ସମୀକ୍ଷିକା – ସୁସ୍ମିତା ମହାପାତ୍ର
ଦୀର୍ଘ ଦିନର ବିରତି ପରେ, ବିମୁଗ୍ଧ ପାଠକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଲୋକାର୍ପିତ ହୋଇଯାଇଛି, ବରିଷ୍ଠ କବି ହରମୋହନ ମିଶ୍ରଙ୍କ ଦ୍ଵିତୀୟ କବିତା ସଂକଳନ “ସ୍ପର୍ଶ”। ୧୯୯୮ ମସିହାରେ ତାଙ୍କର ପ୍ରଥମ କବିତା ସଙ୍କଳନ “ଭିନ୍ନରାଗ” ପ୍ରକାଶିତ ହୋଇ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା ଏବଂ ସେ ଧାରା ଏଯାବତ ଚଳି ଆସୁଛି।
ପ୍ରଥମ ସଂକଳନର ୨୭ ବର୍ଷ ପରେ, ୨୦୨୫ ମସିହାରେ ପ୍ରକାଶିତ ଦ୍ଵିତୀୟ ସଂକଳନ, ୨୭ର ବିପରୀତ ୭୨ଟି କବିତାକୁ ନେଇ ପୁଷ୍କଳ। ପୂର୍ବବତ୍ ଏ ସଂକଳନଟି ମଧ୍ୟ ଉଭୟ ଯୁକ୍ତଛନ୍ଦ ଓ ମୁକ୍ତଛନ୍ଦ କବିତାର ଯୁଗଳବନ୍ଦୀ। ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଯଦିଓ ନିଜନିଜ ସ୍ଥାନ, କାଳ, ପାତ୍ର, ସ୍ଵଭାବ ଓ ଶୈଳୀରେ ସ୍ଵତନ୍ତ୍ର, ତନ୍ମଧ୍ୟରୁ ‘ସ୍ପର୍ଶ’ ଶୀର୍ଷକ କବିତାଟି, ଯଥେଷ୍ଟ ଅଧିକ ଗୁରୁତ୍ୱ ଓ ପ୍ରାସଙ୍ଗିକତା ବହନ କରୁଥିବା ସହଜରେ ଅନୁମତି। ଏପରି ନାମକରଣର ଅନ୍ତରାଳେ ରହିଛି କବିଙ୍କର ଅନୁଭବ, ଅନୁଭୂତି, ଅନୁରାଗ, ଆପଣାପଣ, ସର୍ବୋପରି ସୂକ୍ଷ୍ମ ଚିନ୍ତନ।
ଉଦ୍ଦେଶ୍ୟ ହେଉଛି, କବିଙ୍କ ରଚିତ ପ୍ରତ୍ୟେକ କବିତାରେ ପ୍ରଚ୍ଛନ୍ନରୂପେ ଥିବା ଆବେଗ, ଅନ୍ତଶ୍ଚେତନା, ସବୁରି ପ୍ରାଣକୁ ସ୍ପନ୍ଦିତ କରୁ, ତା’ର ଲୟ, ଲାସ୍ୟ ଓ ଲାଳିତ୍ୟ ସଭିଙ୍କୁ ଅଭିଭୂତ କରୁ, ତା’ର ରସ, ରାଗ, ଛନ୍ଦ, ଝଂକୃତ ହେଉ ପ୍ରତ୍ୟେକ କବିତା ମନସ୍କଙ୍କ ହୃଦବୀଣାରେ, ବିମୋହିତ କରୁ ତା’ର ସ୍ଵର ଓ ସ୍ୱାଦ ସବୁରି ମନକୁ, ଆତ୍ମାକୁ ଆହ୍ଲାଦିତ କରୁ ତା’ର ମଧୁର ମହକ, ଭାବ ଭେଦି ଯାଉ, ପ୍ରତି ଅଙ୍ଗ କୋଷିକାରେ।
