ରାଜ୍ୟରେ ଦିନକୁ ଦିନ ବାବୁମାନଙ୍କ କୋଟିପତି ହେବାର ନିଶା ବଢ଼ିବାରେ ଲାଗିଛି। ସେଥିଲାଗି ତଳୁ ଉପରସ୍ତରର ବାବୁମାନେ ଆୟ ନୁହେଁ, ବରଂ ଉପୁରି ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଇଞ୍ଜିନିୟରମାନେ ଯେମିତି ମାଲମାଲ ହେଉଛନ୍ତି ସେଥିରୁ ଲାଗୁଛି ଏଥିରେ ସରକାରୀ ବଳ ଓ କଳର ଭିତିରି ହାତ ନିଶ୍ଚିତ ରହିଛି। ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଥିବା ଗ୍ରାମ୍ୟ ରାସ୍ତା ଯୋଜନା ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ଯେଉଁଭଳି କୋଟି କୋଟି ଟଙ୍କାର ୫୦୦ ଟଙ୍କା ମୁଦ୍ରକୁ ଭିଜିଲାନ୍ସ ଜବତ କରିଛି, ଲାଗୁଛି ଯେମିତି ପ୍ରଶାସନ ଓ ଶାସନ ଏକକାର ହୋଇଛନ୍ତି ରାଜ୍ୟକୁ ଲୁଟିବା ଲାଗି।
ବୈକୁଣ୍ଠନାଥ ଘରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ନଗଦ ଜବତ କରିଛି ଭିଜିଲାନ୍ସ। ଏହାବାଦ୍ ଜାଗା, ଘର, ଫ୍ଲାଟ୍, ସୁନା କଥା କହିଲେ ଧାଡ଼ି ଲାଗିବ। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ତାହା ଯେତିକି ପ୍ରଶ୍ନ ନୁହେଁ ଚଢ଼ଉ ଦିନ ଟଙ୍କା ବିଡ଼ା ପଡ଼ିଶା ଘରକୁ ଫୋପାଡ଼ିବା ଏକ ଦେଖିଲା ଭଳି ଦୃଶ୍ୟ ହୋଇଥିଲା। ପ୍ରଶ୍ନ ଉଠୁଛି, ମୋହନ ମାଝୀଙ୍କ ଶାସନ ସମୟରେ ଏପରି ଦୁର୍ନୀତି କାହିଁକି ହେଉଛି? ଅଫିସର କ’ଣ ସମାନ୍ତରାଳ ଶାସନ ଚଳାଉଛନ୍ତି କି? ଲୋକଙ୍କ ସରକାର ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ଶାସନ ପାଇଁ ଏହା ଏକ ଚ୍ୟାଲେଞ୍ଜ ନୁହେଁ କି?
ଆସନ୍ତୁ ନଜର ପକାଇବେ ମୋହନ ମାଝୀଙ୍କ ସରକାରକୁ ଆସିବାର ୬ ମାସ ପରେ ଯେଉଁ ବଡ଼ ଧରଣର ଦୁର୍ନୀତିକୁ ଭିଜିଲାନ୍ସ ଧରିଛି ସେ ଘଟଣାବଳୀଗୁଡ଼ିକ ଉପରେ। ଅର୍ଥାତ୍ ୨୦୨୫ ଜାନୁୟାରୀରୁ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିବା କିଛି ପ୍ରମୁଖ ଘଟଣାକୁ ଏଠାରେ ଉପସ୍ଥାପନ କରୁଛୁ।
୩୦ ଜାନୁଆରୀ, ୨୦୨୫ରେ ଜଣେ ଆଇଟିଡିଏ ଅଧିକାରୀଙ୍କ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ବଣାଇର ୭ଟି ସ୍ଥାନରେ ରେଡ୍ କରାଯାଇଥିଲା।
