ଗୋଷ୍ଠୀ କନ୍ଦଳ ଓ ବିବାଦ ବିଜେଡିର ପିଛା ଛାଡ଼ୁ ନାହିଁ। ଆଜି ସଭାପତିଙ୍କ ନିର୍ବାଚନରେ ବି ନେତାମାନଙ୍କ ଆଚରଣ ଏହି ବିବାଦକୁ ଆହୁରି ଉତ୍କଟ କରିଛି। କାରଣ ବିଜେଡିରେ ପୁଣିଥରେ ସଭାପତି ଆସନ ଅଳଂକୃତ କରି ନବୀନ ପଟ୍ଟନାୟକ ଦଳରର କର୍ମୀଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିବାବେଳେ ଅନେକ ବରିଷ୍ଠ ନେତା ଓ ସାଂସଦଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି। ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ନ ଆସି ସେମାନେ ଏକ ପ୍ରକାର ଦଳୀୟ ନେତୃତ୍ୱଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି।
କିଛିଦିନ ତଳେ ରାଜ୍ୟସଭାରେ ୱାକଫ୍ ବିଧେୟକ ପାଇଁ ଭୋଟ୍ ଦେବାବେଳେ ଦଳରେ ବିଭାଜନ ସାମ୍ନାକୁ ଆସିଥିଲା। ନବୀନଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର ବିରୋଧ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନେକ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ଇଙ୍ଗିତକୁ ଆଙ୍ଗୁଠି ଦେଖାଇଥିଲେ। କିଛି ନେତା ତ ସିଧାସଳଖ ଭିକେ ପାଣ୍ଡିଆନ୍ଙ୍କୁ ଏଥିଲାଗି ଦାୟୀ କରିଥିଲେ। ବିବାଦ ଏତେ ଉତ୍କଟ ହୋଇଥିଲା ଯେ ଖୋଦ୍ ସଭାପତି ମଧ୍ୟ କର୍ମୀ ଓ ନେତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ହୋଇ ପାରିନଥିଲେ। ବିବାଦକୁ ଅନ୍ୟଦିଗ ଦେବା ଲାଗି ଚିରାଚରିତ ଭାବେ ଜଣେ ବରିଷ୍ଠ ନେତାଙ୍କୁ ଦଳରେ ବିଶୃଙ୍ଖଳା ପାଇଁ ଦାୟୀ କରିବାକୁ ଚାହିଁଲେ। କିନ୍ତୁ ତାହା କାଟୁ କରିନଥିଲା। କିଛିଦିନ ବିବାଦ ଥମିଥିଲେ ମଧ୍ୟ ଆଜି ସଭାପତିଙ୍କ ନିର୍ବାଚନବେଳେ ଅନେକ ବରିଷ୍ଠ ନେତା ଓ ସାଂସଦ ଅନୁପସ୍ଥିତ ରହିବା ଦଳରେ ଥିବା ଫାଟ ଏଯାଏ ବୁଜିବା ସମ୍ଭବ ହୋଇନଥିବା ସ୍ପଷ୍ଟ କରିଛି।
ଆଜି ଦଳର ସଭାପତି ଭାବେ ନବୀନଙ୍କୁ ଔପଚାରିକ ଭାବେ ପୁଣିଥରେ ଅଧିଷ୍ଠିତ କରିବା ଲାଗି ରାଜ୍ୟ ପରିଷଦର ବୈଠକ ଡକାଯାଇଥିଲା। ବିଧାୟକ, ସାଂସଦ ଏପରିକି ପୂର୍ବତନ ବିଧାୟକ ଓ ସାଂସଦଙ୍କ ଭିତରୁ ଅନେକ ଏହି ପରିଷଦର ସଦସ୍ୟ। କିନ୍ତୁ ଅନେକ ଏଥିରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଭିତରେ ରହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସସ୍ମିତ ପାତ୍ର, ଭୂପିନ୍ଦର ସିଂହ, ସୁଲତା ଦେଓ, ନିରଞ୍ଜନ ବିଶି, ସନାତନ ମହାକୁଡ଼, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ। ଏହି ନେତାମାନେ ବିଭିନ୍ନ କାରଣରୁ ବିଗତ ଦିନମାନଙ୍କରେ ଚର୍ଚ୍ଚାରେ ରହିଥିଲେ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଭାଜନ ଭୋଟ୍ ବେଳେ ବିଜେପି ସମର୍ଥନରେ ଭୋଟ ଦେଇଥିଲେ। ଏହାକୁ ବିବେକାନୁସାରେ ଭୋଟ୍ ବୋଲି ସେ ଚିତ୍ରଣ କରିଥିଲେ। ଦଳର ହ୍ୱିପ୍ ନ ଥିବାରୁ ଯିଏ ଯାହାକୁ ଚାହିଁବେ ଭୋଟ୍ ଦେବା ପାଇଁ ଯୋଗ୍ୟ ବୋଲି ସେତେବଳେ ଏକ ଧାରଣା ସେ ସୋଶାଲ ମିଡିଆରେ ଚିତ୍ରଣ କରିଥିଲେ। ଏହାକୁ ନେଇ ବିଜେଡିରେ ବିବାଦ ଆରମ୍ଭ ହୋଇଥିଲା। ଦଳର କର୍ମୀମାନେ ନବୀନ ନିବାସରେ ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନ ଦେଇଥିଲେ। ସଂଖ୍ୟାଲଘୁ ନେତାମାନେ ନବୀନ ନିବାସରେ ନବୀନଙ୍କୁ ନାଲିଆଖି ଦେଖାଇଥିଲେ। ବିଜେଡିରେ ନବୀନ ନୁହଁନ୍ତି ଆଉ ଏକ କ୍ଷମତା କେନ୍ଦ୍ର ରହିଛି ବୋଲି ଚର୍ଚ୍ଚା ହୋଇଥିଲା। ବରିଷ୍ଠ ନେତାମାନେ ଘରୋଇ ହୋଟେଲରେ ମେଳି କରିଥିଲେ। ଏହାପରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି ବୋଲି ନବୀନ କହିଥିଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଖୋଲା ଚିଠି ଲେଖି ଦଳକୁ ହାଇଜାକ୍ ହେବାରୁ ରକ୍ଷା କରିବାକୁ ନିତବେଦନ କରିଥିଲେ। ଅର୍ଥାତ୍ ନୂଆଠୁ ପୁରୁଣା ନେତାଙ୍କ ଭିତରେ ନବୀନଙ୍କ ପ୍ରତି ଶ୍ରଦ୍ଧା, ଭୟ ତଥା ସମ୍ମାନ ବିଚ୍ୟୁତ ହୋଇଥିବାର ପ୍ରମାଣ ମିଳିଥିଲା।
ଆଜି ସଭାପତିଙ୍କ ନିର୍ବାଚନବେଳେ ତାଙ୍କୁ ଦଳ ଡାକି ନ ଥିବା ଏହି ଅନୁପସ୍ଥିତ ଥିବା ନେତାଙ୍କ ଭିତରୁ କିଛି ସ୍ପଷ୍ଟ କରିଛନ୍ତି। ସେମାନେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନଥିଲେ ମଧ୍ୟ ତାଙ୍କୁ ଡକା ନ ଯିବା ଆଗକୁ ଦଳ ଭିତରେ ଓ ବାହାରେ ନୂଆ ସମୀକରଣକୁ ସ୍ପଷ୍ଟ କରିଛି। ଏହା ପୁଣିଥରେ ପ୍ରମାଣିତ କରିଛି ଯେ, ନବୀନଙ୍କ ବିରୁଦ୍ଧରେ ଶବ୍ଦଟିଏ ବି ଚିନ୍ତା କଲେ ବିଜେଡିରେ ନାଁ ରହିବ ନାହିଁ। ଅର୍ଥାତ୍ ନବୀନ କ୍ଷମତାରେ ରହନ୍ତୁ ବା ନ ରନ୍ତୁ ଦଳରେ ରହିବାକୁ ହେଲେ ନବୀନଙ୍କ ନୀରବତାକୁ ବି ଆଦେଶ ବୋଲି ମାନିବାକୁ ହେବ। ହେଲେ ନବୀନଙ୍କ ଏହି ଧମକକୁ କିପରି ଅସନ୍ତୁଷ୍ଟ ରକ୍ଷା କରିବେ ତାହାକୁ ଅପେକ୍ଷା।
Also readhttps://purvapaksa.com/who-will-be-the-secretary-to-the-chief-minister/
