ଭାଷା ଭିତ୍ତିରେ ଗଢ଼ା ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ୧୯୩୬ ମସିହା ଆଜିର ଦିନରେ ଇଂରେଜ ସରକାର ବାଧ୍ୟ ହୋଇ ଓଡ଼ିଶାକୁ ଓଡ଼ିଆ ଭାଷା କହୁଥିବା ଅଞ୍ଚଳ ଆଧାରରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ। ଏହାପରେ ଅନେକ ସମୟ ବିତିଲାଣି। ପ୍ରଥମେ ବିହାର ପ୍ରଭାବରେ ଆମେ ଆମର ଦୁଇଟି ପ୍ରମୁଖ ଓଡ଼ିଆ ଭାଷା କହୁଥିବା ଜିଲ୍ଲାକୁ ହରାଇଲୁ। ପଶ୍ଚିମବଙ୍ଗ ପ୍ରଭାବରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ପଢ଼ିବା ଲାଗି ସୁବିଧା ହରାଇଲୁ। ଉତ୍କଳ ସମ୍ମିଳନୀ ଭାଗଭାଗ ହେବାରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପ୍ରୋତ୍ସାହନ ପାଇଁ ସୁଯୋଗ ହରାଇଲୁ। ଆଉ ଏବେ ଡିଜିଟାଲ୍ ଦୁନିଆରେ ଭାଷାକୁ ପ୍ରସାରିତ କରିବା ସ୍ଥାନରେ ନିଜକୁ ସଙ୍କୁଚିତ ହେବାର ସାକ୍ଷୀ ହେଉଛୁ। ଯେଉଁ ଅସ୍ମିତା କଥା କହି ସରକାର କ୍ଷମତାକୁ ଆସିଛନ୍ତି ତାଙ୍କ ଆଗରେ ଏହା କ’ଣ ଏକ ପ୍ରମୁଖ ଆହ୍ୱାନ ହୋଇନାହିଁ?
ରାଜନୀତିକ ଚେତନା ଜାଗ୍ରତ ହେବା ଫଳରେ ହିଁ ଓଡ଼ିଶାର ପୁନର୍ଗଠନ ହୋଇଥିଲା। ସେତେବେଳେ ଭାରତ ଆଗରେ ଯେଉଁ ଆହ୍ୱାନ ସବୁ ରହିଥିଲା, ସେଥିରେ ଓଡ଼ିଶାର କଥା କେହି ଶୁଣିବାକୁ ନ ଥିଲେ। ଏପରିକି ଭାରତୀୟ ଜାତୀୟତାବାଦର ନେତୃତ୍ୱ ନେଉଥିବା ଆମ ପୂର୍ବପୁରୁଷମାନେ ମଧ୍ୟ ଆମକୁ ସହାୟ ହେଉନଥିଲେ।
ହେଲେ ନିଜର ପ୍ରକାଣ୍ଡ ଯୁକ୍ତି ଏବଂ ପ୍ରଚଣ୍ଡ ଆନ୍ଦୋଳନରେ ଆଗ ସ୍ୱତନ୍ତ୍ର ଓଡ଼ିଶା ତା’ପରେ ସ୍ୱାଧୀନ ଭାରତ ଗଠନ ଦାବିକୁ ସ୍ୱୀକାର କରିଥିଲେ ମହାତ୍ମା ଗାନ୍ଧି। ପରେ ଗଠନ ହୋଇଥିଲା ଓଡ଼ିଶା କଂଗ୍ରେସ। ଭାଷା ଭିତ୍ତିରେ ରାଜ୍ୟ ଗଠନ ଓଡ଼ିଶା କଂଗ୍ରେସ ସମେତ ସମସ୍ତ ସଂଗଠନର ପ୍ରଥମ ଦାବି ଥିଲା। ସେଇଠୁ ଜାଗ୍ରତ ହେଲା ଜାତୀୟତା ପ୍ରୀତି। ଆଉ ଏଥିରେ ନତମସ୍ତକ ହୋଇ ଇଂରେଜ ସରକାର ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟଭାବେ ମାନ୍ୟତା ଦେଲେ।
ହେଲେ ପରବର୍ତ୍ତୀ ସମୟରେ ଆମର ରାଜନୀତିକ ଚେତନାରେ ଆଉ ଓଡ଼ିଆ ଭାଷା ବା ଓଡ଼ିଆ ଅସ୍ମିତା ଆହ୍ୱାନ ରହିଲା ନାହିଁ। ସେଥିଲାଗି ଷଢ଼େଇକଳା ଓ ଖରସୁଆଁ ଆମଠାରୁ ଜବରଦସ୍ତି ଛଳନାପୂର୍ଣ୍ଣଭାବେ ଛଡ଼ାଇ ନିଆଗଲା, କିଛି ଅଂଶ ଆନ୍ଧ୍ର ପ୍ରଦେଶ ମାଡ଼ି ବସିଲା ଆଉ କିଛି ପଶ୍ଚିମବଙ୍ଗରେ ମିଶିଲା। ଅଖଣ୍ଡ ଓଡ଼ିଶା ବିଖଣ୍ଡିତ ହୋଇଗଲା, ଯାହା ଏଯାଏ ଜାରି ରହିଛି।
ଜଣେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଓଡ଼ିଆ ଭାଷାକୁ ଶାସନର ଭାଷାଭାବେ ଗ୍ରହଣ କରିବାକୁ କହିଲେ। ସରକାରୀ ଭାଷାରେ ପାର୍ସୀ, ଇଂରାଜୀ ଓ ହିନ୍ଦୀ ଏତେ ପରିମାଣରେ ପ୍ରବେଶ କରିଛି ଯେ, ସାଧାରଣ ଲୋକ ଏହାକୁ ନ ବୁଝି ହଇରାଣ ହେଉଛନ୍ତି ବୋଲି କହିଲେ। ବିଧେୟକ ଆସିଲା, ପାରିତ ହେଲା। ଓଡ଼ିଆ ଭାଷା ସରକାରୀ ଭାଷା ହେଲା, କିନ୍ତୁ ସରକାରଙ୍କ କାଗଜରେ ତାହାର ବ୍ୟବହାର ହେଲା ନାହିଁ। ଏହାପରେ ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି, କିନ୍ତୁ କେବେ ଏମିତି ବଳିଷ୍ଠ ଆନ୍ଦୋଳନ ହୋଇନାହିଁ ଯାହାଦ୍ୱାରା ଭାଷାକୁ ନେଇ ଗର୍ବ କରୁଥିବା ଆମ ଓଡ଼ିଆମାନେ ଓଡ଼ିଶା ବାହାରେ ଏକଥା କହିପାରିବେ।
ଖାଲି ସେତିକି ନୁହେଁ ଆମ ଭିତରେ ଓଡ଼ିଆ ଭାଷାକୁ ନେଇ ଏମିତି ହୀନମନ୍ୟତା ବିକାଶ କରାଗଲା ଯେ, ଆମେ ଓଡ଼ିଶାରେ ବି ଅଣଓଡ଼ିଆ ଲୋକଙ୍କୁ ଦେଖିଲେ ହିନ୍ଦି କହିବାକୁ ଲାଗିଲୁ। ଏଇ ହିନ୍ଦି ଆମ ଭାଷାର ବିକାଶ ଦିଗରେ ଏକ ବଡ଼ ଆହ୍ୱାନ ହୋଇ ଏବେ ଠିଆ ହେଲାଣି। ବିଜେପି ନେତା ଜୟନାରାୟଣ ମିଶ୍ର ହିନ୍ଦିକୁ ଗ୍ରହଣ କରିବାକୁ ରାଜି ହେଉଛନ୍ତି କିନ୍ତୁ ‘ବନ୍ଦେ ଉତ୍କଳ ଜନନୀ’ କହିବାକୁ କୁଣ୍ଠାବୋଧ କରୁଛନ୍ତି। ତାଙ୍କ ମତରେ ଉତ୍କଳ କହିଲେ ଗୋଟିଏ ଛୋଟିଆ ଅଞ୍ଚଳ, ଆମେ ଓଡ଼ିଶାର ଅଙ୍ଗ, ଓଡ଼ିଶା ଜନନୀ କାହିଁକି କହୁନାହଁ।
ପ୍ରଶ୍ନ ଉଠୁଛି ଯେଉଁ ପଶ୍ଚିମାଞ୍ଚଳର ଜୟନାରାୟଣ ପ୍ରତିନିଧିତ୍ୱ କରୁଛନ୍ତି ସେଠାରେ ବନ୍ଦେ ଉତ୍କଳ ଜନନୀର ବିକଳ୍ପ କାହିଁକି ବିକାଶ କରାଯାଉ ନାହିଁ? ପୁଣି ଯେଉଁ ବିଧାନସଭାରେ ଏହି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତଭାବେ ଗ୍ରହଣ କରିବାକୁ ସଂକଳ୍ପ ପାରିତ ହୋଇଛି ସେଠାରେ ବିଧାୟକଭାବେ ଜୟନାରାୟଣଙ୍କ ଅଧିକାର ରହିଛି ବିଧେୟକ ଆଣି ଏଥିରେ ସଂଶୋଧନ କରିବାକୁ। କାହିଁକି ସେଥିପ୍ରତି ଜୟନାରାୟଣ ଧ୍ୟାନ ଦେଉ ନାହାନ୍ତି।
ପୁଣି ସରକାରତ ତାଙ୍କର, ସରକାରୀ ବିଧେୟକ ଆସିବା ସହଜ। ଯଦି ତା’ ନ ହେଉଛି ତେବେ ବେସରକାରୀ ସଂକଳ୍ପ ଆଣି ଜୟନାରାୟଣ ଏକ ପ୍ରକ୍ରିୟା ଆରମ୍ଭ କରିବାର ଅଧିକାରକୁ କିଏ ତାଙ୍କଠାରୁ ଲୁଟିଛି? କିଏ ମନା କରିଛି? ନା କେବଳ ଏକ ରାଜନୀତିକ ଭୋଟ୍ ବ୍ୟାଙ୍କ ହାସଲ ପାଇଁ ଏ ବ୍ୟବସ୍ଥା ଜୟନାରାୟଣ କରୁଛନ୍ତି?