ଉନ୍ମାଦନା, ଉଦ୍ଦୀପିତ କରୁ, ପ୍ରତ୍ୟେକଙ୍କ ଇନ୍ଦ୍ରିୟକୁ ଏବଂ ଏଇ ଇନ୍ଦ୍ରିୟାନୁଭୂତି ମାଧ୍ୟମରେ ନିବିଡ଼ତା ଗଢିଉଠୁ ପରସ୍ପର ମଧ୍ୟରେ, ଅନାବିଳ ସ୍ନେହ ସମ୍ପର୍କ ରଜ୍ଜୁରେ ବାନ୍ଧି ହୁଅନ୍ତୁ ପ୍ରତ୍ୟେକେ।
କୁହଯାଏ, ‘Poetry is the philosophy of life.’ ବାସ୍ତବିକ୍, କବିଙ୍କ ପ୍ରତ୍ୟେକ କବିତାରେ ଭରି ରହିଛି ଜୀବନ ଦର୍ଶନ। ମାତ୍ର ଦୁଇଟି ଅକ୍ଷରରେ ସୃଷ୍ଟ ଏଇ ଛୋଟିଆ ଶବ୍ଦ ‘ସ୍ପର୍ଶ’ ରେ ନିହିତ ଅର୍ଥ କିନ୍ତୁ ଭିନ୍ନ ଭିନ୍ନଭାବେ ଗୁରୁତ୍ଵ ରଖେ ପ୍ରତ୍ୟେକଙ୍କ ଜୀବନରେ। କବି କିନ୍ତୁ ଚାହାଁନ୍ତି ବାଣ୍ଟି ହେବାକୁ ସମସ୍ତଙ୍କ ଭିତରେ ଏବଂ ଭଲପାଆନ୍ତି ବି ଖୋଜିବା ପାଇଁ ନିଜକୁ ଅନ୍ୟମାନଙ୍କ ଭିତରୁ।
ଏ ମତ ମୋର ନିଜସ୍ୱ କାରଣ ସମୀକ୍ଷା ଶବ୍ଦଟି ହିଁ ସମ୍ପୂର୍ଣ୍ଣ ଆପେକ୍ଷିକ ଏବଂ ଭିନ୍ନ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଚେତନା ସୃଷ୍ଟି କରେ। Shakespeareଙ୍କ ମତରେ, ‘What a piece of work is man, how infinite in power, how beautiful in form, paragon to all animals and beauty of the earth.’ ଅସୀମ ଶକ୍ତିଧାରୀ ଏଇ ମଣିଷ।
ଗୋଟେ ଛୋଟ କବିତାରୁ ମଧ୍ୟ ବିରାଟ ଥିଓରୀ ବା ପ୍ରକାଣ୍ଡ ଦ୍ରୁମ ସଦୃଶ ଦର୍ଶନ ବାହାରିବାକୁ କେହି ଅସ୍ଵୀକାର କରିପାରିବେନାହିଁ। ଏଣୁ ପ୍ରତ୍ୟେକ ସୃଷ୍ଟିର ସଠିକ ବିଶ୍ଳେଷଣ ଅବଶ୍ୟ ଜରୁରୀ। କବିତା ଉତ୍ତରିତ ହୁଏ, ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗର ଆଲୋଚନା, ପର୍ଯ୍ୟାଲୋଚନା ମାଧ୍ୟମରେ। କିନ୍ତୁ ‘ତାଙ୍କ କବିତାର ବହୁବର୍ଣ୍ଣୀ ଆକାଶରେ କୋଉଠି ବି ନିରାଶାବାଦର କଳା ବାଦଲଟିଏ ପାଇବ ନାହିଁ କାବ୍ୟାମୋଦୀ ପାଠକ; ଅଧିକନ୍ତୁ ଆଶାବାଦର କାଶତଣ୍ଡୀ ଚଅଁରରେ ପୂର୍ଣ୍ଣ ସ୍ମିତ-ବାଦଲର ଖଣ୍ଡ ଖଣ୍ଡ ଶୁଭ୍ର ସମୁଜ୍ଜ୍ବଳ କାନ୍ତି ଚିତ୍ରାୟିତ କରୁଥାଏ ଜୀବନର ସଂଘର୍ଷକୁ’ ବୋଲି, ବରିଷ୍ଠ କବି ତ୍ରିନାଥ ସିଂହ ମୁଖବନ୍ଧରେ ମତ ବ୍ୟକ୍ତ କରିଛନ୍ତି।
