ଦୀର୍ଘ ୨୪ ବର୍ଷ ହେଲା ଶାସନରେ ଥାଇ ବିଜେଡି ଯେଉଁମାନଙ୍କ ଦାବିକୁ ଉପହାସ କରୁଥିଲା ଆଜି କିନ୍ତୁ ତାହାକୁ ଜବରଦସ୍ତ ସମର୍ଥନ କରୁଛି। ସେମାନଙ୍କ ସଂଖ୍ୟା ଅନୁସାରେ ଭାଗିଦାରୀ ବଢ଼ାଇବାକୁ ଦାବି କରୁଛି। ଛକ ବଜାର ବୁଲି ବୁଲି ନେତାଏଁ ରଡ଼ି କରୁଛନ୍ତି। କିନ୍ତୁ କାହିଁକି? ହଠାତ୍ ଏମିତି କ’ଣ ହେଲା ଯେ ବିଜେଡିର ନୀତିରେ ପରିବର୍ତ୍ତନ ହୋଇଗଲା? ଏ ପ୍ରଶ୍ନ ଖୋଜିଲାବେଳକୁ ମୂଳ ଯାଇ ପାଣ୍ଡିଆନ୍ଙ୍କ ପାଖରେ ଅଟକୁଛି। ଆଇଏଏସ୍ ଛାଡ଼ିଥିବା ତାଙ୍କ ପତ୍ନୀ ସୁଜାତା ରାଉତ ଓରଫ ସୁଜାତା ପାଣ୍ଡିଆନ୍ଙ୍କୁ ନେତାଭାବେ ପ୍ରତିଷ୍ଠିତ କରିବା ଲାଗି ଏହି ଦାବି ଉଛୁଳୁଥିବା ଆଲୋଚନା ହେଉଛି। ଆଉ ଏ ଆଲୋଚନା ବିଭିନ୍ନ ବିକଳ୍ପ ମିଡିଆରେ ବି ଚର୍ଚ୍ଚାର ବିଷୟ ହୋଇଛି। ଆଜି ସେହି ବିଷୟକୁ ଆଧାର କରି ଆଲୋଚନା କରିବା।
ଏଠି ସୁଜାତା ହେଉଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପତ୍ନୀ। ଯଦିଓ ପାଣ୍ଡିଆନ୍ ବ୍ରାହ୍ମଣ କିନ୍ତୁ ସୁଜାତା ଜନ୍ମରୁ ହେଉଛନ୍ତି ପଛୁଆ ବର୍ଗର। ଭାରତୀୟ ତନ୍ତ୍ର ବ୍ୟବସ୍ଥାରେ ସବୁଠାରୁ ବଡ଼ ବର୍ଗର ଚାକିରି ବୋଲି ଯାହାକୁ ସମ୍ମାନ କରାଯାଏ ସେ ସେହି ବର୍ଗରେ ଦେଶ ପାଇଁ ସେବା କରିଛନ୍ତି। ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀକୁ ନେଇ ରାଜ୍ୟବାସୀଙ୍କୁ ଶାସନ କରିଛନ୍ତି। ଏକଦା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାୟାରେ ସେ ମହିଳାଙ୍କ ସଶକ୍ତିକରଣ ଲାଗି ହେଉଥିବା ସରକାରୀ ଉଦ୍ୟମର ମୁଖ୍ୟ ପୁରୋଧା ଥିଲେ। ଅବଶ୍ୟ ଏହି ସମୟରେ କ୍ଷମତାର ଦୁରୂପଯୋଗ କରି ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ବିଜେଡିକୁ ସହାୟତା କରୁଥିବା ଅଭିଯୋଗରେ ଅଭିଯୁକ୍ତ ହୋଇଥିଲା ସୁଜାତା। ଆଉ ଯେତେବେଳେ ସରକାର ବଦଳିଗଲା ଏବଂ ବିଜେପି ଶାସନକୁ ଆସିଲା ସୁଜାତା ଭାରତୀୟ ପ୍ରଶାସନିକ ସେବାରେ ବି ଅଣନିଃଶ୍ୱାସୀ ହୋଇଗଲେ। ଆଜି ସେ ସ୍ୱ-ଇଚ୍ଛାରେ ଚାକିରି ଛାଡ଼ିଥିବା ଜଣେ ଭଦ୍ର ମହିଳା।
ନିର୍ବାଚନ ପୂର୍ବରୁ ବିଜେଡିର ପ୍ରକୃତ ହିତାଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ବୋଲି ଅନେକ କହୁଥିଲେ। କିନ୍ତୁ ଯେଉଁପ୍ରକାରେ ଓଡ଼ିଶାବାସୀ ତାଙ୍କୁ ଘଉଡ଼ାଇଲେ ସେଥିରେ ଭୟଭୀତ ହୋଇ ପାଣ୍ଡିଆନ୍ ରାଜନୀତି ପର୍ଦ୍ଦାରୁ ଉଭେଇ ଯାଇଛନ୍ତି। ଅବଶ୍ୟ ଏବେ ଯେ ସେ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ହୋଇ ନାହାନ୍ତି ତାହାକୁ ବିଜେଡି ନେତା ବି ଛାତିରେ ହାତ ଥୋଇ କହିପାରିବେ ନାହିଁ। ସେହି ନବୀନ ନିବାସ ତାଙ୍କ କର୍ମଭୂମି ହୋଇ ରହିଛି। ପର୍ଦାକୁ ନ ଆସି ବିଜେଡିରେ ଚାଲିଥିବା ସବୁକିଛିର ସେ ରିଂ-ମାଷ୍ଟର ବୋଲି କୁହାଯାଉଛି।
