ଓଡ଼ିଶାରେ ବିଜେପି ସରକାର ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ଗଲା ଏକ ବର୍ଷର ଶାସନକୁ ଯଦି ଅନୁଶୀଳନ କରାଯାଏ ତେବେ ଏହା ଦୁର୍ବଳ, ଅପରିପକ୍ୱ ରାଜ୍ୟ ନେତୃତ୍ୱକୁ ସ୍ପଷ୍ଟ କରିଛି। ସବୁବେଳେ କେନ୍ଦ୍ରୀୟ ନେତାଙ୍କ ଉପରେ ନିଷ୍ପତ୍ତିକୁ ଛାଡ଼ି ରାଜ୍ୟ ନେତାମାନେ ଏ ସମୟକୁ ହନିମୁନ୍ ସମୟ ପରି ଅତିବାହିତ କରିଛନ୍ତି। ଫଳସ୍ୱରୂପ ରାଜ୍ୟରେ ଯେଉଁ ଅପରାଧି ସବୁ କିଛିବର୍ଷ ହେଲା ନିଖୋଜ ହୋଇଥିଲେ ତାହା ପୁଣି ଚେଇଁ ଉଠି ଲୋକଙ୍କ ନିଦ ହଜାଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା, ଆଇନ ଶୃଙ୍ଖଳା, ସରକାରୀ ଅଫିସରଙ୍କ ଦୁର୍ନୀତି ସବୁକିଛିରେ ଲୋକ ଦହଗଞ୍ଜ ହେଉଛନ୍ତି। ଗୋଟିଏ ଦୁଇଟି ଉଦାହରଣର ତ ପଦାକୁ ଆସିଛି ଆହୁରି ଅନେକ ପାଉଁଶ ତଳର ନିଆଁ ହୋଇ କୁହୁଳୁଛି। ଏହା କ’ଣ ମୋଦୀଙ୍କ ଶାସନ? ମୋଦୀଙ୍କ ଓଡ଼ିଶା ଆଗମନ ଅବସରରେ ଏ ପ୍ରଶ୍ନ ଓଡ଼ିଶାବାସୀଙ୍କ ମନରେ, ସମ୍ପୂର୍ଣ୍ଣ ଯୁକ୍ତି ଓ ତଥ୍ୟ ସହିତ।
ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ନାହିଁ। ଏ କଥା ବାରମ୍ବାର ପ୍ରମାଣିତ ହୋଇଛି, ବା ବିଜେପି ତରଫରୁ ଯେଉଁ ପଦକ୍ଷେପ ନିକଟ ଅତୀତରେ ନିଆଯାଇଛି ତାହା ଏହାକୁ ପ୍ରମାଣିତ କରୁଛି। ସେ ହିଁ ଏକମାତ୍ର ନେତା। କେନ୍ଦ୍ର ହେଉ ବା ରାଜ୍ୟ; ସବୁଠି ତାଙ୍କୁ ହିଁ ଶୀର୍ଷରେ ରଖୁଛି ବିଜେପି। ତାଙ୍କରି ନୀତି, ଆଦର୍ଶ ଏପରିକି ନେତା ଚୟନରେ ରାଜ୍ୟଚାଲୁଛି ବୋଲି ଏକ ଧାରଣା ଲୋକଙ୍କ ମନରେ ଜନ୍ମା ଯାଇଛି। ଓଡ଼ିଶାରେ ବି ସେଇ ସ୍ଥିତି। ଏଠାରେ ମନ୍ତ୍ରିମଣ୍ଡଳ ଚୟନ, ବିଭାଗ ବଣ୍ଟନ ଏପରିକି ସଚିବ ନିଯୁକ୍ତି ବି ମୋଦୀଙ୍କ ଅନୁସାରେ ହୋଇଛି ବୋଲି ଏକ ଧାରଣା ରାଜ୍ୟବାସୀଙ୍କ ମନରେ ଗଲା ଏକ ବର୍ଷ ହେଲା ମୋହନ ମାଝୀଙ୍କ ସରକାର ଓ ଶାସକ ଦଳ ରୋପଣ କରିଛନ୍ତି।