ତଥାପି, ସମୀକ୍ଷିକା ବା ଆଲୋଚିକାଭାବେ ମୁଁ ନିଜସ୍ୱ ମତ ଉପସ୍ଥାପନ ନିମନ୍ତେ ବାଧ୍ୟ। ମୁଁ ଆଶାବାଦୀ, ଏ ସଂକଳନ ହିଁ ସୁଗମ କରିବାରେ ସହାୟକ ହେବ, ଚେତନାରୁ ଚେତନାକୁ ଯାତ୍ରାର ଅସ୍ପଷ୍ଟ, ଛାୟାବିଷ୍ଟ ପଥକୁ। ଏଇ ପରିପ୍ରେକ୍ଷୀରେ କବିଙ୍କ ପ୍ରଥମ ସଂକଳନ ‘ଭିନ୍ନରାଗ’ର ‘ଚାଲରେ ମନ’ କବିତାକୁ ଉଦାହରଣସ୍ଵରୂପ ନିଆ ଯାଇପାରେ- ‘ଚାଲରେ ମନ ଚାଲ୍ ମୋତେ ନେଇ ଆସାନସୋଲର ପାଚେରୀ ଡେଇଁ, ଉଚ୍ଚ ପର୍ବତ ଶୃଙ୍ଗ ଉପରେ ନୀଳ ଆକାଶର ମଥାନ ଛୁଇଁ। କୃଷ୍ଣ ହୀରକ ଧୂସର କୁହେଳି ଇସ୍ପାତପୁରୀ ବର୍ଣ୍ଣପୁର, ଚୂର୍ଣ୍ଣ କରିଛି ସ୍ଵର୍ଣ୍ଣ ସପନ ଆଶାର ସୌଧ ଜୀର୍ଣ୍ଣସାର।
ଜଳ କଷ୍ଟରେ କ୍ଲିଷ୍ଟ ମଣିଷ ଅନ୍ଧାର ଏଠି ଆଲୁଅ ନାହିଁ, ଏ ଦେଶରେ ଏକ ମରୁ ପ୍ରଦେଶ ଏ, କଦବା ଜଳୁଛି ବିଜୁଳି କାହିଁ? ଏହା ଏଭଳି ଏକ କବିତା, ଯାହା ପ୍ରତ୍ୟେକ ଚେତନାକୁ ସ୍ପର୍ଶ କରିପାରିବ ବିନା ବାଧା ବା ପ୍ରତିବନ୍ଧକରେ। ଯେଉଁଠି ରହିଛି ଗଭୀର ଅନୁଭବର ଅନ୍ତଃସ୍ଵର, ତାହା ସହଜରେ ଭେଦି ଯାଇପାରେ ପ୍ରତି ହୃଦ କନ୍ଦରକୁ।
କବି ଶ୍ରୀଯୁକ୍ତ ମିଶ୍ରଙ୍କର ଗଭୀର ସୌନ୍ଦର୍ଯ୍ୟବୋଧ ଓ ମାର୍ମିକ ଅନୁଭବର ଏ ଅଭିଜ୍ଞାନ ଯୁବ ସମାଜକୁ ବତୀଘର ହୋଇ ଆଲୋକିତ କରୁ ବୋଲି କାମନା କରନ୍ତି, ପ୍ରକାଶକ ମନୋଜ କୁମାର ନନ୍ଦ। କୌଣସି ପରିସ୍ଥିତିରେ କବି ସାଲିସ୍ କରିନାହାଁନ୍ତି ତାଙ୍କ କବିତା ସୁନ୍ଦରୀ ସହିତ। ସେ ବାହ୍ୟ ଗଠନ ହେଉ ବା ଅନ୍ତରାତ୍ମା, କବି ତାଙ୍କ ଶବ୍ଦାଗାରରୁ ସର୍ବୋତ୍ତମ ସୁହାଉଥିବା ଶବ୍ଦ ଏବଂ କାବ୍ୟଭୂମିର ଛନ୍ଦାଗାରରୁ ଉପଯୁକ୍ତ ଛନ୍ଦ ଚୟନ କରି ଖୁବ୍ କାଇଦାରେ ଖଞ୍ଜି ଦେଇ ପାରନ୍ତି ନବ ସୃଜନର ଡାଳରେ ଯାହାକୁ ଅତି ଚତୁରତାରେ ବଖାଣିଛନ୍ତି ବରିଷ୍ଠ କବି ମୀନକେତନ ପଶାୟତ, ସଂକଳନର ଅଗ୍ର କଥନରେ।
