ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭଦ୍ରକ ଜିଲ୍ଲାର ପାଞ୍ଚଟି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଗୁରୁବାର ସକାଳ ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଭଦ୍ରକ ବ୍ଲକ ଏବଂ ଏହାର ପୌରପାଳିକା ସହ ତିହିଡି ବ୍ଲକ, ଧାମନଗର ବ୍ଲକ ଏବଂ ସଂଲଗ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ତିହିଡି ଅଞ୍ଚଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ଘଟଣା କଣ ଥିଲା?
ଗତ କିଛି ଦିନ ତଳେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା। ଏବଂ ସେଥିରେ ତିହିଡି ବ୍ଲକର କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସନ୍ତୋଷ ପରିଡ଼ା (୪୬)ଙ୍କ ମୃତ ହୋଇଛି । ଦୀର୍ଘ ୧୩ ଦିନ ଧରି ମେଡ଼ିକାଲରେ ଚିକିତ୍ସିତ ହେବାପରେ ବୁଧବାର ଦିନ ୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା ଏହାପରେ ସାମ୍ପ୍ରଦାୟିକ ଉତ୍ତେଜନା ଭୟରେ, ଭଦ୍ରକ ପୋଲିସ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଏବଂ ପୋଲିସ ପ୍ଲାଟୁନ୍ ମୁତୟନ କରିଛି।
ଏପର୍ଯ୍ୟନ୍ତ ଗିରଫ
ସନ୍ତୋଷଙ୍କ ସ୍ତ୍ରୀ ମିନତୀ ବେହେରା ତିହିଡ଼ି ଥାନାରେ ଦେଇଥିବା ଏତଲା ଆଧାରରେ ମୋକଦ୍ଦମା ରୁଜୁ ହୋଇଛି । ଭଦ୍ରକ ଏସପି ମନୋଜ ରାଉତ କଷଟି ଗାଁକୁ ଯାଇ ସ୍ଥିତି ଉପରେ ନଜର ରଖିଛନ୍ତି ।ଭଦ୍ରକର ପୋଲିସ ଏହି ସାମ୍ପ୍ରଦାୟିକ ଉତ୍ତେଜନା ସହିତ ଜଡିତ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ଅନେକ ଫେରାର ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ସହ ଅଶାନ୍ତି ରୋକିବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଏବଂ ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୋଲିସ କହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ସେପଟେ ମୃତକଙ୍କ ପରିବାରକୁ ସହାୟତା ଦେବା ସହ ଏହି ଅଞ୍ଚଳରେ ହିନ୍ଦୁ ସୁରକ୍ଷିତ ନୁହେଁ। ହିନ୍ଦୁଙ୍କୁ ସୁରକ୍ଷା ଦିଆଯାଉ ବୋଲି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି। ଘଟଣାରେ ୧୨ ଜଣ ଆକ୍ରମଣକାରୀ ନୁହେଁ, ୬୦ରୁ ଊର୍ଦ୍ଧ୍ବ ଆକ୍ରମଣକାରୀ ଗିରଫ ହେବା ଉଚିତ୍। ବେଆଇନ ଗୋ ଚାଲାଣ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ଏଭଳି ଆକ୍ରମଣ କରାଯାଇଥିଲା। ସମସ୍ତ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯୁନ୍ତ ସମସ୍ତ ସନାତନୀ ହିଦୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପ୍ରତିରୋଧକ ପଦକ୍ଷେପ କାର୍ଯ୍ୟକାରୀ କରି, ପ୍ରଶାସନ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ଏବଂ ଅଧିକ ହିଂସାକୁ ଏଡାଇବା ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏ ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ମୃତ ଯୁବକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଓ ଜଣଙ୍କୁ ନିଯୁକ୍ତି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
Also read https://purvapaksa.com/namo-expressway-to-link-odishas-western-and-southern-regions/