ରାଜ୍ୟର ତୃତୀୟ ଅନୁସୂଚିତ ଜନଜାତି ମୁଖ୍ୟମନ୍ତ୍ରୀ। ବିଜେପି ସରକାରର ପ୍ରଥମ ଟ୍ରମ୍ପ କାର୍ଡ ଏବେ ଚକ୍ରବ୍ୟୁହରେ। ଗୋଟିଏ ପଟେ ପାରମ୍ପରିକ କ୍ଷମତା କେନ୍ଦ୍ର ସାଜିଥିବା ଖଣ୍ଡାୟତ-କରଣ ନେତାଙ୍କ ଇନ୍ଦ୍ରଜାଲ ଆଉ ଅନ୍ୟପଟେ ଅଫିସରମାନଙ୍କ ଫିକର ଫନ୍ଦି ଭିତରେ ଅଭିମନ୍ୟୁ ସାଜିଛନ୍ତି ମୋହନ ଚରଣ ମାଝୀ। ୧୩ ମାସର ଶାସନ ଭିତରେ ମୋହନଙ୍କ ସଫଳତା କହିଲେ କେବଳ କିଛି ବିବାଦ, ନିରୀହ ଦେଖାଇବାର ବୟାନ ଏବଂ ଆଉ ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ବିଫଳତାର ଅନେକ ଉଦାହରଣ ଛଡ଼ା ଆଉକିଛି ହୋଇନପାରେ। ଏହି ସମୟରେ ଓଡ଼ିଶାର ସବୁଠାରୁ ବଡ଼ ଇଭେଣ୍ଟ ରଥଯାତ୍ରାକୁ ପରିଚାଳନା କରିବାରେ ବିଫଳତା ଆଗକୁ ତାଙ୍କ ସ୍ଥିତିକୁ କେମିତି ଉପସ୍ଥାପନ କରିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶ୍ରୀଜଗନ୍ନାଥଙ୍କ ନ’ ଦିନର ଯାତ୍ରା ଅନେକ ପୁରୁଣା। ପୁରୀ ସ୍ଥାପନ ହେବା ଦିନଠାରୁ ଏହି ଯାତ୍ରା ଚାଲି ଆସିଛି। ଏଥିରେ ଅନେକ ପରିବର୍ତ୍ତନ ହୋଇଛି ସତ, କିନ୍ତୁ ଭାବ, ଭକ୍ତି, ପରମ୍ପରା ସବୁକିଛି ସମାନ ରହିଛି। ତଥାପି ଚଳିତ ବର୍ଷ ରଥଯାତ୍ରାର ଦୁଇଦିନ ଏତେ ବିବାଦ ଭିତରକୁ ଟାଣି ହୋଇଛି ଯେ ଇତିହାସ ହୋଇଯାଇଥିବା କିଛି ଘଟଣା ପୁଣି ରୂପାନ୍ତରିତ ହୋଇଛି। ଘଟଣାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସତ କିନ୍ତୁ ଏହା କେବେ ସରକାରଙ୍କ ଉପରେ ଆସ୍ଥା ରକ୍ଷା କରିବାରେ ସମର୍ଥ ହୋଇପାରିନାହିଁ। ପ୍ରଶ୍ନ ଉଠୁଛି- ଯଦି ୧୩ ମାସ ଭିତରେ ପ୍ରଶାସନକୁ ନିୟନ୍ତ୍ରଣ କରିପାରିଲେନି ତେବେ ବିଜେପି କି ଶାସନ କରିବ? ବର୍ଷ ପୁରୁଣା ପରମ୍ପରା ବିଶୃଙ୍ଖଳିତ ହେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି?