ସଂକଳନର ପ୍ରଚ୍ଛଦ ଚିତ୍ର ବେଶ୍ ସୁନ୍ଦର ଓ ଅର୍ଥପୂର୍ଣ୍ଣ ଯାହା ଶୀର୍ଷକକୁ ସୁହାଉଛି କିନ୍ତୁ ସାଲିସ୍ କରିଛନ୍ତି କବି ନିଜ ସହିତ, ପ୍ରଚ୍ଛଦ ରଙ୍ଗରେ। କଥୋପକଥନରୁ ଜ୍ଞାତ ହେଲା, ବାସନ୍ତୀ ଓ ମୟୂରକଣ୍ଠୀର ମିଳିତ ରଙ୍ଗରେ ମନ ଭିତରେ ଆଙ୍କି ହେଇଥିବା ସେଇ ପ୍ରଚ୍ଛଦ ଚିତ୍ରକୁ, ଅନେକ ପ୍ରୟାସ ପରେ ବି ସଂକଳନର ପୁରୋଭାଗ ମଣ୍ତନ କରାଇବାରେ କବି ସଫଳ ହୋଇପାରି ନାହାଁନ୍ତି ତଥାପି, ପ୍ରଚ୍ଛଦର ଏ ରଙ୍ଗ ଅନେକଙ୍କୁ ଆକୃଷ୍ଟ କରିବ, ଏହା ନିଃସନ୍ଦେହ।
ଆଙ୍ଗିକ ଦୃଷ୍ଟିକୋଣରୁ, ସଂକଳନର କଳେବର, ନବ ବିବାହିତା ଅବଗୁଣ୍ଠନ ବତୀ କୂଳବଧୁ ପରି ସଲଜ୍ଜ, ସମ୍ଭ୍ରମ ଓ ସୁନ୍ଦର। ଗଠନ, ଗଢଣ, ଅଙ୍ଗ, ରଙ୍ଗ, ବେଶ ପରିପାଟୀ, ମୂଲ୍ୟ, ମୁଦ୍ରଣ, ସୁଲଭତା ଓ ଗୁଣବତ୍ତା ଦୃଷ୍ଟିରୁ ବେଶ୍ ପ୍ରଶଂଶନୀୟ ମଧ୍ୟ, ଯାହାର ଶ୍ରେୟ ଅନେକାଂଶରେ ପ୍ରକାଶନୀ ସଂସ୍ଥା ବା ସିଧାସଳଖ ପ୍ରକାଶକଙ୍କୁ ଯାଉଛି।
ଅନ୍ୟଟି ହେଉଛି କବିତାର ଆତ୍ମା। ଭାବ, ଉଚ୍ଛ୍ଵାସ, ଆବେଗ, ଉଦବେଗ, ଅନୁଭବ, ଅନୁଭୂତି, ଅନୁରାଗ, ବିରାଗ, ସ୍ୱାଦ, ଭେଦ, ଲାସ୍ୟ, ଲାଳିତ୍ୟ, ରସ, ରାଗ, ଛନ୍ଦ, ରୂପକ, ଯମକ, ଉପମା, ଅଳଙ୍କାର, ଅନୁପ୍ରାସ, ଚିତ୍ରକଳ୍ପ, ଶୃଙ୍ଖଳିତ ଆରୋହ, ଅବରୋହକୁ ନେଇ କବିଙ୍କର ପ୍ରତ୍ୟେକ କବିତାର ଆତ୍ମା ପୁଷ୍ଟ।
ଜୀବନ ଦର୍ଶନ ଆଧାରରେ ରଚିତ ଏହି କବିତାଗୁଡ଼ିକୁ ଶୁଣୁ ଶୁଣୁ, ଶ୍ରୋତାଟିଏ ମନ କାନଭାସରେ ଆଙ୍କି ଦେଇପାରିବ ଏକ ସୁନ୍ଦର ଜୀବନ୍ତ ଚିତ୍ର। କଳ୍ପନାର ସ୍ଥାନ ଏ ସଙ୍କଳନରୁ ଅନେକ ଦୂରରେ। କାଳ୍ପନିକ କବିତା ଚିରକାଳ ଆତ୍ମା ରହିତ। ତାହା ହୁଏତ ଶ୍ରୁତି ମଧୁର ହେଇପାରେ କିନ୍ତୁ ମୋହାବିଷ୍ଟ କରି ପାରେନା ଶ୍ରୋତା ବା ପାଠକକୁ। ସ୍ମୃତି ହେଇ ରହି ଯାଏନା କାଳ କାଳକୁ ଯାହା କବି ଶ୍ରୀଯୁକ୍ତ ମିଶ୍ରଙ୍କ କବିତାର ବିରୋଧାଭାଷ।
