ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେନି ବୋଲି ପୁରା ପରିବାରଙ୍କୁ ବାସନ୍ଦ କଲେ ଗାଁ ଲୋକ। ଗାଁ କୂଅ, ପୋଖରୀରୁ ପାଣି ନେଇପାରିବନି । ଦୋକାନ ଯାଇପାରିବନି । ଗାଁ ଲୋକଙ୍କ ସହ କଥା ହୋଇପାରିବେନି ପରିବାର। ମୟୂରଭଞ୍ଜ ଜିଲ୍ଲାର ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ଆୟୋଜିତ ଶୁଦ୍ଧିକ୍ରିୟା ଭୋଜିରେ ‘ହାଣ୍ଡିଆ’ ନଦେବାରୁ ଗ୍ରାମବାସୀମାନେ ଏକ ଆଦିବାସୀ ଦମ୍ପତି ଏବଂ ସେମାନଙ୍କର ତିନି ସନ୍ତାନଙ୍କୁ ବାସନ୍ଦ କରିଥିବା ପୋଲିସ କହିଛି। ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେଇଥିବା ଲୋକଙ୍କୁ ‘ହାଣ୍ଡିଆ’ ପରଷିବା ବିଭିନ୍ନ ଆଦିବାସୀ ସମାଜରେ ଏକ ପ୍ରଥା। ହେଲେ ଏହି ଦମ୍ପତି ଭୋଜିରେ ହାଣ୍ଡିଆ ଦେଇ ନଥିବାରୁ ବାସନ୍ଦ ଅଛନ୍ତି। ଅଭିଯୋଗ ହେଉଛି ଯେ ଗାଁ ଲୋକେ ପରିବାର ସଦସ୍ୟଙ୍କୁ ଗାଁ ପୋଖରୀ କିମ୍ବା ଅନ୍ୟାନ୍ୟ ଉତ୍ସରୁ ପାଣି ନେବାକୁ କିମ୍ବା ଦୋକାନରୁ ଖାଦ୍ୟ ସାମଗ୍ରୀ କିଣିବାକୁ ବାରଣ କରିଛନ୍ତି । ପଦେ କଥା ହେଲେ ସେମାନଙ୍କୁ ୨ ହଜାର ଟଙ୍କା ଫାଇନ ଲାଗିବା ନିୟମ ରହିଥିବ ଅଭିଯୋଗ ହୋଇଛି। ଦୀର୍ଘ ଏକ ମାସ ମାସ ହେବ ଏହି ପରିବାର ହାଣ୍ଡିଆ ପାଇଁ ଏଭଳି କଠୋର ଦଣ୍ଡ ଭୋଗୁଛନ୍ତି । ଏଭଳି ବି ଗାଁ ଅଛି ଯେଉଁଠି ଆଜିର ସମାଜରେ ନିଆଁ ପାଣି ବାସନ୍ଦ କରାଯାଉଛି । ମୃତକଙ୍କ ପୁଅଙ୍କ ଅଭିଯୋଗ ପରେ, ପୋଲିସ ଦଳ ସେମାନଙ୍କ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଦୁଇ ଦିନ ମଧ୍ୟରେ ମାମଲାର ସମାଧାନ କରିବାକୁ କହିଛି, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବନୀ ଦେଇଛି ପୋଲିସ। ଶରତ ଥାନା ଅନ୍ତର୍ଗତ କେଶପାଳ ଗାଁର ରାମ ସୋରେନଙ୍କ ମୃତ୍ୟୁ ମାର୍ଚ୍ଚ ୨୭ ତାରିଖରେ ହୋଇଥିଲା ଏବଂ ସାନ୍ତାଳ ସମ୍ପ୍ରଦାୟର ସଦସ୍ୟମାନେ ପରମ୍ପରା ଅନୁଯାୟୀ ପୂଜାପାଠ କରିଥିଲେ। ସୋରେନଙ୍କ ପୁଅ ସଂଗ୍ରାମ ଏକ ମାସ ପରେ ଏପ୍ରିଲ ୨୭ ତାରିଖରେ ପରମ୍ପରା ଅନୁଯାୟୀ ଏକ ସାମୁହିକ ଭୋଜି ଆୟୋଜନ କରିଥିଲେ। କିନ୍ତୁ, ସେ ଭୋଜିରେ ଗାଁ ଲୋକଙ୍କୁ ‘ହାଣ୍ଡିଆ’ ଦେଇନଥିଲେ, ଯାହା ପରେ ତାଙ୍କୁ, ତାଙ୍କ ସ୍ତ୍ରୀ ଲଚ୍ଚା ଏବଂ ସେମାନଙ୍କ ପିଲାମାନଙ୍କୁ ସାମାଜିକ ବାସନ୍ଦ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଶରତ ପୋଲିସ ଷ୍ଟେସନରେ ଦାୟର କରାଯାଇଥିବା ଏକ ଅଭିଯୋଗରେ, ସଂଗ୍ରାମ ଏବଂ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଗାଁ ଲୋକ ତାଙ୍କୁ ନିଆଁ ପାଇଁ ବାସନ୍ଦ କରିଛନ୍ତି। ଯାହାଦ୍ବାରା ପୋଖରୀ କିମ୍ବା ନଳକୂପରୁ ସେମାନେ ପାଣି ଏବଂ ଗାଁ ଦୋକାନକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଉନାହିଁ।
