ଆଜି ଲୋକସଭାରେ ଓ୍ୱାକ୍ଫ ଆଇନ ସଂଶୋଧନ ବିଧେୟକ ଆଗତ ହୋଇଛି। ବହୁଦିନ ହେଲା ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ମୁସଲମାନ ସମ୍ପ୍ରଦାୟର କିଛି ତଥାକଥିତ ମୁରବୀ ଏହାକୁ ବିରୋଧ କରୁଛନ୍ତି। ଏହାଦ୍ୱାରା ସରକାର ଓ୍ୱାକ୍ଫ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ମତ ଦେଉଛନ୍ତି। ଖାଲି ସେତିକି ନୁହେଁ, ଏହି ବିଧେୟକ ପାରିତ ହେଲେ ବିଭିନ୍ନ ସ୍ଥାନରେ ଆନ୍ଦୋଳନର ନିଆଁ ଜାଳିବାକୁ ମଧ୍ୟ ଧମକ ଦିଆଯାଇଛି। ହେଲେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସମାନତାର ଭାବ ଆଣିବା ଏବଂ ସମ୍ପତ୍ତିକୁ ସମ୍ପ୍ରଦାୟର ବିକାଶ ନିମନ୍ତେ ଉପଯୋଗ କରିବା ଲକ୍ଷ୍ୟ ରଖିଛି ଏହି ବିଧେୟକ। କ’ଣ ରହିଛି ବିଧେୟକ ବାବଦରେ ଗୁଜବ ଓ କେମିତି ଏହା ସମାଧାନ କରିଯିବ ତାହାକୁ ନେଇ ଆଜିର ଆଲୋଚନା।
ଓ୍ୱାକଫ୍ ଆଇନ ସଂଶୋଧନ ବିଧେୟକ- ୨୦୨୪ ଗତବର୍ଷ ଅଗଷ୍ଟ୮ ତାରିଖ ଦିନ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍କୁ କେନ୍ଦ୍ରୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ। କିନ୍ତୁ ଉପସ୍ଥାପନ ପରେ ସଦସ୍ୟମାନେ ଆଲୋଚନା ପୂର୍ବରୁ ବିଧେୟକ ବାବଦରେ ଅଧିକ ତର୍ଜମା କରିବା ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିବାକୁ ଦାବି କରିଥିଲେ। ବାଚସ୍ପତି ଏହି ଦାବିକୁ ସ୍ୱୀକାର କରି ବରିଷ୍ଠ ସଦସ୍ୟ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଏହାର ବିଚାର ଲାଗି ପଠାଇଥିଲେ। ପରେ ଏହି ବିଲ୍ ଉପରେ ଅଧିକ ଆଲୋଚନା ଓ ଏହାକୁ ପାରିତ କରାଇବା ପାଇଁ ଆଜି ଅର୍ଥାତ୍ ୨ ଅପ୍ରେଲ ୨୦୨୫ରେ ପୁନର୍ବାର ଲୋକସଭାରେ ଉପସ୍ଥାପନ କରାଯାଇଛି।
ଗୃହ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କମିଟି ପକ୍ଷରୁ ଏହି ବିଲ୍କୁ ଉପସ୍ଥାପନ ପାଇଁ କାର୍ଯ୍ୟସୂଚୀରେ ସାମିଲ କରିବା ପରେ ଏବେ ବିଭିନ୍ନ ଦଳ ସେମାନଙ୍କ ରାଜନୀତିକ ମେଣ୍ଟକୁ ସୁଦୃଢ଼ କରିଛନ୍ତି। ଇଣ୍ଡି ମେଣ୍ଟର ସଦସ୍ୟମାନେ ଏପ୍ରିଏ ୧ ତାରିଖରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ କଂଗ୍ରେସଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିଛନ୍ତି। ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଡିଏମକେ ଏହି ବିଧେୟକ ଉପରେ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ ଟିଡିପି, ଜେଡିୟୁ ସରକାରଙ୍କୁ ସମର୍ଥନ କରିବା ଲାଗି ସହମତ ପ୍ରକାଶ କରିଛନ୍ତି। ବିଜେପି ସାତଜଣ ସାଂସଦଙ୍କ ନାଁ ତାଲିକାଭୁକ୍ତ କରିଛି ଯେଉଁମାନେ ଏହି ବିଧେୟକ ବାବଦରେ ସଂସଦରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆଜି ଶୂନ୍ୟକାଳ ପରେ ଏହି ବିଧେୟକକୁ ଆଲୋଚନା ପାଇଁ ବାଚସ୍ପତି ଅନୁମତି ପ୍ରଦାନ କରିଛନ୍ତି।
ଏଥିପାଇଁ ଶାସକ ଦଳ ଓ ତାକୁ ସମର୍ଥନ କରୁଥିବା ସମସ୍ତ ରାଜନୈତିକ ଦଳଗୁଡିକର ସଦସ୍ୟ ଲୋକସଭାରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରୀ କରାଯାଇଛି।
ଅପର ପକ୍ଷରେ ଏହି ବିଲକୁ କିପରି ବିରୋଧ କରାଯାଇ ମୁସଲିମ ସମାଜର ତ୍ରାଣକର୍ତ୍ତାଭାବେ ନିଜକୁ ଉପସ୍ଥାପିତ କରି ସେମାନଙ୍କ ଭୋଟ ହାତେଇବେ ସେଥିପାଇଁ ବିରୋଧୀଦଳଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି।
ଏବେ ଆସନ୍ତୁ ଜାଣିବା ଏହାର ଉଦ୍ଦେଶ୍ୟ କ’ଣ? କିଛି ପ୍ରମୁଖ ବିନ୍ଦୁ ମାଧ୍ୟମରେ ସଂକ୍ଷେପରେ ଏହାକୁ ଆପଣଙ୍କ ଜାଣିବା ଉଦ୍ଦେଶ୍ୟରେ ବର୍ଣ୍ଣନା କରିବାକୁ ଚାହିଁବି।
ପ୍ରଥମେ ହେଉଛି ଓ୍ୱାକଫ୍ ସମ୍ପତ୍ତି ପରିଚାଳନାରେ ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି ତଥା ଅପବ୍ୟବହାରକୁ ରୋକିବ।
ଦ୍ୱିତୀୟରେ ସମ୍ପତ୍ତି ବିବାଦ ହ୍ରାସ କରିବ। ଓ୍ୱାକଫ୍ ସମ୍ପତ୍ତି ସମ୍ବନ୍ଧୀୟ ବିବାଦକୁ ସ୍ପଷ୍ଟ ସଂଜ୍ଞା ଓ ଯାଞ୍ଚ ମାଧ୍ୟମରେ କମାଇବ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷମତାପନ୍ନ କରାଯାଇଛି।
ତୃତୀୟ ଲକ୍ଷ୍ୟ ହେଉଛି ମହିଳା ଓ ଅନ୍ୟ ସମ୍ପ୍ରଦାୟର ପ୍ରତିନିଧିତ୍ୱ। ଏବେ ଓ୍ୱାକଫ୍ ବୋର୍ଡ କେବଳ ମୁଷ୍ଟିମେୟ ଲୋକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି। ଏପରିକି ଏହି ବ୍ୟକ୍ତି ବିଶେଷମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲାଗି ପିଢ଼ି ପରେ ପିଢ଼ି ଏହାକୁ ଉପଭୋଗ କରୁଥିବା ଅଭିଯୋଗ ହେଉଛି।
ଏଥିରେ ମହିଳା ବା ପଛୁଆ ବର୍ଗର ମୁସଲମାନ ସମ୍ପ୍ରଦାୟ ସାମିଲ ରହୁ ନାହାନ୍ତି। ଏଣୁ ଓ୍ୱାକଫ୍ ବୋର୍ଡରେ ମୁସଲମାନ ମହିଳା, ପଛୁଆ ବର୍ଗର ମୁସଲମାନ ପ୍ରତିନିଧି ଅନ୍ତର୍ଭୁକ୍ତ କରି ଅଧିକ ସମାବେଶୀ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।