ଏହା କୌଣସି ଅପରାଧ ନୁହେଁ। ଇତିହାସରେ ଏମିତି ଅନେକଥର ହୋଇଛି। ବିଶେଷକରି କଂଗ୍ରେସ ଶାସନ ସମୟରେ ଏପରି ହେଉଥିଲା। ସେହିକ୍ରମରେ ଫଳାଫଳ କ’ଣ ହେଲା ତାହା ବି ଜାଣିବା ଦରକାର। ଆଉ ଓଡ଼ିଶାରେ ଗଲା ୧ ବର୍ଷର ଶାସନକୁ ଦେଖିଲେ ତାହା ଆଉଥରେ ପୁନରାବୃତ୍ତି ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ମୁଁ ଏଠାରେ ଲୋକଙ୍କୁ ପ୍ରଭାବିତ କରୁଥିବା କିଛି ବିଷୟ ଯାହା ନିକଟ ଅତୀତରେ ଉତ୍କଟ ହୋଇଛି ତାହାକୁ ଉଲ୍ଲେଖ କରିବାକୁ ଚାହିଁବି। ଏ ବିଷୟଗୁଡ଼ିକ ଭିତରେ ରହିଛି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ଜନସ୍ୱାସ୍ଥ୍ୟ ଓ ସୁଶାସନ। ଗଣତାନ୍ତ୍ରିକ ଦୃଷ୍ଟିକୋଣରୁ ଏସବୁକୁ ନିରନ୍ତର ଭାବେ ବିକଶିତ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। ଯେଉଁ ଦଳପ୍ରତି ଲୋକ ଭୋଟ୍ ଦେଇଛନ୍ତି ତାହାର କର୍ତ୍ତବ୍ୟ ସେହି ଦଳର ସରକାର ଠିକଣା ଡଙ୍ଗରେ ପେଳନ କରୁଛି କି? ଆସନ୍ତୁ କିଛି ଉଦାହରଣକୁ ଏଠାରେ ଉଲ୍ଲେଖ କରିବା।
ପ୍ରଥମେ ସରକାର ଗଠନ କଥା। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ମୁଁ ସେ ପ୍ରତିଶ୍ରୁତି ବିଷୟକୁ ଯିବାକୁ ଚାହୁଁ ନାହିଁ, କାରଣ ଏ ବିଷୟରେ ପୂର୍ବରୁ ଆଲୋଚନା କରିଛି। ଯେଉଁ ବିଷୟକୁ ଆଲୋଚନା କରି ନାହିଁ ତାହା ହେଲା ସରକାର ଗଠନ ନେଇ ମୋଦୀଙ୍କ ପ୍ରତିଶ୍ରୁତି। ସେ କହିଥିଲେ ଦଳ ଜିତିଲେ ଜୁନ୍ ୧୦ ତାରିଖରେ ସରକାର ଗଠନ ହେବ। ଯେଉଁ ଜନତା ମଇଦାନକୁ ସେ ୨୦ ତାରିଖ ଦିନ ଆସି ବର୍ଷପୂରାଣୀ ପାଳନ କରିବେ ସେଠାରେ ଏ ବିଷୟ ଘୋଷଣା କରାଯାଇଥିଲା। ହେଲେ ତାଙ୍କର ଅନ୍ୟ ବ୍ୟସ୍ତତା କାରଣରୁ ସେ ଏହାକୁ ଦୁଇଦିନ ଘୁଞ୍ଚାଇଲେ। ଦେଶର ପ୍ରଧାନମନ୍ତ୍ରୀ, ବ୍ୟସ୍ତ ବହୂଳତା କାରଣରୁ ଏପରି ପଦକ୍ଷେପ ନେବା ଆଦୌ ସମାଲୋଚନାର ପ୍ରସଙ୍ଗ ନୁହେଁ। କିନ୍ତୁ ଓଡ଼ିଶାକୁ ଯଦି ଏତେ ଭଲ ପାଉଛନ୍ତି ତେବେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିଟା ତ ଠିକ୍ ତିଥିରେ ହୋଇପାରିଥାଆନ୍ତା! କିନ୍ତୁ ତାହା ହେଲା ନାହିଁ। ଏହାରି କାରଣ ପଛରେ ଯୁକ୍ତି ରହିଲା ମୋଦୀଙ୍କ ବ୍ୟସ୍ତତା। ଏହା ପ୍ରମାଣିତ କରୁଛି ଯେ, ମୋଦୀଙ୍କ ବ୍ୟସ୍ତତା କାରଣରୁ ଓଡ଼ିଶା ଏହାର ସରକାର ଗଠନ ଏବଂ ବର୍ଷ ପୂରାଣୀକୁ ବି ବିଳମ୍ବିତ ପାଳନ କରିପାରିବ।
ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସଂଖ୍ୟା ଗରିଷ୍ଠ ଦଳ ନିଷ୍ପତ୍ତି ନେବ। ଏଥିରେ କେନ୍ଦ୍ରୀୟ ନେତାଙ୍କ ହସ୍ତକ୍ଷେପ ରହୁ ବା ନ ରହୁ ସେଥିରେ ଯାଏ ଆସେ ନାହିଁ। ଏହିକ୍ରମରେ ଅନେକ ଚର୍ଚ୍ଚା, ପରିଚର୍ଚ୍ଚା ପରେ ରେସରେ ନ ଥିବା ପୂର୍ବତନ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ। ଅର୍ଥାତ୍ ରାଜ୍ୟର ମନ୍ତ୍ରିମଣ୍ଡଳ ଗଠନ, ସମ୍ପ୍ରସାରଣ, ନିଗମ, ସରକାରୀ ପରିଷଦଗୁଡ଼ିକରେ ଅଧ୍ୟକ୍ଷ ନିଯୁକ୍ତି, ବିଭିନ୍ନ ସରକାରୀ ନିଯୁକ୍ତିର ସରଳୀକରଣ ପ୍ରଭୃତି ତାଙ୍କର ଇଚ୍ଛାଧୀନ ବ୍ୟାପାର ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଯାଏ ନିଜର ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିବାକୁ ବି ସମର୍ଥ ହୋଇପାରି ନାହାନ୍ତି।
ରାଜ୍ୟର ନିଗମ, କମିଶନ, ପରିଷଦ ବା ବୋର୍ଡ଼ କଥାବି ସେଇଆ। ଏସବୁ ସ୍ଥାନରେ ଅଧ୍ୟକ୍ଷ ପଦବୀ ସାଧାରଣତଃ ରାଜନୀତିକ ଆଧାରରେ ବିଶେଷଜ୍ଞଙ୍କୁ ନିଯୁକ୍ତି କରାଯାଇଥାଏ। ଏହାକୁ କେହି କେହି ରାଜନୀତିକ ଥଇଥାନ କେନ୍ଦ୍ର ବୋଲି କହନ୍ତି। କିନ୍ତୁ ଏସବୁର ବେଶ୍ ଗୁରୁତ୍ୱ ରହିଛି। ହେଲେ ମୁଖ୍ୟମନ୍ତ୍ରୀ ମହୋଦୟ ଏସବୁକୁ ଯେମିତି ଗଲା ୧ ବର୍ଷ ହେଲା ଭୁଲି ଯାଇଛନ୍ତି। ଏଥିଯୋଗୁ ଦଳରେ ଅସନ୍ତୋଷ ଦେଖିବାକୁ ମିଳୁଛି। କିନ୍ତୁ ଖବରଦାତାମାନଙ୍କୁ ଦିଆଯାଉଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ନେତାଙ୍କ ଗ୍ରୀନ୍ ସିଗ୍ନାଲ୍ ଏଥିଲାଗି ମିଳି ନାହିଁ। କେବେ ମିଳିବ ତାହା ବି ପ୍ରଧାନମନ୍ତ୍ରୀ ଜାଣିଥିବେ ! ନୁହେଁ କି?