ସେହିପରି ୫ ଫେବୃଆରୀ, ୨୦୨୫ରେ ମାଲକାନଗିରି ୱାଟରସେଡ୍, ପିଡି ତଥା ଡେପୁଟି ଡାଇରେକ୍ଟର ଶାନ୍ତନୁ ମହାପାତ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା। ଏହି ସମୟରେ ତାଙ୍କଠାରୁ ନଗଦ୨.୦୬ କୋଟି ଜବତ ସହ ଭୁବନେଶ୍ୱରରେ ଏକ ବହୁତଳ ପ୍ରାସାଦ ଏବଂ ୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଜବତ କରିଥିଲା। ତାଙ୍କ ଘରୁ ୪୨୨ ଗ୍ରାମ ସୁନା, ବ୍ୟାଙ୍କ ଜମା ୯୧ ଲକ୍ଷ ମଧ୍ୟ ଠାବ କରାଯାଇଥିଲା।
୬ ମାର୍ଚ୍ଚ, ୨୦୨୫ରେ ପରିବହନ ଯୁଗ୍ମ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ସମସ୍ତଙ୍କୁ ତାଜୁବ କରିଥିଲା। ତାଙ୍କ ନାଁ ପ୍ରଦୀପ କୁମାର ମହାନ୍ତି। ଯେଉଁ ସମ୍ପତ୍ତି ନଜରକୁ ଆସିଥିଲା ସେଥିରେ; ୩ଟି ମଲ୍ଟି-ଷ୍ଟୋରେଡ୍ ବିଲ୍ଡିଂ ରହିଛି। ଭୁବନେଶ୍ୱରରେ ଏକ ୪-ବିଏଚକେ ଫ୍ଲାଟ, ୨ଟି ବେନାମୀ ଫ୍ଲାଟ, ୧୧ଟି ପ୍ଲଟ, ଏକ ୧୪ ଏକର ଫାର୍ମହାଉସ ଥିବା ଭିଜିଲାନ୍ସ ଜାଣିପାରିଛି। ଏହା ସହ ତାଙ୍କଠାରୁ ଚଢ଼ଉ ସମୟରେ ନଗଦ୧୫.୫୫ ଲକ୍ଷ ଟଙ୍କା, ୩ଟି ୧୦୦ ଗ୍ରାମ ସୁନା ବିସ୍କୁଟ ସହ ୧.୫ କିଲୋ ଅତିରିକ୍ତ ସୁନା ଜବତ କରାଯାଇଛି। ଗାଡ଼ି ଆକାରରେ ୨ଟି କାର ମଧ୍ୟ ଆୟ ବହିର୍ଭୁତ ସମ୍ପତ୍ତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।
୨୫ ମାର୍ଚ୍ଚ, ୨୦୨୫ରେ ଜଟଣୀ ମ୍ୟୁନିସିପାଲିଟିର ଏକ୍ସକ୍ୟୁଟିଭ ଅଫିସର, ସୂର୍ଯ୍ୟମଣି ପଟ୍ଟଯୋଶୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏଥିରେ ନଗଦ ୧୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ସହ ୨ଟି ଫ୍ଲାଟ,୨ଟି ମଲ୍ଟି-ଷ୍ଟୋରେଡ୍ ବିଲ୍ଡିଂ, ଭୁବନେଶ୍ୱରରେ ୪.୫-ବିଏଚକେ ଫ୍ଲାଟ ପାଇଁ ୫୬ ଲକ୍ଷ ଆଡ଼ଭାନ୍ସ ଦିଆଯାଇଥିବା ଜାଣିଥିଲା ଭିଜିଲାନ୍ସ। ୧୧ଟି ପ୍ଲଟ ମଧ୍ୟ ଉନ୍ମୋଚିତ ତାଲିକାରେ ରହିଛି।
୧୧ ଏପ୍ରିଲ, ୨୦୨୫ରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ ଇଞ୍ଜିନିୟର ପବିତ୍ର ମୋହନ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ହୋଇଥିଲା। ଏଥିରେ ନଗଦ୧୮.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା।
