ଏଗାର ମାସ ବିତିଗଲାଣି ମୁଖ୍ୟମନ୍ତ୍ରୀଙ୍କୁ ଖାପ ଖୁଆଇଲା ଭଳି ସଚିବଜଣେ ମିଳିପାରୁ ନାହାନ୍ତି। ରାଜ୍ୟରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଉପରେ ଭରସା କରିପାରୁନାହାନ୍ତି ମୋହନ ସରକାର। ନିର୍ବାଚନ ସମୟରେ ବିଜେଡିକୁ ନାକରେ ପାଣି ପିଆଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଭରସା କରି ବିଫଳ ହେବାରୁ ସେଥିରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ଏବେ କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ସଚିବ। କେମିତି ଚାଲିବ ମୁଖ୍ୟମନ୍ତ୍ରୀଙ୍କ ଅଫିସ? ଏ ପ୍ରଶ୍ନ ଭିତରେ ଆଇଏଏସ୍ ଲବିରେ କିଛି ନାଁ ସାମ୍ନାକୁ ଆସିବାରେ ଲାଗିଲାଣି।
ମୁଖ୍ୟମନ୍ତ୍ରୀଙ୍କ ସଚିବ ହେବା ଲାଗି ପ୍ରଥମ ଆବଶ୍ୟକତା ହେଉଛି ସରକାରଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ଆଗକୁ ବଢ଼ାଇବା। ସେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହୋଇଥିବେ। ଯିଏ ମୁଖ୍ୟ ସଚିବଙ୍କଠାରୁ ତଳିଆ ପାହ୍ୟାର ହୋଇଥିଲେବି ତାଙ୍କୁ ବିଭିନ୍ନ ସମୟରେ ଦିଗଦର୍ଶନ ଦେବାର କ୍ଷମତା ରଖିପାରୁଥିବେ। କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅନେକ ସମୟରେ ସୁପର ସଚିବ ଭାବେ କାର୍ଯ୍ୟ କରିଥାଆନ୍ତି। ଏଣୁ ଜଣେ ଭରସା ଯୋଗ୍ୟ ଆଇଏଏସ୍ ଅଧିକାରୀଙ୍କ ଆବଶ୍ୟକତା ରହିଛି।
ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ କ୍ଷମତା ପାଇଥିବା ବିଜେପି ଏହି ପଦବୀ ଲାଗି ଅଧିକାରୀ ଖୋଜିବାବେଳେ ଜଣେ ଓଡ଼ିଆ ଅଧିକାରୀଙ୍କୁ ବାଛିବେ। କାରଣ ଏହି ପଦବୀ ଲାଗି ମୁଖ୍ୟ ସଚିବଙ୍କ ଚୟନବେଳେ ଯେମିତି ବରିଷ୍ଠତା ଲବି କାର୍ଯ୍ୟ କରେ ତାହା ଏଠାରେ କୌଣସି ଯଥାର୍ଥତା ରଖେ ନାହିଁ। ବରଂ ଅଧିକ କାର୍ଯ୍ୟ କରେ ମୁଖ୍ୟମନ୍ତ୍ରୀ ଓ ଦଳୀୟ ମତ ସହ ଖାପ ଖୁଆଇବା।
ଏହିକ୍ରମରେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଖୋଜୁଛି ମୁଖ୍ୟମନ୍ତ୍ରୀଙ୍କ ଅଫିସ। ଆଉ ଚର୍ଚ୍ଚାରେ ରହିଛନ୍ତି ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ, ୧୯୯୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀ, ଶାଶ୍ୱତ ମିଶ୍ର। ଅବଶ୍ୟ ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସନ୍ତୋଷକୁମାର ଷଡ଼ଙ୍ଗୀ ଜଣେ ଓଡ଼ିଆ ଅଧିକାରୀ ହୋଇଥିଲେ ମଧ୍ୟ ସେ କେନ୍ଦ୍ର ଡେପୁଟେସନରେ ଅଛନ୍ତି ଓ ନିକଟରେ ତାଙ୍କୁ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରାଳୟର ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ପୁଣି ତାଙ୍କ ପତ୍ନୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଥିବାରୁ ବିଜେପିର କିଛି ଗୋଷ୍ଠୀ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ନେଇ ଆପତ୍ତି ଆଣିପାରନ୍ତି। ଏହାଙ୍କୁ ଛାଡ଼ିଦେଲେ ଏହି ବର୍ଗରେ ବରିଷ୍ଠ ଅଧିକାରୀ ତାଲିକାରେ ଓଡ଼ିଆ ଅଧିକାରୀ କେହି ନାହାନ୍ତି।
ସତ୍ୟବ୍ରତ ସାହୁ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ଓଡ଼ିଆ ଭାଷା ସଂସ୍କୃତିର ରକ୍ଷା ତଥା ଏହାକୁ ରୁଦ୍ଧିମନ୍ତ କରିବା ପାଇଁ ସେ ଅନେକ ଅବଦାନ ବି ରକ୍ଷା କରନ୍ତି। ଜଣେ କବି, ଗାୟକ ଭାବେ ତାଙ୍କ ନାଁ ରହିଛି। ସେହିପରି ଶ୍ରୀ ପାଢ଼ୀ ବି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଚଳାଇବା, ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଶାସନକୁ ଶୃଙ୍ଖଳିତ କରିବା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏପରିକି ତାଙ୍କ ପତ୍ନୀ ଉଷା ପାଢ଼ୀ ଓ ଅର୍ଥ ସଚିବ ଶାଶ୍ୱତ ମିଶ୍ରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଏଣୁ ଏମାନଙ୍କ ଭିତରେ ବିଜେପି ଆଦର୍ଶକୁ ପ୍ରଶାସନିକ କାର୍ଯ୍ୟରେ ଆଗକୁ ଗ୍ରହଣ କରିବାର କ୍ଷମତା କାହା ପାଖରେ ରହିଛି ତାହା ଉପରେ ଚୟନ ନିର୍ଭର କରିବ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ କେନ୍ଦ୍ରୀୟ ନେତା ତଥା ପିଏମ୍ଓ ଦ୍ୱାରା ଅଧିକ ନିୟନ୍ତ୍ରିତ ହେଉଛି ବୋଲି ବି ଚର୍ଚ୍ଚା ହେଉଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ନିର୍ଦ୍ଧାରଣବେଳେ ଏମାନେ ବି କାରକ ପାଲଟିପାରନ୍ତି। ଅର୍ଥାତ୍ ଆମକୁ କେବଳ ଅପେକ୍ଷା କରିବାକୁ ହେବ, ଏବେ କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ କେତେଦିନ ପାଇଁ?
Also readhttps://purvapaksa.com/odisha-rule-under-central-control/