ଏ ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ ଏହା ଯେ, କେନ୍ଦ୍ରୀୟ ସୁପାରିସରେ ରାଜ୍ୟରେ ଷଷ୍ଠ ଅର୍ଥ କମିଶନଙ୍କ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯାଇଛି। ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ଏହି ପଦବୀ ଲାଭ କରିଛନ୍ତି। ଖାଲି ସେତିକି ନୁହେଁ କେନ୍ଦ୍ରୀୟ ସୁପାରିସରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଉପଦେଷ୍ଟାଭାବେ ପୂର୍ବତନ ଡିଜି ପୁଲିସ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ବି ନିଯୁକ୍ତି ପାଇଛନ୍ତି। ରାଜ୍ୟର ମୁଖ୍ୟ ସଚିବ ବି ସେହି ସୂତ୍ରରେ ନିଯୁକ୍ତି ପାଇଁ ନିଜର ଚାକିରିକାଳକୁ ବଢ଼ାଇ ଚାଲିଛନ୍ତି। ଏଠି କେନ୍ଦ୍ରୀୟ ସୁପାରିସ କହିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଧାସଳଖ କେହି କେହି ବୟାନ କରିବାକୁ ଭୁଲୁ ନାହାନ୍ତି। ଖାଲି ପ୍ରଶାସନିକ ଢାଞ୍ଚା ନୁହେଁ, ରାଜ୍ୟ ସରକାରଙ୍କ ପୁଲିସ ଶାସନରେ ମଧ୍ୟ ସମାନ ହସ୍ତକ୍ଷେପ ରହିଛି। ଏ ରାଜ୍ୟରେ ଡିଜିଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନୋମିନିଭାବେ ଗ୍ରହଣ କରାଯାଏ। ଏହାର ଅର୍ଥ ଓଡ଼ିଶା ଶାସନ ପଛରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଜୋରଦାର ରହିଛି। ଏହା ମୋଦୀ ଚାହାନ୍ତି କି ନା ତାହା ଆସନ୍ତା ଗସ୍ତରେ ସ୍ପଷ୍ଟ ହୋଇପାରେ!
ହେଲେ, ଏତେସବୁ ହସ୍ତକ୍ଷେପ ପରେ ରାଜ୍ୟରେ ସୁଶାସନ ଆସିଛି କି? ଲୋକେ ୨୪ ବର୍ଷର ଶାସନକୁ ଭୁଲି ପାରିଛନ୍ତି କି? ରାସ୍ତାକଡ଼, ଗାଁ ଗହଳ, ଚା’ ଖଟି, ସୋଶାଲ୍ ମିଡିଆ ଯେଉଁଠି ବି ଦେଖିଲେ ଏକଥା କେବେ ସ୍ପଷ୍ଟ ହୁଏ ନାହିଁ। ରାଜ୍ୟ ସରକାର ବି ଏ କଥା ଜାଣିଛନ୍ତି। ଏଣୁ ପୂର୍ବରୁ ସରକାରକୁ ଶିଶୁ ସରକାର ବୋଲି କହି ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହୁଁଥିଲେ। କିଛିଦିନ ତୃଣମୂଳଠାରୁ ଉପରିସ୍ଥ ଅଧିକାରୀଙ୍କୁ ଜନ ପ୍ରତିନିଧିଙ୍କ ଅନୁସାରେ ପ୍ରଶାସନ ଚଳାଇବାକୁ ବୁଲି ବୁଲି ନିର୍ଦ୍ଦେଶ ଦେଲେ, ଚିଠି ଲେଖିଲେ। ଯାହା ସ୍ପଷ୍ଟ କରିଥିଲା ଯେ, ରାଜ୍ୟ ସରକାର ପ୍ରଶାସନିକ କଳର ଆସ୍ଥା ହରାଇଛନ୍ତି। ଅର୍ଥାତ୍ ଡବଲ ଇଞ୍ଜିନ ସରକାର ଥିଲେ ବି ରାଜନୀତିକ ଭିତ୍ତିରେ ନିର୍ବାଚିତ ହୋଇଥିବା ସରକାର ଅମଲାତନ୍ତ୍ରୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।
ଏହି ବିଫଳତା ରାଜ୍ୟର ପ୍ରତି ବିଷୟରେ ଦେଖିବାକୁ ମିଳୁଛି। ପ୍ରଥମେ ଆଇନଶୃଙ୍ଖଳା କଥା। ଦୁଇଦିନ ତଳେ ଗୋପାଳପୁର ସମୁଦ୍ରକୂଳରେ ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଗଲା। ଓଡ଼ିଶା ଅର୍ଥନୀତିର ଏକ ପ୍ରମୁଖ ମାଧ୍ୟମ ହେଉଛି ଆମ ସମୁଦ୍ରକୂଳିଆ ପର୍ଯ୍ୟଟନ କିନ୍ତୁ ଏହା ବି ସୁରକ୍ଷିତ ନୁହେଁ। ପୁଣି ଘଟଣାର ଦୁଇଦିନ ପର୍ଯ୍ୟନ୍ତ ସରକାର ଏହାକୁ ଗୁରୁତ୍ୱ ଦେଉଥିବା ମନେ ହେଉନଥିଲା। ଗଣମାଧ୍ୟମର ହସ୍ତକ୍ଷେପ ଓ ଜାତୀୟ ମହିଳା କମିଶନଙ୍କ ମାମଲା ରୁଜୁ ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା। ଏହାକୁ ରେଡ୍ ଫ୍ଲାଗ୍ କ୍ରାଇମ୍ ଭାବେ ଗ୍ରହଣ କରି କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ଏପରି ଗଣଦୁଷ୍କର୍ମ ମାମଲାକୁ ନିୟନ୍ତ୍ରଣ କରାଯାଇ ନ ପାରିଲେ ଲୋକ ସରକାରଙ୍କୁ ଲେଉଟାଇ ଦେଇଥିବାର ନଜୀର ରହିଛି।
ଏହି ଭୁଶୁଡ଼ା ଆଇନ ଶୃଙ୍ଖଳା ପରିସ୍ଥିତିରେ ରାଜଧାନୀର ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା, ଭଦ୍ରକରେ ଗୋ ରକ୍ଷକଙ୍କୁ ହତ୍ୟା ପରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିବା, ରାଜଧାନୀରେ ମଦମୃତ୍ୟୁ ହେବା ଆଦି ବିଷୟ ଉଲ୍ଲେଖଯୋଗ୍ୟ। ପ୍ରଶ୍ନ ଏହା ଯେ, ଏହା କ’ଣ ମୋଦୀଙ୍କ ସୁଶାସନ ନା ସୁଶାସନକୁ କଳଙ୍କିତ କରୁଥିବା ଅଧ୍ୟାୟ?
