ବିଜୁ ଜନତା ଦଳକୁ ନେଇ ଚାଲିଥିବା ଚର୍ଚ୍ଚା ଥମିବାର ନା ଧରୁନି। ଏକଦା ଓଡ଼ିଶାର ସର୍ବୋଚ୍ଚ କ୍ଷମତାଧାରୀ ରାଜନୀତିକ ଦଳଭାବେ ବିଜୁ ଜନତା ଦଳ ପରିଚିତ ହେଉଥିଲା। ଥରେ କ୍ଷମତାରୁ ହଟିବା ପରେ ବିଜୁ ଜନତା ଦଳ ବିଭାଜିତ ହୋଇଥିବା ନେଇ ଯେଉଁ ଆଲୋଚନା ହେଉଛି ସେଥିରେ ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇ ନିଆଁ ଚେଙ୍ଗିଛନ୍ତି। ସଭାପତିଙ୍କୁ ସେ ଚେତାଇଛନ୍ତି ଯେ ସଂଗଠନ ଯେମିତି କିଛି ଲୋକଙ୍କ ଦ୍ୱାରା ହାଇଜାକ୍ ନ ହେବ ସେଥିଲାଗି ପଦକ୍ଷେପ ନିଅନ୍ତୁ। ଅବଶ୍ୟ ଏହା ସେ ଦଳୀୟ ସଂଗଠନରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କଥା କହିଛନ୍ତି କିନ୍ତୁ, ତାଙ୍କ ଚିଠିର ତୀର ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ରରେ ବାଜିଛି ବୋଲି ଚର୍ଚ୍ଚା ହେଉଛି। ସେଇ ଚର୍ଚ୍ଚାକୁ ନେଇ ଆଜିର ଆଲୋଚନା।
ଆପଣ, ମୁଁ ଏପରିକି ଓଡ଼ିଶାର ରାଜନୀତିକ ପରିବେଶରେ ରୁଚି ରଖୁଥିବା ପ୍ରତିଟି ବ୍ୟକ୍ତି ବିଜୁ ଜନତା ଦଳରେ ଚାଲିଥିବା କନ୍ଦଳକୁ ନିୟନ୍ତ୍ରଣ କରିବାରେ ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ପାରିଷଦ ଅସମର୍ଥ ତାହା ଭାବିବା ସ୍ୱାଭାବିକ। କାରଣ ପୂର୍ବରୁ ଏମିତି ଅନେକଥର ଦଳରେ ବିଭ୍ରାନ୍ତ, ବିଷାଦ ଓ ବିଭାଜନ କଥା ଉଠିଛି। କିନ୍ତୁ ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ତାଙ୍କର ଅତ୍ୟନ୍ତ ନିକଟତର ରହିଥିବା ଅଧିକାରୀ ଏବଂ ଦଳୀୟ ପଦାଧିକାରୀମାନେ ତାହାକୁ ଦମନ କରିବାରେ ସକ୍ଷମ ହୋଇ ଆସୁଥିଲେ। ଏହି ଦମନ ପ୍ରକ୍ରିୟାରେ ଯେଉଁ ନେତା ନବୀନଙ୍କଠାରୁ ଭାରି ପଡ଼ୁଥିଲେ ତାଙ୍କର ଶିର ଛେଦନ ହେଉଥିଲା। ଏ ପର୍ଯ୍ୟାୟ ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ ହୋଇଥିଲା। ଏବେ ସର୍ବଶେଷ ଉଦାହରଣକ୍ରମେ ପ୍ରଭାତ ତ୍ରିପାଠୀଙ୍କୁ ଦଳରୁ ବିନା କୌଣସି ନୋଟିସ ଓ ଲିଖିତ ଆଦେଶରେ ମୁଖିଆ ବହିଷ୍କୃତ ନେତା ବୋଲି ଘୋଷଣା କରିଛନ୍ତି।
ପ୍ରଭାତଙ୍କର ଦୋଷ ଏହାଥିଲା ଯେ, ଜଣେ ବରିଷ୍ଠ ନେତା ଭାବେ ସେ ଦଳର ସଂଗଠନ ବିଷୟରେ ପ୍ରଶ୍ନ ପଚାରିଥିଲେ। ରାଜ୍ୟସଭାରେ ଓ୍ୱାକ୍ଫ ବିଧେୟକ ପାଇଁ ବିଭାଜନ ଭୋଟ ସଂଗ୍ରହବେଳେ ଯେଉଁଭଳି ଭାବେ ବିଜୁ ଜନତା ଦଳର ଜଣେ ସାଂସଦ ଦଳ ବିପକ୍ଷରେ ଗଲେ ଏବଂ ଏହାକୁ ସେ ପାର୍ଟିର ଆଦେଶ ବୋଲି କହିବାକୁ ପଛାଇଲେ ନାହିଁ ତାହାକୁ ନେଇ ବାଦବିବାଦ ଆରମ୍ଭ ହୋଇଥିଲା। ହେଲେ ତାଙ୍କୁ କିଏ ଆଦେଶ ଦେଇଥିଲା ବୋଲି ମିଡିଆରେ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖି ପ୍ରଭାତ ଏହା ସଭାପତି ନ ଜାଣିଥିଲେ ପାଣ୍ଡିଆନ୍ ଜାଣିଥିବେ ବୋଲି ପରୋକ୍ଷରେ କହିଥିଲେ। ଏହା ସେତେବଳେ ରାଜନୀତିକ ମହଲକୁ ସରଗରମ କରିବାରୁ ଶ୍ରୀ ପଟ୍ଟନାୟକ ତାଙ୍କୁ ଦଳର ବହିଷ୍କୃତ ନେତା ଆଖ୍ୟା ଦେଇଛନ୍ତି।
