ଅଶୋକ କୁମାର ମିଶ୍ର
“ପ୍ରବଳ ବନ୍ୟାରେ ଗାଁ’ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଭାଇ ଶୀଘ୍ର ଆସିବ।”
ତୁମର ଭାଇ କିଶାନ୍
ବାବାଙ୍କ ପାଖରେ ତାର ପହଞ୍ଚିବାବେଳକୁ ସେ ସୁଦୂର ରାଉରକେଲାରେ। ଟେଲିଗ୍ରାମଟି ପାଇ ସେ ଭାବିବାକୁ ଲାଗିଲେ ଗତ ସପ୍ତାହେ ହେଲା ଯେଉଁ ଝଡ଼ିବର୍ଷା ଓ ବନ୍ୟା ବିଷୟରେ ସେ ରେଡିଓରୁ ତୁହାକୁ ତୁହା ସୂଚନା ପାଉଥିଲେ ସେ, ଯେ ଶେଷରେ ତାଙ୍କରି ନଈକୂଳିଆ ଗାଁ’’କୁ ଧ୍ୱସ୍ତବିଧ୍ୱସ୍ତ କରିବ ଓ ଆମ ତିନିପୁରୁଷର ପୈତୃକ ଘର ସେଥିରେ ଧୂଳିସାତ୍ ହୋଇ ମାଟିରେ ମିଶିଯିବ; ଏକଥା ସେ କେବେ କଳ୍ପନା ବି କରିନଥିଲେ। ଘରଟିକୁ ଅତି ଆଦର ଯତ୍ନର ସହ ଜେଜେ ନିଜେ ଗଢ଼ାଇ ଥିଲେ। ବର୍ମିଜ୍ ଶାଗୁଆନ୍ ଓ ଶିମିଳିପାଳର ପିଆଶାଳ କାଠ ଫ୍ରେମରେ ଗଢ଼ା ଘର, ରାମଗୁଣ୍ଡମରୁ ନାଲି ମାଟି ଟାଇଲ ଅଣା ହୋଇ ଛପର ହୋଇଥିଲା। ଆଉ ଏଇ ଘର ଯାହା ଏମିତି କେତେ କେତେ ବନ୍ୟା ବାତ୍ୟା ଦେଖି ଆସିଛି, ସାମାନ୍ୟ ଝଡ଼ି ବରଷାରେ ଏମିତି ଧସି ମାଟିରେ ମିଶିଗଲା ବୋଲି ଆଦୌ ବିଶ୍ୱାସ କରି ହେଉନି। ପୁରୁଣାକାଳିଆ ପୈତୃକ ଘରଟିର ଶକ୍ତ ମେହଗାନି କାଠ କବାଟ ଓ ଝରକା, ସୁନ୍ଦର କୁଟିକାମ ସହ ହାତ ଖୋଦେଇ ଖମ୍ବ, ପ୍ରତିଟି କୋଠରୀରେ କଡ଼ି ବରଗାର କୋଠାଛାତ ଖୁବ୍ ଚିତ୍ତାକର୍ଷକ ଥିଲା। ଏଥିରେ ଜେଜେବାପା, ଜେଜେମା’, ତାଙ୍କ ତିନିପୁଅ-ବୋହୁ ଓ ସାତଟି ପିଲା- ଏ ଯୌଥ ପରିବାରର ସଭିଙ୍କ ପାଇଁ ଯଥେଷ୍ଟ ଥଲା।
ଜେଜେ ବଞ୍ଚିଥିବା ପର୍ଯ୍ୟନ୍ତ ଅଧା ଦିନ ଦାଣ୍ଡପିଣ୍ଡାରେ ଧୋତି ଓ ଫତେଇଟିଏ ପିନ୍ଧି, କାନ୍ଧ ଉପରେ ଗାମୁଛା ଖଣ୍ଡେ ପକେଇ ତକ୍ତପୋଷ ଉପରେ ପାରି ହୋଇଥିବା ସତରଞ୍ଜିରେ, ନ ହେଲେ ଆରାମ ଚେଆର ଉପରେ ବସି ହାତପଙ୍ଖା ହଲାଉ ଥିବେ ଆଉ ମଝିରେ ମଝିରେ ବସି ଚାହାର ମଜା ନେଉଥିବେ। ସକାଳ ହେଲେ ଜେଜି ପାଖରେ ହୁକ୍କା ସଜ କରି ଥୋଇଦେଇ ଯାଆନ୍ତି, ଜେଜେ କେବେ କେବେ ମନ ହେଲେ ନିଆଁ ଧରାଇ ସୁଡ୍ ସୁଡ୍ କରି ଦୁଇ ସୁଡ଼ୁକା ମାରି ହୁକ୍କା ଧୂଆଁ ଟାଣନ୍ତି। ପୁଅମାନେ ତ ଯେଝା କାମରେ ବାହାରେ, ତିନିବୋହୁ ଜେଜିର ତୀକ୍ଷ୍ଣ ନଜର ତଳେ ରୋଷଘର ଓ ଠାକୁର ଘରେ ନଡ଼ ନଡ଼ ହେଉଥାଆନ୍ତି ତ ପିଲାଏ ସେମିତି ଘର ବାଡ଼ିରେ ଖେଳି ବୁଲୁଥାଆନ୍ତି। ବାବା ଘରକୁ ଆସିଲେ ହଠାତ୍ ଘର ପରିବେଶ ବଦଳି ଯାଏ। ସେ ଆସିଛନ୍ତି ବୋଲି ପୁରା ଗାଁ’’ଟାକୁ ଜଣାପଡ଼ିଯାଏ। କାରଣ ସେତେବେଳେ ସାରାଦିନ ତାଙ୍କ ଆଦରର ଫିଲିପ୍ସ କାପେଲା ରେଡିଓ ପୁରା ଫୁଲ୍ ଭଲ୍ୟୁମରେ ଗାଁ’’ର ନୀରବତାର ଦୈର୍ଘ୍ୟ ମାପୁଥାଏ। ବିନା ବିଜୁଳୀ ବତୀରେ ମେଳା ମଉଛବକୁ ଛାଡ଼ିଦେଲେ ଗାଁ’’ରେ ଡାକବାଜୀ ଏମିତି ଦୁଃସ୍ୱପ୍ନ। ତେଣୁ ରେଡିଓ ଫୁଲ୍ ଭଲ୍ୟୁମ୍ ବାଜିଲେ ପୁରା ଗାଁ’’ ଦାଣ୍ଡ ଉତ୍ସବ ମୁଖର ହୋଇଉଠେ। ଏଇ ଫିଲିପ୍ସ କାପେଲା ରେଡିଓ ଆଉ ମେଡ୍ ଇନ୍ ଇଂଲଣ୍ଡ ହମ୍ବର ସାଇକେଲଟି ଅଜା ବାବାଙ୍କୁ ସ୍ନେହ ଓ ସଦିଚ୍ଛାର ନିଦର୍ଶନସ୍ୱରୂପ ବିବାହ ସମୟରେ ଉପହାର ଦେଇଥିଲେ।
ଖବର ପାଇ କର୍ମକ୍ଷେତ୍ରରୁ ବାବା ରେଳଗାଡ଼ି ଓ ହାତ ରିକ୍ସାରେ ଆସି ତରତରରେ ଗାଁ’ରେ ପହଞ୍ଚିବାବେଳକୁ ଆମେସବୁ ପାଖ ସ୍କୁଲ ଘରେ ଆଶ୍ରୟ ନେଇଥାଉ। ସମସ୍ତଙ୍କ ମନ ଭିତରେ ଭରା ଉଦବେଗ ଆଉ ଆଖିରେ ଲୁହ ଜମାଟ ବାନ୍ଧିଥାଏ। ବାବା ସମସ୍ତଙ୍କୁ ଭରସା ଦେବାକୁ କହିଲେ କେହି ବ୍ୟସ୍ତ ହୁଅନି, ଏଥର ଆହୁରି ଶକ୍ତ ଘରଟିଏ ତୋଳିବା। ଏୟା କହି ଭାଇମାନଙ୍କ ସହ ଘରବାଡ଼ିଆଡ଼େ ବାହାରି ଗଲେ। ଦାଦୁ ବାବାଙ୍କୁ ନଦୀ ଏଥର ତା’ ଗତିପଥ ହଠାତ୍ ବଦଳାଇବାରୁ ଗାଁ’ ଭିତରକୁ ବଢ଼ିପାଣି ଧସେଇ ପଶିଲା ଓ ଘରସବୁ ଭାଙ୍ଗି ମାଟିରେ ମିଶି ଗଲା ବୋଲି ବୁଝାଉ ଥାଆନ୍ତି।
ଅନ୍ୟ ଗ୍ରାମବାସୀମାନେ ମନଦୁଃଖରେ ଯେଝା ଘରବାରିରେ ଧ୍ୱଂସସ୍ତୁପ ତଳୁ କିଛି ମୂଲ୍ୟବାନ୍ ଉପାଦେୟ ବସ୍ତୁ ସାଉଁଟିବାରେ ଲାଗି ଥାଆନ୍ତି। କିଏ ଦରକାରୀ କାଗଜପତ୍ର ଖୋଜୁଥାଏ ତ କିଏ ଖୁଣ୍ଟଟାଏ କି ଆଜବେଷ୍ଟସ୍ ଖଣ୍ଡିଏ ଭିଡ଼ୁ ଥାଏ। ବାବା କିନ୍ତୁ କାଠପଟା ଓ ଭଙ୍ଗା ଟାଇଲ୍ର ପାହାଡ଼ ତଳୁ ନିଜ ପ୍ରିୟ ଫିଲିପ୍ସ ରେଡିଓକୁ ଖୋଜିବାରେ ଲାଗିଥାନ୍ତି, ମନ ମାନୁ ନ ଥାଏ, ଚମତ୍କାର ଆଶାକରି ଭାବୁଥାନ୍ତି ଠାକୁରେ କିଛି ଗୋଟେ ବନ୍ଦୋବସ୍ତ କରିବେନି? କିନ୍ତୁ ନିରାଶ ହେଲେ ସେ। ପୁଳା ପୁଳା କାଦୁଅ, ଟାଇଲ୍ର ପାହାଡ଼ ତଳୁ ହମ୍ବର ସାଇକେଲର ଅଖ ଚକ ଭାଙ୍ଗି ପୁଞ୍ଜାଏ ଷ୍ଟିଲ୍ ଗୋଟଳାଟେ ମିଳିଲା, ଚେଷ୍ଟାକଲେ କଲିକତାରୁ ପାର୍ଟସ ଆଣି ମରାମତି କରି ଚଳାଇ ହେବ। ସେମିତି ରେଡିଓର ପାଣିଖିଆ ଭୁଣ୍ଡା ବାଟେରୀଟା ମିଳିଲା (ଗାଁ’ରେ ବିଜୁଳୀ ବିନା ରେଡିଓ ପାଇଁ ସେ ଥିଲା ଶକ୍ତିର ଉତ୍ସ) ହେଲେ ରେଡିଓ ମିଳିଲା ନାହିଁ। ନିଜ ପ୍ରିୟ ଆଦରର ଧନକୁ ହରାଇ ସେ ପୁରା ଭାଙ୍ଗି ପଡ଼ିଲେ। ପାଗଳପ୍ରାୟ ହୋଇ ପ୍ରିୟ ରେଡିଓଟିକୁ ଖୋଜିବାରେ ସାରାଦିନ ଲାଗି ଗଲା।
ବାବାଙ୍କ ଉତ୍କଣ୍ଠା ଓ ବ୍ୟଗ୍ରତା କାହାକୁ ଅଛପା ରହିଲା ନାହିଁ। ତାଙ୍କ ସାନଭାଇ ନିଜ ସାଙ୍ଗ ଥାନାବାବୁ ରଣଜିତ ରାୟଙ୍କୁ ଅନୁରୋଧ କରି ପାଖ ଥାନାରୁ ବଡ଼ ବଡ଼ ସର୍ଚ୍ଚଲାଇଟ୍ ଅଣାଇ ସନ୍ଧ୍ୟାସମୟରେ ଆଉଥରେ ଭଗ୍ନ ସ୍ତୁପ ଭିତରୁ ଭଲ କରି ରେଡିଓ ଖୋଜିବାକୁ ମନସ୍ଥ କଲେ। ଗାଁ’ କ୍ଲବ୍ ଟୋକାମାନେ ରେଡିଓ ଖୋଜାରେ ଭରା ଉତ୍ସାହ ସହିତ ସାଥୀ ଦେଲେ। ହେଲେ ବାଡ଼ି ଭିତର ଆମ୍ବଗଛ ତଳୁ ଦୁଇଟି ଲମ୍ବ ବାଉଁଶ ଖୁଣ୍ଟି ଅଗରେ ବନ୍ଧାଥିବା ଏରିଏଲର ତମ୍ବା ଜାଲି ମେଞ୍ଚାଟା ସିନା ମିଳିଲା, ହେଲେ ରେଡିଓ ମିଳିଲା ନାହିଁ। ପ୍ରିୟ ରେଡିଓଟିକୁ ହରାଇ ବାବାଙ୍କର ଉଦବେଗ ଓ ଆତୁରତା ଦେଖି ହେଲାନାହିଁ। ସେ ରାତିରେ ସେ ଖାଦ୍ୟଜଳ ଛୁଇଁଲେ ନାହିଁକି ଶୋଇପାରିଲେ ନାହିଁ, ଯେମିତି ସେ ତାଙ୍କର କୌଣସି ପ୍ରିୟଜନଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି। ସେହି ମୁହୂର୍ତ୍ତରେ ମୁଁ ପ୍ରତିଜ୍ଞା କଲି ଯେମିତି ବି ହେଉ ବାବାଙ୍କୁ ମୋ ପ୍ରଥମ ମାସର ଦରମାରେ ଭଲ ରେଡିଓଟିଏ କିଣି ଉପହାର ଦେବି। ଏମିତି ଆମଘରେ ପଦାର୍ପଣ ହେଲା ମର୍ଫିବାହାଦୂର୍ର।
ବାବା ଯେ ମୁଁ ବଡ଼ ହୋଇ ଚାକିରୀ କରି ପ୍ରଥମ ଦରମା ପାଇ ସହଜ ବ୍ୟବହାର ଯୋଗ୍ୟ ଟ୍ରାଞ୍ଜିସଟର ମର୍ଫିବାହାଦୂର୍ ରେଡିଓ କିଣି ଉପହାର ଦେବା ପର୍ଯ୍ୟନ୍ତ ବିନା ରେଡିଓରେ ଏତେଦିନ ରହିପାରିବେ ଏହା ସମ୍ପୂର୍ଣ ଅସମ୍ଭବ ଥିଲା। ତାଙ୍କ କାପେଲା ଫିଲିପ୍ସ ରେଡିଓକୁ ମନେପକାଇ ଓ ତା’ର ଗୁଣଗାନ କରି ପରିବାର ଉତ୍ସବ ଗହଳି ଭିତରେ ବଖାଣିବାର କୌଣସି ସୁଯୋଗ ବାବା ହାତଛଡ଼ା କରୁନଥିଲେ। ଯେତେହେଲେ ଉଚ୍ଚସମ୍ଭ୍ରାନ୍ତ ହଲାଣ୍ଡ ତିଆରି ଜାତିଆ ରେଡିଓ ଥିଲା ତାଙ୍କ କାପେଲାଫିଲିପ୍ସ ରେଡିଓଟା। ଦେଖିବାକୁ ଯେମିତି କାମ ବି ସେମିତି। ତା’ର ନିଖୁଣ ମଧୁର ଟ୍ରାନ୍ସମିଶନ ଓ ତାନ ଆଗରେ ଭାରତ ତିଆରି ଫିଲିପ୍ସ କି ନିମ୍ନମାନର, ଯିଏ ବ୍ୟବହାର କରିଛି ସିଏ ଜାଣିଛି। ତୂଳନା କରି ହେବନି, କି ପାସଙ୍ଗରେ ପଡ଼ିବ ନାହିଁ। ଯେତେ ହେଲେ ବିଲାତି ଚିଜ ଓ ଦେଶୀ ଭିତରେ ଫରକ ରହିବନା? ସେ କାଳର ହାତତିଆରି ଅଭିଜ୍ଞ କୁଶଳୀ ଡଚ୍ କାରିଗରୀର ଅରିଜିନାଲ ରେଡିଓ, ତା’ ଦେହରେ ଦୁନିଆସାରା ରେଡିଓ ଷ୍ଟେସନ ବନ୍ଧା, ଆଉ ତା’ ସରି କ’ଣ ଏ ମେସିନ୍ ତିଆରି ଦେଶୀ କାରିଗର ତିଆରି ଫିଲିପ୍ସ ରେଡିଓ, “ଘଡ଼ିଏ ଶୁଣି ହେବ ନାହିଁ”, ଝୁରୁଥାନ୍ତି ବାବା।