୧୬ ଏପ୍ରିଲ, ୨୦୨୫ରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ ଇଞ୍ଜିନିୟର ରାମ ଚନ୍ଦ୍ର ଶତପଥୀଙ୍କ ଅଫିସ ଓ ବାସଭବନରୋ ଚଢ଼ାଉ କରାଯାଇଥିଲା। ଏଥିରେ ନଗଦ୨୨ ଲକ୍ଷ ଟଙ୍କା ଜବତ କରାଯିବା ସହ ଢେଙ୍କାନାଳରେ ଏକ ଡବଲ-ଷ୍ଟୋରେଡ୍ ବିଲ୍ଡିଂ, ବାରଙ୍ଗ (କଟକ)ରେ ଏକ ହାଇ-ଭାଲ୍ୟୁ ପ୍ଲଟ, ଢେଙ୍କାନାନାଳ ଓ ଆଖପାଖରେ ୨୦ଟି ପ୍ଲଟ ଠାବ କରାଯାଇଥିଲା।
୨୩ ମେ, ୨୦୨୫ରେ ନୂଆପଡ଼ା ଜିଲ୍ଳା ଖଡ଼ିଆଳରେ ପୂର୍ତ୍ତବିଭାଗର ଜୁନିୟର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀ ଆସିଥିଲେ ଭିଜିଲାନ୍ସ ଜାଲକୁ। ଏହି ଚଢ଼ାଉରେ ୩ଟି ମଲ୍ଟି-ଷ୍ଟୋରେଡ୍ ବିଲ୍ଡିଂ, ଏକ ଫାର୍ମହାଉସ, ୯ଟି ପ୍ଲଟ ଠାବ କରାଯାଇଥିଲା। ୨ଟି କାର ସହ ନଗଦ ଜମା ୫୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।
୨୯ ମେ, ୨୦୨୫ରେ ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ସହଦେବ କିଷାନଙ୍କ ଉପରେ ଚଢ଼ଉ ହୋଇଥିଲା। ଏଥିରେ ତାଙ୍କ ନାଁରେ ଥିବା ସମ୍ବଲପୁରରେ ୨ଟି ହାଇ-ଭାଲ୍ୟୁ ପ୍ଲଟ, ନିବେଶ ୫୦ ଲକ୍ଷ ଟଙ୍କା, ୧୦୦ ଗ୍ରାମ ସୁନା ଜବତ କରାଯାଇଥିଲା। ଏ ବାବୁ ୧୦ ଲକ୍ଷ ଟଙ୍କାର ଗୃହ ସଜ୍ଜା ସାମଗ୍ରୀ ରଖିଥିବା ମଧ୍ୟ ଭିଜିଲାନ୍ସ ଜାଣିବାକୁ ପାଇଥିଲା।
ଖାଲି ସେତିକି ନୁହେଁ ଏହି ମହାଶୟ ନିଜ ନାଁରେ ଲାଞ୍ଚ ନେଲେ ଧରାପଡ଼ିବେ ବୋଲି ଜାଣି ନିଜର ଜଣେ ଉତ୍ତରପ୍ରଦେଶ ବନ୍ଧୁଙ୍କ ଆକାଉଣ୍ଟରେ ଅର୍ଥ ନେଉଥିଲେ।
୨୦ ମେ, ୨୦୨୫ ଗଜପତି କ୍ଷୁଦ୍ର ଜଳ ସେଚନରେ ଡିଭିଜନାଲ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ସୁରଜ ପ୍ରସାଦ ଜୟସୱାଲ ଓ ସିନିୟର ଆସିଷ୍ଟାଣ୍ଟ ନରେଶ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଧରିଥିଲା।
ଏବେ ବର୍ଷ ପୂର୍ତ୍ତି ହେଉଥିବା ମୋହନ ସରକାର ଏପରି ବାବୁମାନଙ୍କୁ କିପରି ସାବାଡ଼ କରୁଛନ୍ତି ତାହାକୁ ଅପେକ୍ଷା ରହିବ। କାରଣ ଧରାପଡ଼ୁଥିବା ଏ ଅଧିକାରୀମାନେ ଦୁର୍ନୀତିର ହାଣ୍ଡିରୁ କାଣିଚାଏ ହୋଇପାରନ୍ତି। ଅର୍ଥାତ୍ ଜାଲରେ ପଡ଼ୁନଥିବା ଏପରି ଅନେକ ବଡ଼ ମାଛ ଉପର ମୁଣ୍ଡରେ ରହିଛନ୍ତି। ଶ୍ରୀ ମାଝୀଙ୍କ ସରକାର ଏହି ବଡ଼ବାବୁମାନଙ୍କ ଦୁର୍ନୀତି ଧରିବାରେ ନିର୍ଦ୍ଦେଶ ଦେବେ କି?
Also readhttps://purvapaksa.com/india-gets-opposition-party/