କବି, ଉଭୟ ଯୁକ୍ତଛନ୍ଦ ଓ ମୁକ୍ତଛନ୍ଦ କବିତା ରଚନାରେ ସିଦ୍ଧହସ୍ତ ବୋଲି ଏହି ସଂକଳନରୁ ବେଶ୍ ବାରି ହୋଇପଡ଼ୁଛି। କାହାଦ୍ୱାରା ପ୍ରେରିତ ବା ପ୍ରଭାବିତ ନହୋଇ ତଥା କବିତା ରଚନାର ସମସ୍ତ ଧର୍ମ ଅନୁପାଳନରେ କବି ନିଜସ୍ଵ ଶୈଳୀରେ ସୃଷ୍ଟି କରିଛନ୍ତି ଅନେକ ମୁକ୍ତଛନ୍ଦ କବିତା। ସେଥିମଧ୍ୟରୁ ଏହି ସଂକଳନରେ ସ୍ଥାନିତ କେତୋଟି କବିତାର ଉଦାହରଣ ନିଆଯାଇପାରେ।
‘ସ୍ତିମିତ ବର୍ଣ୍ଣାଳୀ ଏକ ଗୋଧୂଳିର ଅବସାନ ପରେ, କାକକୃଷ୍ଣ କବରିଣୀ- ସର୍ପାୟିତ କେଶବତୀ କନ୍ୟା ସାଜି ସଂଧ୍ୟା ଯେବେ ନଇଁ ନଇଁ ଆସେ, କିଏ ତୁମେ ଆରଣ୍ୟକ! ଅପ୍ରକାଶେ ଦୂରେ ବହୁ ଦୂରେ, କ୍ଷୀଣ ନିଃଶ୍ଵାସରେ ତୋଳ ବଂଶୀବୁକେ ବିରହ ରାଗିଣୀ ଭରା ମଧୁର ମୂର୍ଚ୍ଛନା?’ (କବିତା- ଆରଣ୍ୟକ)
ଆହାଃ ! ପ୍ରତୀକାତ୍ମକ ଶବ୍ଦ ମାଧ୍ୟମରେ, ପୂରବୀ ଛନ୍ଦରେ ସଂଧ୍ୟାର କି ଅପୂର୍ବ ବର୍ଣ୍ଣନା ସତେ ! ଜଣେ ଇଂରାଜୀ କବିଙ୍କ ଭାଷାରେ, ‘Our sweetest songs are those that tell of the saddest thoughts’, ଯାହାର ଓଡ଼ିଆ ଅନୁବାଦ, ନାରୀ କବି ବିଦ୍ୟୁତ ପ୍ରଭା ଦେବୀଙ୍କ ଭାଷାରେ, ‘ଚାରୁ ଚୈତାଳି ଚପଳ ବିଳାସେ ଭାଷିଲେ କି ହେବ କବି, ନ ଫୁଟିଲା ଯଦି ଲେଖନୀରେ ତବ ବ୍ୟଥାର କରୁଣ ଛବି’। ଏବଂ ‘ଦୂର ଦିଗବଳୟ ତଳେ ବିଲୀନ ହୋଇଛି କାହିଁ ଆଶାର ସେ ଅସ୍ପଷ୍ଟ ଓ କ୍ଷୀଣ ଏକ ରେଖା, ହତାଶା ବହ୍ନି ଶିଖାର ଲେଲିହାନ ଜିହ୍ଵା, ଉଙ୍କିମାରେ ଦିଗନ୍ତ ସେପାରେ, ଗ୍ରାସିବାକୁ ହୁଏ ସ୍ପଷ୍ଟତର।’ (ମରୁପଥେ) ଏହି ପଦ୍ୟାଂଶ, ମାନସିକ ଅସନ୍ତୁଳନତାର ପ୍ରତୀକ ରୂପେ ପ୍ରତିଭାତ ହୁଏ।