ସକାଳ ପହରୁ ଆକାଶବାଣୀର ଆବାହନୀ ଶିବରଞ୍ଜନୀ ରାଗ ଆଧାରିତ ପିଆନୋ, ଭାୟୋଲିନ୍, ତାନପୁରାର ସମ୍ମିଳିତ ସ୍ୱରରେ ଇହୁଦୀ କଳାକାର ୱାଲଟର କାଫମେନଙ୍କ ମଧୁର ସଙ୍ଗୀତର ଯାଦୁରୁ ଆରମ୍ଭ ହୋଇ, ଦ୍ୱିପହର ନାରୀ ମହଲଠାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରେଡିଓକୁ ଫୁରୁସତ ମିଳେନା। ଜେଜେମା’ ପାଇଁ ୟେ ଏକ ଆଶ୍ଚର୍ଯ୍ୟ- ସରଗର ଅମୃତବାଣୀ ଓ ଅପ୍ସରୀଙ୍କ ସଙ୍ଗୀତ। ଭାବିଲେ ତା’ ହାତ ଆପେ ଆପେ ଉପରକୁ ଉଠି ଯାଏ। ବାବା ବୁଝାଇ ଚାଲନ୍ତି, ସୁଦୂରରୁ ଶବ୍ଦତରଙ୍ଗ ମାଧ୍ୟମରେ ପଠାଯାଉଥିବା କାର୍ଯ୍ୟକ୍ରମ ସବୁ କେମିତି ଆଣ୍ଟେନା ଓ ଏରିଏଲ୍ ମାଧ୍ୟମରେ, ରେଡିଓ ସ୍ପିକର ଦେଇ ଆମ ପାଖରେ ପହଞ୍ଚେ। ଜେଜି କୁହନ୍ତି ଆମ ଚାରିପଟେ ଯଦି ସରଗର ଶବ୍ଦତରଙ୍ଗ ସବୁ ଖେଳି ବୁଲୁଛନ୍ତି, ଆମେ କେମିତି ସେସବୁ କାନ ଥାଇ ଶୁଣିପାରୁନୁ, ଯାହାକି ଏ ଛୋଟ ରେଡିଓଟି ଆମ ବୋଲ ମାନି ଶୁଣାଇ ପାରୁଛି।
ବାବାଙ୍କ ସାନ ଭାଇ ମାଡ୍ରାସ ବର୍ମା ବଜାରରୁ ଚୋରାରେ ନେସନାଲ୍ ପାନାସୋନିକର ତିନିବ୍ୟାଣ୍ଡ ରେଡିଓ ସହିତ ବିଶାଳାକାୟ ଟେପ୍ ଡେକ୍ ମ୍ୟୁଜିକ ସିଷ୍ଟମଟିଏ ଘରକୁ ଆଣିଲେ। ସେଥିରେ ରେଡିଓ ଛଡ଼ା, ମାଗନେଟିକ୍ ଟେପ୍ରୁ କ୍ୟାସେଟ୍ ମ୍ୟୁଜିକ ଶୁଣିବାର ସୁବିଧା ଥିଲା। ଦୁଇ ପଟରେ ଦୁଇଟା ଶକ୍ତିଶାଳୀ ସ୍ପିକର ଛଡ଼ା ଏଥିରେ ସୁବିଧା ହେଲା ଯେ ଏଥିପାଇଁ କାପେଲା ଫିଲିପ୍ସ ଭଳି ଭୁଣ୍ଡା ବ୍ୟାଟେରୀ ବଦଳରେ ଛୋଟ ବ୍ୟାଟେରୀର ବ୍ୟବହାର। ଘର ଭିତରେ ଗୋଟିଏ ଜାଗାରେ ଆସ୍ଥାନ ନ ଜମାଇ, ଏହା ଚଳମାନ ହୋଇପାରିଲା। ଦେଖୁ ଦେଖୁ ଗାଁ’ ଟୋକାଙ୍କ ପାଇଁ ଏଥିରୁ ଗୋଟେ ଲେଖା କାନ୍ଧରେ ଧରି ଅବା ସାଇକେଲ୍ ବାସ୍କେଟରେ ପକାଇବା ରୀତିମତ ଷ୍ଟାଇଲ୍ ହୋଇଗଲା।