ଏବେ ଦଳର ଟାଣୁଆ ନେତା ତଥା ଅନ୍ୟତମ ବିଜୁ ପ୍ରେମୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଥା ଆସିଛି। ୭୧ ବର୍ଷୀୟ ଶ୍ରୀ ସ୍ୱାଇଁ ଲୋକଙ୍କ ପାଖରେ ରାଜା ଭାବେ ପରିଚିତ। ନିଜର ସ୍ପଷ୍ଟ ମତ ଓ ଖିଆଲି ମନୋଭାବ ଯୋଗୁ ସେ ରାଜନୀତିରେ ଅନେକ ସମର୍ଥନ ପାଇଛନ୍ତି। କିନ୍ତୁ ଦଳରେ ଅନେକ ପ୍ରତାରଣା ମଧ୍ୟ ସହିଛନ୍ତି। ଅଣକଂଗ୍ରେସ ରାଜନୀତିର ଜଣେ ପୁରୋଧାଭାବେ ରଣେନ୍ଦ୍ର ପରିଚିତ। ବିଧାନସଭାକୁ ସବୁଠାରୁ ଅଧିକଥର ଆସିଥିବା ବିଧାୟକ ଭାବେ ସେ ଏବେ ପରିଚିତ। ୮ ଥର ନିର୍ବାଚିତ ହୋଇଛନ୍ତି। ଯେତେବେଳେ ପ୍ୟାରୀମୋହନ ମହାପାତ୍ର ଦଳର ଦୈନନ୍ଦିନ ବ୍ୟାପାର ବୁଝୁଥିଲେ ସେ ତାଙ୍କର ବିରୋଧୀଭାବେ ପରିଚିତ ହୋଇଥିଲେ। ଷଡ଼ଯନ୍ତ୍ର କରି ୨୦୦୯ ନିର୍ବାରଚନରେ ପ୍ୟାରୀ ତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଇ ଦେଇଥିଲେ। ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜା ଜିତିଥିଲେ ଏବଂ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରଣେନ୍ଦ୍ରଙ୍କୁ ଆଜିବି ବିଜେଡିର ଅନେକ ନେତା ସମ୍ମାନ କରନ୍ତି, ଶ୍ରଦ୍ଧା କରନ୍ତି ତାଙ୍କୁ ଖାତିର ବି କରନ୍ତି।
ଗତକାଲି ସେ କିନ୍ତୁ ଦଳରେ ଏକ ବୋମା ବିସ୍ଫୋରଣ କରିଛନ୍ତି ତାହାକୁ ଅସ୍ୱୀକାର କରାଯାଇନପାରେ। ସେ ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ଦଳୀୟ ସଂଗଠନରେ ସ୍ଥାନ ସଂରକ୍ଷଣ କଥା ଉଠାଇଛନ୍ତି। ଏହା ନ ହେଲେ ଦଳିତଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦଳ ଯେଉଁ ଆନ୍ଦୋଳନ ଚଳାଇଛି ତାହା ଏକ ରାଜନୀତିକ ଆନ୍ଦୋଳନଭାବେ ଚର୍ଚ୍ଚିତ ହେବ ବୋଲି ସେ ଇଙ୍ଗିତ କରିଛନ୍ତି। ଏହାଛଡ଼ା ଚିଠିରେ ସେ ‘ଦଳକୁ କିଛି ଲୋକଙ୍କ ଦ୍ୱାରା ହାଇଜାକ୍ ହେବାକୁ ଦିଆନଯାଉ’ ବୋଲି କହିଛନ୍ତି।
ପ୍ରଶ୍ନ ଉଠୁଛି ଦଳରେ ଅଣ ସଂରକ୍ଷିତ ବର୍ଗ ବା ସବର୍ଣ୍ଣ ପ୍ରାଦୂର୍ଭାବ ବଢ଼ୁଥିବା ଶ୍ରୀ ସ୍ୱାଇଁ ଲକ୍ଷ୍ୟ କରିଛନ୍ତି କି? ନା ସେ ଦଳରେ ବିଭାଜନ ସୃଷ୍ଟିର ଏହା ଏକ କାରଣ ବୋଲି କହିବାକୁ ଚାହିଁଛନ୍ତି?
