ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପୈତୋଙ୍ଗତାର୍ନ ଶିନାୱାତ୍ରାଙ୍କୁ ନିଲମ୍ବିତ କରାଯାଇଛି। ଦେଶର ସାମ୍ବିଧାନିକ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ନିଲମ୍ବନ କରିବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛି। କମ୍ବୋଡ଼ିଆ ସହ କୂଟନୈତିକ ବିବାଦ ପରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ରାଜନୀତିକୁ ବେଶ ସରଗରମ କରିଛି। ଥାଇଲ୍ୟାଣ୍ଡର ମିଡ଼ିଆ ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତି ଏକ ଲିକ୍ ହୋଇଥିବା ଟେଲିଫୋନ କଲ୍ ମାମଲାରେ ଆସିଛି, ଯେଉଁଥିରେ ସେ(ଥାଇ ପ୍ରଧାନମନ୍ତ୍ରୀ) କମ୍ବୋଡ଼ିଆ ସହ ସୀମା ବିବାଦରେ ନିଜର ଭୂମିକାରେ କଥିତ ଭାବେ ପ୍ରଧାନମନ୍ତ୍ରୀ ପଦର ନୈତିକତାର ଉଲ୍ଲଙ୍ଘନ କରିଛନ୍ତି। ଥାଇଲ୍ୟାଣ୍ଡର ସାମ୍ବିଧାନିକ ନ୍ୟାୟାଳୟ ୭-୨ ବହୁମତରେ ନିଷ୍ପତ୍ତି ନେଇ କହିଛି ଯେ, “ସାମ୍ବିଧାନିକ ନ୍ୟାୟାଳୟ ବହୁମତରେ ନିଷ୍ପତ୍ତି ନେଇ ଜୁଲାଇ ୧ ତାରିଖରୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରୁଛି, ଯେପର୍ଯ୍ୟନ୍ତ ନ୍ୟାୟାଳୟ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ନ ଶୁଣାଇ ଦିଏ।”
ସୂଚନାଯୋଗ୍ୟ ଯେ, ଏହି ସମ୍ପୂର୍ଣ୍ଣ ବିବାଦ ମେ ୨୦୨୫ରେ ଥାଇଲ୍ୟାଣ୍ଡ ଓ କମ୍ବୋଡ଼ିଆ ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷ ପରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଜଣେ କମ୍ବୋଡ଼ିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ପୈତୋଙ୍ଗତାର୍ନ କମ୍ବୋଡ଼ିଆର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ହୁନ ସେନଙ୍କୁ ଫୋନ କରିଥିଲେ, ଯିଏ ଏବେ ମଧ୍ୟ ଦେଶର ରାଜନୀତିରେ ଶକ୍ତିଶାଳୀ ବ୍ୟକ୍ତି ଭାବେ ଗଣାଯାଆନ୍ତି। ନିକଟରେ ସେହି ଟେଲିଫୋନ କଲ୍ର ଏକ ରେକର୍ଡିଂ ଲିକ୍ ହୋଇଥିଲା, ଯେଉଁଥିରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପୈତୋଙ୍ଗତାର୍ନ ହୁନ ସେନଙ୍କୁ “ଅଙ୍କଲ” ବୋଲି ସମ୍ବୋଧନ କରିଥିଲେ ଏବଂ ଥାଇଲ୍ୟାଣ୍ଡ ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିଜର “ବିରୋଧୀ” ବୋଲି କହିଥିଲେ। ତାଙ୍କର ଏହି ବୟାନ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସଂସଦରେ ବସିଥିବା ରୁଢ଼ିବାଦୀ ସାଂସଦମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା।
