ପୁରସ୍କାରକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଏ। ବିଶେଷ କରି ସରକାରୀ ପୁରସ୍କାର କ୍ଷେତ୍ରରେ ଏହା ଘଟିଥାଏ। ପୁସ୍ତକ ଚୟନ ପ୍ରକ୍ରିୟା, ଜୁରୀ ନିଯୁକ୍ତି ଓ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ନେଇ ବେଳେବେଳେ ଭିନ୍ନ ମତ ପ୍ରକାଶ ପାଇଥାଏ।
ପୁରସ୍କାର କାହିଁକି ଲୋକଙ୍କୁ ଆକର୍ଷିତ କରେ ଓ ଏହା ପଛରେ ଥିବା ମନଃସ୍ତତ୍ତ୍ଵକୁ ନେଇ ବରିଷ୍ଠ ଲେଖକ ଓ ସାମ୍ବାଦିକ ଭାସ୍କର ପରିଚ୍ଛା ନିକଟରେ ତାଙ୍କର ଫେସବୁକରେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ‘ଲୋକମାନେ ପୁରସ୍କାରର ପିଛା କରନ୍ତି କାହିଁକି? ଏହା ପଛରେ ରହିଛି ଏକ ମନସ୍ତତ୍ତ୍ଵ, ସାମାଜିକ ସ୍ୱୀକୃତି ଏବଂ ବେଳେବେଳେ କଞ୍ଚା ଅଭିଳାଷ। ପୁରସ୍କାର ପାଇବାର ଅଭିଳାଷ ମୂଳରେ ରହିଛି ବୈଧତା । ମଣିଷ ସବୁବେଳେ ଚାହେଁ ତା’ ପ୍ରୟାସକୁ ସ୍ୱୀକୃତି ମିଳୁ- ପିଠି ଥାପି ହେଉ କି ମଞ୍ଚ ଉପରେ ହେଉ। ପୁରସ୍କାର ଅନ୍ୟମାନଙ୍କୁ ଏହି ସଙ୍କେତ ଦେଇଥାଏ ଯେ ‘ମୁଁ ଏହାକୁ ସମ୍ଭବ କରିପାରିଛି।’
‘କଳା ଓ ସାହିତ୍ୟ ଜଗତରେ ସଫଳତାକୁ ନିରପେକ୍ଷଭାବେ ମାପିବା ଯେହେତୁ କଷ୍ଟକର, ମାନ୍ୟତା ପାଇଁ ପୁରସ୍କାର ଏକ ସର୍ଟକଟ୍ ବା ସହଜ ପନ୍ଥା ପରି କାମ କରେ। ପ୍ରବୃତ୍ତିଗତ ବୈଧତା ଏବଂ ସ୍ୱୀକୃତି ବ୍ୟତୀତ, ପୁରସ୍କାର ନିଜ ଭିତରେ ସଫଳତାର ଭାବନା ସୃଷ୍ଟି କରିଥାଏ। ପୁରସ୍କାର ଜିତିବା ଦ୍ୱାରା ଆତ୍ମସମ୍ମାନ ବୃଦ୍ଧି ପାଇଥାଏ।’
ସେ ଏକଥା ବି ଲେଖିଥିଲେ ଯେ ପୁରସ୍କାର ପଛରେ ଅହଂକାର ବି ଥାଏ। ଯେଉଁ ଲୋକଟି ପୁରସ୍କାର ପାଏ ‘କିଛି ଗୋଟିଏ କରି ଦେଖାଇଥିବା’ ଭଳି ସ୍ୱତନ୍ତ୍ର ଅନୁଭବ ତା’ ଭିତରେ ହୁଏ। ଏହା ବିଜୟ ଘୋଷଣା ଭଳି। ଭିଡ଼ ଭିତରେ ନିଜ ଅସ୍ତିତ୍ୱର ପରିପ୍ରକାଶ ପାଇଁ ବି ପୁରସ୍କାର କାମ ଦିଏ। ପୁରସ୍କାର ଆଶା ରଖିବା ମଣିଷର ସହଜାତ ପ୍ରବୃତ୍ତି। ଏଥିରେ ସବୁବେଳେ ଯେ ଅହଂକାର ଯୋଡ଼ି ହୋଇଥାଏ ତାହା ନୁହେଁ। ଆତ୍ମନିର୍ଣ୍ଣୟ ସିଦ୍ଧାନ୍ତ କହେ ଯେ ଲୋକମାନେ ଉଭୟ ବାହ୍ୟ ପୁରସ୍କାର (ଫଳକ) ଏବଂ ଅଭ୍ୟନ୍ତରର ପୁରସ୍କାର (ଗର୍ବ) ଦ୍ୱାରା ପରିଚାଳିତ ହୁଅନ୍ତି- ଅଜ୍ଞାନରେ ହେଉ କି ସଜ୍ଞାନରେ।