କିନ୍ତୁ ବାବାଙ୍କ ଭଳି ନିଷ୍ଠାବାନ୍ ରେଡିଓ ଶୁଣାଳୀଙ୍କୁ ଏଡ଼େ ବଡ଼ ଓଜନିଆ ଯନ୍ତ୍ରଟା ମନକୁ ପାଇଲାନି। ବହୁତ ଘୋ ଘା, ଶ୍ରୁତିକଟୁ, ତାଙ୍କୁ ରେଡିଓର ମଧୁରତା କେଉଁଠି ହଜିଗଲା ଭଳି ଲାଗିଲା। ନାନାପ୍ରକାର ସୁବିଧା ଥିବା ଏଇ ଯନ୍ତ୍ରଟା ବାବାଙ୍କ ମନକୁ ଆକର୍ଷିତ କରିପାରିଲାନି। ପୂର୍ବ ରେଡିଓର ସ୍ମୃତିକୁ ବାହୁନି ବାବା ଶେଷରେ ନୂଆ ନୂଆ ବଜାରକୁ ଆସିଥିବା ଛୋଟ ଟ୍ରାଞ୍ଜିଷ୍ଟରଟିଏ କିଣିଲେ। ନେବା ଆଣିବା ଓ ବ୍ୟବହାର ସୁବିଧା ଯୋଗୁଁ ଏଇଟା କିଛି ସମୟ ପାଇଁ ବାବାଙ୍କ ଚିରସାଥୀ ହୋଇ ରହିଲା। ପାନାସୋନିକ୍ ଟେପ୍ ଡେକଟି ଘରେ ଆସ୍ଥାନ ଜମାଇ ଥାକ ଉପରେ ସେମିତି ଘରର ଅନ୍ୟ ଆସବାବ ଭଳି ପଡ଼ି ରହି ଧୂଳି ଜମିଲା। ଟ୍ରାଞ୍ଜିଷ୍ଟରଟିର କ୍ଷୁଦ୍ର ଅବୟବ ସିନା କାମଚଳା ଚାଲୁ ବ୍ୟବହାର ପାଇଁ ଠିକ୍ ଠାକ୍ ଥିଲା,କିନ୍ତୁ ବାବା ତା’ ଟ୍ୟୁନିଙ୍ଗ ସଜାଡ଼ୁ ସଜାଡ଼ୁ ବ୍ୟସ୍ତ ହୋଇପଡ଼ନ୍ତି, ପୂର୍ବ ରେଡିଓର ମଧୁରତା ମିଳିଲା ନାହିଁ।
ଶେଷରେ ଆସିଲା ଏଇ ମର୍ଫି ବାହାଦୂର୍, ଯେ କି ଅଳ୍ପ ଦିନ ଭିତରେ ବାବାଙ୍କ ଆଦରର ଧନ ହୋଇପାରିଲା। ଟ୍ରାଞ୍ଜିଷ୍ଟର ତୂଳନାରେ ଏହା ରଗଡ ବ୍ୟବହାର ପାଇଁ ବେଶ୍ ପ୍ରସିଦ୍ଧ ଥିଲା। ଟ୍ୟୁନିଙ୍ଗ ଶ୍ରୁତିକଟୁ ହେଲେ, ବାବା ବରଂ ପାଣିପାଗ ଖରାପ ଅଛି କହିବେ କେବେ ମର୍ଫି ବାହାଦୂରକୁ ଦୋଷ ଦେବେ ନାହିଁ। ଅନେକ ଥର ଟ୍ୟୁନିଙ୍ଗ ଠିକ୍ ନ ଥିଲେ ବାବାଙ୍କ ସରୁ ଚାପଡ଼ା ଖାଇ ମର୍ଫି ବାହାଦୂର୍ ଆପେ ଆପେ ଠିକ୍ ହୋଇଯାଏ। ବାବା ସକାଳଠାରୁ ରାତି ପର୍ଯ୍ୟନ୍ତ ଘଡ଼ିଏ ସମୟ ପାଇଁ ମଧ୍ୟ ମର୍ଫି ବାହାଦୂର୍କୁ ପାଖଛଡ଼ା କରନ୍ତି ନାହିଁ ଏବଂ ପିଲାମାନଙ୍କଠାରୁ ନିରାପଦ ଦୂରତାରେ ରଖୁଥାନ୍ତି। ଚାକିରୀରୁ ଅବସର ନେଲାପରେ ସେ ସବୁ ସମୟରେ ତାକୁ ପୁଅ ଭଳି ପାଖେ ପାଖେ ରଖନ୍ତି।