ଏହି କ୍ରମରେ କବିଙ୍କ ରଚିତ କେତୋଟି ଯୁକ୍ତଛନ୍ଦ କବିତାକୁ ଆଲୋଚନା ପରିସର ଭୁକ୍ତ କରାଯାଇପାରେ। ଯଦିଓ କବିଙ୍କର ମୁକ୍ତଛନ୍ଦ କବିତାଗୁଡ଼ିକ ସମ୍ପୂର୍ଣ୍ଣ ନିଜସ୍ଵ ଶୈଳୀରେ ବିରଚିତ, ଯୁକ୍ତଛନ୍ଦ କବିତା ରଚନାରେ, ସ୍ଵର୍ଗତ ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ପ୍ରଭାବ ବିଶେଷଭାବେ ଅନୁଭୂତ ହୁଏ, ଯାହା କବି ନିଜେ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି।
‘କବିତା ରାଜ୍ୟେ ଛନ୍ଦ ଗଡ଼ର ନାୟକ ମୋହର ଆଦ୍ୟ ଗୁରୁ, ସ୍ଵପ୍ନ ଆକାଶେ କାବ୍ୟ ତାରା ସେ, ମର୍ତ୍ତ୍ୟରେ ଏକ ଶକ୍ତ ମେରୁ।’ (କବିତା- ମୁଁ ଓ କବିତା) ଏପରିକି, ରାଧାମୋହନ ଗଡ଼ନାୟକ ନିଜେ ମଧ୍ୟ କବିଙ୍କ ଲେଖନୀରେ ତାଙ୍କ ଛନ୍ଦକୁ ଚିରକାଳ ଉଦଜୀବିତ କରି ରଖିବା ପାଇଁ ଏକଦା କବିଙ୍କ ନିକଟରେ ନିଜର ଇଚ୍ଛା ପ୍ରକାଶ କରିଥିଲେ।
ଡଃ ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, ସଚ୍ଚି ରାଉତରାୟ, କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ କବିତାରେ ସମାନ ଛନ୍ଦ ପରିଲକ୍ଷିତ ହେଉଥିଲେ ହେଁ କବି ସେମାନଙ୍କ ଦ୍ଵାରା ଆଦୌ ପ୍ରଭାବିତ ନୁହଁନ୍ତି। କବିଙ୍କ ପ୍ରତ୍ୟେକ ଛନ୍ଦ କବିତାରେ ଗଡନାୟକୀୟ ଉଦ୍ଦାମତା ବେଶ୍ ବାରି ହୋଇପଡ଼େ।
ବିଶେଷଭାବେ କବିଙ୍କୁ ପ୍ରଭାବିତ କରିଥିବା କବିତା ହେଉଛି, ‘ଯନ୍ତ୍ର ତୋତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ?’ (ମାଟିର ମଣିଷ), ‘ତମ୍ ଲୁକ୍ର ରାସ୍ତାପରେ ବିରାଟ ପଟୁଆର, ଅଗଷ୍ଟର ମୁକ୍ତିରଣେ ହେଉଛି ଆଗୁସାର। ଇନ୍ କିଲାବ୍ ଜିନ୍ଦାବାଦ୍ ଉଠୁଛି କୋଳାହଳ, ଝଡ଼ର ତାନେ ଉଛୁଳେ ଯଥା ଅମ୍ବୁଧୀର ଜଳ।’ (ମାତଙ୍ଗିନୀ ଦେବୀ) ଏବଂ ‘ଜନ୍ମଦା ମୋର ଭାରତ ଭୂଇଁର ବହୁଦୂରେ ସାଥୀ ବହୁଦୂରେ, ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏଇ ଲଣ୍ଡନ କାରାପୁରେ।’ (ଉଦ୍ଦାମ ସିଂ)
