ପହଲଗାମ ଆତଙ୍କବାଦୀ ହମଲାକୁ ଦୃଷ୍ଟିରେ ରଖି ଭାରତ ଅଟାରୀରେ ଥିବା ଇଣ୍ଟିଗ୍ରେଟେଡ ଚେକ୍ ପୋଷ୍ଟ (ଆଇସିପି)କୁ ତୁରନ୍ତ ପ୍ରଭାବରୁ ବନ୍ଦ କରିଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଶତ୍ରୁତାର ଲହରୀ ଉଭୟ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଅଟାରୀ-ୱାଘାରେ ସ୍ପଷ୍ଟ ଦେଖାଯାଉଛି। ଏହି କଠୋର ନିଷ୍ପତ୍ତି ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାପାର ବ୍ୟାପାର ବନ୍ଦ ହୋଇଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଭାରତ ଅଟାରୀରେ ଥିବା ଭୂମି ବନ୍ଦର ମାଧ୍ୟମରେ ପାକିସ୍ତାନକୁ ସୋୟାବିନ, ପୋଲଟ୍ରୀ ଫିଡ, ପନିପରିବା, ଲାଲମରିଚ ଏବଂ ପ୍ଲାଷ୍ଟିକ ସୂତା ଭଳି ଜିନିଷ ରପ୍ତାନୀ କରୁଥିଲା। ଅନ୍ୟପକ୍ଷରେ ଶୁଖିଲା ମେଓ୍ୱା, ଖଜୁରୀ, ଜିପ୍ସମ, ସିମେଣ୍ଟ, କାଚ, ସୈନ୍ଧବ ଲୁଣ ଏବଂ ଔଷଧୀୟ ଗୁଣବିଶିଷ୍ଟ ଜିନିଷ ଆମଦାନୀ କରୁଥିଲା।
ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧୀନ ଦେଶ ହୋଇଥିଲେ। ଭାରତରୁ ଅଲଗା ହୋଇ ପାକିସ୍ତାନର ନିର୍ମାଣ ହୋଇଥିଲା। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ କେବେ ମଧୁର ରହି ନ ଥିଲା। ଉଭୟ ଦେଶ ମଧ୍ୟରେ ତିନିଟି ଯୁଦ୍ଧ ହୋଇସାରିଛି। ଆତଙ୍କବାଦ ପାକିସ୍ତାନର ଜାତୀୟ ନୀତି। ଯାହା ସବୁବେଳେ ଭାରତକୁ କଷ୍ଟ ଦେଇଆସିଛି। ଯେଉଁଥିପାଇଁ ପାକିସ୍ତାନ ସହ ତା’ର ଶତ୍ରୁତା ରହିଛି। ହଁ, ଏହା ସତ ଯେ ଭାରତ ନିରନ୍ତର ଉନ୍ନତି କରିଚାଲିଛି। ଆଜି ଆମ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭର। କିନ୍ତୁ କେବଳ ଗୋଟିଏ ଜିନିଷ ଏମିତି ଅଛି ଯାହା ପାଇଁ ଭାରତ ପୂରାପୂରି ପାକିସ୍ତାନ ଉପରେ ନିର୍ଭରଶୀଳ। ତାହା ହେଲା ସୈନ୍ଧବ ଲୁଣ। ଏହା ଏମିତି ଏକ ଜିନିଷ ଯାହାର ଭାରତର ପ୍ରତ୍ୟେକ ଘରେ ପ୍ରଚୁର ଚାହିଦା ରହିଛି।
ଉପବାସ ଓ ପର୍ବପର୍ବାଣିରେ ଏହାର ଚାହିଦା
ସୈନ୍ଧବ ଲୁଣକୁ ରକ ସଲ୍ଟ, ସୈନ୍ଧବ ଲୁଣ, ଲାହୋରୀ ଲୁଣ, ଗୋଲାପୀ ଲୁଣ, ହାଲାଇଟ ଏବଂ ହିମାଲୟନ ଲୁଣ ନାମରେ ମଧ୍ୟ ଜଣାଯାଏ। ଭାରତରେ ହେଉଥିବା ଉପବାସ ଓ ପର୍ବପର୍ବାଣିରେ ସୈନ୍ଧବ ଲୁଣ ନିଶ୍ଚିତଭାବେ ବ୍ୟବହାର କରାଯାଏ। କାରଣ ଏହାକୁ ଶୁଦ୍ଧ ବୋଲି ବିବେଚନା କରାଯାଏ ଏବଂ ଉପବାସ ଓ ପର୍ବପର୍ବାଣିରେ ଏହା ଖାଇବା ଉପରେ କୌଣସି ନିଷେଧ ନାହିଁ। କିନ୍ତୁ ଭାରତରେ ସୈନ୍ଧବ ଲବଣ ଉତ୍ପାଦନ ହେଉ ନାହିଁ। ତେଣୁ ଏହାର ଚାହିଦା ପାକିସ୍ତାନରୁ ଆମଦାନୀ କରି ପୂରଣ କରାଯାଏ। ଯଦିଓ ଗତକିଛି ବର୍ଷରେ ଭାରତ ସୈନ୍ଧବ ଲୁଣ ପାଇଁ ପାକିସ୍ତାନ ଉପରେ ନିଜର ନିର୍ଭରଶୀଳତା କମାଇଛି।
ପାକିସ୍ତାନରେ ହୁଏ ସୈନ୍ଧବ ଲୁଣର ଉତ୍ପାଦନ