କେବଳ ସେତିକି ନୁହେଁ, ଅଣ ମୁସଲମାନ ପ୍ରତିନିଧିଙ୍କୁ ଏଠାରେ ସଦସ୍ୟ ରଖାଯାଇ କମିଟିକୁ ଅଧିକ କ୍ରିୟାଶୀଳ କରିବା ତଥା ଭାଇଚାରା ସୃଷ୍ଟିକୁ ପ୍ରୋତ୍ସାହିତ କରାଯାଇଛି।
ଚତୁର୍ଥ ଲକ୍ଷ୍ୟ ରହିଛି ନିବନ୍ଧନ ବା ପଞ୍ଜିକରଣ ପ୍ରକ୍ରିୟାରେ ସୁଧାର ଆଣିବା। ଏକ କେନ୍ଦ୍ରୀୟ ପୋର୍ଟାଲ ମାଧ୍ୟମରେ ଓ୍ୱାକଫ୍ ସମ୍ପତ୍ତିର ନିବନ୍ଧନକୁ ସରଳ ଓ ଆଧୁନିକ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି।
ପଞ୍ଚମରେ ରହିଛି ଅବୈଧ ଦଖଲ ହଟାଇବା। ଓ୍ୱାକଫ୍ ସମ୍ପତ୍ତିରୁ ଅବୈଧ ଦଖଲକୁ ଦୂର କରିବା ପାଇଁ ଆଇନଗତ ବ୍ୟବସ୍ଥା ସୁଦୃଢ଼ କରିବା।
ଷଷ୍ଠ ଲକ୍ଷ୍ୟ ହେଉଛି ସରକାରୀ ସମ୍ପତ୍ତିର ସୁରକ୍ଷା। ସରକାରୀ ସମ୍ପତ୍ତିକୁ ଓ୍ୱାକଫ୍ ସମ୍ପତ୍ତିଭାବେ ଘୋଷଣା କରାଯାଇଥିବା ଦାବିକୁ ରୋକିବା ପାଇଁ ଜିଲ୍ଲା କଲେକ୍ଟରଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେବା।
ସରକାରଙ୍କ ଭାଷାରେ ଏହି ବିଲ୍ ଗରିବ ମୁସଲମାନ ଓ ମହିଳାଙ୍କୁ ନ୍ୟାୟ ଦେବା ସହ ଓ୍ୱାକଫ୍ ସମ୍ପତ୍ତିର ସୁରକ୍ଷା ଓ ସଠିକ୍ ବ୍ୟବହାର ନିଶ୍ଚିତ କରିବ। କିନ୍ତୁ କାହିଁକି ବିରୋଧର ସ୍ୱର ଏତେ ଜୋରରେ ବ୍ୟାପିଛି? ଆସନ୍ତୁ ୬ଟି ବିନ୍ଦୁରେ ଏ ବିଷୟକୁ ଅଧିକ ସ୍ପଷ୍ଟ କରିବା।
ପ୍ରଥମ ହେଉଛି ଧାର୍ମିକ ସ୍ୱାଧୀନତାରେ ହସ୍ତକ୍ଷେପ। ବିରୋଧୀ ଦଳଗୁଡ଼ିକ ଯୁକ୍ତି ବାଢ଼ୁଛନ୍ତି ଯେ ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ ୨୫ (ଧାର୍ମିକ ସ୍ୱାଧୀନତା) ଏବଂ ୨୬ (ଧାର୍ମିକ ବ୍ୟାପାର ପରିଚାଳନାର ଅଧିକାର)କୁ ଉଲ୍ଲଂଘନ କରୁଛି। ଓ୍ୱାକଫ୍ ବୋର୍ଡରେ ଅଣ-ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ସରକାରୀ ଅଧିକାରୀଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେବାକୁ ଧାର୍ମିକ ସ୍ୱାୟତ୍ତତା ଉପରେ ଆତ୍କମଣ ବୋଲି କୁହାଯାଉଛି।
ଦ୍ୱିତୀୟରେ ସମ୍ବିଧାନ ବିରୋଧୀ ଓ ବିଭାଜନକାରୀ ବିଧେୟକଭାବେ ଏହାକୁ ଅଭିହିତ କରାଯାଇଛି। କଂଗ୍ରେସ, ଡିଏମ୍କେ, ଏନ୍ସିପି, ତୃଣମୂଳ କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ପରି ଦଳଗୁଡ଼ିକ ଏହାକୁ “ସମ୍ବିଧାନ ବିରୋଧୀ”, “ଅଳ୍ପ ସଂଖ୍ୟକ ବିରୋଧୀ” ଏବଂ “ବିଭାଜନକାରୀ” ବୋଲି ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଲ୍ ମାଧ୍ୟମରେ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି।
ତୃତୀୟ ଅଭିଯୋଗ ହେଉଛି ସଙ୍ଘୀୟ ବ୍ୟବସ୍ଥା ଉପରେ ଆଘାତ। ଓ୍ୱାକଫ୍ ସମ୍ପତ୍ତି ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ରରେ ଆସୁଥିବାରୁ, କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ସଙ୍ଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି କୁହାଯାଉଛି।
ଚତୁର୍ଥରେ ଓ୍ୱାକଫ୍ ବୋର୍ଡର କ୍ଷମତା ହ୍ରାସ। ଏହି ବିଲ୍ ମାଧ୍ୟମରେ ଓ୍ୱାକଫ୍ ବୋର୍ଡର କ୍ଷମତା କମାଇ ଜିଲ୍ଲା କଲେକ୍ଟରଙ୍କୁ ଅଧିକ ଦାୟିତ୍ୱ ଦିଆଯାଉଥିବାରୁ, ଏହା ଓ୍ୱାକଫ୍ ପ୍ରଶାସନର ସ୍ୱାୟତ୍ତତାକୁ ହାନି ପହଞ୍ଚାଇବ ବୋଲି ଆଶଙ୍କା କରାଯାଉଛି।
ପଞ୍ଚମରେ ‘ଓ୍ୱାକଫ୍ ବାଇ ୟୁଜର’ ଧାରା ହଟାଇବା: ଦୀର୍ଘ ସମୟ ଧରି ଧାର୍ମିକ ବା ଦାନ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ପତ୍ତିକୁ ଓ୍ୱାକଫ୍ ଭାବେ ଗ୍ରହଣ କରିବାର ବ୍ୟବସ୍ଥା (ଓ୍ୱାକଫ୍ ବାଇ ୟୁଜର)କୁ ହଟାଇବା ଦ୍ୱାରା ଅନେକ ଐତିହାସିକ ସମ୍ପତ୍ତି ଓ୍ୱାକଫ୍ ଅଧୀନରୁ ବାହାରିଯିବ ବୋଲି ବିରୋଧୀମାନେ କହୁଛନ୍ତି।
ଷଷ୍ଠ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୈତିକ ଉଦ୍ଦେଶ୍ୟ। ଏହି ବିଧେୟକକୁ ବିହାର, ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରାଜନୈତିକ ଏଜେଣ୍ଡାଭାବେ ଗ୍ରହଣ କରାଯାଉଛି। ଧାର୍ମିକ ବିଭାଜନ ସୃଷ୍ଟି କରିପାରେ ବୋଲି ଅଭିଯୋଗ ହୋଇଛି।
ସବୁଠାରୁ ବଡ଼ କଥା ହେଲା ଶାସକ ଦଳ ସଂସ୍କାର ପାଇଁ ସଂସଦରେ ଭୋଟ୍ ମାଧ୍ୟମରେ ସମର୍ଥନ ହାସଲ କରିବା ସ୍ୱାଭାବିକ ହେବ। କାରଣ ଗଣନ୍ତ୍ରରେ ବିଧେୟକ ପାରିତ କରିବା ଲାଗି ଆବଶ୍ୟକ ସଂଖ୍ୟା ଶାସକ ଦଳ ପାଖରେ ରହିଛି। କିନ୍ତୁ ବିଧେୟକ ପାରିତ ହେବା ପରେ ପରିସ୍ଥିତି କିପରି ହେବ? ଯେଉଁ ସମ୍ବେଦନଶୀଳ ପରିସ୍ଥିତି ଉପୁଜିବ ତାହାକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରସ୍ତୁତ ରହିଛନ୍ତି ତ?
Also readhttps://purvapaksa.com/key-bjp-allies-set-to-vote-in-favour-of-waqf-bill/