ଥାଇ ସଂସଦର ଏକ ଗୋଷ୍ଠୀ, ଯାହାକୁ ସେନାର ନିକଟବର୍ତୀ ବୋଲି ଗଣାଯାଏ, ସେମାନେ ଏହି ଲିକ୍ ହୋଇଥିବା କଲ୍କୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକ ଆବେଦନ ଦାୟର କରିଥିଲେ। ସେମାନଙ୍କ ଅଭିଯୋଗ ହେଉଛି ଯେ ପ୍ରଧାନମନ୍ତ୍ରୀ ଏହି ସମ୍ବେଦନଶୀଳ ମାମଲାରେ କମ୍ବୋଡ଼ିଆ ଆଗରେ ମୁଣ୍ଡନୋଇଁବା ସଙ୍କେତ ଦେଇଛନ୍ତି ଏବଂ ସେନାକୁ ସାର୍ବଜନୀନ ଭାବେ ଅପମାନିତ କରିଛନ୍ତି, ଯାହା ସଂବିଧାନରେ ଉଲ୍ଲିଖିତ ମନ୍ତ୍ରୀ ପଦର “ନୈତିକ ମର୍ଯ୍ୟାଦା” ଓ “ସ୍ପଷ୍ଟ ସଚ୍ଚୋଟତା”ର ମାନଦଣ୍ଡ ସହ ଖାପ ଖାଉନାହିଁ। ଏହି ସାଂସଦମାନଙ୍କ ଯୁକ୍ତି ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଆଚରଣ ଥାଇଲ୍ୟାଣ୍ଡର ଜାତୀୟ ସୁରକ୍ଷା, ବୈଦେଶିକ ନୀତି ଓ ସୈନ୍ୟ ପ୍ରତିଷ୍ଠାନର ଗୌରବକୁ କ୍ଷତି ପହଞ୍ଚାଇଛି।
ପ୍ରଧାନମନ୍ତ୍ରୀ ଶିନାୱାତ୍ରା ବର୍ତ୍ତମାନ ସୁଦ୍ଧା କୌଣସି ସାର୍ବଜନୀନ ବୟାନ ଦେଇନାହାନ୍ତି, କିନ୍ତୁ ତାଙ୍କର ମୁଖପାତ୍ର ଏକ ପ୍ରେସ ବ୍ରିଫିଂରେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କର ଉଦ୍ଦେଶ୍ୟ ଥିଲା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଓ ଅନାବଶ୍ୟକ ସଂଘର୍ଷକୁ ଏଡ଼ାଇବା। ସେ କୌଣସି ଅନାପତ୍ତିଜନକ ବୟାନ ଦେଇନାହାନ୍ତି। କଲ୍ ଲିକ୍ ହେବା ଓ ଏହାକୁ ଭୁଲ ଭାବେ ପ୍ରଚାର କରାଯାଉଛି, ଯାହା ପ୍ରଧାନମନ୍ତ୍ରୀଙ୍କୁ ବେଶ ଆଘାତ ଦେଇଛି।” ମୁଖପାତ୍ର ଆଗକୁ କହିଛନ୍ତି ଯେ ନ୍ୟାୟାଳୟର କାର୍ଯ୍ୟକ୍ରମର ସମ୍ମାନ କରି ପ୍ରଧାନମନ୍ତ୍ରୀ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ଶିନାୱାତ୍ରା ପୂର୍ବତନ ପ୍ରଧାନମନ୍ତ୍ରୀ ଥାକ୍ସିନ ଶିନାୱାତ୍ରାଙ୍କ ଝିଅ। ଥାକ୍ସିନଙ୍କୁ ୨୦୦୬ର ସାମରିକ ବିଦ୍ରୋହ ପରେ କ୍ଷମତା ଛାଡ଼ିବାକୁ ପଡ଼ିଥିଲା ଓ ତାପରେ ତାଙ୍କ ପରିବାର ଥାଇଲ୍ୟାଣ୍ଡ ରାଜନୀତିରେ ନିରନ୍ତର ବିବାଦରେ ରହିଆସିଛି। ପ୍ରଧାନମନ୍ତ୍ରୀ ଶିନାୱାତ୍ରାଙ୍କ ସରକାରକୁ ମଧ୍ୟ ଆରମ୍ଭରୁ ସେନା ଓ ରୁଢ଼ିବାଦୀ ଶକ୍ତିମାନଙ୍କର ବିରୋଧର ସାମ୍ନା କରିବାକୁ ପଡ଼ିଛି। ରାଜନୈତିକ ବିଶ୍ଳେଷକଙ୍କ ମତ ଯେ, ଏହି ନିଲମ୍ବନ କେବଳ ଏକ ଆଇନଗତ ମାମଲା ନୁହେଁ, ବରଂ ଏହା କ୍ଷମତା ସଂଘର୍ଷର ଏକ ଅଂଶ, ଯେଉଁଥିରେ ସେନା ସମର୍ଥିତ ପ୍ରତିଷ୍ଠାନ ପୁଣିଥରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି।
Also read https://purvapaksa.com/donald-threatens-elon-musk-over-one-big-beautiful-bill-issue/
