ସ୍ୱୟଂସିଦ୍ଧଙ୍କ ରିପୋର୍ଟ
କେନ୍ଦୁଝର ଜିଲ୍ଳା ଘଷିପୁରା ଥାନା କୁମୁଡ଼ିଆ ଗାଁ’ର ମଧୁସୂଦନ ନାୟକ କାମ ଅନ୍ୱେଷଣରେ ଚେନ୍ନାଇ ଯାଇଥିଲେ। ପରିବାର ଲୋକେ କିଛିଦିନ ଧରି ତାଙ୍କର କୌଣସି ଖବର ନ ପାଇବାରୁ ଅଳ୍ପଦୂରରେ କାମ କରୁଥିବା ଜଣେ ସମ୍ପର୍କୀୟଙ୍କୁ ମଧୁଙ୍କ ବାବଦରେ ଖବର ଜଣାଇବାକୁ କହିଲେ। ସମ୍ପର୍କୀୟ ଜଣଙ୍କ ଯାଇ ଦେଖିଲେ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ମଧୁ ମରି ଶୋଇଛନ୍ତି । ଦେହସାରା କ୍ଷତ ଓ ରକ୍ତ। ସେଠୁ ସେ ଗୋଟିଏ ଫଟୋ ମଧୁଙ୍କ ବାପାଙ୍କ ନିକଟକୁ ପଠାଇବା ପରେ ଗାଁ’ରେ ଅସମ୍ଭାଳ ପରିସ୍ଥିତି। ମଧୁଙ୍କ ପରିବାରରେ ଆରମ୍ଭ ହୋଇଯାଇଥିଲା କାନ୍ଦବୋବାଳି। ଛାତିକୁ ପିଟି ପିଟି ତାଙ୍କ ବାପା ପୁଅର ଶବକୁ ଟିକେ ଆଖିରେ ଦେଖିବାକୁ ନେହୁରା ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟ ଗାଆଁକୁ ଫେରି ପାରିନଥିଲା ଦାନା ପାଇଁ ଦାଦନ ଯାଇଥିବା ଗାଁ’ର ପୁଅ ମଧୁ ନାୟକଙ୍କ ପାର୍ଥିବ ଶରୀର।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଫିସରଙ୍କ ଶିଥିଳତା

ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲାର ଜଣେ ଦାଦନର ଶବକୁ ଗାଁ’କୁ ଫେରାଇ ଆଣିବା ପାଇଁ ସାମାନ୍ୟ ଦରଦ ପ୍ରଦର୍ଶିତ କରିନଥିଲେ। ଜିଲ୍ଳା ଶ୍ରମ ବିଭାଗ ଓ ପ୍ରଶାସନ ଚାହିଁଥିଲେ କମ୍ପାନୀ ଉପରେ ଚାପ ପକାଇ ଶବକୁ ଜନ୍ମ ମାଟିକୁ ଆଣିପାରିଥା’ନ୍ତେ। କିନ୍ତୁ ସେପରି କିଛି ହେଲାନି। ଅର୍ଥ ଅଭାବରୁ ପରିବାର ଲୋକେ ମୃତ ଶରୀରକୁ ଗାଁ’କୁ ଆଣିବାରେ ଅସମର୍ଥତା ଜଣାଇବା ପରେ ତାମିଲନାଡ଼ୁର ଅଜଣା ଭୂଇଁରେ ତିଆରି ହୋଇଥିଲା ମଧୁଙ୍କ ଜୁଇ।
ବୈଜୟନ୍ତଙ୍କଠାରୁ ଶିଖନ୍ତୁ ମୁଖ୍ୟମନ୍ତ୍ରୀ
ଦାଦନ ଶ୍ରମିକଙ୍କୁ କିପରି ଉଦ୍ଧାର କରାଯାଏ ତାହା ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କଠାରୁ ଶିଖିବା ଉଚିତ। ଯଦି କୌରଓି ଦାଦନ ଶ୍ରମିକ ପରିବାର ବୈଜୟନ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ତେବେ ସେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସେମାନଙ୍କୁ ଉଦ୍ଧାର କରିଥାଆନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଜଣେ ଦାଦନକୁ ହାତବାନ୍ଧି ହତ୍ୟା କରିବା ପରେ ଦୋଷୀକୁ ଦଣ୍ଡ ଦେବାତ ଦୂରର କଥା ତା’ର ଶବକୁ ତା’ର ପରିବାରମାନେ ଦେଖିପାରିଲେ ନାହିଁ। ଏଥିରୁ ଜଣାପଡ଼ୁଛି ଯେ କେନ୍ଦୁଝର ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦ୍ନାମ କରିବା ପାଇଁ ଲାଗିପଡ଼ିଛନ୍ତି। ଯଦି ଜିଲ୍ଲାପାଳ ଓ ଶ୍ରମ ବିଭାଗ ଚାହିଁଥାଆନ୍ତେ ତେବେ ଦୋଷୀ ଦଣ୍ଡ ପାଇବା ସହିତ ଦାଦନ ମଧୁଙ୍କ ଶବ ଗାଁ’କୁ ଆସିପାରିଥାଆନ୍ତା।
ତଥାପି କମୁନି ଦାଦନଙ୍କ ସୁଅ

ଓଡ଼ିଶାରୁ ଦାଦନ ଶ୍ରମିକଙ୍କ ସୁଅ ଛୁଟିଛି। ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଓ ଗୁଜୁରାଟର ଇଟାଭାଟି, ନିର୍ମାଣ କ୍ଷେତ୍ର, ପଥର ବ୍ଲାଷ୍ଟିଂ, କପଡ଼ା ଉଦ୍ୟୋଗ, ତଥା ରଙ୍ଗମିସ୍ତ୍ରୀଭାବେ ଅଣକୁଶଳୀ ତଥା ବିପଦପୂର୍ଣ୍ଣ କାମରେ ନିୟୋଜିତ ହେଉଛନ୍ତି। କେବେ ଦାଦନ ସର୍ଦ୍ଦାରର ଅତ୍ୟାଚାର ତ କେବେ କାମ ସମୟରେ ଦୁର୍ଘଟଣାରେ ମୃତାହତ ହେଲେ ଅନୁକମ୍ପା ବଦଳରେ ଘଟଣାକୁ ଚପାଇବା ପାଇଁ ତିଆରି ହେଉଛି ସବୁ ପ୍ରକାରର ଚାପ। ଯଦି ଦୁର୍ଭାଗ୍ୟ ବଶତଃ ମଧୁ ନାୟକଙ୍କ ପରି କାହାର ଜୀବନ ଯାଏ ତେବେ ଶବକୁ ୨୦ରୁ ୫୦ ହଜାର ଖର୍ଚ୍ଚ କରି ଓଡ଼ିଶା ଆଣିବା କଷ୍ଟ ମୃତ୍ୟୁ ଦୁଃଖ ଠୁ ବଳି ପଡ଼େ। ଓଡ଼ିଶା ମାଇଗ୍ରେଣ୍ଟ ଲେବର ୱେଲଫେୟାର୍ ବୋର୍ଡ ଗଢ଼ାଯାଇଛି କିନ୍ତୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଦିଗରେ ପ୍ରଭାବୀ ଭୂମିକା ନିର୍ବାହ କରୁଥିବା ଭଳି ମନେହେଉନାହିଁ।
ବଲାଙ୍ଗୀର ଜିଲ୍ଲାର ସୁଲେକେଲା ଗାଁ’ର ଝିଅ ବନ୍ଧା ପଡ଼ିଛି
ବଲାଙ୍ଗୀର ଜିଲ୍ଲାର ସୁଲେକେଲା ଗାଁ’। ଗାଁ’ର ମୋଟ ୫୦୦ ପରିବାର ମଧ୍ୟରୁ ୧୨୫ ପରିବାର ପେଟ ପୋଷିବା ପାଇଁ ଘରେ ତାଲା ପକାଇ ସ୍ଥାନାନ୍ତରୀ ହୋଇଛନ୍ତି। ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟର ଇଟାଭାଟି ପାଲଟିଛି ଏମାନଙ୍କ ଠିକଣା। ଏହି ଗାଆଁର ବୋହୂ ଲକ୍ଷ୍ମୀପ୍ରିୟା ମଲ୍ଲିକ ନିଜ ସ୍ୱାମୀ କାହ୍ନୁ ଓ ଦୁଇ ନାବାଳିକା ଝିଅ ସହିତ ଗତ ଜାନୁୟାରୀ ମାସରେ ତେଲେଙ୍ଗାନାର ଶାଦନଗର କାମ କରିବା ପାଇଁ ଯାଇଥିଲେ। ସ୍ଵାମୀ ଥିଲେ ଟ୍ରାକ୍ଟର ଡ୍ରାଇଭର। ସେଠାରେ ତାଙ୍କ ଦେହ ଅସୁସ୍ଥ ହେଲା। ଅସୁସ୍ଥ ସତ୍ତ୍ୱେ ଛୁଟି ନ ମିଳିବାରୁ ସେ କାମ କରିବା ପାଇଁ ବାଧ୍ୟ ହେଉଥିଲେ। ଦେହ ଖରାପ ରହୁଥିଲା ଓ ସେ ସର୍ଦ୍ଦାରର ଡରରେ କାମ କରିବାକୁ ବାଧ୍ୟ ହେଉଥିଲେ। ଅଧିକ ଅସୁସ୍ଥ ହେବାରୁ ସେ କାମ ଛାଡ଼ି ଦେବାକୁ କହିଥିଲେ। କିନ୍ତୁ କାମ ପାଇଁ ଅଗ୍ରୀମ ୫୦ ହଜାଇ ଆଣିଥିବାରୁ ସେ ନାବାଳିକା ୧୨ବର୍ଷର ଝିଅକୁ ବନ୍ଧକ ରଖି ଗାଁ’କୁ ଆସିଥିଲେ। ଏଠୁ ଟଙ୍କା ପଠାଇବା ପରେ ଝିଅ ମୁକୁଳି ଗାଆଁକୁ ଫେରିଥାନ୍ତା। କିନ୍ତୁ ଏଣେ ଗାଁରେ କାହ୍ନାଙ୍କ ମୃତ୍ୟୁ ଘଟିଲା।
ନୂଆଁଖାଇବେଳେ ଦାଦନ କିଣାବିକା

କାହ୍ନାଙ୍କ ପରି ପଶ୍ଚିମ ଓଡ଼ିଶାର ଅନେକ ପରିବାର ନୂଆଁଖାଇ ପୂର୍ବରୁ ଦାଦନ ସର୍ଦ୍ଦାରଠାରୁ ଅଗ୍ରୀମ ଆଣି କାମକୁ ଯାଇଥାନ୍ତି। କିଏ ୬ମାସ ତ କିଏ ୮ମାସ ପରେ ଗାଁ’କୁ ବିନା ସଞ୍ଚୟରେ ଫେରୁଥିବାବେଳେ ଆଉ କିଏ ହାତ ଗୋଡ଼ ହରାଇ ଆହତ ଅବସ୍ଥାରେ ଘରକୁ ଫେରି ବୁଢ଼ା ବାପ ମା’ଙ୍କ ଦୁଃଖରେ ଅଧିକ ଦୁଃଖ ଲଦନ୍ତି ତ କିଏ କିଏ ଶବ ହୋଇ ଫେରନ୍ତି। ମଧୁଙ୍କ ପରି ଆଉ କେତେକଙ୍କ ଶବ ଗାଁ’ ମଶାଣି ପର୍ଯ୍ୟନ୍ତ ବି ପହଞ୍ଚି ପାରେନା।
୧୦ବର୍ଷରେ ୨୩୩ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ
୨୦୨୪ ବର୍ଷରେ ଆମ ରାଜ୍ୟର ୭୦୧୪୨ ଜଣ ଶ୍ରମିକ ୧୦୩୭ଜଣ ପଞ୍ଜୀକୃତ ଠିକାଦାରଙ୍କ ଜରିଆରେ ଅନ୍ୟରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୪୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ ୨୦୧୫ରୁ ୨୭ ନଭେମ୍ବର ୨୦୨୪ ମଧ୍ୟରେ ୨୩୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଳାହାଣ୍ଡି ଓ ତୃତୀୟରେ ବଲାଙ୍ଗିର। ଗଞ୍ଜାମରେ ଏହି ସମୟ ମଧ୍ୟରେ ୫୯ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡିରେ ୩୯ଜଣ ଓ ବଲାଙ୍ଗୀରରେ ୩୫ ଜଣ ବୁଜିଛନ୍ତି ଆଖି।

ଓଡ଼ିଶାରୁ ବାର୍ଷିକ ୯.୫୧ଲକ୍ଷ କାମ ପାଇଁ ଭିଟାମାଟି ଛାଡ଼ନ୍ତି। ଏହି ସଂଖ୍ୟା ଆହୁରି ଅଧିକ ବୋଲି ଦାବି ହୁଏ। କେବଳ କୋଭିଡ୍ ସମୟରେ ରାଜ୍ୟକୁ ଫେରିଥିଲେ ୧୦ଲକ୍ଷ ଶ୍ରମିକ। ଗଞ୍ଜାମର ସଂଖ୍ୟା ପ୍ରାୟ ତିନିଲକ୍ଷ ଥିବାବେଳେ ବଲାଙ୍ଗୀରର ଲକ୍ଷେ ଶ୍ରମିକ ଗାଁ’କୁ ଫେରିଥିଲେ। ଏଥିରୁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ଅନୁମାନ କରାଯାଇପାରେ।