କିନ୍ତୁ ଓଡ଼ିଶା ଲୋକେ ତାଙ୍କୁ ଜଣେ ଅଣଓଡ଼ିଆ, ଓଡ଼ିଆଙ୍କ ବିରୋଧୀ, କ୍ଷମତା ପିପାସୁ ଭାବେ ଗଣନା କରନ୍ତି। ତାଙ୍କୁ ଘୃଣା କରନ୍ତି। ତାଙ୍କରି ଯୋଗୁ ତାଙ୍କ ପ୍ରିୟ ନେତା ନବୀନ ବାବୁ କ୍ଷମତାରୁ ଅପସାରିତ ହେଲେ ବୋଲି କୁହନ୍ତି। ଆଉ ସେଥିଲାଗି ତାଙ୍କୁ ବିଜେଡିରେ ଦେଖିବାକୁ ଚାହୁଁ ନାହାନ୍ତି। ତଥାପି କାମଧେନୁ ମାତା ଭଳି ଓଡ଼ିଶାବାସୀଙ୍କ ନେତା ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା କରିଛନ୍ତି, ପ୍ରଶଂସା କରନ୍ତି ଆଉ ତାଙ୍କୁ ଦୂରେଇ ଦେବାକୁ ଚାହାନ୍ତି ନାହିଁ। ନିକଟରେ ସେ ବିଦେଶ ଯିବେ ଏକ ଏନ୍ଜିଓରେ କାମ କରିବେ ବୋଲି ଚର୍ଚ୍ଚା ହେଲା। ହେଲେ ତାହା ଯେ ସୁପରିକଳ୍ପିତ ଥିଲା ତାହା ଏବେ ସ୍ପଷ୍ଟ ହୋଇଛି।
ଏସବୁ ପରେ ଏବେ ସେ କିଛି ନୂଆପିଢ଼ିର ନେତାଙ୍କୁ ନେଇ ଓବିସି ରାଜନୀତିର ଫାଇଦା ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ପଛୁଆ ବର୍ଗର ରାଜନୀତି ଏବେ ଦେଶରେ ନିଆଁ ଭଳି ବ୍ୟାପୁଛି। ବିହାର ରାଜନୀତିକୁ ଆଖିରେ ରଖି କେନ୍ଦ୍ର ସରକାର ମଧ୍ୟ ପଛୁଆ ଜାତି ଗଣନା ଲାଗି ରାଜି ହୋଇଛନ୍ତି। ଓଡ଼ିଶାରେ ଜାତିଭିତ୍ତିକ ରାଜନୀତି କେବେ ଉତ୍କର୍ଷ ଲାଭ କରିନାହିଁ। ହେଲେ ଏହାକୁ ଏକ ଉତ୍କଟ ପରିବେଶରେ ପରିଣତ କରିବାକୁ କିଛି ନେତା ଆଗଧାଡ଼ିକୁ ବାହାରିଛନ୍ତି। ସେ ଭିତରେ ରହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ। ମହାଶୟ ନୟାଗଡ଼ର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ। ନିଜେ ଜଣେ ଓବିସି ନେତା। କିନ୍ତୁ ଓବିସି ଆଧାରରେ ପୂର୍ବରୁ କେବେ ଭୋଟ ଗୋଟାଇ ନାହାନ୍ତି। ଗତ ବିଧାନସଭା ଅଧିବେଶନଠାରୁ ସେ ନିଜ ଭବିଷ୍ୟତକୁ ଏଦିଗରେ ଖୋଜିବାକୁ ଉଦ୍ୟମ କରିଛନ୍ତି। ଏଣୁ ବିଧାନସଭାରେ ‘ଯାହାର ଯେତେ ସଂଖ୍ୟା ବେଶୀ, ତାହାର ସେତେ ଓଜନ ବେଶୀ’ ବୋଲି କହି ଜାତିଭିତ୍ତିକ ରାଜନୀତିକୁ ଗୋଡ଼ କାଢ଼ିଛନ୍ତି। ଆଉ ଯେତେବେଳେ ଓଡ଼ିଶା ସରକାର ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆସନ ଆରକ୍ଷଣ ଦେଇ ବାହାବା ସାଉଁଟିଛନ୍ତି ସେ ଏହାକୁ ୨୭ ପ୍ରତିଶତ ପାଇଁ ଦାବି କରିଛନ୍ତି। ଯେହେତୁ ମଣ୍ଡଳ କମିଶନ ୨୭ ପ୍ରତିଶତ ଆରକ୍ଷଣ ଲାଗି ସୁପାରିସ କରିଥିଲେ, ତାହାକୁ ଏଠାରେ ଲାଗୁ କରିବା କଥା ଉଠାଇଛନ୍ତି।
