ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରିଛି। ଏ ବର୍ଷ ଭିତରେ ରାଜ୍ୟକୁ କ’ଣ ମିଳିଛି ନ ମିଳିଛି ଯଦି ଚର୍ଚ୍ଚାହୁଏ, ତେବେ ନିକଟରେ ରାଜ୍ୟର ୮ଟି ଜିଲ୍ଲାକୁ ଆକ୍ରାନ୍ତ କରିଥିବା ହଇଜା ବା ଝାଡ଼ାବାନ୍ତି ଆଗରେ ସବୁକିଛି ମଳିନ ପଡ଼ିଯିବାଟା ନିଶ୍ଚିତ। କାରଣ ବିଗତ ୧୦ ଦିନ ହେଲା ରାଜ୍ୟରେ କଲେରା ଜୀବାଣୁ ଏତେ ଜୋରରେ ବ୍ୟାପିଛି ଯେ, ରାଜ୍ୟ ସରକାର ତାହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଖାଲି ସେତିକି ନୁହେଁ, ସରକାରଙ୍କ ଟିମ୍ ଏ ପ୍ରକାର ସଂକ୍ରମଣର କାରଣ ଖୋଜି ପାଉନାହାନ୍ତି। ଆମେ ଯେତେବେଳେ ପ୍ରତି ଘରେ ନଳ ପାଣି ପହଞ୍ଚାଇଛୁ, ସବୁ ଗାଁ’କୁ ଖୋଲା ଶୌଚମୁକ୍ତ କରିବା ଲାଗି କୋଟି ଟଙ୍କା ଖର୍ଚ୍ଚ କରିଛୁ ସେ ସମୟରେ ଝାଡ଼ାବାନ୍ତି ପରି ବହୁ ପରିଚିତ ରୋଗର ସଂକ୍ରମଣ ସ୍ଥଳୀ ଖୋଜି ନ ପାରିବା ଏକ ଉପହାର ନୁହେଁ ତ ଆଉ କ’ଣ ହୋଇପାରେ।
ରାଜ୍ୟ ଏବେ ଉଠୁଛି ପଡ଼ୁଛି। ଗୋଟିଏ ପଟେ ଉତ୍ସାହ, ଅନ୍ୟପଟେ ଉତ୍ସବର ପରିବେଶ। ଆଉ ସବୁଠାରୁ ବଡ଼ ବିଷୟ ଯାହା ଏ ଦୁଇଟିକୁ ଆକ୍ରାନ୍ତ କରିଛି ତାହା ହେଲା ୮ଟି ଜିଲ୍ଲାରେ ଡାଇରିଆ, ଝାଡ଼ାବାନ୍ତି, କଲେରା ବା ବାଡ଼ି। ଏ ଉଦବେଗ ଏଥିପାଇଁ ଯେ ଗଲା ୧୦ ଦିନ ହେଲା ଡାଇରିଆ ରାଜ୍ୟବାସୀଙ୍କୁ ଆକ୍ରାନ୍ତ କରୁଛି, ବିସ୍ତାରିତ ହେଉଛି କିନ୍ତୁ ଆମର ଅଭିଜ୍ଞ ସ୍ୱାସ୍ଥ୍ୟ ବିଭାଗ ଏବଂ ଲୋକଙ୍କ ସରକାର ଲୋକଙ୍କ ଏହି ଦୁଃଖ କେଉଁଠୁ ଆରମ୍ଭ ହେଲା ତାହା ଜାଣିପାରୁ ନାହାନ୍ତି। ଆମ ରାଜ୍ୟରେ ଯେ ଡାଇରିଆ ନୂଆ ଏବଂ ପୂର୍ବରୁ କେବେ ହୋଇନାହିଁ ତାହା ନୁହେଁ। ଇଂରେଜଙ୍କ ଅମଳରୁ ଏହା ମହାମାରୀ ହୋଇ ରହି ଆସିଛି। ଦୂଷିତ ଜଳ ହିଁ ଏହାର ଏକମାତ୍ର କାରଣ ବୋଲି ଗ୍ରହଣ କରାଯାଏ। ଯେଉଁ ଜଳରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ବା କଲେରା ଜୀବାଣୁ ମଣିଷ ଶରୀରରେ ପ୍ରବେଶ କରେ। ତାଙ୍କ ଭିତରେ ବଦହଜମୀ, ଝାଡ଼ା, ବାନ୍ତି କରାଏ। ଉଗ୍ର ହୁଏ ଏବଂ ରୋଗୀଙ୍କୁ ମୃତ୍ୟୁ ଆଡ଼କୁ ଟାଣିନିଏ। ପରିସ୍ଥିତି ଏପରି ଭୟଙ୍କର ହୁଏ ଯେ, ଚିରାଚରିତ ଆଣ୍ଟି ବାୟୋଟିକ୍ ବି ଏହାର କାମରେ ଆସେ ନାହିଁ। ଆଉ ଜଣକ ଦେହରୁ ଆଉ ଜଣଙ୍କ ଦେହକୁ ଏହା ସଂକ୍ରମିତ ହୁଏ। ମହାମାରୀର ରୂପ ବି ନିଏ। ଫଳରେ ଡାକ୍ତର ବି ହାତ ଟେକି ଦିଅନ୍ତି।