ଗଞ୍ଜାମ ପାଲଟିଛି ଦାଦନ ଗଡ଼
ଗଞ୍ଜାମରୁ ଗୁଜୁରାଟ ଯାଇଛନ୍ତି ପ୍ରାୟ ତିନିଲକ୍ଷ ଶ୍ରମିକ। ଖଲ୍ଲିକୋଟ, ବେଗୁନିଆ ପଡ଼ା, କୋଦଳା, ପୋଲସରା ଓ କବିସୂର୍ଯ୍ୟ ନଗର ବ୍ଲକ ଅଞ୍ଚଳରୁ ଅନେକ ଶ୍ରମିକ ରାଜ୍ୟ ତଥା ଦେଶ ବାହାରକୁ ଯାଇଛନ୍ତି । ଅଳ୍ପଶିକ୍ଷା ଓ କମ ଦକ୍ଷତା କାରଣରୁ ଅସଙ୍ଗଠିତ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ବିଗତ ଦୁଇ ତିନିବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଳାର ଖଲ୍ଲିକୋଟ ବ୍ଲକକୁ ଆସିଛି ୮ରୁ ଅଧିକ ଶ୍ରମିକଙ୍କ ମର ଶରୀର।

ଗତବର୍ଷ ବିଦେଶରେ ମୃତ୍ୟୁବରଣ କରିଥିଲେ ଖଲିକୋଟ ବ୍ଲକ ଭେଜିପୁଟର କମଲ ନାୟକ। ଗାଁରେ ଛୋଟ ଏକ ପାନ ଦୋକାନ କରି ପରିବାର ପୋଷୁଥିବା ପିତା ସୌରୀ ନାୟକଙ୍କୁ ସାହାଯ୍ୟ ପାଇଁ ପରିବାର ଛାଡ଼ି ଯେଉଁ ଆଶାରେ କମଲ ପ୍ରବାସୀ ଶ୍ରମିକ ସାଜିଥିଲେ ତାହା ସ୍ୱପ୍ନରେ ହିଁ ରହିଯାଇଥିଲା। ମର ଶରୀର ଫେରିବା ପରେ ପିତା ମାତା ଓ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେହିପରି ମହେଶ୍ୱରପୁରର ବଳରାମ ପ୍ରଧାନ ଓ ବାଗଲପୁର ଗ୍ରାମର ସମର ପ୍ରଧାନଙ୍କ ଶବ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ରାଜ୍ୟରେ ଏବେ ବି ଅସଜଡ଼ା ହୋଇ ରହିଛି ଶିଳ୍ପ ଭିତ୍ତିଭୂମି। ପୁଞ୍ଜି ଯୋଗାଡ଼ରେ ସରକାରଙ୍କ ପ୍ରୟାସକୁ ନେଇ ପୃଷ୍ଠା ପରେ ପୃଷ୍ଠା ବିଜ୍ଞାପନ ବାହାରୁଛି ତେଣେ ଓଡ଼ିଶାର ଯୁବକ କାମ ଅନ୍ୱେଷଣରେ ରାଜ୍ୟ ଛାଡ଼ୁଛି। କୃଷିରେ ନିୟୋଜନକୁ ନେଇ ଉତ୍ସାହଜନକ ଖବର ନ ଥିବାବେଳେ ପର୍ଯ୍ୟଟନର ସମ୍ଭାବନା ଥାଇ ବି ମିଳୁନାହିଁ କର୍ମ ସଂସ୍ଥାନ।
ଦାଦନ ସଂଘର୍ଷରତ; ମୁଖ୍ୟମନ୍ତ୍ରୀଙ୍କ ବିଳାସ ଜୀବନ