ଏ ବିଷୟକୁ ଅଧିକ ସ୍ପଷ୍ଟ କରିବାକୁ କିଛି ବିନ୍ଦୁ ଆପଣଙ୍କ ଆଗରେ ଉପସ୍ଥାପନ କରୁଛି।
ମଣ୍ଡଳ କମିଶନ ହେଉଛି ୯୦ ଦଶକର ବିଷୟ। ଯାହାଙ୍କ ରିପୋର୍ଟକୁ ଜନତା ପାର୍ଟି ସରକାର ୯୦ ଦଶକରେ ଗ୍ରହଣ କରିଥିଲେ। ଏହାପରେ ଦେଶସାରା ଉତ୍ତେଜନା ସୃଷ୍ଟି ହୋଇଥିଲା। ଓଡ଼ିଶାରେ ସେତେବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, କିନ୍ତୁ ସେ ଏହି କମିଶନଙ୍କ ରିପୋର୍ଟକୁ ଗ୍ରହଣ କରିନଥିଲେ।
ଏହାଙ୍କ ପରେ ରାଜ୍ୟରେ ରାଜନୀତିକ ଅସ୍ଥିରତା ଅନେକ ବର୍ଷ ଦେଖିବାକୁ ମିଳିଥିଲା। ବିଜୁଙ୍କ ପୁଅ ନବୀନ ପଟ୍ଟନାୟକ କ୍ଷମତାରେ ୨୪ ବର୍ଷ ରହିଲେ। ହେଲେ ୨୦୦୦ ମସିହାରୁ ୨୦୨୪ ଯାଏ ସେ ଓବିସି ଆରକ୍ଷଣ କଥା ଭୁଲିଗଲେ। ସେତେବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ସାମାଜିକ ଓ ଆର୍ଥିକ ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣର କଥା କହିଥିଲୋ।
ଆଜି ବିଜେପି ସରକାର କ୍ଷମତାକୁ ଆସିବା ପରେ ଓବିସି ବର୍ଗଙ୍କ ପାଇଁ ଯେମିତି ଚାକିରିରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି ତାହାକୁ ଶିକ୍ଷା କ୍ଷେତ୍ରରେ ଲାଗୁ କରିଛନ୍ତି। ଅବଶ୍ୟ ଇଞ୍ଜିନିୟରିଂ ଓ ମେଡିକାଲ୍ ଶିକ୍ଷା ବ୍ୟବସ୍ଥାରେ ଏହି ଆରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିନାହିଁ। କିନ୍ତୁ ବିଜେଡି ପକ୍ଷରୁ ଏହି ଦାବିକୁ ୨୭ ପ୍ରତିଶତକୁ ନେବା ଲାଗି ଦାବି ହୋଇଛି।
ପ୍ରସଙ୍ଗ ଏତିକିରେ ସରି ନାହିଁ କି ଏହା ବିଜେଡି ବନାମ ବିଜେପି ପ୍ରସଙ୍ଗ ନୁହେଁ। ଗତକାଲି ଆଠଗଡ଼ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଷଣକୁ ଏ ସନ୍ଦର୍ଭରେ ଆଲୋଚନା କରାଯାଇପାରେ। ଶ୍ରୀ ସ୍ୱାଇଁଙ୍କ କହିବାରୁ ଏହା ସ୍ପଷ୍ଟ ଯେ ପୂର୍ବରୁ ସେ ଏ ବିଷୟରେ ଅନେକ ଆଲୋଚନା କରିଛନ୍ତି କିନ୍ତୁ ତାହାକୁ ଧ୍ୟାନ ଦିଆଯାଇ ନାହିଁ। ଓବିସି କମିଶନ ଗଠନ ହୋଇଛି କିନ୍ତୁ ତାହାକୁ ଠିକଣାଭାବେ ରଚନା କରାଯାଇପାରିନାହିଁ। ଅରୁଣଙ୍କ କଥାକୁ ସେ ପ୍ରଶଂସା କରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ ସିଧାସଳଖ ଜାତିଆଣ ବିଭେଦ ସୃଷ୍ଟି କରିବାକୁ ଚାହିଁଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ଓବିସି ୯୪ ପ୍ରତିଶତ ହୋଇଥିବା ବେଳେ କାହିଁକି ରାଜ୍ୟରେ ସାଧାରଣ ବର୍ଗ ନେତା ହେବେ ବୋଲି ପ୍ରଶ୍ନ କରିଛନ୍ତି।