ଏହି ଅବସ୍ଥା ଯାଜପୁର ସମେତ ୮ଟି ଜିଲ୍ଲାରେ ସୃଷ୍ଟି ହୋଇଛି। ୯ ତାରିଖରେ ଦାନଗଦି ବ୍ଲକରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ରାଜ୍ୟ ରଜ ଛୁଟିରେ ମଉଜ କରୁଥିବାବେଳେ ଡାଇରିଆ କଲେରା ରୂପ ଧରି ବ୍ଲକ୍ ହତା ଡେଇଁ ଅନ୍ୟ ଜିଲ୍ଲାକୁ ବ୍ୟାପିଥିଲା। ଏହାକୁ ହାଲୁକାଭାବେ ନେଇଥିଲା ଜିଲ୍ଲା ଓ ରାଜ୍ୟ ପ୍ରଶାସନ। କିନ୍ତୁ ଦିନକୁ ଦିନ ଏହା ବଢ଼ି ଚାଲିଲା। ଯାଜପୁରରୁ କେନ୍ଦୁଝର, ଭଦ୍ରକ, କଟକ, ପୁରୀ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ସଂକ୍ରମଣ ବଢ଼ି ଚାଲିଲା। ଜିଲ୍ଲା ବାଡ଼ ଦେଇ ଅନ୍ୟ ବାଡ଼କୁ ବାଡ଼ି ଡେଇଁବାପରେ ଛନକା ପଶିଲା। କାରଣ ଏ ବାଡ଼ି ଗାଁ ଗହଳର ବାଡ଼ି ନୁହେଁ, ସହରାଞ୍ଚଳ ଓ ସହର ତଳିରୁ ବ୍ୟାପୁଥିବା ବାଡ଼ି ବା ହଇଜା। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରରୁ ଅଧିକ। ମୃତ୍ୟୁ ସଂଖ୍ୟା ବି ୨୦ ଉପରେ ବୋଲି ଅଭିଯୋଗ ହୋଇଛି।
ପ୍ରଶ୍ନ ହେଉଛି ଯେଉଁ ରାଜ୍ୟର ପ୍ରାୟ ସମସ୍ତ ଗାଁ, ସହର ଖୋଲା ଶୌଚମୁକ୍ତ। ଖାଲି ସେତିକି ନୁହେଁ ଏହି ଅଞ୍ଚଳଗୁଡ଼ିକ ସ୍ୱଚ୍ଛ ଭାରତ ମିଶନ ଅଧିନରେ ସ୍ୱତନ୍ତ୍ରଭାବେ ବର୍ଜ୍ୟ ପରିଚାଳନା କରିବା ପାଇଁ ସକ୍ଷମ। ପୁଣି ୨୪ ଘଣ୍ଟା ସ୍ୱଚ୍ଛ ପାନୀୟ ଜଳ ଯୋଗାଣକାରୀ ରାଜ୍ୟଭାବେ ଅତୀତରେ ଓଡ଼ିଶା ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇଛି। ଏଣୁ ଏହା ନିଶ୍ଚିତ ଯେ ଆମ ରାଜ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ରହିଛି ଓ ସାଧନ ବି ରହିଛି। ଏଣୁ ଅସ୍ୱଚ୍ଛ ଜଳ ବ୍ୟବହାର କରିବାର କୌଣସି କାରଣ ନାହିଁ। ତେବେ ହଇଜାକୁ ରୋକିବା ଲାଗି ଆମ ପାଖରେ ଶକ୍ତି ରହିଛି। ହେଲେ ଆଜି କାହିଁକି ହଇଜା ଗୋଟିଏ ବ୍ଲକ୍ ବା ଜିଲ୍ଲାରେ ସୀମିତ ନ ରହି ୮ଟି ଜିଲ୍ଲାକୁ ବ୍ୟାପିଲା? ଏହା ସରକାରୀ କଳର ଉଦାସୀନତା ତଥା ଖାମଖିଆଲିପଣ ନୁହେଁ କି? ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଳକୂପ ଓ ପିଇବା ପାଇଣି ଟାଙ୍କି ଶୋଧନ କରିବାକୁ ଯେଉଁ ବ୍ୟୟ ବରାଦ କରାଯାଉଛି ତାହା ବାସ୍ତବରେ ସେହି ସ୍ଥାନରେ ସେହି କାର୍ଯ୍ୟରେ ଲାଗୁଛି ତ?
