ଆଉ ଦିନକ ପରେ ଭାରତର ମହାକାଶ ଇତିହାସରେ ପୁଣିଥରେ ଯୋଡି ହେବ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଇସ୍ରୋ ଏବଂ ନାସାର ମିଳିତ ମିଶନ ଏଏକ୍ସ-୪ ଅନ୍ତର୍ଗତ ଭାରତର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଯାତ୍ରା କରିବେ। ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବର କ୍ଷଣ ହେବ କାରଣ ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହେବେ ମହାକାଶକୁ ଯାତ୍ରା କରିଥିବା ଦ୍ଵିତୀୟ ଭାରତୀୟ। ଏଏକ୍ସ-୪ ମିଶନ ଅନ୍ତର୍ଗତ ଏହି ଉତକ୍ଷେପଣକୁ ସେଥିରେ ବସିବାର ରିହର୍ସଲ ମଙ୍ଗଳବାର ତୃତୀୟ ଥର ପାଇଁ ଟଳାଯାଇ ଜୁନ ୧୧ରେ ସମୟ ଧାର୍ଯ୍ୟ କରାଯାଇଛି। ଖରାପ ପାଗ କାରଣରୁ ମିଶନକୁ ଦିନକ ପାଇଁ ଟାଳି ଦିଆଯାଇଥବା ଜଣାପଡ଼ିଛି। ଶୁଭାଂଶୁ ଏଏକ୍ସ-୪ ମିଶନରେ ଅନ୍ତର୍ଗତ ଆଇଏସଏସ ଯିବେ। ଏଲନ ମସ୍କଙ୍କ କଂପାନୀ ସ୍ପେସ ଏକ୍ସର ଡ୍ରାଗନ କ୍ୟାପସୁଲରେ ଶୁଭାଂଶୁ ଓ ଅନ୍ୟ ମହାକାଶଚାରୀମାନେ ସ୍ପେସ ଷ୍ଟେସନକୁ ଯାତ୍ରା କରିବେ। ଏହି ମିଶନକୁ ଫାଲକନ ୯ ରକେଟରେ ଫ୍ଲୋରିବାରେ ଅବସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ।
ଇତିମଧ୍ୟରେ ଆଇଏସଏସ ପାଇଁ ଶୁଭ୍ରାଂଶୁଙ୍କ ଫାଇନାଲ ରିହର୍ସଲ ଶେଷ ହୋଇଛି। ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଯିବା ପୂର୍ବରୁ ଫାଇନାଲ ରିହର୍ସଲ କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆସେମ୍ବ୍ଲୀ ବିଲ୍ଡିଂରୁ ରାହାରି ରକେଟ ପର୍ଯ୍ୟନ୍ତ ଯିବା ଓ ସେଥିରେ ବସିବାର ରିହର୍ସଲ କରିଥିଲେ। ମିଶନ ଲଞ୍ଚ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ରିହର୍ସଲ କରାଯାଇଛି। ଏହା ଏକ ଚମତ୍କାର ଯାତ୍ରା ଥିଲା ବୋଲି ଶୁଭାଂଶୁ କହିଛନ୍ତି। ଏହି ମୂହୁର୍ତ୍ତ ବତାଉଛି ଯେ, ଆପଣ ଏଭଳି ଏକ ଯାତ୍ରାର ଅଂଶ ହେବାକୁ ଯାଉଛନ୍ତି ଯାହା ନିଜଠାରୁ ଖୁବ୍ ବଡ଼। କେବଳଏତିକି କହିବାକୁ ଚାହେଁ ଯେ ମୁଁ ଖୁବ୍ ଭାଗ୍ୟଶାଳୀ, ଯେଉଁ କାରଣରୁ ମୋତେ ଏହି ମିଶନର ଅଂଶ ହେବାକୁ ସୁଯୋଗ ମିଳିଲା। ସୂଚନାଯୋଗ୍ୟ ଯେ, ଏଏକ୍ସ -୪ ମିଶନ ଅର୍ନ୍ତଗତ ୪ ଦେଶର ୪ଜଣ ମହାକାଶଚାରୀ ୧୪ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ ।
ଏଏକ୍ସ ମିଶନରେ ଭାରତ ସମେତ ଆମେରିକା, ପୋଲାଣ୍ଡ, ହଙ୍ଗେରୀର ମହାକାଶଚାରୀ ସାମିଲ ଅଛନ୍ତି। ଶୁଭାଂଶୁ ଶୁକ୍ଳାଙ୍କ ବ୍ୟତୀତ ମିଶନରେ ଯିବାକୁ ଥିବା ଅନ୍ୟ ୩ ମହାକାଶଚାରୀ ହେଲେ- କମାଣ୍ଡର ପେଗି ଦ୍ଵିଟସନ (ଆମେରିକା), ପୋଲାଣ୍ଡର ଗ୍ଲାଓସକ ଉଜାନସ୍କି ସ୍ଵିସର୍ନିଭସ୍କି (ମିଶନ ସ୍ପେଶାଲିଷ୍ଟ) ଏବଂ ହଙ୍ଗେରୀର ଟି ବର କାପୁ (ମିଶନ ସ୍ପେଶାଲିଷ୍ଟ) ପ୍ରମୁଖ । ଶୁଭ୍ରାଂଶୁ ଆଇଏସଏସ ଯିବାରେ ପ୍ରଥମ ଓ ମହାକାଶକୁ ଯିବାରେ ଦ୍ଵିତୀୟ ଭାରତୀୟ ହେବେ। ସେ ମିଶନରେ ପାଇଲଟ ଦାୟିତ୍ଵରେ ରହିବେ। ଏହା ପୂର୍ବରୁ ରାକେଶ ଶର୍ମା ୧୯୮୪ରେ ସୋଭିଏତ ୟୁନିୟନର ବିମାନରେ ମହାକାଶକୁ ଯାଇଥିଲେ।
ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା। ତାଙ୍କର ପ୍ରାଥମିକ ଶିକ୍ଷା ଲକ୍ଷ୍ନୌର ସିଟି ମୋଣ୍ଟେସର ସ୍କୁଲରେ ହୋଇଥିଲା । ଯୁକ୍ତ ୨ ପରେ ସେ ନ୍ୟାସନାଲ ଡିଫେନ୍ ଏକାଡେମୀ (ଏନଡିଏ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଏବଂ ସେଠାରୁ ହିଁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୦୬ ଜୁନ ୧୭ରେ ଭାରତୀୟ ବାୟୁସେନାର ଫାଇଟର ପାଇଲଟ ଭାବେ ସାମିଲ ହୋଇଥିଲେ ଶୁଭାଂଶୁ । ତାଙ୍କ ପାଖରେ ୨ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ଅନୁଭବ ରହିଛି । ସେ ସୁଖୋଇ ୩୦ ଏମକେଆଇ, ମିଗ୍ ୨୧, ମିଗ୍ ୨୯, ଜଗୁଆର, ହକ, ଡୋର୍ନିଅର ଏବଂ ଏନ-୩୨ ଭଳି ଯୁଦ୍ଧ ବିମାନ ଉଡ଼ାଇ ସାରିଛନ୍ତି ।
ଏଏକ୍ସ ମିଶନ ୪ ଏକ ପ୍ରାଇଭେଟ ସ୍ପେସ ଫ୍ଲାଇଟ ମିଶନ। ଆମେରିକାର ପ୍ରାଇଭେଟ ସ୍ପେସ କମ୍ପାନୀ ଏଏକ୍ସ ସ୍ପେସ ଓ ନାସା ମିଳିତଭାବେ ଏହି ମିଶନ କରୁଛନ୍ତି । ଏଏକ୍ସ ସ୍ପେସର ପ୍ରେରଣାଦାୟୀ ଯାତ୍ରା ଏହା ଚତୁର୍ଥ ମିଶନ। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଘରୋଇ ମହାକାଶ ସାଲାକ ପ୍ରୋତ୍ସାହିତ କରିବା। ଫଳରେ ଅଧିକରୁ ଅଧିକ ଲୋକ ମହାକାଶକୁ ଯିବାକୁ ଉତ୍ସାହିତ ହେବେ। ଏହି ମିଶନ ଭବିଷ୍ୟତରେ କର୍ମସିଆଲ ସ୍ପେସ ଷ୍ଟେସନ ପ୍ରତିଷ୍ଠା (ଏଏକ୍ସ ଷ୍ଟେସନ) ଦିଗରେ ଏଏକ୍ସ ସ୍ପେସ୍ ଯୋଜନାର ଏକ ଅଂଶ ଅଟେ। ଏଏକ୍ସ -୪ ମିଶନ ମହାକାଶରେ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନ ଓ ପ୍ରୟୋଗକୁ ବି ତ୍ଵରାନିତ କରିବ। ଏହି ମିଶନ ମାଇକ୍ରୋଗ୍ରାଭିଟିର ବିଭିନ୍ନ ପ୍ରୟୋଗ ସହ ମହାକାଶରେ ବିଭିନ୍ନ କୌଶଳର ପରୀକ୍ଷା ଓ ବିକାଶରେ ବି ସହାୟକ ହେବ। ଏହା ବିଭିନ୍ନ ଦେଶର ମହାକାଶଚାରୀଙ୍କୁ ଏକ ମଞ୍ଚ ବି ପ୍ରଦାନ କରିବ। ଫଳରେ ଅନ୍ତରାଷ୍ଟ୍ରୀୟ ସହଯୋଗ ବି ବଢ଼ିବ।
ପ୍ରକାଶ ଥାଉ କି, ଆଇଏସଏସ ପୃଥିବୀ ଚାରିପଟେ ଘୁରି ବୁଲୁଥିବା ଏକ ମହାକାଶ ଯାନ। ଏଥିରେ ମହାକାଶଚାରୀ ପର୍ଯ୍ୟାୟକ୍ରମେ ରୁହନ୍ତି ଓ ଅନେକ ପ୍ରକାର ପରୀକ୍ଷଣ କରନ୍ତି । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ପୃଥିବୀ ଚାରିପଟେ ଘଣ୍ଟା ପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲିଥାଏ । ପୃଥିବୀର ଥରେ ପରିକ୍ରମା କରିବାକୁ ଲାଗିଥାଏ ୯୦ ମିନିଟ ସମୟ।