“ଏତିକି ନୁହେଁ, ଗାଁ ଲୋକ ଆମ ସହିତ ଏବଂ ମୋ ପିଲାମାନଙ୍କ ସହିତ କଥା ହୁଅନ୍ତି ନାହିଁ। ଆମକୁ ଗାଁ ଲୋକ କାମ ମଧ୍ୟ ଦିଅନ୍ତି ନାହିଁ ଯାହା ଆମ ଜୀବନକୁ ଦୁର୍ବିସହ କରିଦେଇଛି” ବୋଲି ସଂଗ୍ରାମଙ୍କ ସ୍ତ୍ରୀ ଲଚ୍ଚା ସୋରେନ କହିଛନ୍ତି। ଏହି ଦମ୍ପତିଙ୍କ ତିନୋଟି ସନ୍ତାନ ଅଛନ୍ତି – ଗୋଟିଏ ୧୩ ବର୍ଷର ଝିଅ ଏବଂ ୮ ଓ ୫ ବର୍ଷର ଦୁଇଟି ପୁଅ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି ସେମାନଙ୍କ ସହିତ କଥା ହୋଇଥିଲେ ଏବଂ ସମ୍ପ୍ରଦାୟର ସାମାଜିକ ବାସନ୍ଦ ନିର୍ଦ୍ଦେଶ ଉଲ୍ଲଂଘନ କରିବାରୁ ତାଙ୍କୁ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିଛି। ଭୋଜିରେ ହାଣ୍ଡିଆ ନଦେଇ ପରମ୍ପରାକୁ ପାଳନ ନକରିବାର କାରଣ ବିଷୟରେ ପଚରାଯିବାରୁ ସଂଗ୍ରାମ କହିଛନ୍ତି, “ମୋ ବାପା ମଦ୍ୟପାନ କରି ନିଶାଗ୍ରସ୍ତ ରହୁଥିଲେ, ଯାହା ତାଙ୍କର ଅକାଳ ମୃତ୍ୟୁର କାରଣ ହୋଇଥିଲା। ମଦ ନିଶା ଯୋଗୁଁ ଆଦିବାସୀ ପରିବାର ନଷ୍ଟ ହେଉଥିବା ଆମେ ଦେଖିଛୁ। ତେଣୁ, ମୁଁ ଭୋଜିରେ ହାଣ୍ଡିଆ ନକରିବାକୁ ନିଷ୍ପତ୍ତି ନେଇଥିଲି।” ପୋଲିସକୁ ମିଳିଥିବା ଅଭିଯୋଗରେ ସଂଗ୍ରାମ ତାଙ୍କ ପରିବାରକୁ ବାସନ୍ଦ କରିଥିବା ଗ୍ରାମର ତିନି ଜଣ ବୟସ୍କ ବ୍ୟକ୍ତିଙ୍କ ନାଁ ନେଇଛନ୍ତି। ସାନ୍ତାଳି ସମ୍ପ୍ରଦାୟର ଜଣେ ପୁରୋହିତ କହିଛନ୍ତି, “ଆମକୁ ଅନ୍ତିମ ସଂସ୍କାର ସମୟରେ ଦିବଂଗତ ଆତ୍ମାକୁ ହାଣ୍ଡିଆ ବାଢିବାର ପରମ୍ପରା ଅଛି। କିନ୍ତୁ ସମ୍ପ୍ରଦାୟ ଭୋଜିରେ ଲୋକଙ୍କୁ ହାଣ୍ଡିଆ ପରିବେଷଣ କରିବାର କୌଣସି ଧାର୍ମିକ ନିୟମ ନାହିଁ। ଏହା ସବୁ ମୃତକଙ୍କ ପରିବାରର ଆର୍ଥିକ ଅବସ୍ଥା ଉପରେ ନିର୍ଭର କରେ। ସେମାନେ ଚାହିଁଲେ ହାଣ୍ଡିଆ ଦେଇ ପାରିବେ, ନଦେଇ ପାରିବେ କିନ୍ତୁ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ।”
ହାଣ୍ଡିଆ ହେଉଛି ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ, ବିଶେଷକରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଲୋକପ୍ରିୟ ଏକ ପାରମ୍ପରିକ ମଦ୍ୟ ଯାହାକୁ ଚାଉଳ ବିୟର କୁହାଯାଏ। ଏହି ସମୟରେ, ଶରତ ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ନେତୃତ୍ୱରେ ଏକ ଦଳ ସେହି ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। ଶରତ ଥାନା ଅଧିକାରୀ କହିଛନ୍ତି “ଆମେ ଗାଁ ଲୋକଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲୁ ଏବଂ ସେମାନଙ୍କୁ କହିଥିଲୁ ଯେ ସେମାନେ କୌଣସି କାରଣରୁ କୌଣସି ପରିବାରକୁ ସାମାଜିକ ଭାବରେ ବୟକଟ କରିପାରିବେ ନାହିଁ। ପୋଲିସ ସେମାନଙ୍କୁ ଏହି ମାମଲାର ସମାଧାନ ପାଇଁ ଦୁଇ ଦିନ ସମୟ ଦେଇଛି”। ଶ୍ରୀ ପାତ୍ର କହିଛନ୍ତି ଯେ, ଯଦି ଗାଁ ସ୍ତରରେ ସମ୍ପ୍ରଦାୟର ସଦସ୍ୟମାନଙ୍କ ମଧ୍ୟରେ ଏହି ମାମଲାର ସମାଧାନ ନହୁଏ ତେବେ ପୋଲିସକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିପାରେ। ସାମାନ୍ୟ ହାଣ୍ଡିଆ ପାଇଁ ଡହ ଡହ ଖରା ଦିନରେ ୫ ପ୍ରାଣୀ କୁଟୁମ୍ବକୁ ନିଆଁ ପାଣି ବାସନ୍ଦ କରି ହନ୍ତସନ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ।
Also read https://purvapaksa.com/indias-fertility-rate-drops-below-replacement-level/