା ତାହା କିଏ କରିଛି? ଜଣେ ମାଡ଼ ଖାଉଥିବା ଅଧିକାରୀଙ୍କୁ ବଞ୍ଚାଇବା ବଦଳରେ ତାହାକୁ ଭିଡିଓ ସୁଟ୍ କରି ଗଣମାଧ୍ୟମକୁ ବାଣ୍ଟିବା ଏହା ରାଜନୀତିକ ଚକ୍ରାନ୍ତର ଅଂଶ ବିଶେଷ ନୁହେଁ ତ?
ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ
ଏ ରାଜନୀତି କେବଳ ବିଜେପି ବିରୁଦ୍ଧରେ ବିଜେଡିର ତା’ ନୁହେଁ। ଏ ରାଜନୀତି ଏବେ ବିଜେପି ଭିତରେ ମଧ୍ୟ ପ୍ରଜ୍ୱଳିତ ହେଉଛି। ସାଂସଦ ଅପରାଜିତ ପରୋକ୍ଷରେ ଜଗନ୍ନାଥ ପ୍ରଧାନଙ୍କୁ ନିଶାଣ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପ୍ରିୟ ଧାଡ଼ିକୁ ଉଚ୍ଚାରଣ କରି ସେ କହିଛନ୍ତି ‘ ଭାବୁଛି ଆଇନ ତା’ ବାଟରେ ଯିବ! ଶିଷ୍ଟାଚାର ଓ ଶୃଙ୍ଖଳା ବିନା ବିକାଶ ସମ୍ଭବ ନୁହେଁ’’। ଏହା ମୋହନ ମାଝୀଙ୍କ ସରକାରଙ୍କୁ ଏକ ଶାଣିତ ଆକ୍ରମଣ। ଏହାଦ୍ୱାରା ବିଜେପି ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ସାମ୍ନାକୁ ଆସିଛି। ଏକଦା ଜଗନ୍ନାଥଙ୍କୁ ବିଜେଡିକୁ ଯିବାରୁ ବାରଣ କରିଥିବା ନେତ୍ରୀ ହେଉଛନ୍ତି ଅପରାଜିତା। ହେଲେ ଏ ଅନ୍ତର୍ଦ୍ୱନ୍ଦ୍ୱରେ ସେ କାହିଁକି ଜଗାଙ୍କୁ ନିଶାଣ କଲେ?
ଅନ୍ତର୍ଦ୍ୱନ୍ଦ୍ୱର ମୂଳ କାରଣ ହେଉଛି ଅପରାଜିତା ବନାମ ଧର୍ମେନ୍ଦ୍ର ଯୁଦ୍ଧ। ଆପଣ ସମସ୍ତେ ଜାଣନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ପୁରୁଖା, ଅଭିଜ୍ଞ ରାଜନେତା। ଆଉ ତାଙ୍କର ଅପରାଜିତାଙ୍କ ସହ ରାଜନୀତି ସମ୍ପର୍କ ଭଲ ନାହିଁ। କ୍ଷମତା ରାଜନୀତିର ତରାଜୁରେ ଅପରାଜିତା ଚାହାନ୍ତି ନିଜ ଓଜନକୁ ଭାରି କରିବା ଲାଗି। କିନ୍ତୁ ଦୀର୍ଘ ଦିନ ହେଲା କ୍ଷମତାକୁ ଉପଭୋଗ କରୁଥିବା ଧର୍ମେନ୍ଦ୍ର ଏହା କୁଆଡ଼େ ଚାହୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ଧର୍ମେନ୍ଦ୍ରଙ୍କ ଅନୁଗାମୀ ଭାବେ ଜଗାଙ୍କୁ ନିଶାଣ କରିଥାଇପାରନ୍ତି ଅପରାଜିତା।
ଏଭଳି ରାଜନୀତିକ ସମୀକରଣ ଭିତରେ ଅଫିସରଙ୍କ ସୁରକ୍ଷା, ସ୍ୱଚ୍ଛତା କର୍ମଚାରୀଙ୍କ ଅଧିକାର ରକ୍ଷା କେତେ ଗୁରୁତ୍ୱ ପାଇବ, ତାହା ଆପଣ ବିଚାର କରିବେ।
Also readhttps://purvapaksa.com/is-kv-moving-away-or-is-he-being-pushed-away/
Is KV moving away or is he being pushed away? ।। କେଭି ଦୂରଉଛନ୍ତି ନା ତାଙ୍କୁ ଦୂରେଇ ଦିଆଯାଉଛି