ଓଡ଼ିଶାରେ ବାଡ଼ି ବା ହଇଜାର ଇତିହାସକୁ ଦେଖିଲେ ଏହା ଯେ ଅତି ଭୟଙ୍କର ରୂପ ଦେଖିଛି ତାହା ନିଃସନ୍ଦେହ। କିନ୍ତୁ ଫରକ୍ ହେଉଛି ଯେଉଁ ରୋଗ ଅତୀତରେ ଗ୍ରାମାଞ୍ଚଳ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରବଳ ବ୍ୟାପୁଥିଲା ତାହା ଏବେ କିଛିବର୍ଷ ହେଲା ସହର ଓ ସହରତଳି ଅଞ୍ଚଳକୁ ବ୍ୟାପିଛି। ୨୦୦୯ ମସିହାରେ କେନ୍ଦ୍ରାପଡ଼ା, କଳାହାଣ୍ଡି, ୨୦୧୮ ମସିହାରେ ବାଲେଶ୍ୱର, ରାୟଗଡ଼ା, ମୟୁରଭଞ୍ଜ ଏବଂ ୨୦୨୩ ମସିହାରେ ରାଉରକେଲାରେ ହଇଜାର ପ୍ରାଦୂର୍ଭାବ ରାଜ୍ୟ ମିଡିଆ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ଇଙ୍ଗିତ କରିଥିଲା ଯେ ସ୍ୱଚ୍ଛତା ନାଁରେ ଯେଉଁ ଅର୍ଥ ଆସୁଛି ତାହାର ଠିକଣା ରୂପାୟନ ହେଉ ନାହିଁ। କିନ୍ତୁ ସରକାର ବଦଳିଲା ପରେ ଏହି ବିଷୟକୁ କେହିଁ ଧ୍ୟାନ ଦେଲେ ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ବ୍ୟସ୍ତ ରହିଲେ। ରାଜନୀତିକ ସିଡ଼ିରେ ଉରକୁ ଉଠିବା ଲାଗି ଲବି କରିବାରେ ବ୍ୟସ୍ତ ଥିବା ଅଭିଯୋଗ ହେଲା। ଆଉ ଏତିକିବେଳେ ହଇଜା ଓଡ଼ିଶାକୁ ଗ୍ରାସି ଚାଲିଛି।
ଏଥିରେ ରାଜ୍ୟବାସୀଙ୍କ ଉଦବେଗକୁ ଦେଖି ମୁଖ୍ୟମନ୍ତ୍ରୀ ହଇଜା ବ୍ୟାପିବାର ସ୍ୱାସ୍ଥ୍ୟ ବିଭାଗକୁ ସତର୍କ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିଲା। ହଇଜା ବ୍ୟାପିବାର ୬ଦିନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲା ବିଜେପି ନେତାମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ବାଧ୍ୟ ହୋଇଛନ୍ତି। ଏହିକ୍ରମରେ ରାଜ୍ୟ ସରକାରୀ ଦଳ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟର ସ୍ୱତନ୍ତ୍ର ଟିମ୍, ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ, ଆଇସିଏମ୍ଆର ସ୍ୱତନ୍ତ୍ର ଦଳ ଡେରା ପକାଇ ତଦନ୍ତ କରିଛନ୍ତି। କିନ୍ତୁ କୌଣସି କାରଣ ସ୍ଥଳକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ପାରିନାହାନ୍ତି। ଏତେ ପୁରୁଣା ସଂକ୍ରମଣ ଯାହା ବାରମ୍ବାର ଭାରତର ବିଭିନ୍ନ ସ୍ଥାନରେ ଅତୀତରେ ଆତଙ୍କ ଖେଳାଇଛି ତାହାର ସଂକ୍ରମଣ ସ୍ଥଳ ଖୋଜି ନ ପାଇବା ବିପଦ ଆଶଙ୍କାକୁ ଆହୁରି ବଢ଼ାଉଛି।
