ପାକିସ୍ତାନ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ଇରାନର ସାଥି ହୋଇପାରେ । ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହାର ସଙ୍କେତ ଦେଇଛନ୍ତି । ଆସିଫ ସମଗ୍ର ବିଶ୍ୱର ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି । ଆସିଫଙ୍କ ମତରେ, ଯଦି ଏବେ ଏକଜୁଟ ନ ହେଲେ, ଇସ୍ରାଏଲ ଏହିପରି ସମସ୍ତଙ୍କ ସହ କରିବ । ପାକିସ୍ତାନୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମନ୍ତ୍ରୀ ଆସିଫ କହିଛନ୍ତି ଯେ ଇରାନ ଉପରେ ଯେଉଁ ଭାବେ ଆକ୍ରମଣ କରାଯାଇଛି, ତାହା ଭୁଲ୍ । ଆମେ ଇରାନ ସହ ଠିଆ ହୋଇଛୁ ଏବଂ ଏହି ଆକ୍ରମଣର ନିନ୍ଦା କରୁଛୁ ।
ମୁସଲମାନମାନଙ୍କ ଏକ ହେବାର ସମୟ
ଖ୍ୱାଜା ଆସିଫ ଆଗକୁ କହିଛନ୍ତି ଯେ ଗାଜାରେ ନରସଂହାର ସମସ୍ତ ମୁସଲିମ ଦେଶଗୁଡ଼ିକ ମଧ୍ୟରେ ଏକତାର ଦାବି କରୁଛି । ଯଦି ଏବେ ସମସ୍ତ ଦେଶ ଏକଜୁଟ ନ ହୁଅନ୍ତି, ତେବେ ଆଗକୁ କିଛି ହେବ ନାହିଁ । ଆସିଫଙ୍କ ମତରେ, ଏବେ ସମୟ ଆସିଛି ଯେ ଆମେ ଶତ୍ରୁର ମୁକାବିଲା କରିବା ପାଇଁ ଏକଜୁଟ ହେବା ଉଚିତ୍ । ଏହି ଶତ୍ରୁ ହେଉଛି ଇସ୍ରାଏଲ । ଯଦି ଇସ୍ରାଏଲକୁ ଏବେ ପରାସ୍ତ ନ କରାଗଲା, ତେବେ ଆଗକୁ ଆହୁରି ଅଧିକ ମୁସଲମାନ ମରିବେ।
ଖାମେନେଈଙ୍କ ଶେହବାଜଙ୍କୁ ତାଗିଦ୍
ଶେହବାଜ ଶରିଫ କିଛି ଦିନ ପୂର୍ବେ ଇରାନ ଗସ୍ତରେ ଥିଲେ । ଏହି ସମୟରେ ସେ ଇରାନର ସୁପ୍ରିମ ଲିଡର ଆଲି ଖାମେନେଈଙ୍କୁ ଭେଟିଥିଲେ । ଖାମେନେଈ ଏହି ସମୟରେ ଇସ୍ରାଏଲ ବିରୁଦ୍ଧରେ ନ କହିବା ନେଇ ପାକିସ୍ତାନକୁ ତାଗିଦ କରିଥିଲେ । ଖାମେନେଈଙ୍କ କହିବା ଥିଲା ଯେ ମୁସଲିମ୍ ଦେଶ ହୋଇ ମଧ୍ୟ ଯଦି ପାକିସ୍ତାନ ଚୁପ ରହୁଛି, ତେବେ ଏହା ଭୁଲ୍ । ଖାମେନେଈଙ୍କ ମତ ଥିଲା ଯେ ପାକିସ୍ତାନ ପାଖରେ ପରମାଣୁ ଅସ୍ତ୍ର ରହିଛି ଏବଂ ଯଦି ପାକିସ୍ତାନ, ଇସ୍ରାଏଲ ବିରୁଦ୍ଧରେ ଲଢ଼ିବା କଥା କହେ, ତେବେ ଏହା ଇହୁଦୀ ଶାସନକୁ ଭୟଭୀତ କରିବ । ତେବେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସେହି ସମୟରେ କୌଣସି ମନ୍ତବ୍ୟ ଦେଇ ନଥିଲେ।
ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି
ଶୁକ୍ରବାର (୧୩ ଜୁନ) ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇରାନ ତେଲ ଆଭିଭ ଉପରେ ୨୦୦ ମିସାଇଲ ନିକ୍ଷେପ କରିଥିଲା । ଇରାନର ଏହି ପାଲଟା ଆକ୍ରମଣ ପରେ କୁହାଯାଉଛି ଯେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ । ଆମେରିକା ଶାନ୍ତି ବୁଝାମଣା ପାଇଁ ସାଉଦି ଆରବର ରାଜକୁମାର ମୋହମ୍ମଦ ବିନ ସଲମାନଙ୍କ ସହ ଯୋଗାଯୋଗ କରିଛି । ସଲମାନଙ୍କର ଇରାନ ଓ ଇସ୍ରାଏଲ ଉଭୟଙ୍କ ସହ ଉତ୍ତମ ସମ୍ପର୍କ ରହିଛି।