ଥରେ ବାବାଙ୍କ ବରିଷ୍ଠ ଅଧିକାରୀ ଓ ଶିକାର ସାଙ୍ଗ ବିକ୍ରମ ସିଂଦେଓ, ତାଙ୍କ ରେଡିଓରେ ବିମୋହିତ ହୋଇ ଏକ ଏୟାର ରାଇଫଲ ବଦଳରେ ମର୍ଫି ବାହାଦୂର୍ ରେଡିଓଟିକୁ ଉପହାର ଦେବାକୁ ବାବାଙ୍କୁ ବାଧ୍ୟ କଲେ। ବଡ଼ ଅଫିସର ଝୁଙ୍କ୍ କରି ମାଗି ସାରିଲେଣି, ବାବା ଏବେ କରିବେ କ’ଣ? ବାବାଙ୍କ ନିଜ ରେଡିଓ ପ୍ରତି ପ୍ରବଳ ଦୁର୍ବଳତା କଥା ତ ବିକ୍ରମ ସିଂଦେଓ ଜାଣିନଥିଲେ। ବାବା ଏ ରେଡିଓ ପୁରୁଣା ହେଲାଣି, ଆପଣ ତ ବଡ଼ ଲୋକ, ଚାହିଁଲେ ଏମିତି କେତେ ଅର୍ଖନୂଆ ଦାମିକା ରେଡିଓ କିଣିପାରିବେ ବୋଲି ଯେତେ ବୁଝାଇଲେ ବି ସେ ନଛୋଡ଼ବନ୍ଧା। ସେଇ ରେଡିଓରେ ଥରେ ମନ ଲାଗିଛି, ନ ହେଲେ ନ ହୁଏ। ବାବାଙ୍କ ମୁଣ୍ଡରେ ବଜ୍ର ପଡ଼ିଲା। ଉପାୟ ନ ପାଇ କିଛିଦିନ କାର୍ଯ୍ୟାଳୟରୁ ଅସୁସ୍ଥତା ଛୁଟି ମାଗି ଘରେ ରହିଲେ ଓ ବିକ୍ରମଙ୍କୁ ଦେଖା ଦେଲେ ନାହିଁ। ଏ ଆସନ୍ନ ସଙ୍କଟରୁ ରକ୍ଷା ପାଇବା ପାଇଁ ଘରେ ବ୍ରାହ୍ମଣ ଡାକି ସଙ୍କଟମୋଚନ ପୂଜା କରାଇଲେ। ଭାଗ୍ୟକୁ ୟା ଭିତରେ ବିକ୍ରମବାବୁଙ୍କ ଅନ୍ୟତ୍ର ବଦଳି ଅର୍ଡର ଆସି ଯିବାରୁ ସେ ଏ ସଙ୍କଟରୁ ମୁକ୍ତି ପାଇ ପୁନଃ କାର୍ଟ୍ୟାଳୟରେ ଯୋଗଦେଲେ।
ଆଉଥରେ ସେମିତି ବାବାଙ୍କ ପାଇଁ ପରୀକ୍ଷାର ବେଳ ଆସିଲା, ଯେବେ ପରିବାର ଭୀଷଣ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା ଓ ଦାଦୁଙ୍କ ବ୍ୟବସାୟ ପାଇଁ ଅର୍ଥ ଆବଶ୍ୟକ ଥିଲା, ବାବା ମର୍ଫି ବାହାଦୂର୍କୁ ନେଇ ମହାଜନ ପାଖରେ ବନ୍ଧା ପକାଇ କିଛି ଅର୍ଥ ଉଧାର ଆଣିବାକୁ ବାଧ୍ୟ ହେଲେ। ସେ ରାତିରେ ବାବାଙ୍କ ବିଚଳତା ଦେଖି ବୋଉ ପରଦିନ ସକାଳେ ନିଜ ଗଳାହାର ଓହ୍ଲାଇ ବାବାଙ୍କୁ ମହାଜନ ପାଖରେ ବଦଳ ବନ୍ଧା ରଖି ରେଡିଓଟି ଫେରାଇ ଆଣିବାକୁ ବାଧ୍ୟ କଲା।