ଯେମିତି କୌଣସି ହତ୍ୟା ଘଟଣାରେ ମର୍ଡର ଓ୍ୱିପନ ବା କେଉଁ ଅସ୍ତ୍ରରେ ହତ୍ୟା ହୋଇଛି ତାହା ଜାଣିବା ଜରୁରୀ ଠିକ୍ ସେମିତି କେଉଁ ନିର୍ଦ୍ଦିଷ୍ଟ ସ୍ଥାନରୁ ସଂକ୍ରମଣର ଉତ୍ପତ୍ତି ହୋଇଛି ତାହାକୁ ଠାବ କଲେ ଶୀଘ୍ର ରୋଗର ସମ୍ପ୍ରସାରଣକୁ ନିୟନ୍ତ୍ରଣ କରାଯାଇଥାଏ। ହେଲେ ଏଠାରେ ତାହା ହୋଇପାରିନାହିଁ, ଅର୍ଥ ଆହୁରି ଅନେକ ଦିନ ଏହି ସଂକ୍ରମଣ ବଢ଼ି ଚାଲିବ। ସ୍ୱାସ୍ଥ୍ୟ ସଚିବ ଏସ୍ ଆଶ୍ୱସ୍ଥି ଏ ବାବଦରେ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ପକ୍ଷରୁ ସମ୍ପୂର୍ଣ୍ଣ ଉଦ୍ୟମ କରାଯାଉଛି। କିନ୍ତୁ ଆଜି ଯାଏ ହଇଜାର କାରଣ ଜଣାପଡ଼ୁ ନାହିଁ। ଏବେ ସମୁଦାୟ ୨୬୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସରକାରୀ ହିସାବରେ ୭ ଜଣଙ୍କ ହଇଜାରେ ମୃତ୍ୟୁ ଘଟିଛି।
କେଉଁଠୁ ସଂକ୍ରମଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସଂକ୍ରମଣର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନିର୍ଦ୍ଧାରଣ କରାଯାଇପାରୁ ନାହିଁ। ଏଣୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଆମେ ଡିସ୍ଇମ୍ପେକ୍ସନକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଆଶ୍ୱସ୍ଥି।
ଏବେ ଅତି ନିକଟରେ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସାହ ଓ ପୁରୀରେ ରଥଯାତ୍ରାର ଉତ୍ସବ ରହିଛି। ଏ ଦୁଇଟିଯାକ ଇଭେଣ୍ଟରେ ଅନେକ ଲୋକଙ୍କ ସମାଗମ ହେବ। ଅନେକ ରାସ୍ତାକଡ଼ର ଖାଦ୍ୟ ଓ ପାଣି ବୋତଲ ବଣ୍ଟାଯିବ। ଯାହା ହଇଜା ସମ୍ପ୍ରସାରଣର କାରଣ ହୋଇପାରେ। ଖାଲି ସେତିକି ନୁହେଁ ବର୍ଦ୍ଧିତ ଭୁବନେଶ୍ୱରର ସୀମାରେ ହଇଜା ସଂକ୍ରମଣ ପହଞ୍ଚି ସାରିଛି। କ୍ୟାପିଟାଲ୍ ହସ୍ପିହଟାଲରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଠିକ୍ ସେହିପରି ପୁରୀରେ ମଧ୍ୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅଳ୍ପ ଦିନ ମଧ୍ୟରେ ରଥଯାତ୍ରା ଥିବାରୁ ଏହା ମଧ୍ୟ ଅଘଟଣ ସୃଷ୍ଟି କରିବା ଆଶଙ୍କା ରହିଛି। ଏଣୁ ଆବଶ୍ୟକ ପଡ଼ୁଛି ତୁରନ୍ତ ଏହାକୁ ରୋକିବା। ସେଥିଲାଗି ସରକାରୀ କଳ ଓ ଦଳ ଏକାଠି ହେବା ଆବଶ୍ୟକ। ନ ହେଲେ ଏହି ସଂକ୍ରମଣ ବର୍ଷପୂରାଣୀ ଉତ୍ସବକୁ ନଷ୍ଟ ଭ୍ରଷ୍ଟ କରିଦେବ ସେଥିରେ ସନ୍ଦେହ ନାହିଁ।
Also readhttps://purvapaksa.com/puri-new-delhi-purushottam-express-to-operate-from-anand-vihar-terminal/