ପୁରସ୍କାର-ମାନସିକତା ସାର୍ବଜନୀନ,ସର୍ବକାଳୀନ ଓ ସର୍ବବ୍ୟାପୀ ବୋଲି କହିବାକୁ ଯାଇ ସେ ଉଲ୍ଲେଖ କରିଥିଲେ ଯେ ‘ପୁରସ୍କୃତ ହେବାର ଇଚ୍ଛା ସବୁବେଳେ ବାସ୍ତବ ବି ନୁହେଁ। କିଛି ଲୋକ ଅଛନ୍ତି ଯେଉଁମାନେ ବରାବର ଏହାର ପଶ୍ଚାତ୍ ଧାବନ କରନ୍ତି ଏବଂ ଏହାକୁ ଏକ ନିଶାରେ ପରିଣତ କରିଦିଅନ୍ତି। ପୁରସ୍କାର ସବୁବେଳେ ଯେ ନିରପେକ୍ଷ ତାହା ବି ନୁହେଁ। ଭିତିରି ରାଜନୀତି, ପକ୍ଷପାତିତା ଓ ବାହୁବଳ ବି ପୁରସ୍କାରକୁ ପ୍ରଭାବିତ କରେ।
ଲୋକେ ପୁରସ୍କାର ପଛରେ ଦୌଡ଼ନ୍ତି କାରଣ ଆମ ବ୍ୟବସ୍ଥା ଓ ଚଳଣିଟି ହିଁ ସେୟା। ଏଥିରେ ଗୋଟିଏ ବିରୋଧାଭାସ କିନ୍ତୁ ଅଛି। ପୁରସ୍କାର ମହାନତାକୁ ପ୍ରେରିତ କରିପାରେ କିମ୍ବା ନିରାଶା ମଧ୍ୟ ସୃଷ୍ଟି କରିପାରେ। ବ୍ୟବସ୍ଥାରେ ତ୍ରୁଟି ସତ୍ତ୍ୱେ, ସ୍ୱୀକୃତି ପାଇବାର ପ୍ରଚ୍ଛନ୍ନ ଲାଳସା ଯୋଗୁଁ ମଣିଷ ପୁରସ୍କାରଟିଏ ପାଇବା ପାଇଁ ଉଦ୍ୟମ ଜାରି ରଖେ।
ଏହି ପୋଷ୍ଟକୁ ନେଇ ବହୁ ପ୍ରତିକ୍ରିୟା ଆସିଥିଲା ସେଥିରୁ କିଛି ପ୍ରତିକ୍ରିୟା ଆମେ ସ୍ଥାନିତ କରୁଛୁ:-
ବିମଳ ଚନ୍ଦ୍ର ମହାପାତ୍ରଙ୍କ ମତ ଥିଲା; ‘ସ୍ୱୀକୃତି , ଅଭିମୂଲ୍ୟାୟନ, ପ୍ରଶଂସା, ସାବାସି, ପୁରସ୍କାର ଏ ଗୁଡ଼ିକ ପାଇଁ କାମନା ସହଜାତ ମାନବୀୟ ପ୍ରବୃତ୍ତି। ଏଥିରେ ଅସ୍ୱାଭାବିକତା ବା ଅନୈତିକତା କିଛି ନାହିଁ। ଏ ଗୁଡ଼ିକ କିଛି କରିବା ପାଇଁ ପ୍ରଚ୍ଛଦପଟ ପ୍ରେରଣାର ଉତ୍ସ ହେଲେ ମଧ୍ୟ ଭୁଲ କିଛି ନାହିଁ। ହେଲେ ଏ ଗୁଡ଼ିକ କୌଣସି କାର୍ଯ୍ୟର ମୂଳ ଲକ୍ଷ୍ୟ ନୁହେଁ ବରଂ ଗୌଣ ପାର୍ଶ୍ଵ- ଉତ୍ପାଦ ହେବା ବାଞ୍ଛନୀୟ।’
ରୁଦ୍ର ପ୍ରସନ୍ନ ରଥଙ୍କ ମନ୍ତବ୍ୟ ଥିଲା ; ‘ପୁରସ୍କାର ନେବା ପରି ଦେବା ବି ଗୋଟିଏ ବ୍ୟାଧି। ଅନେକ ସଂସ୍ଥା ପୁରସ୍କାର ଦେବାକୁ ବ୍ୟାକୁଳ ।’
ରୁଦ୍ର ପ୍ରଧାନଙ୍କ ମତ ଥିଲା; ପୁରସ୍କାର ଓ ସଫଳତା ପ୍ରାପ୍ତି ପରେ ଯେଉଁମାନେ ବିନମ୍ର ହୋଇ ରହିଛନ୍ତି, ସେମାନେ ସମାଜ ପାଇଁ ପ୍ରକୃତପକ୍ଷେ ଉଦାହରଣ ହୋଇ ପାରିଛନ୍ତି।