ଏହି ରାଜନୀତି ଭିତରେ କିନ୍ତୁ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବାର ପ୍ରକ୍ରିୟାରୁ ସରକାର ହଟିଗଲା ଭଳି ଲାଗୁଛନ୍ତି। ଓଡ଼ିଆ ଅସ୍ମିତା ନାଁ’ରେ ଭୋଟ ପାଇଲେ କିନ୍ତୁ ଭାଷାର ପ୍ରସାରକୁ କେବଳ ରାଜନୀତିରେ ହିଁ ସୀମିତ ରଖିଲା ଭଲି ପ୍ରତୀତ ହେଉଛନ୍ତି। କାରଣ ୧୧ ମାସର ସରକାରରେ ଏମିତି ପଦକ୍ଷେପ ନିଆଯାଇ ନାହିଁ ଯାହାଦ୍ୱାରା ଓଡ଼ିଆ ଭାଷା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପହଞ୍ଚିବ।
ଟେକ୍ନୋଲୋଜି ଯେଉଁଭଳି ବିକଶିତ ହେଉଛି, ଯେଉଁ ପ୍ରକାରେ ଏଆଇ ଆମକୁ ଗ୍ରାସୁଛି ସେତେବଳେ ଆବଶ୍ୟକ ରହିଛି ଭାଷାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା। ଭାଷାକୁ ଓଡ଼ିଆଙ୍କ ଭାଷା ନୁହେଁ ବରଂ ବିଶ୍ୱର ଭାଷାଭାବେ ପରିଣତ କରିବା। ଭାଷା ପ୍ରସାରରେ ହେଉଥିବା ତ୍ରୁଟିକୁ ରୋକିବା। ଅନ୍ୟ ଭାଷାକୁ ଅନୁକରଣ କରିବା ବଦଳରେ ନିଜ ଭାଷା ପାଇଁ ଗର୍ବ କରି ଏହାରି ଶବ୍ଦ ବ୍ୟବହାର କରିବା। ଏ ଦିଗରେ ଆନ୍ତର୍ଜାତିକ ଟେକ୍ନୋଲୋଜି ନିର୍ମାତାଙ୍କ ସହ ସହଭାଗୀତା, ଭାରତୀୟ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାକୁ ନେଇ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସୃଷ୍ଟି ତଥା ସୋସିଆଲ ମିଡିଆ ଓ ମିଡିଆର ନିୟନ୍ତ୍ରଣ ଆବଶ୍ୟକତା ରହିଛି।
ଏଦିଗରେ ସରକାର ଯତ୍ନବାନ ହେବାର ଅନେକ ଆବଶ୍ୟକତା ରହିଛି, ଏହାସହ ରହିଛି ମିଡିଆର ସଚେତନତା। ମିଡିଆ କ୍ଷେତ୍ରରେ ଅତ୍ୟଧିକ ହିନ୍ଦି ଅନୁକରଣ ଆମ ଭାଷାକୁ ସଙ୍କୁଚିତ କରୁଛି। ଅନେକ ସମୟରେ ଆମେ ଭଲ ଶୁଭିବ ବୋଲି ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରୁଛୁ ସେଥିରେ ଅର୍ଥ ବଦଳି ଯାଉଛି। କିଛି ଉଦାହରଣ ଏଠାରେ ପ୍ରଦାନ କରିବା ଆବଶ୍ୟକ ମନେ ହେଉଛି।