ଏ ପ୍ରଶ୍ନକୁ ଟିକେ ଗମ୍ଭୀର ଭାବେ ଚିନ୍ତା କରନ୍ତୁ। ଓଡ଼ିଶା ଇତିହାସରେ ଆଜି ଯାଏ ରାଜ୍ୟକୁ ଯଦି କିଏ ଅଧିକ ସମୟ ଶାସନ କରିଛି ସେଥିରେ ଅଛନ୍ତି ପଟ୍ଟନାୟକ ବା କରଣ ଜାତିର। ତାଙ୍କ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏଥିରେ ଅନ୍ତର୍ଭୁକ୍ତ। ଅର୍ଥାତ୍ ରାଜା ନବୀନଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଓ ଅନସନ୍ତୋଷ ବ୍ୟକ୍ତ କରିଛନ୍ତି।
୨୦୨୯ ପରେ ନବୀନଙ୍କୁ ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥା ଆଉ କ୍ଷମତାରେ ଦେଖିବାର ଅନୁମତି ଦେବ କି ନା ତାହା ପ୍ରଶ୍ନ ଅଳିନ୍ଦରେ ରହିଛି। ଏପରି ସ୍ଥଳରେ ଦଳରେ ପରବର୍ତ୍ତୀ ନେତା କିଏ ହେବେ ତାହା ସ୍ଥିର ହୋଇ ନାହିଁ। ପାଣ୍ଡିଆନ୍ଙ୍କୁ ଲୋକେ ତିରସ୍କାର କରିଛନ୍ତି। ପୁଣି ଦଳରେ ଓବିସି ବର୍ଗର ନେତାଙ୍କ କଥା ଉଠିଛି। ଅର୍ଥାତ୍ ଦଳରେ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତାଙ୍କୁ ନେତାଭାବେ ସ୍ୱୀକାର କରିବାର ପର୍ବ ଆରମ୍ଭ ହୋଇଛି। ସେ ବି ଚାକିରି ଛାଡ଼ି ଏବେ ପରିବାରକୁ ସମୟ ଦେଉଛନ୍ତି। ପୁଣି ଓବିସି ବର୍ଗର ଶିକ୍ଷିତା ମହିଳା। ଏଣୁ ତାଙ୍କୁ ଲୋକମାନେ ଗ୍ରହଣ କରିନେବେ ବୋଲି ବିଜେଡିର ବୁଦ୍ଧିଜୀବୀମାନେ ବିଚାର କରିସାରିଛନ୍ତି। ଯେହେତୁ ସେ ଜଣେ ମହିଳା, ତାଙ୍କୁ କେହି ବିରୋଧ କରି ନ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।
କିନ୍ତୁ ଏହାଦ୍ୱାରା ବିଜେଡିର ବର୍ତ୍ତମାନ ମୁହଁ ଖୋଲୁଥିବା ନେତାମାନେ କି ଫାଇଦା ପାଇବେ? ସେମାନଙ୍କ ଲକ୍ଷ୍ୟ ପୂରଣ ହେବ କି? ଯେଉଁ ପଛୁଆ ବର୍ଗର ବିକାଶ କଥା କହୁଛନ୍ତି ତାହା ସମ୍ପୃକ୍ତ ଜାତି ଓ ବର୍ଗର ବିକାଶ ପାଇଁ ଉଦ୍ଦିଷ୍ଟ ହେବା ଉଚିତ ନା କେବଳ ଜଣେ କ୍ରିମି ଲେୟାରରେ ଥିବା ସରକାରୀ ସୁବିଧା ସୁଯୋଗକୁ ଉପଭୋଗ କରି ପେନ୍ସନ୍ ଭୋଗ କରୁଥିବା ମହିଳାଙ୍କ ଉନ୍ନତିରେ କେନ୍ଦ୍ରୀଭୂତ ହେବା ଦରକାର। ଏହାଦ୍ୱାରା କିଛି ବର୍ଷ ପୂର୍ବେ ଓଡ଼ିଶାର ପଞ୍ଚାୟତଗୁଡ଼ିକରେ ‘ସରପଞ୍ଚ ସ୍ୱାମୀ ଥିଓରୀରେ ଆଉ ଏକ ଅଧ୍ୟାୟ ହେବ ନାହିଁକି?
Also readhttps://purvapaksa.com/amur-falcon-flies-6000-km-from-odisha-to-china-in-18-days/