ମୁଖ୍ୟମନ୍ତ୍ରୀ ତ କ୍ଷମା ମାଗିଲେ କିନ୍ତୁ ଯେଉଁ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶୃଙ୍ଖଳା ରକ୍ଷାର ଦାୟିତ୍ୱରେ ଥିଲେ ସେମାନେ ଚୁପ୍ କାହିଁକି? ଯଦି ପୁରୀ ସହରରେ ୨୦୦ରୁ ଅଧିକ ଏଆଇ ସଂଯୁକ୍ତ ସିସିଟିଭି ଲଗାଯାଇଥିଲା ତେବେ ଭିଡ଼ ଜାଣିପାରିଲା ନାହିଁ କେମିତି ପ୍ରଶାସନ? ଏ ପ୍ରଶ୍ନଗୁଡ଼ିକ ସରକାର ଓ ସରକାରକୁ ନିୟନ୍ତ୍ରଣ କରୁଥିବା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ସିଧାସଳଖ ରହିବା ଆବଶ୍ୟକ। ମୁଁ ଏଗୁଡ଼ିକର ଯଥାର୍ଥତାକୁ ଏବେ ବିନ୍ଦୁ ପରେ ବିନ୍ଦୁ ଆପଣଙ୍କ ସାମ୍ନାରେ ରଖିବାକୁ ଚାହିଁବି।
ପ୍ରଥମେ ଘଟଣା ସମ୍ବନ୍ଧରେ ଆପଣଙ୍କୁ ସୂଚନା ଦିଏ। ଆପଣ ଜାଣିଥିବେ ଗତକାଲି ସକାଳେ ରଥ ପାଖରେ ଦର୍ଶନ କରିବାକୁ ଅପେକ୍ଷା କରିଥିବା ଭକ୍ତଙ୍କ ଭିତରେ ଦଳାଚକଟା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ଏକ ଅକ୍ଷମଣୀୟ ଅପରାଧ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। କିଛି ସମୟ ପରେ ପୁରୀର ଜିଲ୍ଲାପାଳ, ଏସ୍ପିଙ୍କୁ ବଦଳି କରାଯାଇଥିଲା। ରଥ ଦାୟିତ୍ୱରେ ଥିବା ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଦାୟିତ୍ୱରୁ ଅପସାରଣ କରାଯାଇଥିଲା। କିନ୍ତୁ ରଥରେ ଶୃଙ୍ଖଳା ରକ୍ଷା ପାଇଁ ଗଠନ କରାଯାଇଥିବା କମିଟି ବିରୁଦ୍ଧରେ କୌଣସି ପ୍ରଶ୍ନ ପଚରା ଯାଇନଥିଲା।
ଚଳିତ ବର୍ଷର ରଥ ଯାତ୍ରାକୁ ଅତ୍ୟନ୍ତ ସ୍ମରଣୀୟ କରିବା ଲାଗି ୫ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲା। ହେଲେ କମିଟିର ଅଧ୍ୟକ୍ଷ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ସଦସ୍ୟ ମନ୍ତ୍ରୀ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଏହି ଦୁର୍ଘଟଣାରୁ ଦୂରରେ ରଖାଯାଇଛି। ସରକାରଙ୍କ ଏପରି ଆଚରଣ ସ୍ପଷ୍ଟ କରୁଛି ଯେ କେବଳ ଶ୍ରେୟ ପ୍ରଦାନ କରିବାକୁ ଏହି କମିଟି ଗଠନ କରାଯାଇଥିଲା।
ରାଜନୀତିକ ଦୃଷ୍ଟିକୋଣକୁ ଦେଖିଲେ ଏଥିରେ ଏକ ଷଡ଼ଯନ୍ତ୍ର ସ୍ପଷ୍ଟ ବାରି ହେଉଛି। ଆଉ ଏ ଷଡ଼ଯନ୍ତ୍ର ମୂଳରେ ରହିଛି ଗୋଷ୍ଠୀବାଦ। ଓଡ଼ିଶା ବିଜେପିରେ ଯେଉଁ ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ର କରି ଗୋଷ୍ଠୀବାଦ ସୃଷ୍ଟି ହୋଇଛି, ସେଥିରେ ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ସମେତ ଅନେକ ସଦସ୍ୟ ସେହି ବ୍ୟକ୍ତିଙ୍କ ସପକ୍ଷବାଦୀ ଭାବେ ପରିଚିତ। ଆଉ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅନୁସୂଚିତ ଜନଜାତି ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ପସନ୍ଦ କରନ୍ତି ନାହିଁ ବୋଲି ଚର୍ଚ୍ଚା ହୁଏ। ପୁଣି ମନ୍ତ୍ରିମଣ୍ଡଳରେ ତାଙ୍କ ସମର୍ଥନରେ ଥିବା ଅଧିକାଂଶ ମନ୍ତ୍ରୀ ଖଣ୍ଡାୟତ ବା ଏସ୍ଇବିସି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଆହୁରି ମଧ୍ୟ ସମ୍ପୃକ୍ତ ବ୍ୟକ୍ତି କେନ୍ଦ୍ରୀୟ ନେତାଙ୍କ ସମର୍ଥନ ଅଭାବରୁ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବା କୁହାଯାଏ। ଏଣୁ କୌଣସି ବଡ଼ ସୁନାମ ଯେମିତି ମୋହନ ପାଇ ନ ଯିବେ ସେଥିଲାଗି ତାଙ୍କ ଗୋଷ୍ଠୀ ମନ୍ତ୍ରିମଣ୍ଡଳ ବାହାରେ ସବୁବେଳେ ଉଦ୍ୟମ କରୁଥିବା ଚର୍ଚ୍ଚା ହୁଏ।
ଏହି ଗୋଷ୍ଠୀ କନ୍ଦଳହିଁ ରାଜ୍ୟ ଶାସନରେ ବିଜେପିର ଲୋକପ୍ରିୟତାକୁ ହରାଉଛି। ପୁଣିଥରେ ବିରୋଧୀ ଦଳ ନେତାଙ୍କ ଶାସନ କାଳକୁ ମନେପକାଇ ଦେଉଛି। ସେ ସମୟରେ ଅମଲାଙ୍କ ଶାସନ ଚାଲୁଥିବା ଅଭିଯୋଗ ହେଉଥିଲା। ଜଣେ ଅଫିସରଙ୍କ ମାଧ୍ୟମରେ ଶାସନ ପରିଚାଳନା କରାଯାଉଥିଲା ଏବଂ କୌଣସି ଲୋକପ୍ରତିନିଧିଙ୍କୁ ସାମ୍ନାକୁ ଆସିବା ପାଇଁ ସୁଯୋଗ ମିଳୁନଥିଲା। ତଥାପି ତାହା ଶୃଙ୍ଖଳିତ ଥିବା କିଛି ସୋଶାଲ୍ ମିଡିଆରେ ଏବେ ଚର୍ଚ୍ଚା କରୁଛନ୍ତି। ଅବଶ୍ୟ ୨୦୦୮, ୨୦୧୨, ୨୦୧୫ ରଥଯାତ୍ରା ସମୟରେ ଦଳା ଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ୨୦୧୫ ପରେ ଯେଉଁ ୮ଟି ରଥଯାତ୍ରାକୁ ବିଜେଡି ସରକାର ପରିଚାଳନା କରିଥିଲା ସେଥିରେ ସେମିତି ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇନଥିଲା। ହେଲେ ବିଜେପି ସରକାର କ୍ଷମତାକୁ ଆସୁ ଆସୁ ରଥଯାତ୍ରାରେ ଅଘଟଣ ଘଟିବା ଆରମ୍ଭ ହୋଇଛି।
ପ୍ରଥମ ବର୍ଷ ଅର୍ଥାତ୍ ୨୦୨୪ ରଥଯାତ୍ରା ସମୟରେ ପହଣ୍ଡି ସମୟରେ ବଳଭଦ୍ର ଖସିପଡ଼ିବା ସମଗ୍ର ଜାତିକୁ ବିଶ୍ୱଦରବାରରେ ନିନ୍ଦିତ କରିଥିଲା। ଆଉ ୨୦୨୫ ରଥଯାତ୍ରା ଆରମ୍ଭରୁ ଦଳାଚକଟାରେ ଲୋକଙ୍କ ପ୍ରାଣ ଯିବା ଆମର ୧୦ ବର୍ଷର ତପସ୍ୟାକୁ ଶୁଖୁଆପୋଡ଼ାରେ ନଷ୍ଟ କରିଛି।