ଏକ ତୁଳନାତ୍ମକ ଅନୁଶୀଳନରୁ କବିଙ୍କର ପ୍ରାୟ କବିତା ଏଇ ଛନ୍ଦର ଆଧାରରେ ରଚିତ ହୋଇଥିବା ପ୍ରମାଣିତ। ଯେମିତି, ‘ସଂଧ୍ୟା ଆକାଶ ପୂର୍ବ ଲଲାଟେ କାଳ ବୈଶାଖୀ ନୃତ୍ୟରଙ୍ଗେ, ଘନେଇ ଆସୁଛି ରକ୍ତମେଘ, ମାଳିକା ସୂଚିତ ଲଞ୍ଜାତାରାର ଦୃଶ୍ୟ ପାଟବେ, ହଠାତ୍ ଅଶୁଭ ସଙ୍କେତ ଦେଇ ଉକୁଟିଲା ତା’ର ପୂର୍ବରାଗ।’ (ରକ୍ତମେଘ) ଏବଂ ‘କହି ପାରିବକି ସୁନ୍ଦରୀ ଆଗୋ, କି ନାମେ ତୁମକୁ କରିବି ସମ୍ବୋଧନ, ଗାତ୍ରକୁ ତୁମ ଚିତ୍ରିତ କରି, ବର୍ଣ୍ଣେ ବର୍ଣ୍ଣେ ଗନ୍ଧ ଆବୋରି, ମାନସ ପ୍ରସୂତ କନ୍ୟା ଆଦରି କରିବି ସମ୍ଭାଷଣ?’ ଇତ୍ୟାଦି।
ସଜୀବ, ନିର୍ଜୀବ, ସ୍ଥାବର, ଜଙ୍ଗମ, କାହାକୁ ବାଦ୍ ଦେଇ ନାହାଁନ୍ତି କବି, ତାଙ୍କର ଏଇ କବିତା ସଙ୍କଳନରେ। ଦିନ ମଜୁରିଆ ରେବା ଏବଂ ଦୁର୍ଗମ ଅଞ୍ଚଳର ରିକ୍ସାବାଲାର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ, ରଚନା କରିଛନ୍ତି ‘ରେବା’ ଓ ‘ରିକ୍ସାବାଲା’ କବିତା।
ଯାଯାବରଟିଏ ଆପଣାକୁ ପରକରି, ପରକୁ ଆପଣାଇବାରେ କେମିତି ତା’ ଜୀବନ ଉତ୍ସର୍ଗ କରିଥାଏ, ତାକୁ ନିଖୁଣ ଭାବେ ଚିତ୍ରଣ କରିଛନ୍ତି କବି ‘ଯାଯାବର’ କବିତାରେ। ଆଜି ଶାସକ କେମିତି ଶୋଷକରେ ପରିବର୍ତ୍ତିତ ହୋଇଛି; ରକ୍ଷକ, ଭକ୍ଷକ ସାଜିଛି; ସଜ୍ଜନ, ସ୍ୱାର୍ଥରେ ଅନ୍ଧ ହୋଇ ଦୁର୍ଜନ, ଦୂରାଚାରୀ ସାଜିଛି, ଅତି ଚମତ୍କାର ଭାବେ ବର୍ଣ୍ଣିଛନ୍ତି କବି, ‘ବୁଦ୍ଧ ସାଜିଛି କ୍ରୁଦ୍ଧ’ କବିତାରେ।