ପାକିସ୍ତାନରେ ସୈନ୍ଧବ ଲୁଣ ସବୁଠାରୁ ଅଧିକ ପଞ୍ଜାବ ପ୍ରାନ୍ତରେ ମିଳେ। ପଞ୍ଜାବର ଝେଲମ ଜିଲ୍ଲାର ଖେବ୍ରାରେ ଥିବା ଲୁଣ ଖଣି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲୁଣ ଖଣି। ଏଠାରେ ପ୍ରତିବର୍ଷ ପ୍ରାୟ ୩.୨୫ ଲକ୍ଷ ଟନ ସୈନ୍ଧବ ଲୁଣ ଉତ୍ପାଦନ ହୁଏ। ଏହି ଅଞ୍ଚଳ ଇସଲାମାବାଦଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଖଣିକୁ ବିଶ୍ୱର ସବୁଠାରୁ ପୁରାତନ ରକ ସଲ୍ଟ ଖଣି ବୋଲି ବିବେଚନା କରାଯାଏ। ଏକ ଅନୁମାନ ଅନୁଯାୟୀ, ଏହା ପ୍ରାୟ ୨୦୦୦ ବର୍ଷ ପୁରୁଣା। ଏଠାରୁ ଉତ୍ପାଦିତ ଲୁଣ ଉଚ୍ଚମାନର। ଏହା ବ୍ୟତୀତ ଓ୍ୱାର୍ଚା, ଜଟ୍ଟା ଏବଂ କୋରକ ଖଣିରୁ ମଧ୍ୟ ସୈନ୍ଧବ ଲୁଣ ଉତ୍ପାଦନ ହୁଏ। ଏହି ଖଣିଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ୪.୫ ଲକ୍ଷ ଟନ ଉତ୍ପାଦନ ହୁଏ। କୁହାଯାଏ ଯେ ଖେବ୍ରା ଖଣିରେ ଏତେ ଲୁଣ ଅଛି ଯେ ଏହାକୁ ୪୫୦ ବର୍ଷ ପର୍ଯ୍ୟନ୍ତ ସହଜରେ ବ୍ୟବହାର କରାଯାଇପାରିବ।
ଭାରତରେ ପ୍ରାୟ ୨୦ ଗୁଣ ଅଧିକ ମୂଲ୍ୟ
ପାକିସ୍ତାନରେ ସୈନ୍ଧବ ଲୁଣର ମୂଲ୍ୟ ୨-୩ ଟଙ୍କା ପ୍ରତି କିଲୋ ହୋଇଥିବାବେଳେ ଭାରତରେ ଏହା ୫୦-୬୦ ଟଙ୍କା ପ୍ରତି କିଲୋରେ ବିକ୍ରି ହୁଏ। ପାକିସ୍ତାନରୁ ଥୋକଭାବେ ଲୁଣ ଆମଦାନୀ କରି ଭାରତୀୟ ବ୍ୟବସାୟୀମାନେ ନିଜ ଲେବଲ ଲଗାଇ ବଜାରରେ ବିକ୍ରି କରନ୍ତି। ଭାରତରେ ସୈନ୍ଧବ ଲୁଣର ପ୍ରୋସେସିଂ ଓ ପ୍ୟାକେଜିଂ ଇଉନିଟ କୋଚି, ମୁମ୍ବାଇ, ହାଇଦ୍ରାବାଦ ଏବଂ ଦିଲ୍ଲୀରେ ଅଛି। ୨୦୨୪ ମସିହାରେ ଭାରତର ସୈନ୍ଧବ ଲୁଣ ବଜାର ୧.୨୩ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଅନୁମାନ କରାଯାଉଛି। ଭାରତରେ ମଧ୍ୟ ସୈନ୍ଧବ ଲୁଣ ମିଳେ, କିନ୍ତୁ ଏତେ କମ ମାତ୍ରାରେ ଯେ ଏହା ଆବଶ୍ୟକତା ପୂରଣ କରିପାରେ ନାହିଁ। ଭାରତରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଗୁମ୍ମା ଓ ଦ୍ରାଙ୍ଗ ଖଣିରେ ଏହା ମିଳେ।
ଏବେ ଅନ୍ୟ ଦେଶମାନଙ୍କରୁ ଆମଦାନୀ କରୁଛି ଭାରତ
ଭାରତ ସୈନ୍ଧବ ଲୁଣ ପାଇଁ ପାକିସ୍ତାନ ଉପରେ ନିଜର ନିର୍ଭରଶୀଳତା କମାଇଛି। ୨୦୧୮-୧୯ ମସିହାରେ ଭାରତ ଯେତିକି ସୈନ୍ଧବ ଲୁଣ ଆମଦାନୀ କରିଥିଲା, ତାହାର ୯୯ ପ୍ରତିଶତ ପାକିସ୍ତାନରୁ ଆସିଥିଲା। କିନ୍ତୁ ୨୦୧୯-୨୦ ମସିହାରେ ଭାରତ ପାକିସ୍ତାନ ବଦଳରେ ସଂଯୁକ୍ତ ଆରବ ଏମିରେଟସ (ୟୁଏଇ)ରୁ ସବୁଠାରୁ ଅଧିକ ସୈନ୍ଧବ ଲୁଣ ଆମଦାନୀ କରିଥିଲା। ସୂଚନା ଅନୁଯାୟୀ, ଭାରତ ଏବେ ଇରାନ, ମାଲେସିଆ, ଜର୍ମାନୀ, ଆଫଗାନିସ୍ତାନ, ତୁର୍କୀ ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ ସୈନ୍ଧବ ଲୁଣ ଆମଦାନୀ କରୁଛି। ପାକିସ୍ତାନ ସହ ବ୍ୟାପାର ବନ୍ଦ ହେବା ପରେ ଭାରତରେ ଏହି ଲୁଣର ମୂଲ୍ୟ ଆହୁରି ବଢ଼ିପାରେ।
Also readhttps://purvapaksa.com/politics-of-west-bengal-over-jagannath/