ବାବାଙ୍କ ବାଇପାସ ହାର୍ଟ ଅପରେସନ ହେବାର ଦୁଇଦିନ ପରର କଥା। ସିଟି ହସ୍ପିଟାଲର ହୃଦ୍ ବିଭାଗର ସ୍ପେଶାଲ ଆଇସିୟୁରେ ବାବାଙ୍କୁ ଡାକ୍ତର ପରୀକ୍ଷା କରୁଥାନ୍ତି, ବାବା ବହୁତ ଅନୁନୟ ବିନୟ ହୋଇ ଡାକ୍ତର ସାହେବଙ୍କୁ ବୁଝାଇ ଚାଲିଥାଆନ୍ତି, “ମୁଁ ଏବେ ସମ୍ପୂର୍ଣ ସୁସ୍ଥ ଅନୁଭବ କଲିଣି ଓ ଭଲ ହୋଇଗଲିଣି, ଆଇସିୟୁରେ ରହିବାର ଆଉ ଆବଶ୍ୟକତା ନାହିଁ, ମୋତେ ଏଠି ନିଦ ହେଉନାହିଁ, କି ରହିବା ପାଇଁ ଆଦୌ ଭଲ ଲାଗୁ ନାହିଁ। ତୁରନ୍ତ ମୋତେ ସାଧାରଣ ୱାର୍ଡର କୌଣସି ଖାଲି କେବିନକୁ ଶିଘ୍ର ପଠାଇବାର ବନ୍ଦୋବସ୍ତ କରନ୍ତୁ।”
ଡାକ୍ତର ହସି ହସି ଉତ୍ତର ଦେଲେ “ପଇସାଖର୍ଚ୍ଚକୁ ଡରୁଛନ୍ତି କି ମଉସା? ଆପଣଙ୍କ ହସ୍ପିଟାଲରେ ଅପରେସନ ଖର୍ଚ୍ଚ ଇନସ୍ୟୁରାନ୍ସ କମ୍ପାନୀର ଉପର ସୀମାଠାରୁ ବହୁତ ତଳେ ଅଛି, ସପ୍ତାହେ ଆଇସିୟୁ ସେବାର ମଜା ନିଅନ୍ତୁ, ହାତରୁ କିଛି ବାଜିବ ନାହିଁ, ବ୍ୟସ୍ତ ହେଉଛନ୍ତି କାହିଁକି?”
ଡାକ୍ତରଙ୍କୁ ଆଉ କିଛି ନ କହି ବାବା ମୋତେ ତାଙ୍କ ହସ୍ପିଟାଲ୍ ବେଡ୍ କଡ଼କୁ ଡାକି ଧୀର ସ୍ୱରରେ କହିବାକୁ ଲାଗିଲେ “ଆରେ ୟେ ଡାକ୍ତରଟାକୁ ବୁଝାଇଲୁ, ସେ ବୁଝୁନାହାନ୍ତି, ମୁଁ ପଇସା ଖର୍ଚ୍ଚକୁ ଡରି ଆଇସିୟୁ ଛାଡ଼ି ସାଧାରଣ ୱାର୍ଡକୁ ଯିବାକୁ ତରତର ହେଉ ନାହିଁ, ପ୍ରକୃତରେ ମୁଁ ଏଠି ମୋ ସୁଖ ଦୁଃଖର ସାଥୀ ମର୍ଫି ବାହାଦୂର୍ର ଅଭାବ ଅନୁଭବ କରୁଛି। ମୋ ନିଦ ପାର୍ଟନର ମୋ ମୁଣ୍ଡ ପାଖରେ ନାହିଁ, ତା’ ବିନା ମୋତେ ନିଦ କେମିତି ଆସିବ?”
- ଉଦୟାଂଶୁ,
- ଏସ୍ -୧୨୮,
- ମୈତ୍ରୀବିହାର
- ଭୁବନେଶ୍ୱର
Also readhttps://purvapaksa.com/rss-banyan-tree-of-indias-immortal-culture-and-modernisation-pm-modi/