ମା’ ଓ ମାଟିକୁ ପ୍ରାଣାଧିକ ଭଲ ପାଉଥିବା କବି, ସଂକଳନର ଶେଷ କବିତା ‘ଅପେକ୍ଷାକର’, ଯେଉଁଟି ସୁଦୂର ଆମେରିକାରେ ରହଣି ସମୟରେ ଭାରତ ଫେରିବା ପାଇଁ ବ୍ୟଗ୍ର ଓ ବ୍ୟାକୁଳ ହୋଇ ରଚନା କରିଥିଲେ, ସେଥିରେ ସେ ବର୍ଣ୍ଣିଛନ୍ତି, ‘ଯେତେ ସୁନ୍ଦର ହୋଇଥାଉ ପଛେ ଦୂର ପର୍ବତ ଅଙ୍ଗଶିରୀ, ତା’ଠାରୁ ଅଧିକ ମଧୁର ମମତା ମାତୃଭୂମିରେ ରହିଛି ଭରି’। ଏହା ମାତୃଭୂମି ପ୍ରତି କବିଙ୍କର ଅହେତୁକ ପ୍ରୀତିର ନିଦର୍ଶନ, ଯାହା ଜଣେ ସ୍ୱାଭିମାନୀ ଦେଶଭକ୍ତର ରହିବା ଉଚିତ୍ ମଧ୍ୟ।
ଆଲୋଚନାର ଶେଷରେ, ସଂକଳନର ଶୀର୍ଷକ କବିତା ‘ସ୍ପର୍ଶ’ରୁ ପଦେ, ‘ଏମିତି ବି ହୋଇଥାଏ, ସ୍ପର୍ଶମାତ୍ରେ ସୃଷ୍ଟି ହୁଏ ମଧୁର କମ୍ପନ, ଚମତ୍କାର ଶିହରଣ, ଅଙ୍ଗେ ଅଙ୍ଗେ ଅଫୁରନ୍ତ ସୁଖଶାନ୍ତି, ମାଦକ ଉଲ୍ଲାସ’। ବାସ୍ତବିକ୍, ଶ୍ରେଷ୍ଠ ଇନ୍ଦ୍ରିୟାନୁଭୂତି, ସ୍ପର୍ଶରେ ହିଁ ନିହିତ, ଯାହା କାଳେ କାଳେ ପ୍ରମାଣିତ।
ଏ ସଂକଳନରେ କବିଙ୍କର ସାମାଜିକ ବାର୍ତ୍ତା ସମ୍ବଳିତ ପ୍ରତ୍ୟେକ କବିତାର ଗାଠନିକ ନାନ୍ଦନିକତା, ଗୁରୁ ଗମ୍ଭୀର, ଅର୍ଥପୂର୍ଣ୍ଣ ଶବ୍ଦ ସଂଯୋଜନା ତଥା ଅନନ୍ୟ ଯାଦୁକରୀ ସ୍ପର୍ଶ, “ସ୍ପର୍ଶ” କୁ ନିଶ୍ଚିତ ପାଠକୀୟ ଆଦୃତି ଓ ସ୍ୱୀକୃତିର ଶୀର୍ଷରେ ପହଞ୍ଚାଇବ, ଏହା ନିଃସନ୍ଦେହ।
ପ୍ରକାଶନ ବିମୁଖ କବି, ବିଳମ୍ବରେ ହେଉପଛେ ଏଭଳି ଏକ ରସୋସିକ୍ତ, କୋମଳାଙ୍ଗୀ କବିତା ସୁନ୍ଦରୀକୁ ବିମୁଗ୍ଧ ପାଠକଙ୍କୁ ଭେଟି ଦେଇଥିବାରୁ ଅବଶ୍ୟ ଧନ୍ୟବାଦାର୍ହ। ଓଡ଼ିଆ ବାଣୀ ଭଣ୍ଡାରକୁ ନିଶ୍ଚିତ ୠଦ୍ଧିମନ୍ତ ଓ କାଳକୁ ଜୟ କରିବାକୁ ଯାଉଥିବା “ସ୍ପର୍ଶ”ର ସର୍ବ ଶୁଭ କାମନା କରୁଛି।
**
(କବିତା ସଂକଳନ)
କବି – ହରମୋହନ ମିଶ୍ର
ପ୍ରକାଶକ – ରଶ୍ମି ପ୍ରକାଶନୀ
ମୂଲ୍ୟ – ଟ ୧୫୦ /-
ସୁସ୍ମିତା ମହାପାତ୍ର,
ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ,
ସେକ୍ଟର – ୬,
ରାଉରକେଲା,
Email: susmita6674@gmail.com
ଦୁନିଆରେ କେତେ ପ୍ରକାରର କ୍ୟାଲେଣ୍ଡର ରହିଛି? ଭାରତରେ କେଉଁ କେଉଁ କ୍ୟାଲେଣ୍ଡର ଚାଲିଛି?