ଅନିରୁଦ୍ଧ ପଟ୍ଟନାୟକ ମନ୍ତବ୍ୟ ଦେଇଥିଲେ ଯେ; ‘ସାମ ବେଦରେଏହି ପରିପ୍ରେକ୍ଷୀରେ ଏକ ପ୍ରାର୍ଥନା ମନ୍ତ୍ର ଅଛି-ହେ ଦ୍ୟୁଲୋକ ଏବଂ ପୃଥିବୀ! ମୋତେ ଯଶ ପ୍ରାପ୍ତ ହେଉ। ହେ ଆତ୍ମା ଓ ପରମାତ୍ମା! ମୋତେ ଯଶ ପ୍ରାପ୍ତ ହେଉ। ଐଶ୍ଵର୍ଯ୍ୟର ଯଶ ପ୍ରାପ୍ତ ହେଉ। ମୋତେ ଯଶ ତ୍ୟାଗ ନ କରୁ। ଯଶ ସିଦ୍ଧି ପାଇଁ ମୁଁ ଜାତ ହୋଇଛି, ସେଥିପାଇଁ ସାଧନା ରତ ରହିବି।’
ଶଙ୍କର ନାରାୟଣ ମଲ୍ଲିକ ମନ୍ତବ୍ୟ ଦେଇଥିଲେ ଯେ ‘ପୁରସ୍କାର ବ୍ୟବସ୍ଥା ଏକ ସୁସ୍ଥ ସାମାଜିକ ବ୍ୟବସ୍ଥା। ଏଥିରେ ଦୁର୍ନୀତି ବା ଅନାଚାର ଅଶୁଭ ଲକ୍ଷଣ ନିଶ୍ଚୟ। ପୁରସ୍କାର ପ୍ରାପ୍ତି, ଏପରିକି ସ୍ଵୀକୃତି ପ୍ରାପ୍ତିର ଇଚ୍ଛା କିନ୍ତୁ ସଚ୍ଚା ସାହିତ୍ୟ ସୃଷ୍ଟିର ମୂଳ କାରଣ ବା ପ୍ରେରଣା ନୁହେଁ। ଏହା ଏକ ଗୌଣ ଓ ପାର୍ଶ୍ଵ ବ୍ୟାପାର। ପୁରସ୍କାର ପ୍ରବଣତା ଯଦି ସାହିତ୍ୟକାର ବା କଳାକାରକୁ ଆବୋରି ବସେ, ତେବେ ସେ ସାହିତ୍ୟର ପ୍ରକୃତ ଧାରାରୁ ବିଚ୍ୟୁତ ହୁଏ। ଏହି ପ୍ରବଣତା ପୁରସ୍କାର ପାଇବାକୁ ଅତିରିକ୍ତ ବ୍ୟାକୁଳତା, ଅଯଥା ଓ ଅନୁଚିତ ପ୍ରୟାସ ଜନିତ ହୋଇପାରେ, ନ ପାଇବାର ଅତିରିକ୍ତ କ୍ଷୋଭ, ତିକ୍ତତା, ଓ ଅସହିଷ୍ନୁତାଜନିତ ହୋଇପାରେ। ଏ ଉଭୟ କ୍ଷେତ୍ରରେ ଜଣେ ସାହିତ୍ୟ ଓ କଳାର ଗଭୀର ରସବୋଧ, ରହସ୍ୟ ଓ ନାନ୍ଦନିକତାର ମୂଳ ସ୍ରୋତରୁ ବିଚ୍ୟୁତ ହୋଇ ରହେ।
ଏ ଉପଲବ୍ଧି ସାହିତ୍ୟରେ ରୁଚି ରଖୁଥିବା ଓ ସାହିତ୍ୟ ସୃଷ୍ଟି ପାଇଁ ଇଚ୍ଛା ଓ ଅନୁରାଗ ପୋଷଣ କରିଥିବା ମଣିଷ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ।’
ତପନ ମିଶ୍ରଙ୍କ ମତ ଥିଲା ଯେ ‘ଅନେକ ପୁରସ୍କାର ଅଭିଳାଷୀ ନିଜର କୃତିର ମାନ ଆଧାରରେ ନୁହେଁ, ଅନ୍ୟ ଉପାୟରେ ଅଭିଷିକ୍ତ ହେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି।’