୨୪ ବର୍ଷର ନବୀନ ସରକାରକୁ ଅପାରଗ ଦୁର୍ନୀତିଗ୍ରସ୍ତ କୁହାଗଲା। ଲୋକେ ବିଜେପିକୁ କ୍ଷମତା ଦେଲେ। ବିଜେପି ଦଳର ନିର୍ବାଚିତ ବିଧାୟକ ଦଳ ନେତାଭାବେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କଲେ। ଶାସନ ବଦଳିଲା ହେଲେ ବ୍ୟବସ୍ଥା ଅପରିବର୍ତ୍ତିତ ରହିଲା। ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ କହିଲେ କିନ୍ତୁ ଓଲଟା ଆଚରଣ କଲେ। ନିକଟରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇ ରାତ୍ରି ପ୍ରତି ୮ଲକ୍ଷ ଭଡ଼ା ଦେଇ ସବୁଠୁ ବିଳାସୀ ହୋଟେଲ ସିଙ୍ଗରାଲାର ପ୍ରେସିଡେନ୍ସି ସୁଟରେ ରହିଛନ୍ତି। ୪୫୦୦ ବର୍ଗଫୁଟ ଅଞ୍ଚଳକୁ ନେଇ ନିର୍ମିତ ଏହି ସୁଟରେ ଅଦ୍ୟାବଧି କୌଣସି ମୁଖ୍ୟମନ୍ତ୍ରୀ ରହିନଥିବାବେଳେ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ମୋହନ ଚରଣ ମାଝୀ ରହିବା ନେଇ ଜଣେ ସାମ୍ୱାଦିକ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। କେବକ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁମ୍ବାଇର ଓବରୟ ହୋଟେଲରେ ଦିନକୁ ୫ଲକ୍ଷ ଭଡ଼ା ଦେଇ ରହିବାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।
ମାସକୁ ୨କୋଟି ବିମାନ ଭଡ଼ା, କାହାର ପୁଷମାସ
ଯେଉଁ ରାଜ୍ୟରେ ଜଣେ ଶ୍ରମିକଙ୍କ ଶବ ୩୦ ହଜାର ଗାଡ଼ି ଭଡ଼ା ଅଭାବରୁ ଆସିପାରୁନି ସେଠାରେ ମୁଖ୍ୟମନ୍ତ୍ରୀ ଯିବେ ବୋଲି ମାସକୁ ୨କୋଟି ଭଡ଼ା ଗଣି ଦୁଇ ଦୁଇଟି ଘରୋଇ ପ୍ଲେନ ରଖାଯିବାକୁ ନେଇ ଉଠିଲାଣି ପ୍ରଶ୍ନ। ଜନଗଣଙ୍କ ଅର୍ଥରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସିଡେନ୍ସି ସୁଟରେ ରାତ୍ରୀଯାପନ ଯଥାର୍ଥ ନା ଶ୍ରମିକଙ୍କ କଲ୍ୟାଣ ପ୍ରାସଙ୍ଗିକ ତାକୁ ନେଇ ବିତର୍କର ରହିଛି ଆବଶ୍ୟକ।
ଆଦିବାସୀ ପରିବାର ଓ ପଛୁଆ ଜିଲ୍ଲାର ମାଟିର ପୁଅ ମୋହନ ଚରଣ ମାଝୀ ଜଣେ ବୁଦ୍ଧିଜୀବୀ। ସେ ନିଜେ କହନ୍ତୁ ମଧୁ ନାୟକଙ୍କ ପରିବାର ପ୍ରତି ପ୍ରଶାସନ ସଠିକ ଅନୁକମ୍ପା ଓ ସମ୍ବେଦନା ଦେଖାଇବାରେ ତ୍ରୁଟି କରିନାହି କି? ଆଉ କେତେଦିନ ତତଲା ଲୁହ ଗଡ଼ାଇବେ ମଧୁଙ୍କ ଭଳି ଦାଦନ ଶ୍ରମିକର ଦାୟାଦମାନେ!
(ଅସ୍ୱୀକରଣ: ଏହି ଆଲେଖ୍ୟରେ ପ୍ରତିଫଳିତ ତଥ୍ୟ ଓ ମନ୍ତବ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ୱ। ଏଥିରେ ପ୍ରକାଶକ ଦାୟୀ ନୁହଁନ୍ତି)
ଝଡ଼ ପୂର୍ବରୁ ନଅ ବର୍ଷ ଶାନ୍ତ; କାଶ୍ମୀରରେ ଆତଙ୍କବାଦର ସଂକ୍ଷିପ୍ତ ଇତିହାସ-ଭାଗ ୨