ଅପରପକ୍ଷେ ଆଜି ଯାଏ ବିଜେଡିର ଯେଉଁ ବିଶିଷ୍ଟ ନେତାମାନେ ସଂଗଠନ ସମ୍ବନ୍ଧରେ କହିଛନ୍ତି ସେମାନେ ସମସ୍ତ ଅଣ ବିଧାୟକ। ଅର୍ଥାତ୍ କେହି ହେଲେ ନିର୍ବାଚିତ ପ୍ରତିନିଧି ହୋଇ ଏବେ ନାହାନ୍ତି। ଏ ବିଷୟ ଆମେ ଉଠାଇବାର କାରଣ ହେଉଛି ଯେତେବେଳେ ବିଧାୟକମାନେ ବିରୋଧୀ ହୋଇଯିବେ ସେମାନେ ଗୋଷ୍ଠୀ କରି ଦଳକୁ ହାଇଜାକ୍ କରିବାର ସମ୍ଭାବନା ରହିଛି। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଏକ ତୃତୀୟାଂଶ ଦଳର ସଦସ୍ୟ ଏକାଠି ହୋଇ ଅଲଗା ଦଳ ଗଠନ କରିପାରିବେ ବା ଅନ୍ୟ କୌଣସି ଦଳ ସହ ମିଶି ପାରିବେ। ପୁଣି ଯଦି ଦୁଇ ତୃତୀୟାଂଶ ସଦସ୍ୟ ଏକାଠି ହୁଅନ୍ତି ତେବେ ପାର୍ଟି ଆଉ ନବୀନଙ୍କ ହାତରେ ନ ରହିବାଟା ସତ୍ୟ ହୋଇପାରେ।
ଏଭଳି ପରିସ୍ଥିତିରେ ବିଧାୟକ ରାଜା ସ୍ୱାଇଁ ହୁଏତ ଏହାକୁ ଠଉରେଇ ପାରିଛନ୍ତି। ସେଥିଲାଗି ସେ ସଭାପତିଙ୍କୁ ସତର୍କ କରିବାକୁ ଚାହିଁଛନ୍ତି। କୌଣସି ଗୋଟିଏ ଗୋଷ୍ଠୀ ଦଳରେ ସମସ୍ୟା ସୃଷ୍ଟି କରିବାକୁ ଚାହୁଁଛି ଏହା ସେ ଜଣାଇବାକୁ ଚାହିଁଥାଇପାରନ୍ତି।
ହାଇଜାକ୍ ଶବ୍ଦଟି ବଡ଼ ବିଚିତ୍ର। ଏହି ଶବ୍ଦ ଜଣାଉଛି ଯେ, ଦଳର ସଂଗଠନ ସଭାପତିଙ୍କ ଅଗୋଚରରେ ଦଳର ପରିଚାଳନାକୁ ଅଧିଗ୍ରହଣ କରିନେବା। ଅବଶ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ସମସାମୟିକ ନେତା ରାଜାଙ୍କ ଏ ଉକ୍ତିକୁ ନଈ ନ ଦେଖୁଣୁ ଲଙ୍ଗଳା ବୋଲି କହିଛନ୍ତି କିନ୍ତୁ ଏହା ସେ ଦଳ ବିଭାଜନର ସଙ୍କେତ ନୁହେଁ ତାହା ସ୍ପଷ୍ଟ କରି ନାହାନ୍ତି।
ବିଗତ ଦିନରେ ପାଣ୍ଡିଆନ୍ ଦଳରେ ନାହାନ୍ତି ଏବଂ ସେ ଦଳର ବ୍ୟାପାରରୁ ଦୂରରେ ରହିଛନ୍ତି ବୋଲି ନବୀନ କହିସାରିଛନ୍ତି। ତାଙ୍କୁ କ୍ଲିନ୍ ଚିଟ୍ ମଧ୍ୟ ଦେଇଛନ୍ତି। ଏହାପରେ ଦଳରେ ବିଦ୍ରୋହ ସାମାନ୍ୟ ଶାନ୍ତ ହୋଇଥିଲା। କିନ୍ତୁ ରାଜା ସ୍ୱାଇଁଙ୍କ ଏପରି ବୟାନ କୁହୁଳୁଥିବା ନିଆଁକୁ ଉଗ୍ର କରିପାରେ ବୋଲି ଚର୍ଚ୍ଚା ହେଉଛି।
Also readhttps://purvapaksa.com/hindus-are-dying-mp-yusuf-pathan-drinks-tea/