ମୋହନ ସରକାରଙ୍କୁ ଗାଳିଦେଲେ କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟରୁ ଯାଇ ଦିଲ୍ଲୀରେ ପହଞ୍ଚିଛି ଲାଣି ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା । ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ମୋହନଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା। ବୁଧବାର Xରେ ପୋଷ୍ଟ କରି ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା । ସରକାରଙ୍କ ଅପାରଗତା ପାଇଁ ରାଜ୍ୟରେ ପ୍ରତିଦିନ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଓଡ଼ିଶାର ଗୋପାଳପୁରରେ ୧୦ ଜଣ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଛାତ୍ରୀଙ୍କ ପ୍ରତି ହୋଇଥିବା ନିର୍ମମତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବନି । ଓଡ଼ିଶାରେ ପ୍ରତିଦିନ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ନିଜେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୪୪,୦୦୦ ମହିଳା ଏବଂ ଶିଶୁ ନିଖୋଜ ହୋଇଛନ୍ତି । ଏପରି ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ନ ଦେବା ହିଁ ମହିଳାଙ୍କ ବିରୋଧରେ ଏକ ଅତ୍ୟାଚାର ।’ ସେପଟେ ରାଜ୍ୟ କଂଗ୍ରେସ ମଧ୍ୟ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି।
କଣ ଥିଲା ଘଟଣା ?
ଏହି ଘଟଣାଟି ରବିବାର ସନ୍ଧ୍ୟା ସମୟରେ ଘଟିଥିଲା । ଛାତ୍ରୀ ଜଣକ ଏକ ଘରୋଇ ମେସ୍ରେ ଅନ୍ୟ ତିନି ଜଣ ମହିଳାଙ୍କ ସହିତ ରହୁଥିଲେ । ରଜ ପର୍ବ ଅବସରରେ ସେ ତାଙ୍କ ସହପାଠୀ ତଥା ପୁରୁଷ ବନ୍ଧୁଙ୍କ ସହ ସହିତ ଗୋପାଳପୁର ବେଳାଭୂମିକୁ ବୁଲି ଯାଇଥିଲେ । ସେଠାରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀ ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେମାନେ ଏକ ନିର୍ଜନ ସ୍ଥାନରେ ବସିଥିବାେବେଳେ ୧୦ ଜଣ ଯୁବକ ସେମାନଙ୍କ ପାଖକୁ ଆସି ତାଙ୍କ ପ୍ରେମିକଙ୍କୁ ବଳ ପୂର୍ବକ ଅଟକ ରଖିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ଏମାନଙ୍କ ମଧ୍ୟରୁ ଛଅ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଚାରି ଜଣ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରଯାଇଥିଲା। ଏହାସହ ୧୦ ଜଣ ଅଭିଯୁକ୍ତଙ୍କର ଡିଏନଏ ସାମ୍ପୁଲ ନିଆଯାଇଛି। ଏହାସହ ଅନେକ ଆପତ୍ତିଜନକ ସମାଗ୍ରୀ ସହିତ ଘଟଣାସ୍ଥଳରୁ ପୋଡା ସିଗାରେଟ୍ ଜବତ ହୋଇଛି, ଡିଏନଏ ପରୀକ୍ଷା ପାଇଁ ପ୍ରଥମେ ୬ ଅଭିଯୁକ୍ତଙ୍କର ନମୁନା ସଂଗ୍ରହ କରାଯାଇଛି, ପରେ ୪ ନାବାଳକଙ୍କୁ ଆଣିବା ପ୍ରକ୍ରିୟା କରାଯିବ, ପୀଡିତା ଓ ସମସ୍ତ ଅଭିଯୁକ୍ତଙ୍କର ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Also read https://purvapaksa.com/zia-musharraf-munir-why-does-america-need-pakistans-dictators/