ଜନସ୍ୱାସ୍ଥ୍ୟ ବିଷୟ କଥାକୁ ଏଠାରେ ଆଲୋଚନା କରାଯାଇପାରେ। ଆଜିର ସରକାରୀ ତଥ୍ୟ ଅନୁସାରେ ସରକାରୀ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଉପରେ ରହିଛି। ରାଜ୍ୟର ୮ଟି ଜିଲ୍ଲା ପ୍ରଭାବିତ ହେଲାଣି। ସରକାରକାରଣ ଖୋଜି ପାଇପାରୁ ନାହାନ୍ତି। ଏହା ଅବ୍ୟବସ୍ଥିତ ପ୍ରଶାସନର ଉଦାହରଣ ନୁହେଁ କି? ହଇଜା ଭଳି ଏକ ବହୁ ପୁରୁଣା ଜଣାଶୁଣା ଜୀବାଣୁଜନିତ ଜଳ ବାହିତ ରୋଗକୁ ନିୟନ୍ତ୍ରଣ କରିବାରେ ସ୍ୱାସ୍ଥ୍ୟବିଭାଗ ବିଫଳ ହେବା ସରକାରଙ୍କ ବିଫଳତା ତଥା ସରକାର ଓ ତୃଣମୂଳର ସମନ୍ୱୟରେ ଥିବା ଦୂରତାକୁ ସ୍ପଷ୍ଟ କରୁନାହିଁ କି?
ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଉଥିବା ନେତା ଓ ଅଧିକାରୀମାନେ କ’ଣ ଏହାକୁ ରାଜ୍ୟରେ ମୋଦୀଙ୍କ ସୁଶାସନ ବୋଲି କହିବାକୁ ଚାହାଁନ୍ତି? ଯଦି ରାଜ୍ୟରେ ସମନ୍ୱୟ ରକ୍ଷା କରିବାରେ ଏମାନେ ବିଫଳ ହେଉଛନ୍ତି ତେବେ ମୋଦୀଙ୍କ ବାରମ୍ବାର ଗସ୍ତ କାହିଁକି?
କେନ୍ଦ୍ରରେ ସରକାର ଗଠନ ପରେ ମୋଦୀ ଓଡ଼ିଶାକୁ ୧୦ ବର୍ଷ ଭିତରେ ୩୦ ଥର ଆସିଛନ୍ତି। କିନ୍ତୁ ଗଲା ୧ ବର୍ଷ ଭିତରେ ମୋଦୀ ୬ ଥର ଓଡ଼ିଶା ଆସିଲେଣି। ଖାଲି ତାଙ୍କ ଗସ୍ତ, ମଞ୍ଚ ଉପରୁ ଭାଷଣ କ’ଣ ଓଡ଼ିଶାବାସୀଙ୍କୁ ଖୁସିରେ ରଖିପାରିବ? ଏହା କ’ଣ ମୋଦୀଙ୍କ ସୁଶାସନ?
ଶେଷରେ ଗୋଟିଏ ବାକ୍ୟରେ ସମ୍ପୂର୍ଣ୍ଣ ବିଷୟକୁ କହିବାକୁ ଚାହିଁବି, ରାଜ୍ୟ ସରକାରରେ ବଢ଼ୁଥିବା କେନ୍ଦ୍ରୀୟ ପ୍ରଭାବ ସୁଶାସନ ଦେବାରେ ବିଫଳ ତେବେ ରାଜ୍ୟ ନେତାଙ୍କ ଉପରେ ଭରସା ଆଣିବାର ଆବଶ୍ୟକତା ରହିଛି। ସଚିବାଳୟରେ ବା ସରକାରୀ କାର୍ଯ୍ୟାଳୟରେ କୁଜି ନେତାମାନେ ପ୍ରଭାବ ବିସ୍ତାର କରିବା ଅନୁଚିତ। ଶାସନ ଫର୍ମୁଲାରେ ଯାହାର କାର୍ଯ୍ୟ ତାକୁ କରିବାକୁ ସ୍ୱାଧୀନତା ଦେଲେ ସମ୍ବିଧାନ ଅନୁସାରେ ଶାସନ ପରିଚାଳନା ସୁରୁଖୁର ହୋଇପାରିବ। ନ ହେଲେ କଂଗ୍ରେସ ଭଳି ବିଜେପି ଓଡ଼ିଶାରେ ଦୂରାବସ୍ଥା ଭୋଗିବ ନିଶ୍ଚୟ?
Also readhttps://purvapaksa.com/to-whom-naveen-call-banthu/