ପ୍ରଭାତ କୁମାର ଦାସ ମନ୍ତବ୍ୟ ଦେଇଥିଲେ ଯେପର୍ଯ୍ୟନ୍ତ ଏହା ପ୍ରୋତ୍ସାହନର ବାର୍ତ୍ତା ବହନ କରେ ,ସେପର୍ଯ୍ୟନ୍ତ ଏହା ଆବଶ୍ୟକ। ଯେଉଁଠି ଅହଙ୍କାରର ସ୍ପର୍ଶ ବହନ କରେ ଏହା ବର୍ଜନୀୟ। ଏବେ ପୁରସ୍କାର, ପ୍ରଭାବ ଓ କ୍ଷମତାର ଭୁତାଣୁରେ ସଂକ୍ରମିତ। ଧନ ଲାଳସା ଭଳି, ଯଶ ଲାଳସାରେ ଏହା ପ୍ରତିପାଳିତ। ପୁଣି ମୁଁ ଆତ୍ମଗର୍ବରେ ଏହା ଉଲ୍ଲସିତ। ଧନ ଭଳି ଯଶଠାରୁ ଦୂରରେ ରହିବା ବିଜ୍ଞତା। ଯଶ ମଣିଷକୁ ସ୍ପର୍ଶ କରୁ,ମଣିଷ ଯଶକୁ ସ୍ପର୍ଶ ନ କରୁ।’
ଭାଗୀରଥୀ ମହାସୁଆରଙ୍କ ମତ ହେଉଛି; ‘ପୁରସ୍କାର ଏକ ସକାରାତ୍ମକ ସାମାଜିକ ବ୍ୟବସ୍ଥା। ଏହାର ପ୍ରଭାବ ବ୍ୟକ୍ତି ବିଶେଷରେ ଭିନ୍ନଭିନ୍ନ। ତେଣୁ ପୁରସ୍କାର ବ୍ୟବସ୍ଥାକୁ ଦୋଷ ଦେବା ଅନୁଚିତ।’
ବିଷ୍ଣୁ ପୃଷ୍ଠିଙ୍କ ମନ୍ତବ୍ୟ ଥିଲା; ‘ଉପାଧି ଏକ ବ୍ୟାଧି ଯେଉଁଥିରେ ସାରାଜଗତ ପୀଡ଼ିତ। ଶୃଗାଳ ବି ଜଙ୍ଗଲର ରାଜା ହେବାକୁ ଚାହେଁ।’
ରଘୁନାଥ ମହାପାତ୍ରଙ୍କ ମତରେ ପୁରସ୍କାର ପାଇବାର ଇଚ୍ଛା ଓ ପୁରସ୍କାର ମିଳିବାର ମାର୍ଗ ଭିତରେ କିଛି କିଛି ଦ୍ଵନ୍ଦ୍ୱ ସମୟ ସମୟରେ ଉପୁଜି ଥାଏ। ଏକ ଭଲ ଲେଖକ, ଭଲ ସମାଜସେବୀ, ଭଲ ଶିକ୍ଷକ ମନ ଭିତରେ ପୁରସ୍କୃତ ହେବାର ଇଚ୍ଛା (ପୁରସ୍କୃତ ହେବାର ଅର୍ଥ କେବଳ ଷ୍ଟେଜ୍ ଉପରେ ବାହା ବାହା ନେବାଟା ନୁହେଁ) ରହିଥାଇପାରେ କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ତେ ସେଥିପାଇଁ କିଛି ଅଲଗା ରାସ୍ତା ଆପଣେଇବାକୁ ଚାହାଁନ୍ତି। ବୋଧହୁଏ ଏହା ଆଗରୁ ହେଉନଥିଲା। ପ୍ରଚାର, ପ୍ରସାର ବିହୀନ ଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ- ଯେତେବେଳେ ଯେ କୌଣସି ପୁରସ୍କାର ପ୍ରଦାନରେ କିଛି ଭିନ୍ନ ମତ ପ୍ରକାଶ ପାଉଛି ସେତେବେଳେ ପୁରସ୍କାରର ନିରପେକ୍ଷତା ଉପରେ ସନ୍ଦେହ ଉପୁଜେ। କିନ୍ତୁ ପୁରସ୍କୃତ (ଯଦି ନିରପେକ୍ଷ ଭାବରେ ହୁଏ) ତେବେ ବ୍ୟକ୍ତି ଆତ୍ମ ସନ୍ତୋଷ ଲାଭ କରିବା କିଛି ଅନୁଚିତ ନୁହେଁ। ଆଉ ଯଦି ବ୍ୟକ୍ତି ପ୍ରକୃତରେ ପୁରସ୍କାର ପାଇବାରେ ଯୋଗ୍ୟ ତେବେ ତାହା ସାମାଜିକ ସ୍ୱୀକୃତି ଲାଭ ଆପେ ଆପେ କରେ. ସେଥିପାଇଁ କୌଣସି ସଭା, ସମିତି ବା ପ୍ରଚାର, ପ୍ରସାରର ଆବଶ୍ୟକତା ନାହିଁ।
Also readhttps://purvapaksa.com/whos-big-biju-or-mahtab/