ଆଜି ସକାଳେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ସାଇବର ଠକେଇ ଶିକାର ହେବା ଖବରକୁ ନେଇ ଏକ ମିଡିଆ ‘ମନ୍ତ୍ରୀଙ୍କୁ ସାଇବର ଠକଙ୍କ ଚୂନା’ ବୋଲି ଶୀର୍ଷକ ପ୍ରଦାନ କରିଛି। କିନ୍ତୁ ଏଠାରେ ସମ୍ପୃକ୍ତ ମିଡିଆ ସଂସ୍ଥା ଜାଣିବା ଆବଶ୍ୟକ ଯେ, ଚୂନାର ଓଡ଼ିଆ ଅର୍ଥ ହିନ୍ଦି ଅର୍ଥଠାରୁ ଅଲଗା। ହିନ୍ଦିରେ ଚୂନାର ଅର୍ଥ ଚୂନ ହୋଇପାରେ କିନ୍ତୁ ଓଡ଼ିଆରେ ଏହା ଗୁଣ୍ଡ। ଯେମିତି ମାଣ୍ଡିଆ ଚୂନା, ଚାଉଳ ଚୂନା ଆଦି। କିନ୍ତୁ ଆମେ ଅଜ୍ଞାତରେ ଚୂନକୁ ଚୂନା ବୋଲି ଲେଖି ପ୍ରସାରଣ କରୁଛୁ। ଆଗରୁ କୁହାଯାଉଥିଲା ଭାଷା ସୁଧାରିବା ପାଇଁ ଖବର କାଗଜ ପଢ଼ିବାକୁ। କାରଣ ଖବରକାଗଜରେ ଭାଷା ଠିକଣା ଭାବରେ ଲେଖା ହୋଇଥାଏ ବୋଲି କୁହାଯାଉଥିଲା।
ଏବେ କେତେକ ଖବର କାଗଜ ଓ ଇଲୋକ୍ଟ୍ରୋନିକ୍ସ ଗଣମାଧ୍ୟମ ’ଘୋଟାଲା’, ‘ପର୍ଦ୍ଦାଫାସ’ ଭଳି ଶବ୍ଦକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଏହି ଦୁଇଟି ଶବ୍ଦ ଓଡ଼ିଆରେ ନାହିଁ। ଏହାଦ୍ୱାରା ଆଜିର ଗଣମାଧ୍ୟମ ଆମ ଭାଷାର ବିନାଶ ଦିଗରେ କାମ କରୁଛନ୍ତି ବୋଲି ଅନେକ ଭାଷାପ୍ରେମୀ ଅଭିଯୋଗ କରୁଛନ୍ତି। ଏହାଦ୍ୱାରା ପରପିଢ଼ିରେ କୁପ୍ରଭାବ ପଡ଼ିବା ସ୍ୱାଭାବିକ।
ଏମିତି ଅନେକ ଉଦାହରଣ ଦିଆଯାଇପାରେ। ଯେମିତି ହିନ୍ଦିରେ ‘ଆତ୍ମସାତ’ ଶବ୍ଦ କହିଲେ ହୃଦୟଙ୍ଗମ ବୁଝାଯାଉଥିବାବେଳେ ଓଡ଼ିଆରେ ଏହା ଦୁର୍ନୀତି, ହରଣଚାଲ ଭଳି ନକାରାତ୍ମକ ଶବ୍ଦକୁ ବୁଝାଇଥାଏ।
ସେହିପରି ହିନ୍ଦିରେ ‘ଆଗ୍ରହ’ ଶବ୍ଦର ଅର୍ଥ ଅନୁରୋଧ ହୋଇଥିବାବେଳେ ଓଡ଼ିଆରେ ଏହା ବ୍ୟଗ୍ର ବା ଉତ୍ସୁକତାକୁ ବୁଝାଇଥାଏ। ହିନ୍ଦିରେ ‘ଆଲୋଚନା’ ଶବ୍ଦକୁ ସମାଲୋଚନା ଅର୍ଥରେ ନକାରାତ୍ମକଭାବେ ବ୍ୟବହାର କରାଯାଉଥିବାବେଳେ ଓଡ଼ିଆରେ ଏହା ସାଧାରଣ ଚର୍ଚ୍ଚାକୁ ବୁଝାଇଥାଏ।
ହିନ୍ଦିରେ ‘ଅପ୍ରବାସ’ କହିଲା ବିଦେଶରେ ବାସ ବା ଦେଶାନ୍ତରଣ ବାସ ଭାବେ ବୁଝାଏ। କିନ୍ତୁ ଓଡ଼ିଆ ଅଭିଧାନରେ ଅପ୍ରବାସ ନାହିଁ। ଆମେ କେବଳ ପ୍ରବାସ ବୋଲି କହୁ। ଅପ୍ରବାସ ଶବ୍ଦକୁ ଏହାର ଓଲଟା ଅର୍ଥାତ୍ ପଳାୟନ ସହ ବିଚାର କରାଯାଏ। ଏମିତି ଅନେକ ଶବ୍ଦ ରହିଛି, ଯେଉଁଗୁଡ଼ିକ ପ୍ରତି