ରାଜନୀତିକ ଦୃଷ୍ଟିକୋଣ ବାଦ୍ ଆଉ ଏକ କାରଣ ଯାହା ସରକାରକୁ ମଞ୍ଜରୁ ଖାଉଛି ତାହା ହେଲେ ଅମଲାଙ୍କ ଅନାସ୍ଥା। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅଫିସର ଓ ମନ୍ତ୍ରିମଣ୍ଡଳ ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ଅଫିସରଙ୍କ ଉପରେ ଅନାସ୍ଥା ତଥା ଅଫିସରଙ୍କ ମନ୍ତ୍ରିମଣ୍ଡଳ ଉପରେ ଅବିଶ୍ୱାସ ବ୍ୟବସ୍ଥାକୁ ପଙ୍ଗୁ କରୁଛି। ଯାହାର ଫଳ ସାଧାରଣ ଲୋକକୁ ଭୋଗିବାକୁ ପଡ଼ୁଛି। କେବଳ ରଥଯାତ୍ରା ପରିଚାଳନା ନୁହେଁ, କୌଣସି କ୍ଷେତ୍ରରେ ରାଜ୍ୟ ଆଗକୁ ବଢ଼ିପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ହେଉଛି। କେନ୍ଦ୍ରୀୟ ନିଷ୍ପତ୍ତିକୁ ଅପେକ୍ଷା କରୁଥିବା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ନିଷ୍ପତ୍ତିକୁ ଭୁଲି ଯାଉଥିବା ଅଭିଯୋଗ ହେଉଛି।
ରଥଯାତ୍ରା ଏକ ନୂଆ ପରମ୍ପରେ ନୁହେଁ। ପିଢ଼ି ପରେ ପିଢ଼ି ଏହାକୁ ପାଳନ କରାଯାଇ ଆସୁଛି। ଶୃଙ୍ଖଳା ରକ୍ଷା ଲାଗି ଏତେ ବ୍ୟବସ୍ଥା କରାଯାଉଛି। କିନ୍ତୁ କାହିଁକି ଶୃଙ୍ଖଳିତ ହୋଇପାରୁନି ଦର୍ଶନ। ଏଥର ତ ସେବାୟତଙ୍କ ଉପରେ ଦୋଷ ଦେଇ ସରକାର ଖସିପାରିବେ ନାହିଁ। କାରଣ ଘଟଣା ଦିନ ପୁଲିସ ଉପସ୍ଥିତ ଥିଲେ ଆଜି ଏ ଅବ୍ୟବସ୍ଥା ଘଟି ନ ଥାଆନ୍ତା। ଶ୍ରୀଜୀଉଙ୍କ ପହଡ଼ ହୋଇଗଲେ ଯେ ପୁରୀ ସହର ଶୋଇଯିବ ସେ କଥାକୁ ସରକାର ଏବଂ ପୁଲିସ ପ୍ରଶାସନ ଭୁଲିଯିବା ଉଚିତ। କାରଣ ଠାକୁର ରଥ ଉପରେ ରହିଲେ ସବୁଆଡ଼ୁ ବିପଦ ରହିଛି। ଭକ୍ତଙ୍କ ଦର୍ଶନ କରିବାର ଉତ୍କଣ୍ଠା ରହିଛି, ସେବାୟତଙ୍କ ବ୍ୟବସାୟ କରିବାର ଆଗ୍ରହ ବି ରହିଛି। ଏଣୁ ସତର୍କତା ଆପଣାଇବା ବଦଳରେ ପୁଲିସ ଟିମ୍କୁ ଛୁଟି ଦେବା କେତେ ଯୁକ୍ତିଯୁକ୍ତ?
ଏସବୁ ପ୍ରମାଣିତ କରୁଛି ଯେ, ସରକାରଙ୍କୁ ବର୍ଷେ ପୂରି ଦୁଇବର୍ଷ ହେଲାଣି କିନ୍ତୁ ସରକାର ଏଯାଏ ଅଧିକାରୀ ଓ ପୁଲିସ ପ୍ରଶାସନ ଉପରେ ନିୟନ୍ତ୍ରଣ ଆଣିପାରି ନାହାନ୍ତି। କିଛି ପ୍ରଶାସକ ଏଯାଏ ସରକାରଙ୍କୁ ‘କାମକୁ ନୁହେଁ’ ବୋଲି ଦର୍ଶାଇବାକୁ ପଣ କରିଛନ୍ତି। ଏମାନଙ୍କୁ ସାବାଡ଼ କରିବା ପାଇଁ ବି ସରକାର ସମର୍ଥ ହୋଇପାରୁ ନାହାନ୍ତି ତାହାର କାରଣ ଭିତରେ ରହିଛି ସରକାରରେ ଆତ୍ମ ବିଶ୍ୱାସର ଅଭାବ। ଗୋଟିଏ ପଟେ କ୍ଷମତା ଲୋଭ, କେନ୍ଦ୍ରର ଅହେତୁକ ହସ୍ତକ୍ଷେପ ଏବଂ ଗାଷ୍ଠୀ କନ୍ଦଳ ଭିତରେ ମୋହନ ମାଝୀଙ୍କୁ ନେଇ ଯେଉଁ ‘ଲୋକଙ୍କ ସରକାର’ ପରିଚୟ ଦେବାକୁ ବିଜେପି ଚାହିଁଛି ତାହା ଦିନକୁ ଦିନ ଅପମାନିତ, ଅସହାୟ ହେବାକୁ ଲାଗିଛି। ଏଭଳି ପରିସ୍ଥିତି ଏକ ଆଇସିୟୁରେ ଥିବା ବ୍ୟକ୍ତି ସହ ସମାନ। ଏଣୁ ନେତା ଓ କର୍ମୀ ଏଭଳି ପରିସ୍ଥିତିରୁ ନିଜକୁ ଉଦ୍ଧାର କରିବାର ଆବଶ୍ୟକ ରହିଛି। ନ ହେଲେ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ଜନତାଙ୍କୁ ନକରାତ୍ମକ ହେବାକୁ କ୍ଷଣିକେ ଲାଗିବ ନାହିଁ।