କେବଳ ମାନବ ଅନୁବାଦକ ହିଁ ବୁଝିବାରେ ସମର୍ଥ ହୋଇଥାଏ ବୋଲି ବିଚାର କରାଯାଉଛି। ଅର୍ଥାତ୍ ସାହିତ୍ୟିକ କୃତିରେ ସ୍ଥାନୀୟ ସଂସ୍କୃତି, ଲୋକକଥା ଓ ରୁଢ଼ି ପ୍ରଭୃତି ରହିଥାଏ, ଯାହାକୁ ଅନ୍ୟ ଭାଷାରେ ଅନୁବାଦ କରିବା ସମୟରେ ସେହି ଭାବନା ଓ ଗଭୀରତା ହରାଇବାର ଆଶଙ୍କା ରହିଛି।
ନିକଟ ଅତୀତରେ ବ୍ୟବହାର ହୋଇଥିବା କିଛି ଶବ୍ଦ ଏଠାରେ ମୁଁ କହିଲି। ଏମିତି ଅନେକ ଶବ୍ଦ ରହିଛି ଯାହା ଆମେ ଅର୍ଥ ନ ଜାଣି ବ୍ୟବହାର କରୁଛୁ। କିନ୍ତୁ ଆମକୁ ମନେରଖିବା ଆବଶ୍ୟକ ଯେ, ଏହି ଅବହେଳାରୁ ହିଁ ଆମ ଭାଷା ଆନ୍ଦୋଳନ ଅବାଟରେ ପ୍ରେରିତ ହୋଇଛି।
ଏହି ଅବାଟ ଯୋଗୁ ଆମ ସହରର ଦୋକାନ ବଜାରରେ ଲାଗିଥିବା ନାମଫଳକଗୁଡ଼ିକରେ ଅନେକ ବନାନ ଅଶୁଦ୍ଧି ଦେଖିବାକୁ ମିଳୁଛି। ସରକାର ଏପରି ନାମ ଫଳକ ପ୍ରସ୍ତୁତ ପୂବର୍ରୁ ଗୋଟିଏ ଅନୁମୋଦନକାରୀ ପ୍ରାଧିକରଣ ଗଠନ କରି ତାହାର ଅନୁମତିକୁ ବାଧ୍ୟତାମୂଳକ କରିବା ଦରକାର। ଏହାହେଲେ ପ୍ରାଧିକରଣରେ ଓଡ଼ିଆ ଭାଷାର ଛାତ୍ରଙ୍କୁ ଜୀବୀକା ମିଳିବା ସହ ଭାଷାର ସୁରକ୍ଷା ହୋଇପାରିବ। ଭାଷା କ୍ଷେତ୍ରରେ ଜୀବୀକା ସୃଷ୍ଟି ପାଇଁ ଅନେକ ସୁଯୋଗ ରହିଛି, ଏହାକୁ ସରକାର ଉପଯୋଗ କରିବା ଦରକାର। ଯାହାଫଳରେ ଭାଷା କ୍ଷେତ୍ର ରାଜ୍ୟର ଯୁବକମାନଙ୍କ ପାଇଁ ବିଶାଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ।
ପୁଣିଥରେ ଏଠାରେ ମନେ ପକାଇଦେବାକୁ ଚାହେଁ, ରାଜନୀତିକ ଆନ୍ଦୋଳନ ଦ୍ୱାରା ହିଁ ଓଡ଼ିଶାରେ ଭାଷାର ସଂରକ୍ଷଣ ଆରମ୍ଭ ହୋଇଥିଲା। ଆଉ ଆଜି ଆଉ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହା ଉତ୍ସବ, ବିଜ୍ଞାପନ ନୁହେଁ, ବରଂ ଟେକ୍ନୋଲୋଜି ଓ ସାଧାରଣ ବ୍ୟବହାରକୁ ପ୍ରସାରିତ ହେବା ଆବଶ୍ୟ। ଓଡ଼ିଆ ଭାଷା ଜ୍ଞାନର ଭାଷା ହେବା ଆବଶ୍ୟକ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସର ଆଲୋଚନା: ଯୋଗୀ ଆଦିତ୍ୟନାଥ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କ’ଣ କହିଲେ